Unknown

 

 

 

 

 

 

 

 

 

ମଲାଜହ୍ନ

ଉପେନ୍ଦ୍ର କିଶୋର ଦାସ

 

ବୈଶାଖର ଖଇଫୁଟା ଖରାଝାଞ୍ଜି ଭିତରେ ଅଦିନ ବଉଦର କୁହୁକ ପରଶ ଚହଟିଗଲା ପରି ନିହାତି ହୀନିମାନିଆ ଜୀବନରେ ବି ଏମିତି ଗୋଟାଏ ଗୋଟାଏ ଅମୃତଘଡ଼ି ଆସି ଭେଟିଯାଏ, ଯାହାଲାଗି ଜୀବନଟା ସାରା କୋଉ ଅଜଣା ଆଲୋକିତ ପଥରେ ଯାଇ ପଡ଼େ ! ଅମୃତ-ଘଡ଼ି ବା କହିବି କାହିଁକି ? ସୁଅ ସୁଆଦଟିକ ଦଣ୍ଡକ ଭିତରେ ପ୍ରାଣଉଜଡ଼ା କରି ଥରେ ଚଖାଇଦେଇ ପଛକୁ ଯେ ଏମିତି ତୁଚ୍ଛା ନିଉଛଣା ହୋଇଯାଏ ସାରାଜୀବନଟା ଲାଗି, ତାକୁ ଆଉ ସେ ଯାହା କହୁ ପଛେ, ଅମୃତ ବୋଲି ମୁଁ ତ କହିବି ନାହିଁ କେବେ । ସଂସାର ଭିତରେ ନିହାତି ହୀନିମାନିଆ ଜୀବନଟାରେ ମୋର ସେହି ଦଣ୍ଡକର ସୁଖସୌଭାଗ୍ୟର ଲୋଭ ଏଡ଼ାଇ ପାରିଥାନ୍ତି ଯଦି, ଆଜି ଆଉ ମଝିନଈରେ ମତେ ଏମିତି ବୁଡ଼ିମରିବାକୁ ହୋଇନଥାନ୍ତା ପରା !

 

ଜୀବନରେ ଏଡ଼େବଡ଼ ଭୁଲ ପୁଣି ଲୋକେ କରନ୍ତି ଦଣ୍ଡକରେ, ରାଗ ଅଭିମାନରେ, ମୋ ଜୀବନରେ ସେ କଥାଟା ମୁଁ ହାଡ଼େ ହାଡ଼େ ଅଙ୍ଗେ ନିଭେଇଛି । ସେଥିଲାଗି ପାଞ୍ଚ ପଚିଶଙ୍କ ଆଗରେ ମୋ’ରି ନିଉଛଣା ଜୀବନର ନିରାଟ ସତକଥାଗୁଡ଼ିକ ଗାଇଯିବାକୁ ମତେ ଟିକିଏ ଡର ଲାଗୁ ନାହିଁ । ଆଉ ଡରିବି ବା କାହାକୁ ? ଯେତେବେଳେ ଡରିବା କଥା, ସେତେବେଳେ ତ ଇନ୍ଦ୍ରଚନ୍ଦ୍ର ଦିଶି ନାହାନ୍ତି ମୋ ଆଖିକି, ଆଉ ଏଇକ୍ଷଣି, ସବୁ ସରିଲା ପରେ ଡରି ଫଳ କ’ଣ ?

 

ଜନ୍ମହେଲାବେଳେ ବାପା ବଡ଼ ଶରଧାରେ ମୋ ନାଁ ଦେଇଥିଲେ ସତ୍ୟଭାମା; କିନ୍ତୁ କୋଉ ଗୁଣ ଦେଖି ସେ ଏଇ ନାଁ ନେଇଥିଲେ କେଜାଣି, ବାହାର ଭିତର କୋଉଟା ତ ଟିକେ ମିଳୁ ନ ଥିଲା ମୋର ଏଇ ନାଁ ସାଙ୍ଗେ । ଦୁଷ୍ଟ ଅମାନିଆପଣରେ ତ ମୁଁ ସରିଥିଲି, ତାହା ସାଙ୍ଗେ ଗୋଟିଏ ଝିଅ ବୋଲି ବାପାମା’ଙ୍କର ସେହ୍ନ ଶରଧାର ଉହାଡ଼ରେ ରହି ମୋର ରାଗ ଅଭିମାନଟା ପୁଣି ଏତେ ବଢ଼ିଯାଇଥିଲା ଯେ ବେଳେ ବେଳେ ଘର ଛାଡ଼ି ପାଞ୍ଚଘରେ ମୋ ନାଁ ପଡ଼ିବାର କମି ନ ଥିଲା; କିନ୍ତୁ ଏତେ ଦୁଷ୍ଟପଣର ଗୋଟିଏ ଝିଅ ବୋଲି ବାପା ମା’ ସେ ଆଡ଼କୁ ଏକାବେଳକେ ଆଖିବୁଜି ଦେଇଥିଲେ, ଆଉ ସେଇ ତ ମୋରି କାଳ ହେଲା ! କେମିତି ହେଲା, ସେକଥା କହୁଛି ଶୁଣ–

 

ସରଗର ମେଘମଉଳା ପଟରୁ ଦି’ପହର ଖରାତେଜ ହଜାଇଦେଇ ସେଦିନ ମାଡ଼ି ଆସିଥାଏ ପହିଲୁ ଆଷାଢ଼ ପରି ବହଳ ଚିକଣ ବଉଦମାଳା । ଗାଁ ଗହୀର ଆଡ଼େ, ଆମ ବାରିପଟ ଘନ ଆମ୍ବତୋଟାରେ ପବନ ଭାରି ଜୋରରେ ଗର୍ଜୁଥାଏ । ବେଗି ବେଗି ଖିଆପିଆ କାମ ବଢ଼ାଇ ଦେଇ ବୋଉ ସେଦିନ ଶୋଇବାକୁ ଗଲା । ବର୍ଷା ପବନ ଦେଖି ମୋର କାହିଁକି ସେଦିନ ଭାରି ମନ ହେଲା, ସେଇଆଡ଼େ ଟିକେ ବୁଲି ଆସିବାକୁ । ବୋଉ ଅଜାଣତରେ ପାନପେଡ଼ିରୁ ବେଶିକରି ଦି’ଖଣ୍ଡ ପାନ ଭାଙ୍ଗିନେଇ ବାହାରି ପଡ଼ିଲି । ଦାଣ୍ଡ ପାହାଚ ଉପରେ ଗୋଡ଼ ଦେଲାବେଳେ ପଛରୁ କିଏ ଡାକିଲା–ସତୀ !

 

ଚମକିପଡ଼ି ପଛକୁ ଚାହିଁଲି–ଦାଣ୍ଡଘରେ ବସି ବାପା ପୋଥି ଲେଖୁଛନ୍ତି । ମୁଁ କାଠପିତୁଳି ପରି ସେଇଠି ଠିଆହୋଇ ରହିଲି-ଛାତି ଦୁଲୁ ଦୁଲୁ ପଡ଼ୁଥାଏ ଡରରେ । ମୋତେ ଠିଆହେବା ଦେଖି ସେ ପଚାରିଲେ–କୁଆଡ଼େ ଯା-ଆ ହଉଥିଲା ଏତେବେଳ ? ଗାଁ ଗସ୍ତରେ ପରା ! ମଲା ଯା, ଏତେକଥା ଏ କୁଆଡ଼ୁ ଜାଣିଲେ ? ମୁଁ କିଛି ନ କହିଲାରୁ ସେ କହିଲେ–ତୋ ବୋଉକୁ ଡାକିଲୁ !

 

ମୁଁ ଯାଇ ଉଠେଇଦେଲି ବୋଉକୁ । ସେ ଆଖି ମଳି ମଳି ବାହାରକୁ ଆସିଲା । କବାଟକଣରେ ଠିଆହୋଇ ଶୁଣିଲି, ବାପା ପଚାରୁଛନ୍ତି-ସତୀ କି ବାହାରକୁ ଯିବାକୁ ତମେ କହିଥିଲ-?

 

ବୋଉ ଆଶ୍ଚର୍ଯ୍ୟ ହୋଇ କହିଲା–ନାହିଁ ତ, କାହିଁକି ? ବାପା କହିଲେ–ସେ ସବୁବେଳେ ଯାଇ ବାହାରେ ବୁଲୁଚି, ଏଟା ତମ ଆଖିକି ସୁନ୍ଦର ଦିଶିଲେ ଗାଁ ଲୋକଙ୍କୁ ତ ତା’ ଦିଶୁନାହିଁ । ତାକୁ ବୋଧହୁଏ ଏଗାର ବର୍ଷ ହେଲାଣି ! କାଲି ପଅରଦିନ ବାହା ସେ । ତାକୁ ଏ ସମୟରେ ଏତେ ବାହାରକୁ କାହିଁକି ଛାଡ଼, ଶୁଣେ ?

 

ବୋଉ କାହାକୁ ଖୋଜିଲା ପରି ଚାରିଆଡ଼କୁ ଥରେ ଚାହିଁଗଲା । ଉଦ୍ଦେଶ୍ୟଟା ମତେ ପାଇଲେ ତା’ର ଅକ୍ଷମତାର କ୍ରୋଧଟିକକ ପୂର୍ଣ୍ଣମାତ୍ରାରେ ମୋ ଉପରେ ସାରିଦିଅନ୍ତା । କିନ୍ତୁ କାହାକୁ ନ ଦେଖି କହିଲା–ଦୋଷଯାକ ସବୁ କ’ଣ ମୋରି ? ଏଇୟା ତମ ବୁଝାମଣା ପରା ! ପଚାରିଲ ସେ ଟୋକୀକି, ଏଇ ବାହାରକୁ ଯିବା କଥା ନେଇ କେତେଥର ମୁଁ ତାକୁ ଗାଳି ଦେଲିଣି-? ସେ କ’ଣ ଜମା ମାନୁଚି ମୋ କଥା !

 

ବାପା କହିଲେ–ଘର ଝିଅ, ପର ତ ଆଉ ଆସିବେ ନାହିଁ ଆକଟିବାକୁ ! ସେ କଥା କହିଲେ କିଏ ଶୁଣିବ ? ମୁଁ ଇଆଡ଼େ ବରଘର ଖୋଜା ଲଗେଇଥାଏ, ଝିଅ ସିଆଡ଼େ ଘୋଡ଼ା ପରି ଦାଣ୍ଡବାଟରେ ବୁଲୁଥାଆନ୍ତୁ ।

 

ମୋର ଆଉ ଅଧିକା ଶୁଣିବା ଦରକାର ହେଲା ନାହିଁ । କବାଟକଣରୁ ଗୋଡ଼ ଚିପି ଚିପି ମୁଁ ତଳଘରକୁ ଚାଲିଗଲି । ମୋର ଖାଲି ମନେପଡ଼ୁଥାଏ ବାପାଙ୍କ କଥା–ଇଆଡ଼େ ମୁଁ ବରଘର ଖୋଜା ଲଗେଇଥାଏ ।

 

ଏ ବରଘର ଖୋଜା କାହାପାଇଁ ମୁଁ ଜାଣେ । ଏଇଥିପାଇଁ ତେବେ ବାହାରକୁ ବାହାରିଗଲେ ବୋଉ ଏତେ ଚିଡ଼େ ! ମୁଁ କହେ, କାହିଁକି, ବାହାହେବା ତ କେତେ ଲୋକଙ୍କୁ ମୁଁ ଦେଖିଚି । ଆମରି ସାଇରେ କମଳୀନାନୀ ତ ସେଦିନ ବାହାହେଉଚି । ଗୋବର୍ଦ୍ଧନ କାନଗୋଇ ଝିଅ ହୀରା ତ ବାହାହୋଇଚି ଯେ ଆଜିଯାଏ ସହିତେ ଫେରିନାହିଁ ଶାଶୁଘରୁ । ମୁଁ ତେବେ ଏମିତି ବାହାହେବି–ନାଁ ଆଉ କେମିତି ? ମୁଁ ତ ଜାଣେ ନାଇଁ, ଏଥିରେ ଆଉ କ’ଣ ଅଛି ? ତଥାପି ବାହାହେବା କଥାଟା ସବୁଦିନେ ମୋତେ ଭାରି ଅପୂର୍ବ ଲାଗେ–ସବୁ ଝିଅଙ୍କୁ ବୋଧହୁଏ ଲାଗୁଥିବ ଏମିତି, ଯେମିତି ଗୋଟାଏ ଅମୁଁହା ଦେଉଳ, ଆଖି ଉଢ଼ାଳରେ ସତେ କି କେତେ ଅପୂର୍ବ ଦରବ ଠୁଳ ହୋଇଛି ତା’ ଭିତରେ ।

 

ସେ ଦିନଯାକ ମୋର ଖାଲି ମନେହେଲା ଏଇ ବାହାଘର କଥା, ଓଢ଼ଣା ପକାଇ କନିଆଁ ହବା, ସମସ୍ତିଙ୍କ ଆଗରେ ଲଇଁ ଲଇଁ ଚାଲିବା କଥା । ଭାରି କୌତୁକ ସତେ ଏକା । ଏଇ ବାହା ହବା ଭିତରେ ପୁଣି କେତେ ପରିବର୍ତ୍ତନ, କେତେ ପ୍ରଳୟ, କେତେ ସୃଷ୍ଟି ଯେ ଖଞ୍ଜା ହୋଇଛି ଆମ ମାଇକିନା ଜାତିଟା ଲାଗି, ଏକଥା ମୋ ମନକୁ ସେତେବେଳେ ଜମା ଆସିନାହିଁ । ଆସିଥିଲେ ଜୀବନଟା ମୋର ଏକାଥରେ ଭିନେ ବାଟରେ ଯାଇପାରିଥାନ୍ତା । ଆଜି ତମରିମାନଙ୍କ ଆଗେ କଲମ ଧରି ନିଉଛଣା ଜୀବନର ନିଲଜ କାହାଣୀଗୁଡ଼ାକ କାଗଜ ଉପରେ ଏମିତି ଢାଳିଦେବାକୁ ମତେ ପଡ଼ିନଥାନ୍ତା ପରା ।

 

ଆମ ହିନ୍ଦୁଘରେ, ବିଶେଷରେ ବାମୁଣ ଘରେ, ବାହାହେବା ଆଗରୁ ଏକଥା ବୋଧହୁଏ କାହାରି ମନକୁ ଆସେ ନାହିଁ, ଆସୁଥିଲେ ବି କ’ଣ ବେଶି ଲାଭଟା ହଉଥାନ୍ତା କେଜାଣି ? ପାଞ୍ଚବର୍ଷ ବେଳୁ, ଭଲକରି ଜ୍ଞାନହେବା ଆଗରୁ, ସମସ୍ତେ ତ ଆମ କୁଳରେ ପୁଣି ବାହା ହୁଅନ୍ତି ଏମିତି, ମୋରି ପରି ସ୍ୱାମୀ କ’ଣ ଭଲକରି ବୁଝିବା ଆଗରୁ । ସମସ୍ତେ ତ ପୁଣି ବଡ଼ ହୋଇ ଗୋଟିଏ ଅଜଣାଅଚିହ୍ନା ଲୋକର ଘର କରିବାକୁ ଯାଆନ୍ତି । କାହିଁ ଦିନେ ତ ସେଥିପାଇଁ କାହାରି ପୃଥିବୀ ପ୍ରଳୟ ହୋଇଯାଏ ନାହିଁ ? କାହାରିକୁ ବିଷ ଖାଇବାକୁ ହୁଏ ନାହିଁ, ସେଇ ଦୁଃଖରେ ? କିନ୍ତୁ ମୋ କଥା–ମୋ କଥା ଯେ ସମସ୍ତିଙ୍କଠଉଁ ଟିକେ ଅଲଗା । ତା’ ନୋହିଥିଲେ ଆଜି ଆଉ–କିନ୍ତୁ ଛାଡ଼ ସେ କଥା ।

 

ସେ ଦିନଠଉଁ ମୁଁ ଜାଣିଲି, ମୋର ବାହାଘର ଖୁବ୍ ନିକଟରେ । ବାପା ଆଜି ମୋ ମୁହଁକୁ ଚାହିଁ ସେଇଥିଲାଗି ଏତେ ହସୁଥିଲେ । ଏଡ଼େ ଓଲି ମୁଁ, ଏ ସହଜ କଥାଟା ସେତେବେଳେ ଯାହା ବୁଝିପାରିନଥିଲି..... ।

 

ଶରତ ଗଲା ନଈପଠାରେ ତଣ୍ଡିଫୁଟା ମଉଛବ ବଢ଼ାଇ ଦେଇ । ବିଲପଡ଼ିଆରେ ଶୁଖିଲା ନୁଖୁରା ଭୂଇଁ ଉପରେ ପାହାନ୍ତା ପହରର ଗଙ୍ଗଶିଉଳି ଶେଯ ପରା କ୍ରମେ ସରିଆସିଲା । ଫୁଲଫୁଟା ବାତାପିଗଛରେ ସକାଳୁ ସଞ୍ଜଯାଏ ମହୁମାଛିଙ୍କ ଭିଡ଼ାଭିଡ଼ି–ଦୂର ପାଟ ଆଡ଼େ ସତେକି କିଏସେ ଘଣ୍ଟିଘାଗୁଡ଼ି ବାନ୍ଧି ଧାଇଁଛି । ପତ୍ର ପାଚି ଆସୁଥିଲା ଟିକେ ଟିକେ ବିଲପଡ଼ିଆରେ; କିନ୍ତୁ ଆଗଠଉଁ ଆହୁରି ସାଗୁଆ ରଙ୍ଗ କିଏ ବୋଳି ଦେଇଥିଲା ଗଛପତରରୁ ଚିପୁଡ଼ି । ମେଘ ଏକାଥରେ ଛାଡ଼ିଯାଇନାହିଁ । କିନ୍ତୁ ଦଶହରାକୁ ଧାନ ବାହାରିଥିଲା ଦଶଜାତି ଦଶହଜାର କିଆରୀରେ । ଗହୀର ବିଲର ଶୁଆପଖିଆ ନବାବ ଉପରେ ସତେକି କିଏ ସେ ପଶାପାଲି ବୁଣିଦେଇଚି । ଗାଁର ଉତ୍ତର ପଟେ ଯୋଉ ଯୋରଟା ଆମ ବାଡ଼ିଯାଏ ଲମ୍ବି ଆସିଚି, ଦିନେ ଖରାବେଳେ ଲୁଚି ଲୁଚି ଯାଇ ତା’ରି କୂଳରେ ଠିଆ ହେଲି । କ’ଣ ଗୋଟାଏ ପୂଜା ଥିଲା ବୋଲି ସେଦିନ ବାପା ଘରେ ନ ଥିଲେ-ମୋତେ ଭଲ ଯୋଗ ମିଳିଗଲା ପଦାକୁ ବାହାରିବାକୁ । ଅଶିଣ ଶେଷରେ କଇଁଫୁଲଫୁଟା ଦିନ, ଗରମ ବି ହଉଥାଏ ଭାରି । କଇଁଫୁଲ ତୋଳିବାକୁ ପାଣିରେ ପଶିଲି । ଫୁଲ ଆଣୁ ଲୁଗା ତିନ୍ତିଗଲା ବେକଯାଏ । ମୋର ସେ ଆଡ଼କୁ ଜମା ନିଘା ନାହିଁ । ହଠାତ୍ ବନ୍ଧ ଉପରେ କାହା ପାଟି ଶୁଣି ଚମକି ଚାହିଁଲି–ନାଥନନା !

 

ମତେ ଦେଖି ସେ କହିଲେ–ଦେଖୁଚ ଏ ଦୁଷ୍ଟକୁ, କେମିତି ଦି’ ପହରଟାରେ ଗାଧୋଉଚି-?

 

ନାଥନନାକୁ ଦେଖି ମୋର କିନ୍ତୁ ଭାରି ରାଗ ହେଲା ମନେ ମନେ । ଏତେଦିନ ଯାଏ କୁଆଡ଼େ ଥିଲେ ଯେ ଦେଖା ଟିକେ ମିଳୁ ନ ଥିଲା । ଆଜି ପୁଣି ଭଲ ମଣିଷ ହୋଇ ଆକଟି ବସିଲେ ଆଗ । ମୋ’ର ଗରଜ ପଡ଼ିଚି ୟାଙ୍କ କଥା ମାନିବାକୁ !

 

ନାଥନନା କହିଲେ–କିଏ ଫୁଲ ତୋଳି ଦେଇନଥାନ୍ତା କହିଥିଲେ ? ତୁ କାହିଁକି ପାଣିରେ ପଶିବାକୁ ଗଲୁ ଶୁଣେ ?

 

ସେଇଠି ସେମିତି ପାଣି ଭିତରେ ଠିଆହୋଇ ରହିଲି ଫୁଲ ପରି । ତାଙ୍କୁ ପାଟି ଫିଟେଇଲି ନାହିଁ ।

 

ସେ ହସିଲେ; କହିଲେ–ଓ, ଅଭିମାନ ହୋଇଚି ପରା ମୋ ଉପରେ ? ହଉ, ଆମେ ଯେ କାହିଁକି ଏତେ ରାଗ ସତୀ, ଆ, ସୁନା ଭଉଣୀଟା ପରା ଉପରକୁ ଉଠି; ଗୋଟାଏ ଭାରି ଦରକାରୀ କଥା କହିବି, ଶୁଣିଯା ।

 

ଜବାବ ଦେଲିନାହିଁ ତାଙ୍କ କଥାରେ । ବନ୍ଧ ଉପରୁ ଓହ୍ଲାଇ ଆସି ସେ କହିଲେ–ତୁ ଆସିବୁ ନା, ଫେର୍ ମୁଁ ଯିବି ତୋ ପାଖକୁ ?

 

କାହିଁକି କେଜାଣି, ତାଙ୍କର ଏ ପ୍ରସ୍ତାବଟା ମୋତେ ଭାରି ଅଡ଼ୁଆ ଲାଗିଲା, ଯେମିତି କେଡ଼େ ବଡ଼ ଲାଜ କଥାଟାଏ । ତରବରରେ ଉପରକୁ ଉଠିଆସିଲାବେଳେ ଦେଖିଲି, ଓଦାଲୁଗାଟାଏ ଦିହରେ ମୋର ଜଡ଼ିଯାଇଛି, ଆଉ ନାଥନନା କେମିତି ଭାବରେ ଗୋଟାଏ ସେଆଡ଼କୁ ଚାହିଁଛନ୍ତି । ଲାଜରେ ମୁଁ ଏକାଥରେ ମରିଗଲି । ମନେହେଲା, ଏଇଠି ମୁଁ ନ ମଲି କାହିଁକି ? ଏଇକ୍ଷିଣା ଭାବେ, ସେତେବେଳେ ସତରେ ଯଦି ମରିଥାଆନ୍ତି, ତେବେ ତ ପାଠ ଛିଡ଼ିଯାଇଥାଆନ୍ତା, ଜୀବନଭରି ଏ ଦହଗଞ୍ଜ ହିନସ୍ତା ଆଉ କାହା କପାଳରେ ଘଟିଥାଆନ୍ତା !

 

ଲୁଗାପଟା ଯଥାସାଧ୍ୟ ସଜାଡ଼ିନେଇ, ମୁହଁ ତଳକୁ ପୋତି କୌଣସିମତେ ଉପରକୁ ଉଠିଆସିଲି; କିନ୍ତୁ ତାଙ୍କ ମୁହଁକୁ ଚାହିଁବାକୁ ମତେ ସତେ କି ହାଣକୁ ନେଲାପରି ଲାଗିଲା । କୂଳ ପାଖରେ ଆଉ ଦଣ୍ଡେ ଅପେକ୍ଷା ନ କରି ଘର ଆଡ଼କୁ ଆସିଲି । ନାଥ’ନା ମୋ ସାଙ୍ଗେ ସାଙ୍ଗେ ଆସିଲେ । ଛଅମାସ ହେଲା ସେ ଗାଁରେ ନ ଥିଲେ, କଟକରେ କୁଆଡ଼େ ସେ ପାଠ ପଢ଼ିବାକୁ ଯାଇଥିଲେ–ଦଶହରା ଛୁଟି ହୋଇଛି, ସେ ଘରକୁ ଆସିଛନ୍ତି । ଏଇକ୍ଷିଣା ଅନେକ ଦିନ ରହିବେ, ଆମ ଘରକୁ ନିତି ଆସିବେ । ଏମିତି କେତେକଥା ସେ ମୋତେ ବାଟଯାକ କହିଲେ । ମୁଁ କିନ୍ତୁ ପାଟି ଫିଟେଇଲି ନାହିଁ, ଯଦିଚ ଅଭିମାନଟା ମୋର ସେତେବେଳେ ତାଙ୍କ ଉପରେ ଆଉ ନ ଥିଲା । ଖାଲି ଭାରି ଲାଜ ମାଡ଼ୁଥାଏ ତାଙ୍କୁ ମୁହଁ ଟେକି ଚାହିଁବାକୁ ।

 

ତାଙ୍କ ଘର ହେଲାରୁ ସେ ଚାଲିଗଲେ । ମୁଁ ଗଣ୍ଡିମୁଣ୍ଡ କିଛି ତାଙ୍କ କଥାରୁ ବୁଝିପାରିଲି ନାଇଁ । ଖାଲି ଏତିକି ମନେହେଲା, ନାଥନନା ଭାରି ଖରାପ ।

 

ଭିତରଘର ପିଣ୍ଡାରେ ଲୁଗା ଶୁଖାଉଛି, ବୋଉ କେତେବେଳେ ଆସି ମୋ ପାଖରେ ହେଲାଣି, ମୁଁ ଜାଣେନା । ଭାରି ଚିଡ଼ିଲା ପରି ସେ ମୋତେ ଡାକିଲା–ସତୀ !

 

ଚାହିଁ ଦେଖିଲି, ରାଗରେ ତା’ ମୁହଁ ନାଲି ପଡ଼ିଯାଇଚି । ଆଖି କଟମଟ କରି ସେ ମୋ’ ଆଡ଼କୁ ଚାହିଁ ପଚାରିଲା–ହଇଲୋ, କୁଆଡ଼େ ଯାଇଥିଲୁ ?

 

ଭୟରେ ପାଟିରୁ ମୋର କଥା ବାହାରିଲା ନାହିଁ । ଖାଲି କହିଲି–ଫୁଲ ଆଣିବାକୁ । ବଡ଼ ପାଟିକରି ସେ କହିଲା, ଫୁଲ ଆଣୁଥିଲୁ ! ମଲୁ ନାଇଁ ବୁଡ଼ି ସିଆଡ଼େ, ଅଲକ୍ଷଣୀ ଟୋକି ! କେତେଥର ମନା କଲିଣି ତତେ ବାହାରକୁ ଯିବାକୁ, ଆଁ ଲୋ ?

 

ସ୍ତ୍ରୀଲୋକଙ୍କର ପୁଣି ଆଖିରେ ଏତେ ତେଜ । ମୁଁ କାନ୍ଦୁଚି ବୋଲି ସେତେଦୂରରୁ ସେ କେମିତି ଜାଣିପାରିଲା । ତା’ ରାଗଯାକ ଦଣ୍ଡକେ କୁଆଡ଼େ ଉଭେଇଗଲା । ପାଖକୁ ଆସି ମୋ ମୁଣ୍ଡରେ ହାତରଖି ସେ ମୋତେ ବହୁତ ବୁଝେଇଲା । ମତେ କୁଆଡ଼େ ବାରବର୍ଷ ହେଲାଣି, କାଲି ଛାଡ଼ି ପ’ରିଦିନ ମୁଁ ବାହାହବି । ଏ ସମୟରେ ଏମିତି ଦାଣ୍ଡରେ ବୁଲିଲେ ଲୋକେ ମତେ କ’ଣ କହିବେ…...ଏମିତି କେତେ କଥା । ମୁଁ ସବୁ ବୁଝିପାରିଲି ନାହିଁ; ଖାଲି ଏତିକି ବୁଝିଲି, ଏଇଥିପେଇଁ ବୋଧହୁଏ ନାଥ’ନା ମୋ ଆଡ଼କୁ ଚାହିଁଥିଲେ ବୋଲି ମୋତେ ଏତେ ଲାଜ ମାଡ଼ିଲା ସେତେବେଳେ-

 

ଆଜିକାଲି ନାଥ’ନା ନିତି ଆମ ଘରକୁ ଆସନ୍ତି । ଆସିଲେ ପୁଣି ତାଙ୍କର ଆଗ ସତେ ଖୋଜାପଡ଼େ; ସତେ କି ମୋତେ ନ ଦେଖିଲେ ତାଙ୍କର ଦଣ୍ଡେ ଚଳୁ ନାହିଁ । ମୁଁ କିନ୍ତୁ ତାଙ୍କ ଆସିବା ଶବ୍ଦ ପାଇଲେ କୋଉଆଡ଼େ ଯାଇ ଲୁଚେ । ସେଇ ଫୁଲତୋଳା ଦିନୁ ମତେ କାହିଁକି ଭାରି ଲାଜମାଡ଼େ ତାଙ୍କ ଆଗେ ହବାକୁ । ଦିନେ ଦିନେ ଖରାବେଳେ ବୋଉ ପାଖରେ ବସି ରାମାୟଣ ପଢ଼ୁଥାଏ, ନାଥ’ନା କୁଆଡ଼ୁ ଆସି ପହଞ୍ଚିଯାଆନ୍ତି ସେତିକିବେଳେ । ବୋଉ ଥାଏ ବୋଲି ମୁଁ ଆଉ ପଳେଇପାରେ ନାହିଁ ସେଦିନ; କିନ୍ତୁ ଭିତରେ ଲାଜରେ ଗୋଟାପଣେ ଝାଳରେ ବୁଡ଼ିଯାଏ ।

 

ଦିନେ; ଭାରି ବର୍ଷା ସେଦିନ । ମାଟି ଦୁଆରେ ଆମର ଆଣ୍ଠିଏ ପାଣି ଜମି ଯାଇଥାଏ । ମୁଁ ଆଉ ବଉଳ ମିଶି କାଗଜରେ ଡଙ୍ଗା ତିଆରି କରୁଚୁ, ନାଥ’ନା କେତେବେଳେ ଆସି ମୋ ପଛରେ ଠିଆ ହୋଇଛନ୍ତି, ମୋତେ ଜଣାନାହିଁ । ଗୋଟାଏ ଡଙ୍ଗା ତିଆରି କରିସାରି ମୁଁ ଦେଖୁଚି, ସେ କହିଲେ–ସେମିତି ଡଙ୍ଗା ହୁଏନା ଜମା ।

 

ତାଙ୍କ ପାଟି ଶୁଣି ଚମକି ପଡ଼ିଲି । ଡଙ୍ଗାଫଙ୍ଗା ଛାଡ଼ିଦେଇ ଠିଆହେଲି ଯିବାକୁ; କିନ୍ତୁ ବଉଳ କାନ ଧରି ଏକାଜିଦ୍ କଲା, ତା’ର ଡଙ୍ଗା ଭସାଇଦବାକୁ । ଲାଜ ମାଡ଼ୁଥାଏ; ପିଣ୍ଡାତଳକୁ ନଇଁପଡ଼ି ଡଙ୍ଗାଟା ଭସାଇଦେବାକୁ ଯାଉଚି, ନାଥନନା କହିଲେ-ସେଟା କ’ଣ ଭାସିବ ଯେ ! ୟା କହି ସେ ମୋ ପିଠି ଉପରେ ଏକ ରକମ ଆଉଜିପଡ଼ି ଡଙ୍ଗାଟା ପାଣିରୁ ଉଠାଇ ନେଲେ ।

 

ମୋ ହାଡ଼ ଜଳିଗଲା ତାଙ୍କ ବ୍ୟବହାର ଦେଖି । ମନହେଲା ଏ ଅନ୍ୟାୟ, ନିହାତି ଅନ୍ୟାୟ ତାଙ୍କ ପକ୍ଷରେ–ଏତେ ହେଳମେଳ ହବା ମୋ ସାଙ୍ଗରେ । ଜୋର୍‍କରି ତାଙ୍କ ହାତଟା ପିଠି ଉପରୁ ଫୋପାଡ଼ିଦେଇ ଟିକେ ଦୂରକୁ ଘୁଞ୍ଚିଗଲି ।

 

ସେ ଟିକେ ଅପ୍ରସ୍ତୁତ ହୋଇ କହିଲେ–ଆଜିକାଲି ତୁ ଏମିତି କ’ଣ ଗୋଟାଏ ହୋଇଗଲୁଣି ସତୀ ?

 

ମୁହଁ ମୋର ଲାଲ ପଡ଼ିଗଲା ରାଗରେ । ନିଜକୁ ସମ୍ଭାଳି ନ ପାରି କହି ପକାଇଲି–ମୁଁ ହୋଇଗଲିଣି, ନା ତମେ ? ସବୁବେଳେ ତୁମେ ମୋ ସାଙ୍ଗେ ଏମିତି କାହିଁକି ଲଗାଇଚ କି ନାଥନନା-? ମତେ–

 

କ’ଣ ମତେ ? ସେ ପଚାରିଲେ ।

କହିଲି, ମତେ ସେଗୁଡ଼ା ଭଲ ଲାଗେ ନାଇଁ ଆଦୌ ।

 

ମୁଁ ଚାହିଁଚି, ସାଙ୍ଗେ ସାଙ୍ଗେ ତାଙ୍କ ମୁହଁ କାଗଜ ପରି ଶେତା ପଡ଼ିଗଲା । ଆଉ କିଛି ନ କହି, ତଳକୁ ମୁହଁ ପୋତି, ସେ ଆସ୍ତେ ଆସ୍ତେ ସେଠୁ ଚାଲିଗଲେ । ତାଙ୍କ କଷ୍ଟ ଦେଖି ମତେ ଭାରି ଅଡ଼ୁଆ ଲାଗିଲା । ମନକୁ କିନ୍ତୁ ପ୍ରବୋଧ ଦେଲି ଏଇଥିରେ ଯେ ଆଜି ମୁଁ ଯାହା କରିଚି, ସେଟା ଦରକାର ଥିଲା କରିବା ।

 

ସେଇଦିନୁ ନାଥ’ନା ଆମ ଘରକୁ ଆଉ ଆସନ୍ତି ନାହିଁ । ଆସିଲେ କେବେ ବାପାଙ୍କ ପାଖରେ ଦଣ୍ଡେ ବସି ସେଇ ବାହାରୁ ବାହାରୁ ଚାଲିଯାଆନ୍ତି । କେବେ କେମିତି, ବୋଉ ଡକେଇ ପଠେଇଲେ ଘର ଭିତରକୁ ଆସି ବୋଉ ସାଙ୍ଗେ ଖାଲି ଦି’ପଦ କଥାବାର୍ତ୍ତା ହୋଇ ଘରକୁ ବାହୁଡ଼ନ୍ତି-। ମୁଁ ଯେ ଲୋକ ଏ ଘରେ ଅଛି, ସେଦିନୁ ସତେ କି ସେ ପାସୋରି ଦେଇଛନ୍ତି ସେ କଥା-। ଭାରି ମନ ଖରାପ ହୁଏ ମୋର, ତାଙ୍କୁ କାହିଁକି ଏମିତି ଟାଣ ଟାଣ କଥା କହି ପକେଇଲି । ଆଜି କିନ୍ତୁ ଭାବେ, ସେଇ ଅଭିମାନଟା ତାଙ୍କର ଯେବେ ମୋ ଉପରେ ସେମିତି ଚିରକାଳ ରହିଯାଇଥାଆନ୍ତା, ତା’ହେଲେ ଭଲ ହୋଇଥାଆନ୍ତା ପରା । ଜୀବନଟା ଆଉ ଏମିତି ଦୁଃଖ ଜଞ୍ଜାଳ ଭିତରେ ଛନ୍ଦି ହୋଇପାରି ନ ଥାନ୍ତା ମୋର, ସବୁଦିନ ପାଇଁ ।

 

ଆଉ କିଛିଦିନ ପରେ; ଖରାବେଳେ ଦିନେ ବଉଳ ଆମ ଘରକୁ ଆସିଲା । ବୋଉ ସେତେବେଳକୁ ଖାଇସାରି ଶୋଇପଡ଼ିଥିଲା । ଦାଣ୍ଡପିଣ୍ଡାରେ ବାପା ପୋଥି ଲେଖୁଥିଲେ । ଘର ଭିତରେ ଆମେ ଦୁଇଜଣ, ଆଉ କେହି ନ ଥିଲେ । ବଉଳକୁ ପଚାରିଲି–ତମ ଭାଇ ଘରେ ନାହାନ୍ତି କି ବଉଳ !

 

ଆଶ୍ଚର୍ଯ୍ୟ ହୋଇ ସେ ମୋ ମୁହଁ ଆଡ଼କୁ ଚାହିଁଲା, କହିଲା–ନାହିଁ, ଯାଇଚନ୍ତି ଗୋଟା ଠା’କୁ ।

କୋଉଠିକି ? ପଚାରିଲି ।

ବଉଳ ମୋ ମୁହଁକୁ ଚାହିଁ କାହିଁକି ଭାରି ହସିଲା, କହିଲା–ସେଇଠି କି ?

କୋଉଠି କି ? ତୋ ଶାଶୁଘରକୁ ?

ନାଇଁ ଲୋ, ମୋ ଶାଶୁଘରକୁ ନୁହେଁ-ତୋର । ୟା କହି ବଉଳ ହସି ହସି ଗଡ଼ିଗଲା ।

ନାଥ’ନାଙ୍କ କଥା କୁଆଡ଼େ ଗଲା । ଦିହେଁ ବସି ଆଲୋଚନା କଲୁ ମୋ ବରଟିର ରୂପଗୁଣ କଥା ।

 

ବଉଳ କହିଲା–ବୋଉ କହୁଥିଲା, ତୋ ବରଘର କୁଆଡ଼େ ଭାରି ବଡ଼ଲୋକ, ମସ୍ତ କୋଠାବାଡ଼ି । ତୁ ଯାଇ ରାଣୀ ପରି ରହିବୁ ସେଠି ।

 

ବରଘର ସମ୍ପତି କଥା ଶୁଣି ମୋ ଛାତି କୁଣ୍ଢେମୋଟ ହୋଇଗଲା । ହବାର ତ କଥା । ବାହାହେବା କଥାରେ ଧନ ସମ୍ପତିଠଉଁ ଆଉ ବେଶି ଅର୍ଥ କ’ଣ, ମୁଁ ସେତେବେଳେ ବୁଝିଥିଲି କି ? ଭାବିଲି, ନାଥନନା ସତେ କେଡ଼େ ଭଲଲୋକ । ମତେ ଏଡ଼େ ବଡ଼ଲୋକ ଘରେ ବାହା କରିବାକୁ ଲାଗି ପଡ଼ିଛନ୍ତି; କିନ୍ତୁ ମୁଁ ଯଦି ଜାଣିଥାନ୍ତି, ଏଇଦିନଠଉଁ ଜୀବନ ଗୋଟିକ ଲାଗି ମୋର ଏଆଡ଼େ ଲୁହାଶିକୁଳି ଗଢ଼ାହଉଚି.....

 

ବରଘର କଥା ଶୁଣି ସେତେବେଳେ କିନ୍ତୁ ସତରେ ମୋ ମନ ଖୁସି ହୋଇଗଲା । ଥଟ୍ଟାକରି ବଉଳକୁ କହିଲି–ଆମର ଦରକାର ନାଇଁ ଧନ ଦଉଲତରେ, ମନ ହଉଚି ଯଦି, ତୁ ବାହା ହ’ ତାକୁ ।

 

ବୋଉର ଆଜିକାଲି କ’ଣ ହେଇଚି କେଜାଣି, ସବୁବେଳେ ଖାଲି ସେ ମୁହଁ ଶୁଖେଇ ଗୋଟାଏ ଠା’ରେ ବସୁଚି । କ’ଣ ଭାବି ଆପଣା ମନକୁ ବେଳେ ବେଳେ ଗୁଡ଼ାଏ କାନ୍ଦୁଚି । ଖାଲି ନାଥନନା ଆସିଲେ ତାଙ୍କ ସାଙ୍ଗେ ଯାହା ଦଣ୍ଡେ ଅଧେ କଥାବାର୍ତ୍ତା ହଉଚି, ନଇଲେ ନାହିଁ । ଦିନେ, ଏମିତି ସେଦିନ ଦିହେଁଯାକ କଥାବାର୍ତ୍ତା ହଉଥିଲେ; ମୁଁ ଯାଇ ଶୁଣିଲି ଲୁଚିକରି ।

 

ବୋଉ କହୁଚି–ମୋ କଥା ତ ସେ ଶୁଣିଲେ ନାଇଁ ଯେତେ କହିଲି; ତୁ ଟିକେ ତାଙ୍କୁ ବୁଝେଇ କହ ହେଲେ ।

 

ନାଥନନା ଭାରି ମାମଲତକାରଙ୍କ ପରି କହିଲେ-କାହିଁକି ଶୁଣିବେ ନାଇଁ ? ଆମେ କ’ଣ ଅପସନ୍ଦ କଥା କହୁଚୁ ?

 

ବୋଉ ନିରାଶ ହେଲା ପରି କହିଲା–ତାଙ୍କ ଜିଦ୍ କ’ଣ ଜାଣିନୁ ତୁ ? ଯାହା ବୁଝିଥିବେ, ଇନ୍ଦ୍ର ଚନ୍ଦ୍ର ହେଲେ ବି ତାଙ୍କୁ ସେଥିରୁ ଟଳେଇ ପାରିବେ ନାଇଁ । ସେଥିରେ ଫେରେ କହୁଛନ୍ତି କ’ଣ ନା, ଟିପଣା କୁଆଡ଼େ ଭାରି ଭଲ ଶୁଝିଚି । ସତୀର ସେଇଠି ବାହାଘର ହବ । ସେ ଯଦି ସତରେ ସେଇଆ କରନ୍ତି, ତେବେ କ’ଣ ହବ ? ମୁଁ ତ ଜୀବନ ଥାଉଁ ସତୀକି ସେ ବୁଢ଼ାଟା ସାଙ୍ଗେ ବାହା ଦେଇପାରିବି ନାଇଁ ?

 

ଏଥର ବୁଝିଲି ବୋଉ କାହିଁକି ସବୁବେଳେ ଏତେ ମନ ବେସ୍ତ କରୁଚି । ମୋ’ରି ଲାଗି ! ମୋ ଲାଗି ତ କଅଣ ସମସ୍ତିଙ୍କି ଭାବନା ପଡ଼ିଚି, ଆଉ ମୁଁ ତ ବେଶ୍ ନିଶ୍ଚିନ୍ତରେ ଅଛି !

 

ସଞ୍ଜ ଲାଗି ଆସୁଥାଏ ଅଳ୍ପ ଅଳ୍ପ । ଦୂର ସରଗଲଗା ଘନଗୁନ୍ଥା ତାଳବଣ ମଥାନ ଉପରେ ଦିଗବୁଡ଼ା କଳାବଉଦ ଦିହରେ ଜରିଧଡ଼ି ବୁଣିଦେଇ ସୂର୍ଯ୍ୟ ବୁଡ଼ି ଯାଉଥାଆନ୍ତି । ଚଉରା ପାଖରେ ଗୋଟାଏ ଘିଅବଳିତା ଜାଳିଦେଇ ପିଣ୍ଡା ଅନ୍ଧାରରେ ଯାଇ ତୁନିହୋଇ ବସିଲି । ଖଞ୍ଜା ଗୋଟିକର ବହଳ ଅନ୍ଧାର ଯେମିତି ଏ ବଳିତାର ଛୋଟ ଆଲୁଅଟି ଦୂର କରିପାରୁ ନ ଥିଲା, ଜୀବନରେ ମୋର ସୀମାବଦ୍ଧ ଜ୍ଞାନ ସେମିତି ଏ ସୀମାହୀନ ଘଟଣା ଭିତରେ ପଡ଼ି କୁଆଡ଼େ ବୁଡ଼ି ହଜି ଯାଇଥିଲା । କ’ଣ ଏ ବାହାହେବା, ସ୍ୱାମୀ ସାଙ୍ଗରେ ବା ସ୍ତ୍ରୀର ସମ୍ବନ୍ଧ କ’ଣ, କିଛି ମୁଁ ଜାଣେନା-। ଖାଲି ସମସ୍ତଙ୍କ ବେସ୍ତହବା ଦେଖି ମନଟା କାହିଁକି ଭାରି ଦବିଗଲା । ଘର ଗୋଟାକ ଶୂନଶାନ, ଯେମିତି ସମସ୍ତଙ୍କୁ ଭାରି ଗୋଟାଏ ଭାବନା ହୋଇଯାଇଚି । ଚଉରା ପାଖେ ଏଇଲାଗେ ଯୋଉ ସଞ୍ଜଦେଇ ଆସିଥିଲି, ମିଞ୍ଜି ମିଞ୍ଜି ହୋଇ ଜଳି ସେଟା ଧପ୍ କରି ଲିଭିଗଲା । ବାହାର ଭିତର ଦି’ଆଡ଼େ ଏଇକ୍ଷିଣି ଅନ୍ଧପରି ମୁଁ, ମତେ କିଏ କହିଦେବ ବୋଉ ହେରିକା କାହିଁକି ମୋ’ପାଇଁ ଏପରି ବେସ୍ତ ହଉଛନ୍ତି ?

 

ବର ବୁଢ଼ା ହେଲେ କ’ଣ ଏମିତି ଖରାପ !

 

ନାଥନନା କ’ଣ ଛାଡ଼ିବା ଲୋକ ? ତହିଁଆରଦିନ ସେ ବାପାଙ୍କୁ ଏ ସମ୍ବନ୍ଧ ଭାଙ୍ଗି ଦେବାକୁ ବହୁତ କହିଲେ । କହିଲେ–ବରଟା ବୁଢ଼ା, ସେଥିରେ ପୁଣି ଦୋଭେଇ । ହେଲା ଏବେ, ସେ ଏ ଗାଁ ଜମିଦାର, ବଡ଼ଲୋକ, କିନ୍ତୁ ସତୀ ଗୋଡ଼ ଆଙ୍ଗୁଳିକି ଯୋଗ୍ୟ ନୁହେଁ ସେ । ଏପରି ଅନେକ କଥା । ବାପା ଯେମିତି ଏକଜିଦିଆ ଲୋକ, ସେ ଏ ସମ୍ବନ୍ଧ ଭାଙ୍ଗିବାକୁ ରାଜି ହେଲେ ନାଇଁ-। ଅଧିକ ନାଥନନାଙ୍କ ଉପରେ ଭାରି ଚିଡ଼ିଗଲେ । ନାଥନନା କ’ଣ ଊଣାଟିଏ କି ? ତାଙ୍କୁ କଥା ନ କହିଲାରୁ ସେ ବି ଭାରି ରାଗିଯାଇ ସେଠୁ ଚାଲିଗଲେ । ପ୍ରତିଜ୍ଞା କଲେ, ବଞ୍ଚିଥିବାଯାଏ ପୁଣି ଏ ଘର ମାଡ଼ିବେ ନାହିଁ କେବେ ।

 

ବୋଉ ବିଚାରି ଆଉ କ’ଣ କରିବ ? ଦୁହିଁଙ୍କ ଜିଦ୍ ଦେଖି ସେ ତୁନିହୋଇ ରହିଲା । କିନ୍ତୁ ସବୁବେଳେ ଖାଲି କାନ୍ଦିବାକୁ ଲାଗିଲା ।

 

ଏମିତି ଗୋଟାଏ ଅଶାନ୍ତି ମନଦୁଃଖ ଭିତରେ ବାହାଘର ମୋର ପାଖହୋଇ ଆସିଲା । ମଝିରେ ଜମା ଆଉ ଦୁଇଟା ଦିନ ବାକି । ଆମ ଅବସ୍ଥାକୁ ଚାହିଁ ଯାହା ଆୟୋଜନ ହବା କଥା, ବାପା ପ୍ରାୟ ସବୁ କରିଥିଲେ । ଖାଲି ଲୋକ ନ ଥିଲେ କାମ ତୁଲେଇବାକୁ । ବାହାଘର କଥା ଠିକ୍ ହେଲାଦିନୁ ବୋଉ ତ ବିଛଣା ଛାଡ଼ି ଟିକେ ଉଠୁନାହିଁ ସହିତେ । ସେ ଆଉ ପୁଣି କାମ କରିବ ? ଖାଲି ନାଥନନାଙ୍କ ବୋଉ, ବଡ଼ମା’ ଥିଲେ ବୋଲି କିଛି ଅସୁବିଧା ହେଲା ନାଇଁ କାମରେ । ନଇଲେ ବୋଧହୁଏ କିଛି ହୋଇନଥାନ୍ତା ।

 

ବାହାଘର ହୋଇଗଲା । ଯେମିତି ଗୋଟାଏ ବଡ଼ ସ୍ୱପ୍ନ ଦେଖି ଉଠିଲା ପରି ମତେ ସବୁ ଜଣାଯାଉଥାଏ । ସେଦିନ ସକାଳଠଉଁ ମୁଁ ପ୍ରାୟ ଶୋଇଥିଲି ଖାଲି । ରାତି ସେତେବେଳକୁ ଦି’ପହର ହବ, ହଠାତ୍ ଭାରି ଗୋଳମାଳ ଆଉ ବାଜା ବାଣ ଶବ୍ଦରେ ଚାଉଁକିନା ନିଦ ଭାଙ୍ଗିଗଲା । ଖଞ୍ଜା ଅଗଣାରେ ଆମର ଅନେକ ଲୋକଙ୍କ ପାଟି ଶୁଭୁଥାଏ । ମୁଁ ତା’ରି ଭିତରେ ପୁଣି ଶୋଇପଡ଼ିଲି । ତା’ପରେ ମତେ କେତେବେଳେ ଉଠେଇ ବେଦୀକି ନେଲେ, ମୋର ସେ କଥା ଭଲରୂପେ ମନେ ନାଇଁ ।

 

ପାହାନ୍ତାରୁ ଭଲକରି ଅନ୍ଧାର ନ ଛାଡ଼ୁଣୁ ବଉଦ-ରାଇଜର ନୂଆବୋହୂ ଆସି ସରଗ-ଅଗଣାରୁ ବାସି ତରାଟଫୁଲତକ ଓଳାଇ ନେଇ ଉଷାର ଗୋଲାପି ଛୁଞ୍ଚିକନା ବୁଲାଇ ଦେଇଗଲା ଚାରିଆଡ଼େ । ଗଛଡାଳରେ କିନ୍ତୁ ପାହାନ୍ତି ପବନର ନିଦ ସେତେବେଳକୁ ଭାଙ୍ଗି ନ ଥିଲା । ବଡ଼ମା ମତେ ଉଠେଇନେଇ ଗାଧୋଇ ଆଣିଲା । ରାତିର ଘଟଣାଯାକ ମତେ ଖାଲି ସପନ ପରି ଲାଗୁଥାଏ । ସେମିତି ଓଦାଲୁଗା ପିନ୍ଧି ମୁଁ ଘରକୁ ଆସିଲି । ଘର ଭିତର ରାତି ପରି ଅନ୍ଧାର ଜଳାକବାଟି ପାଖେ ଲୁଗା ପାଲଟିଲାବେଳେ ଦେଖିଲି, ଆରପାଖ ପିଣ୍ଡାରେ କିଏ ସବୁ ବସିଛନ୍ତି । ଏମାନେ ସବୁ ବରଯାତ୍ରୀ ହେବେ ପରା । ଭାରି କୌତୁକ ଲାଗିଲା, ସେଥିଭିତରୁ ଜାଣିବାକୁ ବର କୋଉ ଜଣକ ? ମୁଁ ଚାହିଁଚି, ବଉଳ କୁଆଡ଼ୁ ଦଉଡ଼ିଆସି ହସି ହସି କହିଲା-ବଉଳ ! ବର ।

 

ଭାରି ଲାଜ ମାଡ଼ୁଥାଏ; କିନ୍ତୁ ପାଟିରୁ ମୋର ବଳେ ବଳେ ବାହାରିଲା–କିଏ ?

 

ପିଣ୍ଡାରେ ଯେସବୁ ବସିଥିଲେ, ତାଙ୍କରି ଭିତରୁ ଜଣକୁ ଦେଖାଇଦେଇ ବଉଳ ପୁଣି ହସି ହସି ସେ ଘରୁ ଦଉଡ଼ି ପଳେଇଲା ।

 

ଯାହାକୁ ସେ ଚିହ୍ନାଇଦେଲା, ସେ ଦରବୁଢ଼ା, ତ୍ରିପଣ୍ଡ କଳା, ଖୁବ୍ ମୋଟା । ସେଥିରେ ପୁଣି ସୁନାହାର ଆଉ ଖଡ଼ୁ ନାଇ ଅପୂର୍ବ ସୁନ୍ଦର ଦିଶୁଚି ! ଏଇ ମୋର ବର । ମୋତେ ଭାରି ଚିଡ଼ି ମାଡ଼ିଲା ସେ ଲୋକଟାକୁ ଚାହିଁ । ସେ ପୁଣି ମୋର ବର ! ଏ କଥା ଭାବି ମତେ ଅଧିକ ଖରାପ ଲାଗିଲା । ଆଉ ଚାହିଁବାକୁ ମନ ହେଲା ନାହିଁ । ଖିଡ଼ିକିଟା ଧଡ଼୍ କରି ବନ୍ଦ କରିଦେଇ ସେଠୁ ଚାଲିଆସିଲି ।

 

ତହିଁଆରଦିନ ସେମାନେ ସବୁ ବିଦା ହୋଇଗଲେ । ମୁଁ ଟିକେ ନିଶ୍ଚିନ୍ତ ହେଲି । ଏ କେତେଟା ଦିନ ମୁଁ ଯେ କିମିତି ଭାବରେ କଟେଇଚି, ତା’ ମୋ ମନ ଜାଣେ । ବୋଉକୁ ଜମାରୁ ଦେଖି ନାଇଁ । ଖାଲି ବାପାଙ୍କୁ ଏ ପିଣ୍ଡାରୁ ସେ ପିଣ୍ଡାକୁ ଗଲାବେଳେ ଯାହା ଟିକେ ଦେଖେଁ; କିନ୍ତୁ ସେ ବି ମୋ ପାଖକୁ ଜମା ଆସିନାହାନ୍ତି, ଏ କେତେଦିନ ଭିତରେ । ଖାଲି ବଉଳ କେତେବେଳେ କେମିତି ମତେ ଚିଡ଼େଇବାକୁ ସେ ଘରକୁ ଆସେ । ସେ ବି ବେଶି ସମୟ ସେ ଅମୁହାଁଅନ୍ଧାର ଘରଟାରେ ବସିପାରେନା । ଦଣ୍ଡେ ରହି ପଳେଇଯାଏ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ; ଯାହାଙ୍କର ଏ ବାହାଘରରେ ବେଶି ଆସିବା କଥା, ସେ ମୋଟେ ଆମ ଘରମାଡ଼ି ନାହାନ୍ତି ବାହାଘର ଦିନୁ । ଏ ସେଇ ନାଥନନା, ସବୁ କଥାରେ ଯେ ଆପେ ଆପେ ଆସି ଆବୁଡ଼ା ପଡ଼ନ୍ତି, ସେ କ’ଣ ସତେ ବାପାଙ୍କ କଥାରେ ରାଗିକରି ଆସୁନାହାନ୍ତି କି ?

 

କିଛିଦିନ ପରେ ବଡ଼ମା’ ଦିନେ ଆମ ଘରକୁ ବୁଲିଆସିଲେ । ବୋଉ ସଙ୍ଗେ କଥାବାର୍ତ୍ତା ହେଲାବେଳେ କହିଲେ–ନାଥ ତ କଟକ ଯାଇଚି ଚାକିରି କରିବାକୁ ।

 

ବୋଉ ଆଶ୍ଚର୍ଯ୍ୟ ହୋଇଗଲା । ସେ ପୁଣି ଚାକିରି କରିବାକୁ ଯାଇଚି ? ପଚାରିଲା ।

 

ବଡ଼ମା’ କହିଲା–ହଁ ଲୋ ଭଉଣୀ, କେତେଦିନ ହେଲା ତ ମୋଟେ ତା’ ମନରେ ସୁଖ ନ ଥିଲା । ଏଇ ଚାକିରି କରିବ ବୋଲି ନା କ’ଣ ? ମୁଁ ସିନା ଜୋରକରି ତାକୁ ଅଟକାଇଥିଲି, ସେଦିନ ଏକା ଜିଦିକରି ଚାଲିଗଲା ପରା । ସତୀ ବାହାଘର ଦି’ଦିନ ଆଗରୁ । ପଚାରିଲାରୁ କହିଲା, ସତୀ ବାପାଙ୍କ ସଙ୍ଗେ କ’ଣ କଜିଆ ଲାଗିଚି ତା’ର ।

 

କିନ୍ତୁ ଏ ମନବେସ୍ତ କାହିଁକି ନାଥନନାଙ୍କର, ମୁଁ ବୁଝିପାରିଲି । ବାପାଙ୍କ ସଙ୍ଗେ ହଜାର ଥର କଜିଆ ହୋଇଥିଲେ ଘର ଛାଡ଼ି ଯିବା ଲୋକ ସେ ନୁହନ୍ତି । ଖାଲି ଯାଇଛନ୍ତି ମୋ’ପାଇଁ, ସେଦିନ ମୁଁ ତାଙ୍କୁ ଗାଳି ଦେଇଥିଲି ବୋଲି ମୋ ଉପରେ ଅଭିମାନ କରି । ଶୀତଦିନର କଅଁଳ ଖରା ନଇଁଆସିଥିଲା ଟିକେ ଟିକେ । ବାଉଁଶ ବୁଦାର କଣ୍ଟା ଅରମା ଭିତରେ ପଶି ଗୋଟାଏ କାପ୍‌ତା ସପନରାଇଜ ଛଡ଼ା ତା’ର କୋଉ ଅଜଣା ସାଥିଟି ପାଇଁ ଗୋଟାଏ ନିଦମଡ଼ା ବାହୁନାଗୀତ ଗାଉଥିଲା ଆପଣା ମନକୁ । ବାରିପଟ ପିଣ୍ଡାରେ ଥକ୍‌କା ହୋଇ ସେ ଗୀତ ଶୁଣୁ ଶୁଣୁ ମୋର ମନେହେଲା, ନାଥନନା ସବୁଦିନ ପାଇଁ ମୋତେ ଛାଡ଼ି ଚାଲିଗଲେ । ଆଉ ଆସିବେ ନାହିଁ ପରା ।

 

ସେଦିନଠୁଁ ଦି’ବର୍ଷ ହୋଇଗଲାଣି । ସେ ଗୋଟାଏ ଦିନ, ଆଉ ଆଜି । କେତେ ପ୍ରଭେଦ ୟା ଭିତରେ । ସତେ କି ଗୋଟାଏ ଯୁଗ ବିତିଗଲାଣି ! ମୋର ଏତେ ବଦଳିଯାଇଛି, ବାହାର ଭିତର-

 

ସେ ଥର ପୁନେଇ ଥାଇ ଆଗରୁ ଏତେ ଚହଳ ପଡ଼ିଯାଇଥିଲା ବିଲ ପଡ଼ିଆରେ ମୁଁ ଜାଣେ । ଜହ୍ନିଫୁଲଫୁଟା ମାସ ଏଟା ନା ? ଓଳିତଳ ଖଞ୍ଜାରେ ଜହ୍ନିଗଛ ମାଡ଼ିଚି ଅସୁମାରି । ସଞ୍ଜ ନୋହୁଣୁ ତା’ ଦିହରେ ପୁଣି ଅନ୍ଧାର ଯେମିତି ଲୁଚି ବସି ହଜାର ଜହ୍ନିଫୁଲ ଆଖି ମେଲି ଦେଖୁଥିଲା, କିଏ ଆଉ ଆସିଲା କି ? ତାକୁ କିନ୍ତୁ ଦେଖିଥିଲା ସଞ୍ଜ ପବନ । ବଗୁଲିଆ ଟୋକାଙ୍କ ପରି ସେଥିପାଇଁ ଥରେ ଥରେ ଦୌଡ଼ିଆସି ରଞ୍ଜାକୁ ଟେକିଦେଇ ପଳାଇ ଯାଇଥିଲା ଦୂରକୁ । ଦିନ ତ ଆଉ ନାହିଁ, ପୁନେଇ ଆଉ କେଇଟା ଦିନ ରହିଲା କି ? ଚଉରା ପାଖରେ ଜହ୍ନିଫୁଲ କୋଠି କଟାହବାକୁ ନାହିଁ । ଘର ବାହାର ଲିପାପୋଛା ହବାକୁ ନାହିଁ । ବୋଉ କ’ଣ ବିଚାରିଛି, ଏବର୍ଷ କୁଆଁର ପୁନେଇ ହବ ନାହିଁ କି ? ବାରିପଟ ପିଣ୍ଡାରେ ବସି ଏକଧ୍ୟାନରେ ଚାହିଁଥିଲି ଜହ୍ନକୁ । ସେଇ ଗହଳିଆ ଆମ୍ବତୋଟା ଉହାଡ଼ରେ ବଡ଼ ଯୋରଟା । ଗଛଫାଙ୍କ ଦେଇ ଚାନ୍ଦିନୀ ତାହା ଉପରେ ଝରି ଝରି ଆସି ଠୁଳ ହଉଥିଲା । ଜହ୍ନକୁ ଦେଖି ପୁନେଇ କଥା ମୋର ମନେପଡ଼ିଥିଲା । ଖଞ୍ଜା ଗୋଟିକ ଅନ୍ଧାର । ଭିତର ଘରୁ ଦୀପ ଆଲୁଅ ଯୋଉଠି ଅଗଣା ଯାଏ ଲମ୍ବି ପଡ଼ିଥିଲା, ବୋଉ ମତେ ତା’ ଭିତରେ ଦେଖିପାରି ପଚାରିଲା–ସତୀ କ’ଣ କିଲୋ ?

 

ବୋଉ ପାଖରେ ଯାଇ ବସିଲି । କେତେବେଳକେ ସେ ମୋତେ ପଚାରିଲା–କୋଉଠି ଥେଲୁ କି ଏତେବେଳଯାଏ ? ବାପା ଆସି ନାହାନ୍ତି ?

 

କହିଲି–ମୁଁ ଜାଣିନାହିଁ ।

 

ସେ ଆଉ କିଛି ପଚାରିଲା ନାହିଁ, ଅନେକ ବେଳଯାଏ ତୁନିହୋଇ ରହିଲା । ଅଗଣା ଭିତରେ ଯୋଉ ଜହ୍ନ ଆଲୁଅଟିକକ ଅଣହୁସିଆର ଚାଳମଥାନ ଉପରୁ ଗଡ଼ିପଡ଼ି ପିଣ୍ଡା ଦାଢ଼ରେ ଅଚେତ ହୋଇ ହୋଇଥିଲା, ବୋଉ ମୁହଁ ସେ ଆଲୁଅରେ ବାରି ହଉଥିଲା ଅଳ୍ପ ଅଳ୍ପ । ମନେକଲି, ସବୁଦିନ ପରି ସେ ଠାକୁରଙ୍କ ନାମ ନଉଚି ପରା ମନେ ମନେ । କିନ୍ତୁ ମୋ କଥାଟା ତ ନ କହିଲେ ନୁହେଁ । ସାହସକରି ଡାକିଲି–ବୋଉ ?

 

କିଛି କହିଲା ନାହିଁ ।

ଆଉ ଥରେ ଡାକିଲି ବଡ଼ ପାଟିକରି–ବୋଉ, ବୋଉ ମ !

ଏଥର ସେ ଜବାବ ଦେଲା–କ’ଣ କହୁ ନାଉଁ ?

ପୁନେଇ ତ ଆଉ ଅଳ୍ପଦିନ ରହିଲା । ଆଜିଯାଏ ଚଉରା ପାଖରେ ଲିପାପୋଛା ହେଲା ନାଇଁ, ଆଉ କୋଉଦିନ ହବ ?

ଆଝୋଉଁ କ’ଣ ଲୋ ଓଲି ? ପୁନେଇ ଦିନ ଯାଇ ନାଁ । ବୋଉ ହସିଲା । ହଁ, ତୋର ସବୁ କଥାରେ ଏମିତି ।

ସତୀ ବିଚାରୀ କି ଆଉ ଭୋକ ଶୋଷ ନାହିଁ ପରା କୁଆଁର ପୁନେଇ ବୋଲି ? କିଏ ଜଣେ ଦାଣ୍ଡଆଡ଼ୁ କହି ହସିଉଠିଲା ।

ଦଣ୍ଡକେ ସେ ଆଡ଼କୁ ଚାହିଁଦେଲି । ଅଗଣା ପାରିହୋଇ ସେ ଆମରି ଆଡ଼କୁ ଆସୁଛି । ଅନ୍ଧାର ଭିତରେ ତା’ର ଗୋରା ଦିହରେ ଯେପରି ନିଆଁ ଜଳୁଚି । ଆଶ୍ଚର୍ଯ୍ୟ ହୋଇ କହିଲି–ନାଥନନା-!

ବୋଉ ମୁଣ୍ଡରେ ଲୁଗା ଦେଇ ଉଠି ବସିଲା । କହିଲା–ସତୀ ! ସପଟା ଆଣିଲୁ ଘରୁ ।

ନାଥନନା ବୋଉକୁ ଦଣ୍ଡବତ ହୋଇ ସେହି ଧୂଳିଟାରେ ସେମିତି ବସିପଡ଼ି କହିଲେ–ଥାଉ ମାଉସୀ, ମୁଁ ବସିଲିଣି ।

ବୋଉ ପଚାରିଲା–କଟକରୁ କୋଉଦିନ ଆସିଲୁ କି ?

ଆଜି ।

ତମର କ’ଣ ଛୁଟି ହେଲା ?

ଛୁଟି ହେଲାଣି ଅନେକ ଦିନୁ, କାମ ଥିଲା କଟକରେ, ଆସି ପାରିନଥିଲି । ଯେମିତି ଏକୁଟିଆ ଲାଗିଲା, ଚାଲିଆସିଲି ।

ଶେଷ ଆଡ଼କୁ ତାଙ୍କ କଥାଗୁଡ଼ାକ କେମିତି ବ୍ୟଥାରେ ନରମ ହୋଇଆସିଲା । ଜାଣିଲି କଟକରେ ୟାଙ୍କର ଦିନ ସୁଖରେ ଯାଇ ନାହିଁ ।

ଆଉ ତୋ ଦିହମୁଣ୍ଡ ଆଚ୍ଛା ଅଛି ତ ବାପ ? ଘରୁ ଆସିଲୁ, ବୋଉ ତମର କ’ଣ କରୁଥିଲେ ? ବୋଉ ପଚାରିଲା ।

ସେତ ଏଠିକି ଆସିବାକୁ ବସିଥିଲା । ମୁଁ ଆସିଲି, ସେ ଆଉ ଆସିବ ନାହିଁ ପରା–ନାଥନନା କହିଲେ-

ମୁଁ କେତେବେଳେ ଏକଧ୍ୟାନରେ ତାଙ୍କ ମୁହଁ ଆଡ଼କୁ ଚାହିଁଚି, ମୋର ସେ କଥା ମନେନାହିଁ । ବୋଉ ଯେତେବେଳେ ମତେ ଠେଲି ଦେଇ କହିଲା–ଗଲୁ ପାନ ଭାଙ୍ଗି ଆଣିବୁ; ମୋର ଯାଇ ସେତେବେଳେ ଚେତା ହେଲା । ମୁଣ୍ଡରେ ଲୁଗା ଦେଇ ଘର ଭିତରକୁ ଉଠିଗଲି । ଦୁହିଁଙ୍କ କଥାବାର୍ତ୍ତା ଅଳ୍ପ ଅଳ୍ପ କାନକୁ ଆସୁଥାଏ ଘର ଭିତରେ । ବିଶେଷରେ ନାଥନନାଙ୍କ କଥା । ପିଲାଦିନୁ ଅଭ୍ୟାସ ହୋଇଯାଇଥିଲା ଯେ ଏ ସ୍ୱର ଶୁଣି ଶୁଣି । ଦି’ବର୍ଷ ହେଲା ସିନା କଟକ ଗଲେ; ନଇଲେ ସେ ତ ରୋଜ ଘରକୁ ଆସନ୍ତି; ମୋତେ ଏମିତି ପାଖରେ ବସେଇ କେତେ କଥା, କୁହନ୍ତି ।

ଥାଳିଆରେ ପାନ ସଜାଡ଼ି ପଦକୁ ଆସିଲି । ନାଥନନା ଯୋଉଠି ବସିଥିଲେ, ତା’ର ଅତି ନିକଟରେ ନଇଁପଡ଼ି ଥାଳିଆ ରଖିଦେଲାବେଳେ ଦେଖିଲି କାହିଁକି କେଜାଣି ସେ ମୋ ମୁହଁକୁ ଚାହିଁଥିଲେ ଏକଧ୍ୟାନରେ । ତଳକୁ ମୁହଁକରି ଖୁଣ୍ଟ ଉଢ଼ାଳରେ ଆସି ଠିଆହେଲି । ଭାରି କାହିଁକି ଲାଜମାଡ଼ିଲା ତାଙ୍କ ଆଗରେ ପୁଣି ଯାଇ ବସିବାକୁ ।

ବାରିପଟ ଆମ୍ବତୋଟାରେ ବାଧା ନ ମାନି ସେତେବେଳକୁ ଦୁଆର ଗୋଟିକ ପୂରିଉଠିଥିଲା ଜହ୍ନ ଆଲୁଅରେ । ଖୁଣ୍ଟ ଉଢ଼ାଳରେ ଠିଆହୋଇ ମୁଁ ଖାଲି ଦେଖୁଥାଏ ନାଥନନାଙ୍କୁ । ଏଇ ଯୋଉ ଜହ୍ନ ଆଲୁଅ, ତାଙ୍କ ନିଖୁଣ ଦିହଟିରେ ଜରି ଚାଦର ପରି ଜଡ଼ିଯାଇଥିଲା ଯେମିତି । ଯେମିତି ରୁପେଲି ବଉଦ ଖଣ୍ଡେ ରୂପ ପାଇଚି । ଦି’ବର୍ଷ ଆଗେ ୟାଙ୍କୁ ଯାହା ଦେଖିଥିଲି, ସେଇଦିନୁ ସେ ତ ଯାଇଁ କଟକରେ । ୟା ଭିତରେ ଏତେ ସୁନ୍ଦର ସେ କେମିତି ହୋଇଗଲେ ?

ଦାଣ୍ଡରେ ବାପାଙ୍କର ପାଟି ଶୁଭିଲା । ବୋଉ ତରତର ହୋଇ ଉଠିଗଲା, ସେ ଆଡ଼କୁ । ନାଥନନା ବି ଉଠି ଯାଉଥିଲେ, କ’ଣ ବିଚାରି ପୁଣି ବସିଲା । କହିଲେ–କିଲୋ ସତୀ, ସେଠି ଠିଆ ହୋଇଚୁ ଯେ ? ଆସୁ ନାଉଁ ଏଠିକି ? ଲାଜରେ ଜବାବ ଦେଲି ନାଇଁ ।

ଦି’ବର୍ଷ ତଳ କଥା ମନେଅଛି କି ଆଜିଯାଏ, ରାଗ ଯାଇ ନାଇଁ ? ସେ କହିଲେ । ବାଧ୍ୟ ହୋଇ ପାଖରେ ଆସି ବସିଲି । ମନ ହଉଥାଏ କହିବାକୁ, ତମେ କୋଉ ଏବେ କମି କି ?

ଗଳା ଯେତେଦୂର ନରମ ହୋଇପାରେ, ବୋଧହୁଏ ସେତେ ଦୂର କରି ସେ ପୁଣି ଡାକିଲେ–ସତୀ !

ଉଁ, ତଣ୍ଟିଯାଏ ବାନ୍ଧି ହୋଇଥାଏ ଲାଜରେ । ବହୁ କଷ୍ଟରେ ଏତକ କହିଲି ।

ଏ ପାନ କାହାକୁ ଦେଲୁ, ମତେ ? ସେ ପଚାରିଲେ । କିନ୍ତୁ କହିଲି ନାଇଁ, ଥାଳିଆଟା ଖାଲି ଟିକେ ତାଙ୍କ ଆଡ଼କୁ ଘୁଞ୍ଚାଇ ଦେଲି । ଏଥର ସେ ବଡ଼ ପାଟିକରି ହସିଉଠିଲେ । କହିଲେ–ତା’ ତ ବେଶ୍ ବୁଝାଯାଉଚି; କିନ୍ତୁ ମୁଁ ତ ଆଉ କୁକୁର, ବିଲେଇ ନୁହେଁ ଯେ ଥୋଇଦେଲେ ଖାଇବି ? ପାନ ହାତରେ ଦବାକୁ ହୁଏ ।

ସ୍ତ୍ରୀ ଜାତିର ବୋଧହୁଏ ଗୋଟିଏ ପ୍ରବୃତ୍ତି, ଯୋଉଠି ଲାଜ କରିବା କଥା ନୁହେଁ, ଲାଜ କଥା ଟିକେ ଅନୁକୂଳ ହେଲେ, ସଂସାର ଯାକର ଲାଜ ଆସି ସେଠି ଓଜାଡ଼ି ହୋଇପଡ଼େ । ଅନ୍ୟ ସମୟ ହୋଇଥିଲେ, ମୁଁ ହସି ହସି ତାଙ୍କ ହାତକୁ ପାନ ବଢ଼େଇ ଦେଇଥାଆନ୍ତି; କିନ୍ତୁ ଆଜି, କେଜାଣି କାହିଁକି, ମତେ ଏତେ ଲାଜ ମାଡ଼ିଲା ଯେ ମୁଁ ତାଙ୍କ ହାତକୁ ବଢ଼େଇ ଦେଇଥାଆନ୍ତି; କିନ୍ତୁ ଆଜି, କେଜାଣି କାହିଁକି, ମତେ ଲାଜ ମାଡ଼ିଲା ଯେ ମୁଁ ତାଙ୍କ ହାତକୁ ପାନ ଦେଇପାରିଲି ନାହିଁ । ନାଥନନା ମୋ ପାଖକୁ ଆହୁରି ଘୁଞ୍ଚିଆସି ନେହୁରା କଲାପରି କେତେ କହିଲେ; କିନ୍ତୁ ମୁଁ ସେମିତି ଓଢ଼ଣା ପକାଇ କାଠପରି ବସିରହିଲି ।

ବାହାର ପଟରୁ ଆସି ବୋଉ ଭିତର ଘରକୁ ଗଲା । ନାଥନନା ଉଠି ଠିଆହେଲେ । କହିଲେ–ଦେଲୁ ନାହିଁ ତା’ହେଲେ ପାନ ? ସେଇଠୁ କ’ଣ ବିଚାରି ଥାଳିଆରୁ ପାନ ତକ ଉଠାଇନେଇ ଦୁଆରକୁ ଫିଙ୍ଗି ଦେଇ ସେଠୁ ଚାଲିଗଲେ ।

ଜହ୍ନ ଆଲୁଅ ମିଞ୍ଜି ମିଞ୍ଜ ହୋଇ ଆସିଥିଲେ ଖଣ୍ଡେ ଧଳା ବଉଦ ଭିତରେ ଛନ୍ଦିହୋଇ । ସେଇଠି ସେମିତି ପଥର ପରି ଠିଆହୋଇ ମୁଁ ମନେକଲି ପିଲାଦିନ କଥା । ସେଇଦିନୁ ଏମିତି ଏକଜିଦିଆ ଏ ନାଥନାନା । ବଡ଼ ହେଲେଣି, ଟିକେ କଥାରେ ଆଗ ପରି ସେମିତି ରାଗ–ସେମିତି ଅଭିମାନ ।

ଘର ଭିତରୁ ବୋଉ ଡାକିଲା–ସତୀ ! ଇଆଡ଼େ ଆସିଲୁ ।

ଧଡ଼ପଡ଼ ହୋଇ ଉଠିଗଲି ।

ପୁନେଇଁ ଆରଦିନ ରାତିଘଡ଼ିକବେଳୁ ମୁଁ ଆଉ ବଉଳ ଦିହେଁ ମିଶି ଘର ଦୁଆର ସବୁ ଲିପାପୋଛା କଲୁ; ଚଉରାମୂଳେ ଫୁଲକୋଠି ଲେଖିଲୁ ତ ଯେତକ । ବୋଉ ଆସି ଗାଳିଦେଲା ଝିଅ ଦି’ଟା ସେଇ ପହରୁ ଏଇଆ କରୁଚ ? ଭୋକ ଶୋଷ ଆଉ ନାହିଁ ତତେ ନା ? ଆଲୋ ମା’ ! ତୁ ଖାଇବୁ, ସେ କ’ଣ କରୁଚି କରୁଥାଉ ।

ବଉଳକୁ ଟାଣି ଟାଣି ନେଇ ବୋଉ ଚାଲିଗଲା । ମତେ ବି ଭୋକ କରୁଥିଲା ଭାରି । ଗଲି ନାଇଁ ଖାଲି ରାଗରେ । ଗୋଟାଏ ହାତରେ ସେମିତି ଦୀପଟା ଧରି ଚିତା ଲେଖିବାରେ ଲାଗିଲି-। ଆଜି ମୋର ଏ ଅଭିମାନରୁ ମନେପଡ଼ିଲା ଆଉ ଜଣକ କଥା । ସେଦିନ ସେ ବି ମୋ ଉପରେ ଅଭିମାନ କରି ଚାଲିଯାଇଥିଲେ, ପାନ ଖଣ୍ଡେ ହାତକୁ ନ ଦେଲି ବୋଲି । ସେଦିନୁ ଆଜିଯାଏ–ଚାରି ପାଞ୍ଚ ଦିନ ହୋଇଗଲାଣି । ସେ ତ ଜମା ଆମ ଘର ଛାଇ ମାଡ଼ି ନାହାନ୍ତି, ଆଗେ ନିତି ଆମ ଘରକୁ ନ ଆସିଲେ ଯାହାକୁ ଭାତ ରୁଚୁ ନ ଥିଲା । କ’ଣ ଏତେ ରାଗିଛନ୍ତି ମୋ ଉପରେ-?

ଖାଇସାରି ବଉଳ ଆସିଲା । ତାକୁ ପଚାରିଲି–ତମ ନନା ଆଜିକାଲି ଘରେ ଅଛନ୍ତି ନା-?

ହଁ, କାହିଁକି ? ଆଶ୍ଚର୍ଯ୍ୟ ହୋଇ ସେ ମୋ ମୁହଁକୁ ଚାହିଁଲା ।

ମୁଁ ମନେକଲି ଅବା କଟକ ଗଲେଣି ।

କାହିଁକି କହନି ?

ଲାଜ ଲାଜ ହଉଥାଏ ମୁହଁ ଫିଟାଇ ପଚାରିବାକୁ । ଶେଷରେ କହି ପକାଇଲି–ନା’ ଆମ ଘରକୁ ଆଉ ଆସୁନାହାନ୍ତି ଯେ, ସେଇଥିପାଇଁ ।

ବଉଳ ଚିତାଲେଖା ବନ୍ଦ କରି ମୋ ମୁହଁକୁ ଚାହିଁଲା, ତା’ପରେ ପୁଣି ଲେଖା ଆରମ୍ଭକରି ମୁହଁ ନ ଟେକି କହିଲା–ଆଜି ତ ଆସିବାକୁ କହୁଥିଲେ, ଆସିଲେ ନାହିଁ କାହିଁକି କେଜାଣି ?

ଆସିବାକୁ କହୁଥିଲେ ? ମୋ ଉପରେ ରାଗି ନାହାନ୍ତି ତା’ହେଲେ ? ମନେ ମନେ କହିଲି । କିଛି କାମ ଥିବ ଘରେ, ଆସିପାରି ନ ଥିବେ । ମୁଁ ମିଛରେ ଏଆଡ଼େ ଭାବି ଭାବି ମରୁଚି ।

ଭିତରୁ ଘରୁ ବୋଉ ଡାକିଲା–ସତୀ, ମୁଁ କ’ଣ ଅନେଇ ବସିଥିବି ? ବଉଳ ମୋ ହାତରୁ ଆଣକାଠିଟା ଛଡ଼େଇ ନେଇ କହିଲା–ଯା ନା, ଖାଇ ଆ, ମାଉସୀ ସିଆଡ଼େ ଚିଡ଼ୁଛନ୍ତି ।

ହାତଧୋଇ ଯାଇ ଖାଇବସିଲି । ଦରଖିଆ ହୋଇ ମନେପଡ଼ିଲା, ମଲା ଯା, ମୁଁ ପରା କୁଆଡ଼େ ରାଗ କରିଥିଲି ଖାଇବି ନାହିଁ ବୋଲି ? ଏ ନାଥନନା ଯୋଉଠି ଥିବେ, ତାଙ୍କରି ଯୋଗେ ମୋର ସବୁ ଗୋଳମାଳ ହୋଇଗଲା ।

 

ପୁନେଇ ଦିନ ସଞ୍ଜଘଣ୍ଟା ବାଜିବା ପହଡ଼କ ଆଗରୁ ତୋଟା ଉହାଡ଼ରେ ମହତାପ ମାରି ରୁପା ପରାତ ପରି କୁଆଁର ପୁନେଇ ଜହ୍ନ ଉଇଁଆସିଲା । ଅନ୍ଧାରର ଅମୁହାଁ ଦେଉଳ ଭିତରେ ଯେମିତି କିଏ ଜାଳି ଥୋଇଦେଲା ଅଖଣ୍ଡ ଅଗୁରୁବତୀ । ନଡ଼ିଆଗଛ ମଥାନ ଉପରେ ରୁପେଲି ଫନ୍ଦଟି ତା’ର ଭଲକରି ନ ଦିଶୁଣୁ ଗାଁ ଯାକ ହୁଳୁହୁଳିରେ ଉଛୁଳି ଉଠିଲା । ଏକ କୁଆଁର ପୁନେଇ ଜହ୍ନ, ଯାହାକୁ ଦେଖିବ ବୋଲି ଜହ୍ନିଫୁଲ ଏତେଦିନଯାକେ ମଉଳି ନ ଥାଏ ।

 

ଜହ୍ନରାଇଜର ରାଣୀ ଏ ଜହ୍ନିଫୁଲ, ଚାନ୍ଦର ଭାରିଯା । ହଳଦିଆ ପାଖୁଡ଼ାରେ ସେଥିପାଇଁ ତା’ର ଜହ୍ନ ଆଲୁଅ ଦିଶୁଥିଲା ସବୁଠଉଁ ତୋରା, ସବୁଠଉଁ ସୁନ୍ଦର । ବାରିପଟ ଖଳାରେ ବଉଳ ହେରିକାଙ୍କ ସାଙ୍ଗେ ଖେଳୁଚି, ବୋଉ ଆସି କେତେବେଳୁ ମୋ ପାଖରେ ଠିଆ ହୋଇଚି କେଜାଣି ? ମତେ ଚାହିଁବାର ଦେଖି କହିଲା–ଧନ୍ୟରେ ଝିଅ, କାନରେ ପଥର ପକେଇ ଖେଳୁ ନା କ’ଣ ଲୋ ? ସେଇ ପହରୁ ଡାକି ଡାକି ମୋର ପରା ତଣ୍ଟି ଫାଟିଗଲାଣି । ଦେ, ଆ ଇଆଡ଼େ ।

 

ବୋଉ ପଛେ ପଛେ ଭିତର ଘରକୁ ଗଲି । ଥାଳିରେ କାହାପାଇଁ ଭୋଗ ବାଢ଼ି ସେ କହିଲା–ଗଲୁ ପାନ ଦି’ଖଣ୍ଡ ଭାଙ୍ଗିଦବୁ, ନାଥନନା ପାଇଁ ତୋ’ର । ମୁଁ ଭୋଗ ଦେଇଆସେ ।

 

ନାଥନନା କେତେବେଳେ ଆସିଲେ ମୁଁ ତ ଜମା ଜାଣିପାରିନାଇଁ ? ମୋତେ ଆଉ ଦେଖିନଥିବେ ତ ଏମିତି ଫାଙ୍ଗୁଳାହୋଇ ଖେଳିବାର ଯେବେ ବାରିପଟକୁ କାହିଁକି ଯାଇଥିବେ, ଛି-ଛି-କି ଲାଜ କଥା !

 

ପାନ ନେଇ ବାହାରକୁ ଆସିଲି । ଖାଇସାରି ନାଥନନା ହାତ ଧୋଉଥିଲେ । ମୋତେ ଦେଖି ପାଖକୁ ଆସିଲେ । ଜୋର କରି ସବୁ ଲାଜ ପଛକୁ ପକାଇ ଚାରି ଖଣ୍ଡ ପାନ ତାଙ୍କ ହାତକୁ ବଢ଼ାଇ ଦେଲି । ଏଡ଼େ ଦୁଷ୍ଟ ପୁଣି ସେ, ସବୁଦେଖି ନ ଦେଖିଲା ପରି ରହିଲେ । ପୁଣି ମୁରୁକି ମୁରୁକି ହସୁଥାନ୍ତି ନା ଆହୁରି ! ବହୁ ଚେଷ୍ଟାରେ ମୁହଁ ଫିଟାଇ କହିଲି, ପାନ ନିଅ ।

 

ମୋ ହାତ ଥରୁଥାଏ । ସେ ହାତ ବଢ଼େଇ ପାନ ନେଲେ, ଆଉ ହାତଟାକୁ ମୋର ଜୋରରେ ଟିକେ ଚିପିଦେଇ ପଚାରିଲେ–ମୋତେ ଖୋଜୁଥିଲୁ କି କାଲି ? ନିଶି କହୁଥିଲା ।

 

ଏତେ ଦୁଷ୍ଟ, ଏଡ଼େ ଡବଡବିଟା ନା ଏ ବଉଳ ! ଯାଇ ମୋ ନାଁରେ ୟାଙ୍କ ଆଗରେ କ’ଣ ସତେ କହିଚିଟି-ଛି-ଛି, ଲାଜରେ ପାଟିରୁ ମୋର କଥା ବାହାରିଲା ନାହିଁ କହିବାକୁ ଯେ ଏକଥା ସବୁ ମିଛ । ବଉଳ ମିଛରେ ଯାଇ ମୋ ନାଁରେ ଲଗେଇ କହିଚି ।

 

ମୋତେ ଚୁପ୍ ହୋଇ ରହିବା ଦେଖି ସେ କହିଲେ–ଯାହାପାଇଁ ମୋର ଏଠିକି ଆସିବା, ସେ ତ ଏମିତି ଲାଜ କରେ, ମୋତେ କଥା କୁହେ ନାହିଁ, ଆଉ ଆସିବି କାହାପାଇଁ ?

 

ବଉଳ ଆସି କେତେବେଳେ ମୋ ପାଖରେ ଠିଆ ହୋଇଚି, ମୁଁ ଜାଣେନା । ନାଥନନା ତାକୁ ପଚାରିଲେ-କିଲୋ ନିଶି, ଯିବୁ ନା ମୋ ସାଙ୍ଗେ ? ଆଉ ତା’ପରେ ଖଣ୍ଡେଦୂର ଆଗକୁ ଯାଇ ଫେରିଲେ–ହଉ, ଥା’ ତେବେ ତୋ ବଉଳ ପାଖରେ ଆଜିକ, ସକାଳେ ଯିବୁ ।

 

ସେ ଚାଲିଗଲେ । ଖୁଣ୍ଟ ଉଢ଼ାଳରେ ତାଙ୍କର ଜରିଚାଦର କାନି ଯୋଉଠି ଲୁଚି ଯାଇଥିଲା, ସେ ଆଡ଼କୁ ଚାହିଁ ମୋର ଖାଲି ତାଙ୍କରି କଥା ପଦକ ମନେପଡ଼ୁଥାଏ । ମୋରି ପାଇଁ ସେ ଖାଲି ଏଠିକି ଆସନ୍ତି, କ’ଣ ସତେ ? ଛାତି ଭିତରେ ମୋର ସୁଖର ଜୁଆର ଉତୁରି ଉଠିଲା ଯେମିତି । ମୋରି ପାଇଁ, ମତେ ଦେଖିବା ଲୋଭରେ ଏ ଆମ ଘରକୁ ଆସନ୍ତି, ଆଉ କୋଉଥିପାଇଁ ନୁହେଁ । ଏଇ କଥାପଦକ ଶହେଥର ମୁହଁରେ ଆବୃତ୍ତି କରି, ହଜାର ଭଳି ମନରେ ଅନୁଭବ କରି ଯେମିତି ମୋର ତୃପ୍ତ ହେଲା ନାଇଁ । ଦଣ୍ଡକ ଆଗରୁ ବଉଳ ଉପରେ ସବୁ ଅଭିମାନଯାକ କୁଆଡ଼େ ଲିଭି ଶୀତଳ ହୋଇଗଲା ।

ଫୁଲରେ ମୋର ସବୁଦିନେ ଶରଧା । ବାରିପଟେ ଛୋଟ କିଆରୀଟିରେ ସେଥିପାଇଁ କେତେ ଫୁଲଗଛ ଯେ ଆଣି ଲଗାଇଥାଏ, ତା’ର ସୀମା ନାହିଁ । ଦିନେ ସଞ୍ଜବେଳେ କାହିଁକି ମନେହେଲା, ରଙ୍ଗଣୀ ଫୁଲ ତ ଫୁଟୁଥିବ ଆଜିକାଲି ଆମ ବାରିଆଡ଼େ, ସେ ଗଛଟାରେ । ବାରିଆଡ଼କୁ ଯାଇ ଚାହିଁଲି ବଉଳ କେତେବେଳେ ଆସି ସେଥିରୁ ଅଣ୍ଟିଏ ଫୁଲ ତୋଳି ସାରିଲାଣି । ମତେ ଦେଖି ଡାକିଲା–ଆ, ତୋଳିବା ।

କହିଲି–ସେତିକି ହୋଇଥାଉ ମ, କ’ଣ ହେବ ସେଗୁଡ଼ା ଏତେ ?

କ’ଣ ହେବ ଏତେ ? ବଉଳ ମୋ’ ଆଡ଼କୁ ହସି ଚାହିଁଲା । କହିଲା–ତା’ ଯଦି ଜାଣିଥାଆନ୍ତୁ, ଘରେ ଆଉ ତୁନି ହୋଇ ବସନ୍ତୁ ପରା ସଞ୍ଜହେଲେ ! ତୋର ତ ସବୁ କଥାରେ ଥଟ୍ଟା-। ଦେ-ଆ-ଆ ।

ଦୁହେଁଯାକ ଆସି ପିଣ୍ଡାରେ ବସିଲୁ । ବଉଳଟା ଏଡ଼େ ଦୁଷ୍ଟ । ଫଲଗୁଡ଼ାକ ମୋ ମୁଣ୍ଡ ଉପରେ ଅଜାଡ଼ିଦେଇ ଖିଁ ଖିଁ ହୋଇ ହସିଉଠିଲା । କଅଁଳ ଫୁଲପାଖୁଡ଼ା ଲାଗି ଦିହ ଗୋଟାକ ମୋର କେମିତି ଶୀତେଇ ଉଠିଲା । କହିଲି–ଏ କ’ଣ ହେଲା ?

ମଧୁ–ଶଯ୍ୟା ପରା–କହି ବଉଳ ହସି ହସି ଗଡ଼ିଗଲା ।

କାହା ସାଙ୍ଗରେ ?

କାହା ସାଙ୍ଗରେ ତ, ରହିଥା; ମୋର ତ ମନେପଡ଼ୁନାଇଁ । ତୋ ବର ନାଁ କ’ଣଟି ?

ବହୁତ ଦିନରେ ଗୋଟାଏ ପାସୋରିଗଲା ପରାସ ଉପରେ ଚୋଟ ଲାଗିଲା ପରି ଜଣାଗଲା ମତେ ସେ କଥା । ସେ କଥା ମନେପଡ଼ି ଛାତିରୁ ସତେ କି କ’ଣ ଗୋଟାଏ ଖସିପଡ଼ିଲା; କିନ୍ତୁ ମୁହଁରେ କହିଲି–ଯାଃ, ତୋ’ର ଖାଲି ସବୁଥିରେ ଥଟ୍ଟା ।

ବଉଳ କହିଲା–ନାଁ, ସତରେ ତ ! ଥଟ୍ଟା କାହିଁକି ହବ ? ତୋ ବରଘର କଣ୍ଟ ପଠେଇଲେଣି କୁଆଡ଼େ ତତେ ନେବାକୁ । ମାଉସୀ କହୁଥିଲେ... ଇଏ କ’ଣ ? ତୋ ମୁହଁ କାହିଁକି ସେମିତି ହୋଇଗଲା ବଉଳ ? କହୁଁ କହୁଁ ସେ ଦି’ ହାତରେ ମୋ’ ଗଳାକୁ ବେଢ଼ାଇ ଧରିଲା-

ବୁଡ଼ିଗଲା ଲୋକ ହାତରୁ ଉଦ୍ଧାରର ଶେଷ ଉପାୟଟିକ ଖସିଗଲେ ତାକୁ ଯେମିତି ଜଣାଯାଏ, ଠିକ୍ ବୁଝିପାରିଲି ନାହିଁ ସେହି ଦଣ୍ଡକ ଭିତରେ ମୋର କ’ଣ ହୋଇଗଲା ।

ବଉଳ ମ–ବଉଳ ଡାକିଲା ।

ଚାହିଁ ଦେଖିଲି, ସେ ମଥାକୁ ମୋର ତା’ ଛାତି ଉପରେ ଆଉଜାଇ ବସିଛି । ମତେ ପଚାରିଲା–ସେମିତି କାହିଁକି ହେଲୁ କି ବଉଳ ? ମୋ ରାଣଟି, କହ ।

କହିଲି–ନା’, ମୁଣ୍ଡଟା କାହିଁକି ବୁଲାଇଦେଲା ।

କ’ଣ ତୋ’ର ବର କଥା ଶୁଣି ?

ମନେଅଛି, ସେତେବେଳେ ସୁଦ୍ଧା ମତେ ହସ ମାଡ଼ିଥିଲା ତା’ କଥା ଶୁଣି । କହିଲି–ଆଉ କ’ଣ, ଯାଃ !

ସେ କଥା ସେଇଠି ବନ୍ଦ ହୋଇଗଲା । ବିଲ ପଡ଼ିଆର ଏଇ ଯୋଉ ଅସରନ୍ତି ଶାଗୁଆ ନଈ ସଞ୍ଜ-ଅନ୍ଧାରରେ ଦିଗବୁଡ଼ା ମଉଳିକି ଲାଗିଗଲା ପରି ଦିଶୁଥିଲା, ଦି’ପହରରେ କେତେବେଳେ କେଜାଣି ଖରାର ରଙ୍ଗ-ଗାଲିଚା ପାରି ବିଲପବନ ନିଛାଟି ହୋଇ ଶୋଇପଡ଼ିଥିଲା ତା’ ଉପରେ । ସଞ୍ଜ ବୁଡ଼ିଗଲାରୁ ଉଠି ଦେଖିଲା, ଗାଲିଚାଟି ତା’ର କିଏସେ ଚୋରାଇ ନେଲାଣି । ଧାନଗଛ ଗହଳି ଭିତରେ ସେଥିପାଇଁ ତା’ର ଖୋଜାଖୋଜି ପଡ଼ିଯାଇଥିଲା । ପାଗଳଙ୍କ ପରି ଦିହେଁଯାକ ଆମେ ସେଇ ଆଡ଼କୁ ଚାହିଁ ତୁନିହୋଇ ବସି ରହିଲୁ । କେତେବେଳେ ବଉଳ ଯିବାକୁ ଉଠିଲା । କହିଲା–ସଞ୍ଜ ହୋଇଗଲାଣି, ଆଜି ଯାଉଛି ବଉଳ ।

ଅନ୍ୟମନସ୍କ ହୋଇ କହିଲି–ହଉ ।

ସେ ଚାଲିଗଲା । ମୁଁ ଏକୁଟିଆ ସେଇଠି ପଥର ପରି ବସିରହିଲି ଭାବନାରେ ଅତଳ ପାଣିକି ଗୋଡ଼ ଖସାଇ । ଶୀତଦିନର ଭାରୀ ପବନ ସେତେବେଳେ ଗୁହାଳଘର ମଥାନ ଉପରୁ ଧୂଆଁଯାକ ବୋହିନେଇ ଗୋଟାଏ କନିଅର ଗଛ ଅଗ ଡାଳରେ ଧଳାକନାର ଲମ୍ବା ପଗଡ଼ି ବାନ୍ଧି ଦେଉଥିଲା; ଆଉ ଘାସ ଭିତରେ କେଉଁଠି ଗୋଟାଏ ଝିଙ୍କାରୀ ସଞ୍ଜବେଳର ନିଶବ୍ଦତାକୁ କରତରେ କାଟୁଥିଲା-କର୍, କର୍, କର୍ ।

କେତେ ରାତିରେ କେଜାଣି ବୋଉ ଆସି ମୋତେ ଡାକିଲା । ଚୁପ୍ ହୋଇ ଯାଇ ଘର ଭିତରେ ଶୋଇପଡ଼ିଲି; କିନ୍ତୁ ନିଦ ଯେବେ ଏ ନିଆଁଲଗା ଆଖି ଦି’ଟାକୁ ଥାଆନ୍ତା, ତେବେ ଦୁଃଖ ଆଉ କ’ଣ ଥିଲା କି ? ସେଇ ଅନ୍ଧାର ଭିତରେ ଚାରିଆଡ଼ର ସବୁ ଚିନ୍ତାଯାକ ମତେ ଏକାଠି ଘେରିବସିଲେ । ବଉଳ ଆସି ଯେଉଁ କଥା କହିଲା, ବୋଧହୁଏ ସତ । ନଇଲେ ବାପା ସେଦିନ ବୋଉକୁ ମକୁନ୍ଦପୁର କଥା କହନ୍ତେ କହିଁକି ? ଆଜିକି ଅନେକଦିନ ହୋଇଗଲାଣି, ସେଇ ବାହାଘର ଦିନ ମୋ ସ୍ୱାମୀଙ୍କି ଥରେ ଦେଖିଥିଲି, ଯାହା ସେତିକି । ସେଇ ଥରକ ଦେଖାରୁ ତାଙ୍କର ଯେ ସ୍ମୃତିଟିକିଏ ମନ ଭିତରେ ରହିଯାଇଚି, ଆଜି ଏ ଅନ୍ଧାର ଭିତରେ ସେ ରୂପ ମନେପକାଇ ସତରେ ଚାରିଆଡ଼ ମତେ ଅନ୍ଧାର ଦିଶିଲା । ତାଙ୍କରି ସାଙ୍ଗରେ ମତେ ପୁଣି ସବୁଦିନେ ଘର କରିବାକୁ ହବ ତ-? ସଂସାରର ଆଉସବୁ ସ୍ନେହମାୟା କଟେଇବାକୁ ହେବ, ସେଇ ମୁହଁକୁ ଚାହିଁ ? କିନ୍ତୁ ଏସବୁ ଅନର୍ଥପାଇଁ କିଏ ଦାୟୀ ? ସେହି ନାଥନନା । ମୋ ବାହାଘର ସମୟରୁ କଟକରେ ଯେବେ ଏତେଦିନ ରହିଲେ ସେ, ଆଉ ଗୋଟାଏ ବର୍ଷ କ’ଣ ରହିପାରିଲେ ନାହିଁ ସିଆଡ଼େ ? ଏତେଦିନ ନ ଦେଖି ମୁଁ ତ କାଙ୍କୁ ଏକକରମ ଭୁଲି ବସିଥିଲି ମନେ ମନେ । ପୁଣି କାହିଁକି ସେ ଦେବତାବାଞ୍ଛିତ ରୂପପସରା ଘେନି ଅପୂଜା ଦେଉଳ ଦୁଆରେ ମୋର ଦେଖାଦେବାକୁ ଆସିଲେ କି ? ତାଙ୍କ ରୂପ, ତାଙ୍କ ଅଶ୍ରୁ, ସ୍ନେହସୁହାଗ ତାଙ୍କର ମତେ ଯେ ସବୁ ଭୁଲାଇଦେଲା, ମୁଁ କ’ଣ କରନ୍ତି ? ମୋର ଆଉ କି ଉପାୟ ଥିଲା ତାଙ୍କ ପାଖେ ଶରଣ ନ ପଶି ?

ବୋଉ ଆସି ଡାକିଲା–ସତୀ, ଆ ଖାଇବୁ ।

କହିଲି–ମୁଁ ଖାଇବି ନାଇଁ ବୋଉ, ଭୋକ ନାହିଁ ।

ଆ, ଦିଟାନାକୁ ଖାଇବୁ, ମା’ଟା ପରା ।

ବ୍ୟଥା ଆଉ ଆଘାତ ଶୂନ୍ୟତା ଭିତରେ ଏଇ ପଦକ କଅଁଳ କଥାରେ ଦି’ଆଖିରୁ ଝର ଝର ହୋଇ ଲୁହ ଝରିପଡ଼ିଲା । ଏଡ଼େ ଅନ୍ଧାର, ଅଥଚ ବୋଉ କେମିତି ଜାଣିପାରିଲା କେଜାଣି ମୁଁ କାନ୍ଦୁଚି । ପାଖକୁ ଆସି, ପିଠି ଆଉଁସିଦେଇ ପଚାରିଲା–ଦିହ କ’ଣ ହଉଚି କି ମା’ ?

କହିଲି–ମୁଣ୍ଡ ବଥଉଚି ଭାରି ।

ଭାତଖିଆ ପଡ଼ିରହିଲା ସେମିତି, ପାଖକୁ ଆସି ମୋ ମୋତେ ବିଞ୍ଚିବସିଲା । ତା’ ଭିତରେ କେତେବେଳେ ମତେ ନିଦ ହୋଇଗଲା, ମନେ ନାହିଁ ।

ତହିଁଆରଦିନ, ଘରେ ବସି ଗୁଆ ଭାଙ୍ଗୁଚି, ବଉଳବୋଉ ବଡ଼ମା’ ଆସିଲେ ଆମ ଘରକୁ ବୁଲି । ଅନେକ ଦିନ ରୋଗ ଭୋଗି ବୋଉ ସେଦିନ ଟିକେ ପିଣ୍ଡାରେ ଆସି ବସିଥିଲା । ବଡ଼ମା’ ପଚାରିଲେ-କିଲୋ, କ’ଣ ସବୁ ହଉଚି ?

ହବ ଆଉ କ’ଣ ? ଆସ । ବୋଉ କହିଲା ? ଆଜି ଅପୂର୍ବ କୁଆଡ଼େ ?

ବଡ଼ମା’ କହିଲେ–କାହିଁକି, ମୁଁ କ’ଣ ଆସେ ନାହିଁ ଏଠିକି ?

ମୁଁ କ’ଣ ମନାକରୁଚି ଆସ ନାଇଁ ବୋଲି ? ତେବେ, ସବୁଦିନେ ନୁହେଁ । ଗରିବଙ୍କ କଥା କୋଉଦିନ କେମିତି ମନେପଡ଼ିଯାଏ ସିନା ।

କ’ଣ କରିବି ଲୋ ଭଉଣୀ, ତୁ ଘରଟିଏ କରୁଛୁ, ଜାଣୁନା କ’ଣ କେତେ ଅଡ଼ୁଆ ଜଞ୍ଜାଳ-। ମରିବାକୁ ଦଣ୍ଡେ ତର ହୁଏ ନାଇଁ ଏଇ ଜାଳାରେ । ସେଇଥିପାଇଁ କେତେଥର ବିଚାରିଲିଣି ପୁରୀ ପଳେଇଯିବାକୁ ସବୁ ଛାଡ଼ିଛୁଡ଼ି ଦେଇ ।

ବୋଉ କହିଲା–ତା’ ତ ତମର ଏଣିକି ଖୋଜା । ତେବେ ଘର ଥୟ କରିଦେଇ ତ ଫେର କୁଆଡ଼େ ଗୋଡ଼ କାଢ଼ିବ ? ନିଶିକି ବାହା କରିବ, ବୋହୂଟିଏ ପୁଣି ଘରକୁ ଆଣିବ ।

ବଡ଼ମା’ କହିଲେ–ହଁ, ତମମାନଙ୍କ କଲ୍ୟାଣ ଥିଲେ ।

କେତେବେଳଯାଏ ଆଉ କିଛି ପାଟି ଶୁଭିଲା ନାହିଁ । ତା’ପରେ ବଡ଼ମା’ ଆଗେ ପଚାରିଲେ-ହଁ ଗୋ, ତମ ସତୀ ପୁଆଣି ହୋଇ ଯିବା କଥା କ’ଣ ହେଲା କି ?

ଘର ଭିତରେ ପାନ ଭାଙ୍ଗୁଥିଲି, ହାତ ମୋର ଏକାଥରକେ ବନ୍ଦ ହୋଇଗଲା ଏ କଥା ଶୁଣି । ବୋଉ କହିଲା–କହୁଥିଲେ ତ ଏ ମାଘମାସକୁ ପଠେଇବେ ବୋଲି । କ’ଣ ହଉଚି କେଜାଣି-?

ବଡ଼ମା’ କହିଲେ–ହଁ, ପଠେଇଦିଅ ଚଞ୍ଚଳ, ବୁଝିଲ ସତୀବୋଉ ! ଦିନେ ତ ପୁଣି ପଠେଇବାକୁ ହବ, ଆଗ ହଉ; ପଛ ହଉ । ଯେଡ଼େ ବେଗି ଏ ଜଞ୍ଜାଳରୁ ଖଲାସ ହବ, ସେତେ ଭଲ ।

ମନ ହଉଥାଏ ଘରୁ ବାହାରିଆସି ପଚାରିବାକୁ ବଡ଼ ମା’ଙ୍କୁ, ତମ ଝିଅଟି ତମକୁ ଯେବେ ଏମିତି ଜଞ୍ଜାଳ ହୋଇଚି, ଆଜିଯାଏ ତାକୁ ବାହା କରିନାହଁ କାହିଁକି, ଶୁଣେ ? ନିଜ ପେଟରୁ, ପୁଣି ଆପଣା ରକ୍ତମାଂସରୁ ଜନ୍ମହୋଇ ଝିଅ ହେଲେ ବୋଲି କ’ଣ ଏତେ ଅଡୁଆ ସେ ହୋଇପଡ଼ନ୍ତି ମାଆମାନଙ୍କୁ ? ବୁଢ଼ା ହଉ, ଅସୁନ୍ଦର ଅଗୁଣର ହଉ ପଛକେ, ଘରର ଚଳନ୍ତି ଜିନିଷ ପରି ଏ ଝିଅଗୁଡ଼ାଙ୍କୁ ଗୋଟାଏ କାହା ବେକରେ ଛନ୍ଦିଦେଲେ ଏ ମା’ମାନଙ୍କର କର୍ତ୍ତବ୍ୟ ସରେ ପରା ! ଖାଲି ଝିଅ ଖାଇପିଇ ସୁଖରେ ରହିଲେ ହେଲା; କିନ୍ତୁ ଯାହାପାଇଁ ଏ ସୁଖ ଲୋଡ଼ା, ତାକୁ କ’ଣ ଭୁଲରେ ବି କିଏ ପଚାରେ ଏ ବିଷୟରେ କିଛି ?

ଆଉ କିଛି ସମୟ କଥାବାର୍ତ୍ତା ହୋଇ ବଡ଼ମା’ ଉଠିଲେ । ଦୁଆର ମୁହଁଯାଏ ଯାଇ ପୁଣି ଫେରି କହିଲେ–ମଲା ଯୋଉଥିଲାଗି ଆସିଥିଲି, ନିଆଁଲଗା ମୋର ମନେନାହିଁ କହିବାକୁ ।

ବୋଉ ପଚାରିଲା–କ’ଣ କି ?

ଆମ ନାଥର ଆଜି ଜନ୍ମଦିନ । ବାଇଶି ବର୍ଷରେ ତା’ର ଗୋଟିଏ ଘାଟୀ ଥିଲା । ସେଇଥିପାଇଁ ଠାକୁରଙ୍କ ପାଖେ ମାନସିକ କରିଥିଲି । ତମେ ଆଉ ସତୀ ସଞ୍ଜବେଳକୁ ଯିବ ନାହିଁ ଟିକେ ଆମ ଘରକୁ ଭୋଗ ପାଇବାକୁ ?

ବୋଉ କହିଲା–ସେ ତ ଘରେ ନାହାନ୍ତି, ମୁଁ ଆଉ କେମିତି ଯିବି କୁହ ?

ହଉ ସେ ଯିବ ପଛକେ ।

ସଞ୍ଜବେଳେ ଖୁବ୍ ତୋଫାନ କରି ମେଘ ଉଠିଲା । ଅନ୍ଧାର ଦେଖି ବୋଉ କହିଲା-ମେଘ ତ ଏମିତି ଉଠେଇଲାଣି ସତୀ, ତୁ କେମିତି ଆଉ ଯିବୁ ତୋ ମାଉସୀଙ୍କ ଘରକୁ ?

ଘରେ ଯାଇ ଶୋଇଲି । ପବନରେ କବାଟ ଝରକା ଧଡ଼ ଧଡ଼ ହୋଇ ବାଡ଼େଇ ହଉଥାଏ, ଆଉ ସେ ଶବ୍ଦରେ ଡର ଭିତରେ ମୁଁ ଚମକି ପଡ଼ୁଥାଏ, ତାଙ୍କ ଘରୁ ମତେ ଆଉ କିଏ ସେ ଡାକିବାକୁ ଆସିଲା କି ? କେତେବେଳକେ କେଜାଣି, ଟିକିଏ ଛାଇନିଦ ମାଡ଼ିଆସିଲାଣି ମତେ, କିଏ ଝୁଲାଇଦେଲା ଖୁବ୍ ଜୋରରେ । ନିଦ ଭାଙ୍ଗିଗଲା । ଧଡ଼ପଡ଼ ହୋଇ ଉଠିବସି ଦେଖିଲି, ବଉଳ ମୋ ହାତକୁ ଟାଣି କହୁଚି–ମଲା ଶୋଇପଡ଼ିଲୁଣି କି ବେଳ ବୁଡ଼ୁବୁଡ଼ୁ ?

କହିଲି–ବଉଳ, ତୁ କେତେବେଳେ ଆସିଲୁ ମ ?

ଘଡ଼ିଏ ହେଲା ପରା ଏଠି ବସି ତତେ ଉଠଉଚି ? ଆ, ଯିବା ପରା ! ମୁହଁ ପୋଛି ପଦାକୁ ଆସିଲି; କହିଲି-ଚାଲ ଯିବା । ବୋଉକୁ କହିଚୁ ?

ହଁ ।

ପଡ଼ିଆ ପାରିର ଧାନଫୁଲ ମହକରେ ବର୍ଷାପବନକୁ ସେଦିନ ନିଶା ଲାଗିଥାଏ । ସରଗଆବୁରା ମେଘଗହଳି ଭିତରେ ପଶି ସେ ହୁରୁଜୁରୁ ଲଗାଇ ଦେଇଥାଏ ସେଥିଲାଗି । ତା’ର ଏ ଦୂରନ୍ତ ପରକୁ ଟାହୁଲ କରି ମେଘଯାକ ଏଣେତେଣେ ପଳାଇ ଯାଇଥାନ୍ତି ଯେମିତି । ନାଥନନାଙ୍କ ଘରେ ପହଞ୍ଚିଲାବେଳକୁ ବର୍ଷା ଆରମ୍ଭ ହୋଇଗଲେଣି । ଦାଣ୍ଡ ପରସ୍ତରେ ଗାଁର କେତେଜଣ ଲୋକ ବସି କଥାବାର୍ତ୍ତା ହଉଥାଆନ୍ତି । ତା’ ଭିତରେ ନାଥନନା ଥାଆନ୍ତି ବୋଧହୁଏ । ବଉଳ ମତେ ଏକାଥରକେ ଘର ଭିତରକୁ ନେଇଗଲା । ଭିତର ଘରେ ବଡ଼ମା’ ବସି ରନ୍ଧାବଢ଼ା କରୁଥିଲେ; ମତେ ଦେଖି ପଚାରିଲେ–ବାପା ଆସିଲେଣି ଲୋ ତୋ’ର ?

କହିଲି–ନା’ ।

ବୋଉ କ’ଣ କରୁଥିଲା ?

ବସିଥିଲା ।

ଅନେକଗୁଡ଼ାଏ ଅଟା ଜନ୍ତାହୋଇ ଥୁଆ ହୋଇଥିଲା ସେଠି । ଆମେ ଦିହେଁ ଯାଇ ପିଠା ଗଢ଼ିବସିଲୁ । ବଉଳର କ’ଣ ମନ ଥୟ ହଉଥାଏ କି ଗୋଟାଏ ଜାଗାରେ ବସି ? ଦଣ୍ଡେ ଛାଡ଼ି ଦାଣ୍ଡଆଡ଼େ ଘେରାଏ ବୁଲି ଆସୁଥାଏ ଯାଇଁ । ମୋ’ଠଉଁ ଚାରି ବଷର୍ର ସାନ ହବ ସିଏ; କିନ୍ତୁ ତା’ ବୟସରେ ଗାଁରେ ଏତେ ଲୋକଙ୍କ ସାଙ୍ଗରେ ମୋର ବି ଚିହ୍ନା ହୋଇନଥିବ । ପିଠାଗଢ଼ା ସରି ଆସିଥିଲା ପ୍ରାୟ । ବଡ଼ମା’ ସେ ଆଡ଼କୁ ଚାହିଁ ନେତବୋଉ ଖୁଡ଼ୀଙ୍କି କହିଲେ-ଦେଖିଲଣି ଗୋ, ଦଣ୍ଡକରେ କେତେ ପିଠା ଗଢ଼ି ଥୋଇଦେଲାଣି ଝିଅଟା । ୟା ନା ସିନା କାମ । ଆମ ନିଶି, ହେଇ ପରା କୋଉଠି ଯାଇ ଘୋଡ଼ା ପରି ବୁଲୁଚି । ତା’ପରେ ମତେ ଚାହିଁ କହିଲେ, ସେତିକି ଥାଉ, ମା’ଟା ପରା । ନିଆଁ ପାଖରେ ବସି ବସି କେତେ ଝାଳ ବୋହିଲାଣି ଯା ଟିକେ ଥଣ୍ଡାରେ ବୁଲିଆ । ଯା, ମୋ ରାଣଟି ।

ବଡ଼ମା’ଙ୍କ ଘରେ ସେଦିନ ଖିଆପିଆ ସରିଲାବେଳକୁ ରାତି ଅନେକ ହୋଇଯାଇଥିଲା । ବଉଳ ଆସିଲା, ବୋଉ କହିଲା–ବଉଳ, ରାତି ଏତେ ହେଲାଣି ଏଇଠି ଶୋଇପଡ଼ ।

ଭାରି ଲୋଭ ହଉଥାଏ ରହିବାକୁ । ତା’ହେଲେ ନାଥନନାଙ୍କୁ ତ କାଲି ସକାଳୁ ଆଉଥରେ ଦେଖିପାରିବି । କିନ୍ତୁ ଜୋର କରି ସେ ଇଚ୍ଛା ଦମନ କରି କହିଲି–ନାହିଁ ବଉଳ, ବୋଉ ସିଆଡ଼େ ଚାହିଁ ବସିଥିବ ମତେ ।

ଘରେ ଆସି ପହଞ୍ଚିବା ଆଗରୁ ଭଲକରି ବର୍ଷା ଆରମ୍ଭ ହୋଇଗଲା । ଭିତର ଘର ପିଣ୍ଡାରେ ବୋଉ ମତେ ଦେଖିପାରି କହିଲା, ବର୍ଷାଟାରେ ତିନ୍ତିଲୁ ନା ଗୋଟିପଣେ ? ଲୁଗା ପାଲଟି ପକେଇ ଶୋ’ଯା ।

ବୋଉ ଚାଲିଗଲାରୁ ତୁନି ତୁନି ଯାଇ ଘରେ କବାଟ କିଳି ସେଇ ଓଦାଲୁଗାରେ ଶୋଇପଡ଼ିଲି । ନାଥନନାଙ୍କ ଦିହ ଲାଗି ବାସୁଥିଲା ସେ ଲୁଗା । ମନେହେଲା, ଆଜି ମୋର ମଧୁଶଯ୍ୟା ।

ଆଉ ଦି’ ଚାରି ଦିନ ପରେ ସତକୁ ସତ ମୋର ଶାଶୁଘରକୁ ଯିବା ଆୟୋଜନ ଯୋଉଠୁ ପ୍ରବଳ ଭାବରେ ଚାଲିଲା, ଭୟ ଆଉ ଭାବନାରେ ଦରମରା ହୋଇ ଦିନରାତି ଖାଲି ବିଛଣାରେ ପଡ଼ିରହିଲି । ମୋର କିଏ ଅଛି ଏତେବେଳେ, ମନକଥା ବୁଝି ମତେ ଏ ସଙ୍କଟରୁ ରକ୍ଷା କରିବ ? ନିରୀହ ଛେଳିଛୁଆକୁ ବଳି ଦେବାକୁ ନେଲାବେଳେ ତା’ ଆଖିର କରୁଣ ମିନତି କିଏ ଶୁଣେ କି ? ମଣିଷ ଜନ୍ମ ପାଇ ମୋ ଦଶା ଯେ ଆଜି ତା’ଠଉଁ ବଳେ ।

ଆଜି ମୋତେ ପିଲାଦିନର ପରିଚିତ ଥାନ ଛାଡ଼ି ସବୁଦିନପାଇଁ ଯିବାକୁ ହବ କୋଉ ଅଜଣା ଅଚିହ୍ନା ଲୋକଙ୍କ ମେଳକୁ । ମୋ ଯିବାକଥା ହେଲା ଦିନୁ ବୋଉ ତ ସବୁଦିନେ ଟିକେ ଟିକେ କାନ୍ଦୁଥିଲା । ସେଦିନ ତା’ର ଆଉ କାନ୍ଦଣା ବାଧା ମାନିଲା ନାଇଁ । ମତେ ଧରି ସକାଳୁ ସଞ୍ଜଯାଏ ଭାରି ବିକଳ ହୋଇ କାନ୍ଦିଲା । ମୁଁ ତା’ ସାଙ୍ଗେ କାନ୍ଦିଲି । କାନ୍ଦି କାନ୍ଦି କେତେବେଳେ ଅଚେତ ହୋଇପଡ଼ିଚି, ମୁଁ ଜାଣେନା । ଚେତା ହେଲା, ବଡ଼ମା’ ଯେତେବେଳେ ମତେ ନେଇ ସବାରୀରେ ବସାଇଦେଲେ । ସବାରୀ କବାଟଫାଙ୍କରେ ନାଥନନାଙ୍କ ଦିହ ଦିଶୁଥିଲା । ମୁଁ ତାଙ୍କ ଲୁଗାକାନି ଜୋରରେ ମୁଠେଇ ଧରି କାନ୍ଦିବାକୁ ଲାଗିଲି । ନାଥନନା ସେତେବେଳଯାଏ ଖୁବ୍ କାନ୍ଦ ସମ୍ଭାଳିଥିଲେ; ଆଉ ପାରିଲେ ନାହିଁ । ମତେ ବୁଝେଇ ବୁଝେଇ ଅନେକ ବାଟ ସବାରୀ ସାଙ୍ଗେ ସାଙ୍ଗେ ଗଲେ; ତା’ପରେ ଫେରିଆସିଲେ । ବାଟ ଦୁଇପଟେ ପିଲାଦିନ ଚିହ୍ନା ମୋର ଗଛ ପତରସବୁ, ଯାହା ଛାଇରେ ବସି କେତେ ନିଶୂନ ଦିହରେ ମୋର ନାଥନନାଙ୍କ ସାଙ୍ଗେ କଟିଯାଇଚି, ଗୋଟି ଗୋଟି ହୋଇ ମୋ’ଠଉଁ ବିଦା ହୋଇ ପଛକୁ ଚାଲିଗଲେ । ଗାଁ ମୁଣ୍ଡର ସେଇ ଗହଳିଆ ତାଳବଣ, ଯୋର କୂଳେ କୂଳେ ବାଉଁଶ ବଣର ନହକା ଛାଇ ତଳେ ଶିଉଳିଲଗା ସେଇ ବଡ଼ ପଥରଟି, ଗାଧୋଇଲାବେଳେ ନିତିଯାହା ଉପରେ ଗୋଡ଼ ଘସେ; ସବାରୀର ଅଳ୍ପ ଫାଙ୍କ ବାଟେ ସମସ୍ତେ ମତେ ଥରେ ଥରେ ଚାହିଁଗଲେ । ଆଉ ତ ଏମାନଙ୍କୁ ଦେଖିବି ନାଇଁ । ଆଖି ମୋର ଲୁହରେ ପୂରିଗଲା । ତକିଆରେ ମୁହଁମାଡ଼ି ମଲାଙ୍କ ପରି ପଡ଼ିରହିଲି ।

ଦୂର ଗାଁର କୋଉଠି ଗୋଟାଏ ନଡ଼ିଆଗଛର ପତର ପାଲିଙ୍କିରେ ଚଢ଼ି ସେତେବେଳେ ଅଷ୍ଟମୀ ଚାନ୍ଦ ଶାଶୁଘରକୁ ଯାଉଥିଲା; ଗଛଛାଇ–ଛଇଳା ଗାଁ ଦାଣ୍ଡରେ ତା’ର ଅନୁକୂଳ ଚିତା ପଡ଼ିଥିଲା କେତେ ଜାତିରେ ।

ରାତି ଗୋଟିକ ବାଟରେ କଟିଗଲା । ତହିଁଆରଦିନ ସକାଳେ ମତେ କେତେଜଣ ମାଇପେ ଧରାଧରି କରି ନେଇ ଗୋଟାଏ ବେଦୀରେ ବସେଇଲେ । ଲୋକଗହଳି ଆଉ ଗରମରେ ମୋର ନିଃଶ୍ୱାସ ବନ୍ଦ ହୋଇଗଲା ପରି ଜଣାଯାଉଥିଲା । ସ୍ୱାମୀ ଠିକ୍ ମୋ ପାଖରେ ବସିଥାନ୍ତି, ଦିହକୁ ଦିହ ଲଗାଲଗି ହୋଇ ଗୋଟାଏ ମସିଣା ଉପରେ । ଏତେ କଷ୍ଟରେ ସୁଦ୍ଧା ଭାରି ମନ ହେଉଥାଏ ତାଙ୍କ ମୁହଁ ଟିକେ ଦେଖିବାକୁ । ଓଢ଼ଣା ଭିତରେ ବହୁ କଷ୍ଟରେ ମୁହଁକୁ ଟିକେ ଟିକେ ତାଙ୍କୁ ଦେଖିଲି ।

ହାୟ ଭାଗବାନ ! ନ ଦେଖିଲେ ବୋଧହୁଏ ଭଲ ହୋଇଥାଆନ୍ତା ସେ ରୂପ ପୋଡ଼ାକାଠ ପରି ରଙ୍ଗ, ସେଥିରେ ମୁହଁଯାକ ବସନ୍ତର ଦାଗ ଯେମିତି ସିଇଁହୋଇ ଯାଇଚି । ଏଇ ମୁହଁ, ଲାବଣ୍ୟର ଲେଶ ଯାହାକୁ ଛୁଇଁ, ଏଇଆକୁ ଚାହିଁ ଦୁନିଆର ସବୁ ସୌନ୍ଦର୍ଯ୍ୟ ପାସୋରିବାକୁ ପଡ଼ିବ ! ତରୁଣ ଜୀବନର ଶତ ମନପାଞ୍ଚ ଏଇଠି ସାର୍ଥକ ହବ ତ ? ଆଖି ଆଗରେ ମୋର ସବୁ ଅନ୍ଧାର ଦିଶିଲା । ତଳକୁ ମୁଣ୍ଡ ପୋତି କୌଣସିମତେ ବସିରହିଲି ଭଣ୍ଡାରୁଣୀ ହାତ ଉପରେ ଆଉଜି; ନଇଲେ ବୋଧହୁଏ ପଡ଼ିଯାଇଥାନ୍ତି ।

କର୍ମ ସରିଲା ପରେ ଜଣେ କିଏ, ବୋଧହୁଏ ଘରର ପୋଇଲୀ, ମତେ ଆଣି ଆଉ ଗୋଟାଏ ଘରେ ବସାଇ ଦେଇଗଲା । ତା’ପରେ ଗୋଟି ଗୋଟି କରି କେତେଗୁଡ଼ିଏ ମାଇପେ ସେ ଘରକୁ ଆସିଲେ ମତେ ଦେଖିବା ପାଇଁ । ଦଣ୍ଡକ ଭିତରେ ଲୋକଗହଳରେ ସେ ଘରେ ଆଉ ତିଳ ପକାଇବାକୁ ଜାଗା ରହିଲା ନାହିଁ ।

ମୁହଁଦେଖା ପର୍ବ ସରିଲା । ସମେସ୍ତ ମୋ ରୂପ ବିଷୟରେ ଯେଝା ମତ ପ୍ରକାଶ କରି ବାହାରକୁ ଚାଲିଗଲେ । ଶେଷକୁ ଦୁଇ ଚାରୋଟି ଟୋକୀ, ପ୍ରାୟ ମୋ’ରି ବୟସ ହେବ ସେମାନଙ୍କର, ସେ ଘରୁ ଆଉ ଗଲେ ନାଇଁ । ମତେ କଥା କୁହାଇବା ଲାଗି କୁକୁରମାଛି ପରି ଲାଗି ରହିଲେ ମୋ ସାଙ୍ଗେ । ଭାଗ୍ୟକୁ ଆଉ ଜଣେ ବୁଢ଼ୀ ସେ ଘରକୁ ଆସିଲେ । ତାଙ୍କୁ ସବୁ ଦେଖି ଗାଳିଦେଲେ । ପିଲାଟା କାଲିଠଉଁ କିଛି ନ ଖାଇ ହାଲିଆ ହୋଇପଡ଼ିଛି; ତମେସବୁ ତା’ ସାଙ୍ଗେ କାହିଁକି ସେମିତି ନଗେଇଚ କିଲୋ ? ଯା, ସେ ଟିକିଏ ଶୋଉ ।

ସେମାନେ ସବୁ ମୁହଁ ଚାହାଁଚାହିଁ ହୋଇ ହସିଲେ । ତା’ପରେ ଗୋଟି ଗୋଟି ହୋଇ ଉଠିଗଲେ ସେ ଘରୁ । ସେ ବୁଢ଼ୀଟି ମୋ ଶୋଇବାକୁ କହି ଘର କବାଟ ଆଉଜାଇ ଦେଇ ଚାଲିଗଲେ ।

ହାୟ, ମୋତେ ପୁଣି ନିଦ ମାଡ଼ିବ ! ଏକୁଟିଆ ହେଲାରୁ ମୋ ସ୍ୱାମୀଙ୍କ କଥା ପୁଣି ମନେପଡ଼ିଲା । ସେ ଆସିବା ସମୟ ହେଲା, ଆମ ଶାସ୍ତ୍ର ଅନୁସାରେ ଯାହାଙ୍କର ମୁଁ ସ୍ତ୍ରୀ ହୋଇସାରିଛି । ମୁଁ ପୁଣି ତାଙ୍କ ଦ୍ୱିତୀୟ ସ୍ତ୍ରୀ; ଆଗ ସ୍ତ୍ରୀ ମରିଥିଲେ ବର୍ଷକର ଗୋଟିଏ ପୁଅ ରଖି । ସେଇଦିନୁ ଆଜିଯାଏ ମୋ ପାଇଁ ଏ ଯେମିତି ବାଟ ଚାହିଁ ବସିଥିଲେ । ବୟସରେ ସେ ମୋ ବାପାଙ୍କ ସାଙ୍ଗର ହେବେ । ଏଇଆଙ୍କ ସାଙ୍ଗରେ ପୁଣି ମତେ ସବୁଦିନେ ଘର କରିବାକୁ ପଡ଼ିବ ସରିସମ ହୋଇ । ଏହି ମୁହଁକୁ ଚାହିଁ ମତେ ପୁଣି ପିଲାଦିନର ସବୁ ସ୍ନେହ ମାୟା ଭୁଲିବାକୁ ହେବ ତ-? ସେତିକିବେଳେ ମନେପଡ଼ିଗଲା ମୋର, ଆଉ ଗୋଟିଏ ଲାବଣ୍ୟସିନ୍ଧୁ ପଖଳା ଚିରପରିଚିତ ମୁହଁ, ବିଧାତାଙ୍କର ସବୁ ସୁନ୍ଦର ସୃଷ୍ଟି ଯାହା ଦିହରେ ସାର୍ଥକ ହୋଇଯାଇଚି । ସେ ମୁହଁ ଆଉ ମୋ ସ୍ୱାମୀଙ୍କ ମୁହଁ ! କେତେ ପ୍ରଭେଦ, କେତେ ଫରକ ୟା ଭିତରେ । ତୁଳନା କରିବାକୁ ସୁଦ୍ଧା ଲାଜ ମାଡ଼େ । ସେ ପୁଣି ତ ମତେ ଅପ୍ରାପ୍ତ ହୋଇନଥିଲେ । କିନ୍ତୁ– । ଆଉ ଭାବିପାରିଲି ନାହିଁ । ମନେହେଲା ଏମିତି ଭାବିଲେ ମୁଁ ପାଗଳ ହୋଇଯିବି । କିନ୍ତୁ ଏଇ ଚିନ୍ତାରେ ପାଗଳ ହୋଇଯିବା କେଡ଼େ ସୁଖକର ମନେକଲି ।

ସୂର୍ଯ୍ୟ ବୁଡ଼ି ଯାଇଥିଲେ ଅନେକବେଳୁ । ଦିନ ଆଲୁଅ କ୍ରମେ ଲିଭିଆସିଲା । କୋଠାଘର; କିନ୍ତୁ ଜଳାକବାଟି ମୋଟେ ନ ଥିଲା, ମୁଁ ଯୋଉ ଘରେ ବସିଥିଲି । ଅନ୍ଧାର ଘର ଭିତରେ ଚୁପ୍ ହୋଇ ଅନେକ ବେଳଯାଏ ବସିରହିଲି । ବାହାରେ–କୋଉଠି କେତେଦୂରରେ-ସଞ୍ଜଘଣ୍ଟା ବାଜିଗଲା । ଘରେ ଘରେ ଦୀପ ଲାଗିଲା । କେତେବେଳେ ପରେ ଦୁଇ ଚାରି ମାଇପେ ଆସି ମତେ ଆଉ ଗୋଟାଏ ଘରକୁ ନେଇଗଲେ । ସେ ଘରଟା ବି ଏମିତି ଅନ୍ଧାର; ଖାଲି ଘରକୋଣରେ ଗୋଟାଏ ଦୀପ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା । ସେଇ ଅଳ୍ପ ଆଲୁଅରେ ଦେଖିଲି, ଘରର ଗୋଟାଏ ପାଖରେ ବଡ଼ ପଲଙ୍କଟାଏ, ତା’ ଉପରେ ବିଛଣା ପଡ଼ିଛି । ଏମାନେ ମତେ ନେଇ ଘରକଣରେ ଖଣ୍ଡେ ସପ ଉପରେ ବସାଇଦେଇ ସେ ଘରୁ ଚାଲିଗଲେ । ବୁଝିପାରିଲି କାହିଁକି ମତେ ଏ ଘରକୁ ଅଣାଯାଇଛି । ବିଜୁଳି ମାରିଲା ପରେ ଘଡ଼ଘଡ଼ି ଗର୍ଜନକୁ ଯିମିତି ଲୋକି ଭାବି ନିଅନ୍ତି, ଗୋଟାଏ ଅଜଣା ଭୟରେ ଦିହ ମୋର ଥରିଉଠିଲା, ଛାତି ଦାଉଁ ଦାଉଁ ପଡ଼ିଲା । ଭାବିଲି, କାହିଁକି ମୁଁ ଏତେ ଡରୁଚି ? ସେ ତ ବାଘ ସାପ ନୁହନ୍ତି, ମତେ ଖାଇଯିବେ ? ତୁଚ୍ଛାଟାକୁ ଏତେ ଡରିବି କାହିଁକି ?

ଘଡ଼ିଏ ଖଣ୍ଡେ ବିତିଗଲା, କେହି ଆସିଲେ ନାହିଁ ସେ ଘରକୁ । ମନରେ ଟିକିଏ ଦମ୍ଭ ଆସିଲା । ଭାବିଲି, ଯେଡ଼େ ଅସୁନ୍ଦର ସେ ହେଉନ୍ତୁ, ମୁଁ ତ ତାଙ୍କରି ସ୍ତ୍ରୀ । ତାଙ୍କ ଛଡ଼ା ମୋର ଆଉ ଗତି କ’ଣ ଅଛି ? ମୋ ମନକୁ ନ ଆସିଲେ ସଂସାର ଲୋକେ ତ ମୋ ଦୁଃଖ ଶୁଣିବେ ନାହିଁ । ଅଧିକ ହସିବେ ସମସ୍ତେ । ମୁଁ କ’ଣ ୟାଙ୍କୁ ଭଲ ପାଇପାରିବି ନାହିଁ ? ଦେଖିବି ଚେଷ୍ଟାକରି, ପ୍ରାଣର ସବୁ ବଳ ଖରଚ କରି, ତାଙ୍କ ପ୍ରତି ମନର ସବୁ ବିମୁଖତାକୁ ସହିନେଲେ ତ ଯିବ । ନା-ନା, ମୁଁ ଥରେ ଦେଖିବି ଚେଷ୍ଟାକରି, ୟାଙ୍କୁ ଭଲ ପାଇବାକୁ, ନିଶ୍ଚୟ-ନିଶ୍ଚୟ । ସାରାଦିନର ଅନିୟମ ଓ ଅବସାଦରେ ଆଖି ଦି’ଟା ନିଦରେ ଭାରୀ ହୋଇ ଆସିଥିଲା । ଆଉ ସିଧାହୋଇ ବସିପାରିଲି ନାହିଁ, ସେଠି ସେମିତି ଶୋଇପଡ଼ିଲି । କେତେବେଳେ ମତେ ନିଦ ହେଇଯାଇଚି ଜାଣେନା । ହଠାତ୍ କାହା ଥଣ୍ଡା ହାତ ଲାଗି ନିଦଟା ମୋର ଚାଉଁକିନା ଭାଙ୍ଗିଗଲା । ଧଡ଼ପଡ଼ ହୋଇ ଉଠିବସି ମୁଣ୍ଡରେ ଲୁଗା ଦେଇଦେଲି । ଛାତିଟେ ଦୁମ୍ ଦୁମ୍ ହୋଇ କମ୍ପିଗଲା । ସେଇ ଅଳ୍ପ ଆଲୁଅରେ ମୁଣ୍ଡରେ ଲୁଗାଦେବା ଭିତରେ ଚିହ୍ନିପାରିଲି, ସେ ମୋ ସ୍ୱାମୀ ।

ଦୀପଟା ଆହୁରୀ କମି କରିଦେଇ ସେ କହିଲେ, ଆ ବିଛଣାକୁ ।

କିଛି କହିଲି ନାଇଁ । ସେ ମୋ ପାଖକୁ ଆସିଲେ । ଦୁଇ ହାତରେ ମତେ ଏକରକମ ବିଛଣା ପାଖକୁ ଟେକିନେଇ କହିଲେ; ଉପରକୁ ଯା ।

ଖଟ ପାଖରେ ପୁଣି ଠିଆହେବା ଦେଖି ସେ ତଳକୁ ଓହ୍ଲାଇ ଆସିଲେ । ମୁଣ୍ଡରୁ ମୋର ଓଢ଼ଣା ଟେକିଦେଇ ହସି ହସି କହିଲେ ଏତେ ଲାଜ ଗୋଟାଏ କ’ଣ ? ମତେ ଭଲ ଲାଗେ ନାହିଁ ସେଗୁଡ଼ା ।

ଏହି ପହିଲୁ ବୋଧହୁଏ ମୁଁ ତାଙ୍କୁ ହସିବାର ଦେଖିଲି । କିନ୍ତୁ ମନେହେଲା, ନ ଦେଖିଥିଲେ ବରଂ ଭଲ ହୋଇଥାନ୍ତା । ଭଗବାନ, ହସ ପୁଣି ମଣିଷଙ୍କର ଏମିତି ବିକୃତ ! ମୋର ଏ ଧାରଣା ନ ଥିଲା ।

ମତେ ଚୁପ୍‌ହୋଇ ଠିଆହେବାର ଦେଖି ସେ ଆହୁରି ପାଖକୁ ଆସିଲେ । ଦୁଇ ହାତରେ ମୋ ହାତକୁ ଧରି ଖଟ ଉପରକୁ ଟାଣିନେଲେ । ମୁଁ ତାଙ୍କୁ ଟିକେ ଠେଲିଦେଇ ପଛକୁ ଘୁଞ୍ଚିଆସିଲି । ସେ ପୁଣି ମୋ ହାତକୁ ଧରି ରାଗରେ ଟାଣ କରି କହିଲେ–ଇଏ କ’ଣ ? ମୁଁ ଖାଇଯାଉଚି ନା କ’ଣ ତତେ ?

କହୁ କହୁ ମତେ ପାଖକୁ ଭିଡ଼ିନେଲେ ଏତେ ଜୋରରେ ଯେ ମୁଁ ଟାଳ ସମ୍ଭାଳି ନ ପାରି ଏକରକମ ତାଙ୍କ ଛାତି ଉପରେ ଆଉଜି ପଡ଼ିଗଲି । ପୁଣି ସିଧାହେବା ଆଗରୁ ସେ ମୋ ମୁହଁକୁ ଟେକିଧରି ଚୁମ୍ବନ କଲେ ।

ବିଜୁଳି ପରି ତାଙ୍କୁ ଦୁଇ ହାତରେ ଠେଲି ଦେଇ ଖଟ ଉପରୁ ଓହ୍ଲାଇ ଆସିଲି । ଛି, ଛି ଏ ମଣିଷ ନା କ’ଣ !

ଦିହ ଗୋଟାକ ଝିମିଝିମି ହୋଇଗଲା ଘୃଣା ଆଉ ରାଗରେ । କିନ୍ତୁ ମୋ ବ୍ୟବହାର ଦେଖି ସେ ବୋଧହୁଏ ସତରେ ରାଗିଗଲେ । ଦୁଇ ହାତରେ ମୋତେ ପିଲାଙ୍କ ପରି ଖଟ ଉପରକୁ ଟେକିନେଲେ ଜୋର କରି କହିଲେ, ଶୋ ଏଠି । ସେଇ ବିଛଣାରେ ସେମିତି ପତର ପରି ବସିରହିଲି ମୁଁ । ଏଡ଼େ ଅଭଦ୍ର, ଇତର ଏ ? ବାହା ହୋଇଛନ୍ତି ବୋଲି କ’ଣ ଏମିତି ବଳ ପ୍ରୟୋଗ କରି ଏ ମୋ ମନ ପାଇବେ ? ହାୟ, ହାୟ ମୁଁ ପୁଣି ଏଇୟାଙ୍କୁ ଭଲ ପାଇବାକୁ ଚେଷ୍ଟା କରିବି ବୋଲି ଆଉ କେତେ ଦଣ୍ଡ ଆଗରୁ ପ୍ରତିଜ୍ଞା କରୁଥିଲି ?

ବିଛଣାରେ ଅନ୍ୟଆଡ଼କୁ ମୁହଁ କରି ସେ ଶୋଇଥିଲେ । ମନେକଲି, ବୋଧହୁଏ ଶୋଇପଡ଼ିଲେଣି । ସେ ବିଛଣାରେ ତାଙ୍କ ସାଙ୍ଗରେ ଏକାଠି ଶୋଇବାକୁ ମୋ ମନ ହେଲା ନାଇଁ । ତଳେ ଶୋଇବାକୁ ମନେକରି ଉଠିଆସୁଚି, ସେ ମୋ ଲୁଗାକାନିକି ଧରିପକାଇ ପଚାରିଲେ, କୁଆଡ଼େ ଯାଉଚୁ ? ମନ ହେଉଥାଏ ବଡ଼ ପାଟିକରି କହିବାକୁ, ଯମ ଘରକୁ । କଥାର ଜବାବ ନ ପାଇ ସେ ଭାରି ଚିଡ଼ିଗଲେ । କହିଲେ, ଏମିତି ହେଲେ ଏକା ଜାଣିଥା, ଭାରି ଖରାପ ହବ । ମୁଁ କହୁଚି, ମୋ କଥା ମାନ । ପାଖକୁ ଆ ।

ପୁଣି ସେମିତି ଟଣା ଓଟରା । ସ୍ତ୍ରୀ ହୋଇ ମୋର କେତେ ବଳ ତାଙ୍କ ସାଙ୍ଗେ ଲଢ଼ିବାକୁ-! ମୁଁ ଆଉ ପାରିଲି ନାହିଁ । ଦୁଇ ହାତରେ ମତେ ଛାତି ଉପରେ ଭିଡ଼ିକରି ସେ ମୋ ମୁହଁ ପାଖକୁ ମୁହଁ ଆଣିଲେ–ବୋଧହୁଏ ଆଉଥରେ ଚୁମ୍ବନ କରିବାକୁ ଭାବିଲି, ବାଧା ଦେବି ନାଇଁ ଏଥର ତାଙ୍କ କାମରେ । କ’ଣ କରୁଛନ୍ତି ସେ କରନ୍ତୁ, କିନ୍ତୁ ଘୃଣା ଆସି ବାଟ କଢ଼େଇନେଲା ଅଜାଣତରେ କେତେବେଳେ ମୁଁ ତାଙ୍କୁ ପଛକୁ ଠେଲିଦେଇ ଖଟ ଉପରୁ ଡେଇଁପଡ଼ିଲି । ସେ ବି ମୋ ପଛେ ପଛେ ମତେ ଧରିବାକୁ ଆସୁଛନ୍ତି ଦେଖି ଦୀପଟା ଲିଭାଇ ଦେଲି ।

ଅନ୍ଧାର ଭିତରେ ମୁଁ କୋଉଠି, ସେ ଦେଖିପାରିଲେ ନାହିଁ । ମୋତେ ଖୋଜୁ ଖୋଜୁ ସେଇ ଅନ୍ଧାରରେ ତାଙ୍କ ମୁଣ୍ଡ ଖଟ ଦିହରେ ଜୋରରେ ବାଡ଼େଇ ହୋଇଗଲା । ମୁଁ ଶୁଣିପାରିଲି, ଯନ୍ତ୍ରଣାରେ ଭାରି ରାଗିଯାଇ ସେ କହିଲେ–ହଉ ରହିଥା, କାଲି ସକାଳେ ଯାଇଁ ତୋ’ର ମୋର ବୁଝାବୁଝି । ମତେ ଚିହ୍ନି ନାଉଁ ପରା ଆଜିଯାଏ ?

ବହୁ କଷ୍ଟରେ ଦରାଣ୍ଡି ଦରାଣ୍ଡି ସେ ବିଛଣାକୁ ଯାଇ ଶୋଇଲେ । ଅନ୍ଧାରରେ କିଛି ଦିଶୁ ନ ଥାଏ, ପଲଙ୍କ କଟ୍ କଟ୍ ହେଲାରୁ ଖାଲି ଅନୁମାନ କଲି ।

ଘଡ଼ିଏ ଗଲା । କିଛି ସୋର ଶବ୍ଦ ନାଇଁ ।

ଭୟରେ ଦରମରା ହୋଇ ଦୁଆରମୁହଁ ପାଖରେ ସେମିତି ସେତିକିବେଳୁ ଠିଆ ହୋଇଚି କାଠ ପରି । ହଲଚଲ ହେବାକୁ ବି ଡର ମାଡ଼ୁଥାଏ, କାଳେ ସେ ପୁଣି ମତେ ଧରିବାକୁ ଆସିବେ । କେତେବେଳେ କେଜାଣି ଖଟ ଉପରୁ ତାଙ୍କ ଘୁଙ୍ଗୁଡ଼ି ଶବ୍ଦ ଶୁଭିଲା । ସାବଧାନରେ କବାଟ ଟିକେ ମେଲାକରି ଗୋଡ଼ ଚିପି ଚିପି ବାହାରକୁ ଚାଲି ଆସିଲି ।

ରାତି ପାହି ଆସୁଥାଏ ସେତେବେଳକୁ, ଦୂର ସାଗର ଦିହରେ ଅନ୍ଧାରେ ଯେମିତି ଛେନା ଛିଣ୍ଡି ଯାଇଛି । ଏଠି ସେଠି ଗଛପତ୍ର ସବୁ ପତଳା ଅନ୍ଧାର ଭିତରେ କଳା କଳା ହୋଇ ବାରି ହେଉଥାନ୍ତି । ଭଗବାନଙ୍କର ଏ ମୁକୁଳା ରାଜ୍ୟତଳେ ଠିଆହୋଇ ମନର ଗୋପନ ଗୁହାରିଟିକ ତାଙ୍କ ପାଖେ ପହଞ୍ଚାଇବା ଲାଗି ରାତିସାରା ଯେମିତି ଆଖି ଦି’ଟା ବାଟେ ଝରିପଡ଼ିଲା । ମନେହେଲା, ଏଇ ସ୍ୱାମୀ ? ୟାଙ୍କୁ ମୁଁ ଭଲ ପାଇପାରିବି ତ ?

ସେଦିନ ସକାଳୁ ଜମିଦାରୀର କ’ଣ ଗୋଟାଏ କାମରେ ସ୍ୱାମୀ ଅନ୍ୟ ଗାଁକୁ ଯିବେ ବୋଲି ସଜ ହେଉଥିଲେ । ସେଦିନ ଘରକୁ ଫେରିବେ ନାହିଁ ବୋଲି ଶୁଣିଲି । ମନେହେଲା, ଯାହା ହଉ ଆଜି ଦିନକ ତ ଛୁଟି ।

ପାହାନ୍ତା ପହରୁ ସେ ଯିବେ ବୋଲି ସେ ପୋଇଲୀଟା ଏପଟ ସେପଟ ହୋଇ ତାଙ୍କର ଜିନିଷ ସବୁ ସଜାଡ଼ୁଥାଏ । ଭାବିଲି, ୟାଙ୍କ ଘରେ ଆଉ କେହି ନାହାନ୍ତି ନା କ’ଣ ? ଶୁଣିଛି ମୋର ଶାଶୁ ଅଛନ୍ତି–ସେ ବିଧବା, କିନ୍ତୁ ଏତ ଅଷ୍ଟଅଳଙ୍କାର ମଣ୍ଡିହୋଇଛି ଦିହଯାକ । ବୟସ ବି ଏମିତି ବେଶୀ କିଛି ହୋଇ ନାହିଁ । ତେବେ କିଏ ?

ଦୁଆରମୁହଁ ପାଖରେ ମତେ ଦେଖି ସେ ମୋ ପାଖକୁ ଆସିଲା । ନାଚ ପିଲାଙ୍କ ପରି ମୋ ମୁହଁ ପାଖରେ ହାତ ହଲାଇ କହିଲା–ହେ ବୋହୂ ! ମା’ ସିଆଡ଼େ କୋଉ ପହରୁ ଗାଧୋଇଆସି ଓଦାଲୁଗାରେ ଠିଆ ହୋଇଛନ୍ତି, ଆଖିରେ କ’ଣ ତମର ପୁଅ ନାହିଁ କି ?

ଭାରି ରାଗ ହେଲା ତା’ କଥାଶୁଣି । ୟାଙ୍କ ଘରେ ଗୋଟିକ ଠଉ ସମସ୍ତେ ଏମିତି ଅଭଦ୍ର ନା କଅଣ ? କହିଲି, ମୁଁ ତ ଜାଣି ନାହିଁ ।

ଜାଣି ନା ? ଅଜଣା ହୋଇ ଆସିଛ ଏଠିକି ? ଗାଧୋଇ ସାରିଲେ ଶୁଖିଲା ଲୁଗା ଦବା କି ପୂଜାପାଇଁ ଠା କରିଦେବା, ଏକଥା ପୁଣି କିଏ ଶିଖେଇଦବ ମ ! କ’ଣ ଛୁଆ ନା ପିଲା ? ଆସ ବାହାରି–ସେ ଚାଲିଗଲା । ଦି’ ଦିନ ହେଲା ମୁଁ ଏଠିକି ଆସିଚି, କିନ୍ତୁ କ’ଣ କରିବି ? ପଦାକୁ ଆସିଲି-। ଖଣ୍ଡେ ପକ୍‌କା ଦୁଆର ଛାଡ଼ି ଆରପଟେ ଠାକୁରଘର । ଓଦାଲୁଗା ପିନ୍ଧି ସେଠି ଯିଏ ଠିଆ ହୋଇଥିଲେ, ସେ ବୁଢ଼ୀ, କିନ୍ତୁ ଏତେ ବୟସର କୌଣସି ଲକ୍ଷଣ ତାଙ୍କ ଦିହରେ ନ ଥିଲା । ପିଞ୍ଛି ପରି ଲମ୍ୱା ପତଳା ଦିହ, ସୁନା ପରି ଦୂରରୁ ଝଟକୁଚି । ବୁଦ୍ଧି ଆଉ ଦୃଢ଼ତାରେ ମୁହଁଟି ସମୁଜ୍ଜ୍ୱଳ । ଏଇ ମୋ ଶାଶୁ ।

ଘର ଭିତରୁ ଶୁଖିଲା ଲୁଗା ଆଣି ଦେଲି ତାଙ୍କୁ । ସେ ପୋଇଲୀଟା ସେତେବେଳେ ଦୁଆର ମଝିରେ ଠିଆହୋଇ ଆପଣା ମନକୁ ସମସ୍ତଙ୍କୁ ଶୁଣାଇ ଶୁଣାଇ କହୁଥାଏ–ମୋର ଛୁଇଁବା କଥା ନୁହେଁ ବୋଲି ସିନା, ନଇଲେ ପରଙ୍କୁ ଏତେ ଖୋସାମତ କିଆଁ ପଡ଼ନ୍ତା ? ଦଣ୍ଡକେ ସବୁ ସଜ କରି ଥୋଇଦିଅନ୍ତି ପରା ।

ଶାଶୁ ଲୁଗା ପାଲଟିଲେ । ମତେ ତୁନି ତୁନି କହିଲେ, ଦେଖୁଚୁ ତ କେମିତି ଏକୁଟିଆ ଘର, ଏତେ ଲାଜ କଲେ ଚଳିବ କୋଉଠୁ, ଝିଅ ?

ସେ ଠାକୁରଘର ଭିତରକୁ ଯାଇ କବାଟ ଲଗାଇଦେଲେ । ଠାକୁରଘର ଦୁଆରମୁହଁ ପାଖରେ ଗୋଟାଏ ପିଲା କେତେବେଳକୁ ଖୁଣ୍ଟ ଆଉଜି ଠିଆ ହୋଇଥିଲା । ମତେ ଦେଖି ପାଖକୁ ଆସିଲା, କାନିଧରି ହସି ହସି କହିଲା-ନୂଆ ମା’ ! କାଖ କରି ମୁଁ ତାକୁ ମୋରି ଘରକୁ ନେଇଆସିଲି-। ଘର ଭିତରେ ଆଉ କେହି ନ ଥିଲେ ସେତେବେଳେ । ତୁନି ତୁନି ପଚାରିଲି–ତୋ ନାଁ କ’ଣ କି ?

ନଟ ପରା ! ସେ କହିଲା ।

ପଚାରିଲି–ହଇରେ ନଟ, ମତେ ତୁ ଚିହ୍ନିଲୁ କେମିତି ?

ବାଃ ରେ, ଆମ ଧାଈମା’ ପରା କହୁଥିଲା, କୋଉଦିନ କେଜାଣି, କେତେଦିନ ହୋଇଗଲାଣି, ତୋର ନୂଆ ମା’ ଆସିବ । ବାପା ଯିବେ କେତେ କେତେ ବାଜା ବଜାଇ ତାକୁ ଆଣିବାକୁ ।

ଧାଈମା’ କିଏ ?

ମଲା ତୁ ଜାଣିନାଉଁ ନା ? ସିଏ ସଉରଭୀ ପରା । ଏଇକ୍ଷଣୀ ଯେ ଦୁଆରେ ଠିଆ ହୋଇଥିଲା, ତୁ ଆସିଲାବେଳେ ।

ବୋଧହୁଏ ସେଇ ପୋଇଲୀଟା ।

ପଚାରିଲି–ହଇରେ ଧାଈମା’ ଏଠି କି କାମ କରେ ?

ମତେ ଦୁଧ ପେଇଦିଏ, ଦାଣ୍ଡକୁ ବୁଲେଇନିଏ । ଆଗେ ତା’ରି ପାଖରେ ଶୋଉଥିଲି, ଏବେ ମା’ ପାଖରେ ଶୁଏ ଭଉତୁ ଦିନ ହେଲା ।

ପଚାରିଲି–ଧାଈମା’ ତତେ ମାରେ, ହଇରେ ?

ଖୁ-ଉ-ଉବ୍ । ଦୁଧ ନ ପିଇଲେ, ଅମାନିଆ ହେଲେ ଗୋଟାଏ ବାଡ଼ି ଧରି ଏମିତି ପିଟି ପକାଏ ଖାଲି ।

ବାପା କିଛି କୁହନ୍ତି ନାଇଁ ତାକୁ ?

ନାଇଁ, ଖାଲି ହସିଦେଇ ଦାଣ୍ଡକୁ ଚାଲିଯାନ୍ତି । ତା’ପରେ ଦଣ୍ଡେ କ’ଣ ଭାବି କହିଲା-ବାପାକୁ ସେ ଓଷଦ କରିଚି କୁଆଡ଼େ ।

ଆଉ, ମା’ ? ମୁଁ ପଚାରିଲି । ସେ କିଛି କୁହନ୍ତି ନାଇଁ ଧାଈମା’ ତତେ ମାରିଲେ ? ସେ କହିଲା, ସେ ତ ସବୁବେଳେ ଖାଲି ଠାକୁରଘରେ ପଶିଥାଏ । ଏ ଖଞ୍ଜାକୁ ଜମା ଆସେ କି ?

ଆଖି ଦି’ଟା ମୋର ଲୁହରେ ପୂରି ଉଠିଥିଲା । ତା’ କଥା ଶୁଣି ଶୁଣି । ମା’-ମଲା ଏଇ ଅରକ୍ଷ ଅଶରଣ ପିଲାଟି; କାହାର ତ ଟିକେ ହେଲେ ନୋଭ ନାଇଁ ୟା ପ୍ରତି ! ଦୁଇ ହାତରେ ତାକୁ ଛାତି ଉପରେ ଭିଡ଼ିଧରି ମନେ ମନେ କହିଲି, କେହି ନ ଥିଲେ ତୋ’ର ମୁଁ ଅଛି ।

ଜମିଦାର ଘର । ବେଶୀ କେହି ଲୋକ ନ ଥିଲେ ବି ଅମଲା ଚାକରଙ୍କ ଗୋଳମାଳ ଭାଙ୍ଗୁ ଭାଙ୍ଗୁ ରାତି ଅନେକ ହୋଇଯାଏ । ଆଜି ପୁଣି ସହଜେ ସେ ଘରେ ନାହାନ୍ତି । ରାତି ଦି’ପହରଯାଏ ଖଞ୍ଜାରେ ଗହଳ ଚହଳ ଲାଗିଲା । ଅନେକ ରାତିରେ ଗୋଟି ଗୋଟି ହୋଇ ସମସ୍ତେ ଘରକୁ ଗଲେ । ଘର ଭିତରେ ଖଣ୍ଡେ ସପ ପକାଇ ଶୋଇବାକୁ ଯାଉଛି, ନଟ ଆସି ଡାକିଲା–ନୂଆ ମା’, ଶୋଇଲୁଣି ? ମୁଁ ତୋ ପାଖରେ ଶୋଇବି ।

ପିଲାଟା, ଏତେବେଳଯାଏ ତାକୁ ନିଦ ନାହିଁ, ଖାଲି ମୋ’ରି ପାଖରେ ଶୋଇବ ବୋଲି । ଏଡ଼େ ସ୍ନେହରଙ୍କ ବିଚାରି । କୋଳକୁ ଟାଣିନେଇ କହିଲି–ଆ ଲୋ, ଶୋଇବୁ ମୋ ପାଖରେ । ମା’ ପାଖରେ ଶୋଇଲୁ ନାଇଁ କି ଆସି ? ସେ କହିଲା, ମାଆକୁ କହିଲି ନୂଆ ମା’ ପାଖରେ ଶୋଇବି ଯାଉଚି । ସେ କ’ଣ କହିଲେ ? ପଚାରିଲି ।

କହିଲା, ହଉ ଯା ।

ସଉତୁଣୀ–ପୁଅ ସେ ମୋର; କିନ୍ତୁ ଏଡ଼େ ସ୍ନେହ ତାହାପାଇଁ ଏ ପୋଡ଼ା ଛାତି ଭିତରେ କୋଉଠି ଥିଲା କେଜାଣି ?

ବାହାରେ ସଉରଭୀ ପାଟି ଶୁଭିଲା–ନଟ, ଆ ଶୋଇବୁ ।

ବିକଳରେ ମୋ ବେକକୁ ବେଢ଼ାଇ ଧରି ନଟ କହିଲା–ନୂଆ ମା’ । କହିଦେ ତାକୁ, ମୁଁ ଏଇଠି ଶୋଇବି; ତୋ ପାଖରେ ।

ସଉରଭୀ ପୁଣି ଆସି ଡାକିଲା–ନଟ, ଆ, ମା’ ଡାକୁଛନ୍ତି ।

ସେ କହିଲା–ମୁଁ ମାଆକୁ କହି ଆସିଚି ଏଇଠି ଶୋଇବି ।

ଆ, ତେବେ ମୋ ପାଖରେ ଶୋଇବୁ ।

ଆଉ ମୁହଁ ବୁଜି ରହିପାରିଲି ନାହିଁ । କହିଲି–ପିଲାଟା କହୁଚି, ସେ ଏଇଠି ଶୋଉ ଆଜିକ ।

ମୋ ଆଡ଼କୁ ଆଖି ତରାଟି କରି ଚାହିଁ ସେ କହିଲା–ଚାଖଣ୍ଡେ ବୋଲି ପିଲା, ତା’ର ପୁଣି ଗୋଟାଏ ଆଇନି । ଆ’ ଶୋଇବୁ ମୋ ପାଖରେ କହୁଚି । ଡରରେ ପିଲାଟା କାଠପିତୁଳା ପରି ସେମିତି ପଡ଼ିଥାଏ । ତାକୁ ଜୋରରେ ମୋ ପାଖରୁ ଝିଙ୍କିନେଇ ସଉରଭୀ କହିଲା–ଚାଲ, ସଇତାନ ଟୋକା, ମାରି ମାରି ହାଡ଼ ଚୂନା କରିଦେବି ଯେ ।

ଲୁହ ଢଳଢଳ ଆଖି ତରାଟି ନଟ ଚାଲିଗଲା ତା’ ସାଙ୍ଗେ, ମୋ ଆଡ଼କୁ ଚାହିଁ ଚାହିଁ । ମନେହେଲା, ମୋ ଦିହରୁ ଖଣ୍ଡେ ଯେମିତି କିଏ କାଟିନେଲା । ସପଟା ସେଇ ଘରେ ଫେପାଡ଼ିଦେଇ ବାହାର ପିଣ୍ଡାରେ ଆସି ବସିଲି ।

ତହିଁଆରଦିନ ସକାଳୁ ମୋ ସ୍ୱାମୀ ଘରକୁ ଫେରିଲେ । ଘରୁ ବାହାର ଯାଏ ଚାକର ପୋଇଲୀଙ୍କର ଧାଁ ପଡ଼ିଗଲା ଭାବିଲି, ମୋର ବି କାଳ ଆସିଲା ।

ଆଗ ରାତିର ଘଟନାଯାକ ମନେପଡ଼ି ଦିହଟା କେମିତି ଶୀତେଇ ଉଠିଲା । ମନରୁ ଜୋର କରି ସେ ଭାବ ତଡ଼ି ଦେବାକୁ ଚେଷ୍ଟାକଲି । ଭାବିଲି, ଯେତେ ଖରାପ ହେଲେ ସେ ତ ପୁଣି ମଣିଷ । ସେ କ’ଣ ବୁଝିବେ ନାହିଁ ମୋ କଥା ?

ଭିତରେ ଖଞ୍ଜାରେ ତାଙ୍କ ପାଟି ଶୁଭିଲା । ମୋର ସାମନା ଘରେ ତାଙ୍କର ଲୁଗାପଟା ଥାଏ । ଖୋଲା କବାଟବାଟେ ଯାହା ଦେଖିଲି, ମନ ମୋର ଘୃଣାରେ ପୂରିଉଠିଲା । ଖଟ ଉପରେ ସ୍ୱାମୀ ବସିଛନ୍ତି, ସଉରଭୀ ପାଖରେ ଠିଆହୋଇ ତାଙ୍କ ଜାମାର ବୋତାମ ଫିଟଉଚି । ଦୁହେଁଯାକ ହସି ହସି କ’ଣ କଥାବାର୍ତ୍ତା ହଉଛନ୍ତି । ମୋତେ ଦେଖି କବାଟଟା ଆଉଜେଇ ଦେଲେ ।

ଭାବିଲି, ଅପମାନ ଷୋଳଅଣା ପୂର୍ଣ୍ଣ ହେବାକୁ ଆଉ କେତେ ବାକି ଅଛି ?

ଘର ଭିତରେ କାନ୍ଥକୁ ଆଉଜି ବସିଚି, ଗୋଟାଏ ପୋଇଲୀ ତାଟିଆଏ ଦୁଧ ମୋ ପାଖରେ ଥୋଇଦେଇ କହିଲା–ବୋହୂ ସାନ୍ତାଣୀ, ସଉରଭୀ ଧାଈମା’ କହିଲେ, ନଟବାବୁଙ୍କୁ ଦୁଧ ପେଇଦିଅ ।

ନ ଶୁଣିଲା ପରି କହିଲି, କିଏ କହିଲା ?

ସଉରଭୀ ଧାଈମା’ ।

ମନ ହଉଥାଏ ଗୋଇଠା ମାରି ତାଟିଆ ଫାଟିଆ ଫୋପାଡ଼ି ଦେବାକୁ । ରାଗ ଚପେଇ ରଖି କହିଲି-ମୁଁ ପାରିବି ନାଇଁ, ସେଇଆକୁ ଡାକିଦିଅ । ସେ ଚାଲିଗଲା । ଦଣ୍ଡକ ପରେ ଆର ଘରୁ ସ୍ୱାମୀଙ୍କର ପାଟି ଶୁଭିଲା, ନ ପାରିବ ଏଠିକି ଆସିଚ କ’ଣ ସାନ୍ତାଣୀ ହବାକୁ ? ନଟ, ଯା ସେ ଘରକୁ ।

ମୋ ଘର କବାଟାଟା ଧଡ଼୍‌କରି ଫିଟାଇଦେଇ ସଉରଭୀ ନଟକୁ ଟାଣି ଟାଣି ଆଣି ସେ ଘରେ ଛାଡ଼ିଦେଲା । ମତେ ଚାହିଁ ମୁହଁ ବୁଲେଇ ଟିକେ ହସିଦେଇ ଚାଲିଗଲା । ନଟ ଆସି ମୋ କୋଳ ପାଖରେ ବସି କହିଲା–ନୂଆ ମା’, ଭୋକ କଲାଣି ମ । ସବୁ ଅପମାନ, ସବୁ ବିରକ୍ତି କୁଆଡ଼େ ପାଣି ପରି ହୋଇଗଲା ସେ କଥା ପଦକରେ । ଦୁଧବାଟି ପାଖକୁ ଆଣି କହିଲି–ଆ, ପେଇଦିଏ ।

ଦି’ପହରଟାଯାକ ଏକକରମ ବୈଚିତ୍ର୍ୟହୀନ ହୋଇ କଟିଗଲା ଖାଲି ଶୋଇ ଶୋଇ । ନିଦ ଜମା ମତେ ମାଡ଼ୁ ନ ଥାଏ, କିନ୍ତୁ ନ ଶୋଇଲେ କାଳେ ରାତିରେ ନିଦ ହୋଇଯିବ । ସେ ଯଦି ସେଦିନ ପରି ଅତ୍ୟାଚାର କରନ୍ତି ଶୋଇଥିଲାବେଳେ, ଏଇ ଭୟରେ ବିଛଣାରେ ଖାଲି ପଡ଼ିରହିଲି ଆଖିବୁଜି ।

ଉଠିଲାବେଳକୁ ସଞ୍ଜବତୀ ଲାଗିଯାଇଥିଲା । ଦିନ ଆଉ ନ ଥିଲେ ବି ଉଠିବାକୁ ମନ ହେଲା ନାହିଁ । ସେମିତି ସେଇ ଅନ୍ଧାର ଘର ଭିତରଟାରେ ପଡ଼ ପଡ଼ି ଆଜି ରାତି ପାଇଁ ମନରେ ସାହସ ବାନ୍ଧିବାକୁ ଚେଷ୍ଟା କଲି ।

ମୋ ସ୍ୱାମୀ ଘରକୁ ଆସିଛନ୍ତି ବୋଲି ସେଦିନ ସମସ୍ତଙ୍କର ଖିଆପିଆ ସହଳ ସହଳ ବଢ଼ିଯାଇଥିଲା । ଖଞ୍ଜାରୁ ଲୋକଙ୍କ ଗହଳ ଜମିଆସିଲା । ଭାବିଲି–ହେ ଭଗବାନ, ନଟ କାଲି ପରି ଆଜି ମୋ ପାଖକୁ ଶୋଇବାକୁ ଆସନ୍ତା ଯଦି । କିନ୍ତୁ ନଟ ତ ଆସିଲା ନାଇଁ, ଆସିଲା ଜଣେ ପୋଇଲୀ, ଗୋଟାଏ ଦୀପ ଧରି । ଟିକିଏ ଗଳାଖଙ୍କାର ମାରି, ଟିକେ ହସି ତୁନି ତୁନି କରି କହିଲା–ବୋହୂ ସାନ୍ତାଣୀ, ଆସ ସେ ଘରକୁ, ସାଆନ୍ତ ଡାକୁଚନ୍ତି ।

ଖଟ ଉପରେ ଦୁଆରମୁହଁ ଆଡ଼କୁ ପଛକରି ସେ ଶୋଇଥିଲେ ବୋଧହୁଏ ଚାହିଁକରି । ପାଦଶବ୍ଦ ଶୁଣି ଫେରି ଚାହିଁଲେ । କହିଲେ-ଆ ଏଠିକି । ସବୁ କାମରେ ଏମିତି ପ୍ରତିବାଦ କରିବାକୁ ମୋର ଇଚ୍ଛା ବା ଆଗ୍ରହ ନ ଥିଲା । ଖଟ ପାଖରେ ଯାଇ ଠିଆହେଲି । ସେ ଉଠିଆସି ଖଟ ଉପରେ ମୋତେ ଶୁଆଇ ଦେଲେ । ତା’ ପରେ ନିଜେ ଆସି ମୋ ପାଖରେ ଶୋଇଲେ, ଏତେ ପାଖରେ ଯେ ତାଙ୍କ ନିଶ୍ୱାସ ତାତି ଆସି ମୋ ଦିହରେ ଲାଗୁଥାଏ । ମନେହେଲା କହିବାକୁ, ଏତେ ଲଗାଲଗି ହୋଇ ନ ଶୋଇଲେ ସ୍ୱାମୀ-ସ୍ତ୍ରୀ ବୋଲି କେହି କହିବେ ନାଇଁ ନା କ’ଣ ? ଭାବିଲି, ଆଜି ସବୁ ସହିଯିବି, ଯେତେ ସେ ବିରକ୍ତ କରନ୍ତୁ ।

ଦଣ୍ଡେ ଗଲା ।

ସେ କହିଲେ, ଓହୋ ସେହିପରି ମୋ ସାଙ୍ଗେ ଆଜି ଆଉ ଯୁଦ୍ଧ ଲଗାନା ବାବୁ । ଟଣାଓଟରା, ଝିଙ୍କାଝିଙ୍କି । ମୁଁ ଏମିତି ବାଘ ନା ସାପ ଯେ ପାଖକୁ ଆସିଲେ ଗିଳିଦେବି ?

ସେ ଆସ୍ତେ ଆସ୍ତେ ମୋ ପିଠିରେ ହାତ ଦେଇ ପାଖକୁ ତାଙ୍କର ଭିଡ଼ିନେଲେ । କିଛି କହୁ ନ ଥାଏ । କହିଲା, ଆଜି ଭଲ ପିଲାଟି ପରି ତୁନିହୋଇ ଶୋ । ସେମିତି ଗୋଡ଼ହାତ ଛାଟି ମତେ ଆଉ ବିରକ୍ତ କରନା ।

ଏଥର ସେ ମତେ ଏତେ ପାଖକୁ ଭିଡ଼ିନେଲେ ଯେ ମୁଁ ଏକକରମ ତାଙ୍କ ଛାତି ଉପରେ ଆଉଜି ପଡ଼ିଲି । ବିରକ୍ତିରେ ମୋର ଲାଜସରମ ସବୁ କୁଆଡ଼େ ପାସୋରି ଗଲା । ଜୋର କରି ଉଠିବସି ଦୃଢ଼ ସ୍ୱରରେ କହିଲି–ଓଃ, ଇଏ କ’ଣ ହଉଚି ?

ଏତକ କହିଦେଇ ତାଙ୍କ ଆଡ଼ୁ ଗୋଟାଏ ଆସନ୍ନ ବଜ୍ରପାତର ଆଶଙ୍କାରେ ସ୍ତବ୍ଧ ହୋଇ ରହିଲି । କିନ୍ତୁ ସେ ଶାନ୍ତ କଣ୍ଠରେ କହିଲେ–ହଉ ହଉ, ମୁଁ ତତେ କିଛି କହୁନାଇଁ, ଏଇକ୍ଷଣି ତୁ ଶୋ-। ପିଲାଲୋକ, ଏତେଦିନଯାକ କିଛି ବୁଝିନଉଁ, ଜାଣିନଉଁ; ସେଥିଲାଗି ଏସବୁ ତତେ ବିଷପରି ଲାଗୁଚି । ମୁଁ ବି ସେଥିଲାଗି ତୋତେ ଜୋର କରୁ ନାଇଁ । ତେବେ, କେତେଦିନ ଆଉ ଏମିତି ନ ଜାଣିଲା ପରି ରହିବୁ ? ସ୍ୱାମୀ କି ଜିନିଷ ବୁଝିଥିଲେ ତୁ ଏମିତି ହୁଅନ୍ତୁ ନାହିଁ । ଆମ ହିନ୍ଦୁଘରେ ସ୍ୱାମୀ ହଉଛନ୍ତି ସ୍ତ୍ରୀର–

ବାଧା ଦେଇ କହିଲି, ମୁଁ ଜାଣେ ।

ସେ ହସିଲେ । କହିଲେ, ନା, ନା, କିଛି ଜାଣିନାହୁଁ । ଶାସ୍ତ୍ରରେ ଅଛି, ଇହ ପରକାଳରେ ସ୍ୱାମୀ ଛଡ଼ା ସ୍ତ୍ରୀର ଅନ୍ୟଗତି ନାହିଁ ।

ମୁଁ ପାଟି ଫିଟେଇଲି ନାଇଁ ।

ସେ ସେମିତି କହିଯିବାକୁ ଲାଗିଲେ–ଯେତେହେଲେ ତୁ ପିଲା, ସେଥିପାଇଁ ମୁଁ ତତେ କିଛି କହୁନାଇଁ, ବୁଝିଲୁ ? ତା’ ବୋଲି ସବୁବେଳେ ଯଦି ଏମିତି ହଉ, ମୁଁ ସତରେ ଯଦି ଚିଡ଼ିଯାଏ ତୋ ଉପରେ, ତେବେ ଦଶାଟା କ’ଣ ହବ, ଜାଣିଚୁଟି କି ?

କହିଲି, କ’ଣ ?

ତତେ ଖାଇବାକୁ ଦେବି ନାଇଁ, ମୋ ପାଖରେ ଖଟ ଉପରେ ଏମିତି ଶୋଇବାକୁ ଦେବି ନାଇଁ । ଘରେ ସମସ୍ତେ ଖାଇସାରିଲା ପରେ ଅଇଁଠା ସଙ୍ଖୁଡ଼ି ଗଣ୍ଡାଏ ଖାଇ ପୋଇଲୀଙ୍କ ପରି ପଡ଼ିରହିବୁ ଏଠି । କେହି ପଚାରିବେ ନାଇଁ ।

ସେ ମୋ ମୁହଁ ପାଖକୁ ମୁହଁ ଆଣି ଟିକେ ଆଦର କରିବାକୁ ଚେଷ୍ଟା କଲେ ।

ମୁଁ ଅନ୍ୟଆଡ଼କୁ ମୁହଁ ଫେରାଇ ପଚାରିଲି–ଏତିକି ?

ସେ କହିଲେ–ମୋର ତୋ ଉପରେ ଯେତେବେଳେ ଷୋଳପଣ ଅଧିକାର, ମୁଁ ତତେ ଯାହା ଇଚ୍ଛା କରିପାରେ । ସେଥିରେ ମତେ କେହି ପାଟି ଫିଟେଇ ପାରିବେ ନାହିଁ, ତା’ ତ ଜାଣୁ ?

ଏଇ ଭାତ ଗଣ୍ଡାକ ଲୋଭରେ ମୁଁ ଏଠିକି ଆସିଚି ପରା । ବଡ଼ଲୋକଙ୍କ ପାଖରେ ଖାଲି ଟିକେ ଶୋଇବା ଲାଗି ? କଣ୍ଠ ରୁଦ୍ଧହୋଇ ଆସୁଥିଲା ମୋର ବେଦନାରେ ।

ସେ ପୁଣି କହିଲେ–ଖାଲି ସେତିକି ମନେକରିଛୁ ପରା । ଇଚ୍ଛାକଲେ ଆଜି ତତେ ଘରୁ ତଡ଼ିଦେଇ ଆଉ ଗୋଟାଏ ବାହା ହୋଇପାରେ । ତୁ ଯେମିତି ହଉଚୁ ମୁଁ ଯଦି ସତରେ ସେଇଆ କରିବି, ତେବେ ଦଶାଟା ତୋ’ର କ’ଣ ହବ, ଥରେ ଭାବିଚୁଟିକି ? ସଉତୁଣୀ ତୋ’ର ରାଣୀ ହୋଇ ବସିବ ଖଟପଲଙ୍କ ଉପରେ, ଆଉ ତୁ ପୋଇଲୀଙ୍କ ପରି ପିଣ୍ଡାରେ ପଡ଼ିଥିବୁ ଉଠୁଣୁ ବସୁଣୁ ମାଡ଼ ଗାଳି ଖାଇ ।

କହିଲି–ଆମ ଘରକୁ ଚାଲିଯିବି ।

ସେ ହସିଲେ । କହିଲେ, ଚାଲିଗଲେ ସେଠିକି ଅଧିକ ବେଶୀ ଗଞ୍ଜଣା । ବାପଘରେ କେହି ତ ପଚାରିବେ ନାହିଁ । ଉଠୁଣୁ ବସୁଣୁ ସମସ୍ତେ ଦୂର୍‍ ଦୂର୍ ମାର୍ ମାର୍ କରିବେ । ସେଠୁ ତୋ ବାପ ଦିନେ ଜୋର କରି ତତେ ଆଣି ଏଠି ଛାଡ଼ି ଦେଇଯିବ ନିନ୍ଦା ଶୁଣି । ଦିହଯାକ ଯେମିତି ଛୁଞ୍ଚି ଫୋଡ଼ିହୋଇ ଯାଉଥାଏ କଥା ଶୁଣି । କହିଲି–ମୁଁ କୁଆଡ଼େ ଚାଲିଯିବି ।

ଚାଲିଗଲେ ବି କୁଆଡ଼େ, କ’ଣ ରକ୍ଷା ପାଇବୁ ପରା ଭାବିଚୁ ? ଆଉଥରେ ବାହାହୋଇ ପାରିବୁ ନାଇଁ ଯେ ସୁଖରେ ରହିବୁ । ତେବେ ରୂପ ଯୌବନ ଥିଲେ ଅବା ମୁଠାଏ କୋଉଠି ଖାଇବାକୁ ମିଳିପାରେ ।

କି ଅଭଦ୍ର ଇତର କଥା । ଏ କଥା ଏ ମୁହଁରେ ଧରିପାରିଲେ କେମିତି, ନିଜ ସ୍ତ୍ରୀ ବିଷୟରେ ପୁଣି ? ଘୃଣା ଆଉ ବିରକ୍ତିରେ ସ୍ତବ୍ଧହୋଇ ପଡ଼ିରହିଲି ସେମିତି । ସେ ପୁଣି ମୋ ହାତକୁ ଧରି କହିଲେ ଭଲ ପିଲା ପରି ସେ ବୁଦ୍ଧି ଛାଡ଼ । କହୁ କହୁ ସେ ଦୁଇ ହାତରେ ମୋତେ ଜୋରରେ କୁଣ୍ଢାଇ ଧରି ଚୁମ୍ୱନ କଲେ... ମଣିଷର ସହିବାର ତ ଗୋଟାଏ ସୀମା ଅଛି । ଆଉ ଚୁପ୍‍ ହୋଇ ରହିପାରିଲି ନାଇଁ । ପ୍ରାଣପଣେ ନିଜକୁ ମୁକ୍ତ କରିବାକୁ ଚେଷ୍ଟାକରି କହିଲି-ମତେ ଛାଡ଼, ନଇଲେ ପାଟି କରିବି ଏଇକ୍ଷଣି ।

ତାଙ୍କ ଛାତି ଉପରେ ମେତ ସେମିତି ଭିଡ଼ିଧରି କହିଲେ-କିଏ ଶୁଣିବ ଏଠି ହଜାରେ ପାଟି କଲେ ? ଓଲଟି ସକାଳେ ସମସ୍ତେ ଗାଳିଦେବେ, ଥଟ୍ଟା କରିବେ ।

ତାଙ୍କ ମୁହଁ କ୍ରମେ ମୋ ମୁହଁ ପାଖକୁ ଲାଗିଆସିଲା । ଆଉ ପାରିଲି ନାଇଁ । ଖୁବ୍ ଜୋରରେ ତାଙ୍କ ହାତକୁ ଫୋପାଡ଼ିଦେଇ ବାହାରକୁ ପଳାଇ ଆସିଲି । ପିଣ୍ଡା ତଳେ ଗୋଟାଏ ପକ୍‌କା କୂଅ ଥିଲା । ତାଙ୍କୁ ମୋ ପଛରେ ଆସିବାର ଦେଖି ମୁଁ କୂଅ ଉପରେ ଠିଆହୋଇ କହିଲି-ମୋ ସାଙ୍ଗେ ପୁଣି ସେମିତି ଲଗାଇଲେ ମୁଁ କୂଅକୁ ଡେଇଁପଡ଼ିବି ଜାଣିଥା ।

ଭୟରେ ସେ ଆଉ ପିଣ୍ଡା ତଳକୁ ଓହ୍ଲାଇଲେ ନାହିଁ; କିନ୍ତୁ ସେଇଠୁ ରାଗରେ ଗର୍ଜିଉଠି କହିଲେ–ଆଚ୍ଛା ରହ, ତୋତେ ଦେଖୁଚି । ତା’ପରେ ଘର ଭିତରକୁ ଯାଇ ଦୁଲ୍ କରି କବାଟ ଲଗାଇଦେଲେ ।

ବାଡ଼ିପଟ ତୋଟାବହଳ ଭିତରେ ଅନ୍ଧାର କାନପାରି ସବୁ ଶୁଣୁଥାଏ, ଆଉ ଭୟରେ ଦେହ ମୋର ଥରି ଉଠୁଥାଏ । ପତର ଫାଙ୍କରେ ସର ସର ହୋଇ ମୁଣ୍ଡଉପରେ ଗୋଟାଏ ପେଚା ବିକଟ ଶବ୍ଦ କରି ଉଡ଼ିଗଲା । ସେଇଠି ସେମିତି କାଠପିତୁଳା ପରି ଠିଆହୋଇ ଭାବିଲି, ନା, ଏ ଜନ୍ମରେ ୟାଙ୍କ ସାଙ୍ଗରେ ମୋର ପଡ଼ିବାର ନୁହେଁ । ଚେଷ୍ଟା କରିବା ବୃଥା ।

ଶୀତ ଆସିଲା, ପାହାନ୍ତା ଆଲୁଅର ଧୂପଛାୟା ଉପରେ କୁହୁଡ଼ି କନ୍ଥା ଘୋଡ଼ିହୋଇ । ବିଲ ଅପନ୍ତରା ଭିତରେ କେତେଆଡ଼େ କେତେ ବାଟି ଫିଟି ଯାଇଥିଲା ତା’ର ଆସିବା ଲାଗି । ଧାନସବୁ ପାଚି ଆସିଥିଲା ଅନେକଠେଇଁ, ତା’ରି କଡ଼ା ବାସନା ଚାରିଆଡ଼େ ଘୋଟି ଯାଇଥିଲା ଯେମିତି । ଚାରି ପାଞ୍ଚ ଦିନ ହୋଇଗଲାଣି ୟା ଭିତରେ ସେହିଦିନୁ ସ୍ୱାମୀ ମତେ ପାଟି ଫିଟାଇ ନାହାନ୍ତି । ସଉରଭୀକି ନେଇ ଆଜିକାଲି ତାଙ୍କର ବେଶୀ କଥାବାର୍ତ୍ତା, ଇଚ୍ଛା କରି, ମତେ ଦେଖାଇ ଦେଖାଇ । ଏ ଘର ଭିତରେ ମୁଁ ଅଛି, ଏ କଥା ସେ ଯେପରି ଭୁଲି ଯାଇଛନ୍ତି । ମୁଁ ମଧ୍ୟ ଖୁବ୍ ସାବଧାନରେ ରହିଚି । ରାତିରେ ନଟକୁ ନେଇ ମୁଁ ଆଉ ଗୋଟିଏ ଘରେ ଶୁଏ । ଖାଇସାରି ମତେ ବି ଆଉ କେହି ଡାକିବାକୁ ଆସନ୍ତି ନାଇଁ ସ୍ୱାମୀଙ୍କ ଘରକୁ ଯିବାକୁ । ତଥାପି ଭୟ ଥାଏ, କାଳେ ଆସିବେ ସେ ଏ ଘରକୁ । ପ୍ରତିଦିନ ସେଥିଲାଗି ଭିତରୁ କବାଟ କିଳି ଦେଇଥାଏ ଶୋଇବା ଆଗରୁ-। ରାତିରେ ଦିନେ ଦିନେ ନିଦ ଭାଙ୍ଗିଗଲେ ଶୁଣେ, ସ୍ୱାମୀଙ୍କ ସଙ୍ଗେ ସେଇ ପୋଇଲୀଟାର କଣ୍ଠ ଶୁଭୁଚି । କାଥଗୁଡ଼ାକ ବାଟୁଳି ପରି କାନରେ ଆସି ବାଜେ । ଭାବେ, ସମସ୍ତଙ୍କୁ ଯାଇ ଉଠେଇଦିଏ, ଦେଖନ୍ତୁ । ପୁଣି ମନେକରେ, କରନ୍ତୁ ସେ ଯାହା ତାଙ୍କର ଖୁସି, ମୋର ସେଥିରେ କଅଣ ଅଛି ?

ସକାଳ ଓଳିଟା ମୋ ଶାଶୁଙ୍କ ସେବାରେ କଟିଯାଏ । ଦିନେ ପାହାନ୍ତାରୁ ଗାଧୋଇଆସି ଠାକୁରଙ୍କ ଘରେ ଚନ୍ଦନ ଘୋରୁଚି, ଶାଶୁ ଆସି କହିଲେ-ମା’ ! ଭଣ୍ଡାରଘର ଚାବିଟା ତୋ ପାଖରେ ରଖ, ଦବା ନବାକୁ ମତେ ଅଡ଼ୁଆ ହଉଚି ।

ଆସ୍ତେ ଆସ୍ତେ କହିଲି, ମୁଁ କ’ଣ ପାରିବି ?

ସେ ସବୁଦିନ ଅଳ୍ପ କଥା କହନ୍ତି । କହିଲେ, ନଇଲେ କିଏ ଆଉ କରିବ ? ଠାକୁରପୂଜାରେ ମତେ ଦଣ୍ଡେ ଫୁରୁସତ୍ ନାଇଁ । ସେ ଚାବି ମୁଁ ଆଉ କାହାକୁ ଦେଇପାରିବି ନାଇଁ ତୋ ଛଡ଼ା ।

ମନ ହଉ ନ ଥାଏ; କଥା ଭାଙ୍ଗି ନ ପାରି ତାଙ୍କଠଉଁ ଚାବି ନେଲି । ସେଇଦିନୁ ମୋର ଆଉ ଗୋଟାଏ କାମ ବଢ଼ିଗଲା । ଭାବିଲି, ଯେତେ ଏମିତି କାମ ଭିତରେ ନିଜକୁ ଭୁଲାଇ ରଖିବି, ସେତେ ଭଲ । ଚଞ୍ଚଳ ଆଉସବୁ କାମ ବଢ଼ାଇଦେଇ ଚାବି ନେଇ ଭଣ୍ଡାରଘର ଫିଟେଇଲି । ସଉରଭୀ ଦୁଆରେ ଠିଆରେ ଠିଆ ହୋଇଥିଲା । ମତେ ଦେଖି ମନକୁ ବକର ବକର ହୋଇ ସେଠାରୁ ଚାଲିଗଲା ।

ଖୁବ୍ ବଡ଼ ଘରଟାଏ ସେଟା; କିନ୍ତୁ ତିଳ ପକାଇବାକୁ ଜାଗା ନାଇଁ, ଭିତରେ ଏତେ ଜିନିଷ । କୋଉଠି କ’ଣ ଥୁଆ ହୋଇଚି ଖାଲି ଚାହିଁଯିବାକୁ ମତେ ଘଡ଼ିଏ ଲାଗିଲା । ସବୁ ଜିନିଷ ତଳକୁ କାଢ଼ି ଆଉଥରେ ସଜାଡ଼ି ବସୁଚି, ଚମ୍ପାମା’ ପୋଇଲୀ ଆସି କହିଲା–ବୋହୂ ସାନ୍ତାଣୀ ! ଭିତରକୁ ଜିନିଷ ଦିଅ । ବାମୁଣ ଠିଆ ହୋଇଚି କେତେବେଳୁ ।

ଏଇ କେତେଦିନ ଦେଖିଶୁଣି ଯାହା ମନେଥିଲା ସବୁ, ବରଂ ବେଶୀ କରି, ଗୋଟାଏ ଡାଲାରେ ସଜକରି ଚମ୍ପାମା’ ହାତରେ ଭିତର ଘରକୁ ପଠାଇଦେଇ ପୁଣି ସଜାଡ଼ି ବସୁଚି, ମନେପଡ଼ିଲା ନଟ ତ ଏତେବେଳଯାଏ ଦୁଧ ପିଇ ନାହିଁ । ଘର ଚାବି ଲଗାଇ ବାହାରକୁ ଆସିଲି । ଗୋଟାଏ ଭଙ୍ଗା ମାଟି ଘୋଡ଼ା ଉପରେ ଚଢ଼ି ନଟ ଖେଳୁଥିଲା ମତେ ଦେଖି ପାଖକୁ ଆସି କହିଲା–ନୂଆ ମା’ ଗୋଟାଏ ଭଲ ଘୋଡ଼ା କିରିଦେ ମତେ ।

କହିଲି, ହଉ ଦେବି କିଣି; ସୁନାଟା ପରା ଆ ଦୁଧ ପିଇବୁ ।

ଦବୁ କିଣି ? ସତ କହନି, ମୋ ରାଣ ପକାନି ।

କହିଲି, ଦେବି ଲୋ, ଆ ।

ମୋ ଘର ଭିତରେ ନଟକୁ ଦୁଧ ପେଇଦଉଚି, ଭିତର ଘରୁ ସଉରଭୀ ପାଟି ଶୁଭିଲା-ଇଏସବୁ କ’ଣ ପିଣ୍ଡ ବଢ଼ାହୋଇଚି ନା ସିଧାମ ? ଚାଉଳ ଡାଲି କେଇଟା ଆଙ୍ଗୁଠି ଆଗରେ ଗଣିହବ । ଆଳୁ ନାଇଁ ପିଆଜ ନାଇଁ । ଆମ ବାବୁ କ’ଣ ଏଇଆ ନଗେଇ ଭାତ ଖାଇବେ ? ଆସୁଛନ୍ତି ତ ବାର ଅରକ୍ଷିତ ଘରୁ, ସିଧା ସଜାଡ଼ି ନ ଆସେ ଯେବେ, ଚାବିଟା ଅଣ୍ଟାରେ ମାରି ବୁଲିବାର ଏତେ ସଉକ କାହିକିଁ ?

ଏତେଗୁଡ଼ାଏ ଅପମାନ, ଏତେ ଲୋକଙ୍କ ଆଗରେ ଗୋଟାଏ ଚାକିରିଆଣୀ ମୁହଁରୁ ! ମନ ହଉଥାଏ; ଏଇ ମୁହୂର୍ତ୍ତରେ ତାକୁ ଏ ଘରୁ ବାହାର କରିଦବାକୁ, କିନ୍ତୁ ଉପାୟ ନାହିଁ । ସେଠି ତୁନିହୋଇ ବସି ବସି ନିଜ ରାଗରେ ନିଜେ ଜଳିଗଲି ।

ନଟ ଡାକିଲା–ନୂଆ ମା’ । ଏ ସଉରଭୀଟା ଭାରି କଳିହୁରୀ, ନୁହେଁ ?

ଜୋରରେ ନିଃଶ୍ୱାସ ପକାଇ କହିଲି–ହଁ, ଦେ ତୁ ପିଇଦେ ।

ଶୀତଦିନେ କଅଁଳ ଖରା କୋଠା ଉହାଡ଼ରେ ବଙ୍କାହୋଇ ଦୁଆରଯାଏ ଲମ୍ବି ପଡ଼ଥିଲା । ଦି’ପହର ଖିଆପିଆ ସାରି ସମସ୍ତେ କିଏ କୋଉଠି ଶୋଇପଡ଼ିଥିଲେ ସବୁ, ସେତେବେଳକୁ । ମୋ ଘରେ ଏକା ମୁଁ ଶୋଇନଥିଲି । ବାହାରେ କାହାର ପାଦଶବ୍ଦ ଶୁଭିଲା । ଦୁଆରବାଟେ ଚାହିଁଲି–ସ୍ୱାମୀ ।

ମୁଣ୍ଡରେ ଲୁଗା ଦେଇ ଧଡ଼ପଡ଼ ହୋଇ ଉଠି ବସିଲି । ଘର ଭିତରକୁ ଆସି ସେ କହିଲେ–ସେ ଚାବିଟା ଦେଲୁ ।

ପଚାରିଲି, କୋଉ ଚାବି ?

କହିଲେ, ଭଣ୍ଡାରଘର ଚାବି ।

କ’ଣ ହବ ?

ବିରକ୍ତ ହୋଇ ସେ କହିଲେ–କ’ଣ ହେବ କାହିଁକି, ତୋର ଏତେ ଜମା–ଖର୍ଚ୍ଚରେ ଦରକାର କ’ଣ, ଶୁଣେ ?

କହିଲି, ମା’ ମତେ କାହାକୁ ଦବାକୁ ମନା କରିଚନ୍ତି ଏ ଚାବି ।

ଆଚ୍ଛା; ସେ କଥା ପରେ ବୁଝାଯିବ, ଚାବି ଆଗ ଦେ ।

ରାଗରେ ଝଣ୍‍ କରି ଚାବିଟା ଫୋପାଡ଼ିଦେଇ ବିଛଣାରେ ମୁହଁମାଡ଼ି ଶୋଇପଡ଼ିଲି । ଚାବିଟାକୁ ଉଠାଇନେଇ ସେ ସେଘରୁ ଚାଲିଗଲେ । ମନହେଲା, ଏସବୁ ସେଇ ସଉରଭୀର ଫିସାଦି । ମୋ ପାଖରେ ଘରର ଏଡ଼େ ବଡ଼ ଦରକାରୀ ଜିନିଷଟାଏ ରହୁ, ଏଟା ବୋଧହୁଏ ତା’ର ଇଚ୍ଛା ନୁହେଁ । ଏ ଘରେ ମୋ’ଠଉଁ ତା’ର ଯେ ବେଶୀ ଅଧିକାର, ଏକଥା ମୁଁ ଆସିବା ଦିନୁ ଦେଖିଚି । ସେ ପ୍ରତି କଥାରେ ମତେ ଦେଖାଇ ଦେବାକୁ ଚେଷ୍ଟା କରୁଛି । କିନ୍ତୁ କାହିଁକି ମୋ ଉପରେ ଏତେ ରାଗ ? କିଛି ତ ଅନିଷ୍ଟ ତା’ର ମୁଁ କରିନାହିଁ କେବେ ? କାହିଁକି ତେବେ ସେ ଉଠୁଣୁ ବସୁଣୁ ମତେ ଏତେ ଅପମାନ କରୁଚି ? ମନେକଲି ଶାଶୁଙ୍କୁ ଏକଥା ଜଣାଇଲେ କେମିତି ହୁଅନ୍ତା ? କିନ୍ତୁ, ନା ଥାଉ । ସେ ଯେମିତି ଉଦାସିଆ ଲୋକ, ଏ ଜଞ୍ଜାଳ ଭିତରକୁ ତାଙ୍କୁ ଟାଣିଆଣି ମିଛରେ କଷ୍ଟ ଦବା ଦରକାର ନାଇଁ । ନିଜେ ଯଦି ଜାଣିବେ ଜାଣନ୍ତୁ । ବାହାହବା ଦିନୁ ତ ଜାଣିଚି କପାଳ ମୋର ଫାଟିଚି, ଆଉ ଏକଥା ଗୋଟାକରେ କ’ଣ ସେସବୁ ଆଜି ସୁଧୁରିଯିବ ?

ଚମ୍ପାମା’ ଆସି ଡାକିଲା–ବୋହୂ ସାଆନ୍ତାଣୀ । ସଞ୍ଜ ଲାଗିଗଲାଣି ପରା, ଭଣ୍ଡାରଘର ଫିଟେଇବ ନାଇଁ କି ମ ?

କହିଲି–ମୋ ପାଖରେ ଚାବି ନାହିଁ, ଯା ।

ଆକାଶରୁ ପଡ଼ିଲା ପରି ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲା-ତମ ପାଖରେ ନାହିଁ, ଆଉ କାହା ପାଖରେ ଲୋ ମା’ ?

ମୁଁ ଜାଣେ ନାଇଁ, ଯା । ଚିଡ଼ିକରି କହିଲି ।

ବାହାରେ ସଉରଭୀ ପାଟି ଶୁଭିଲା–ଏ ଚମ୍ପାମା’ ଇଆଡ଼େ ଆ ।

କଥାଟା କ’ଣ ଚମ୍ପାମା’ ବିଚାରୀ କିଛି ବୁଝିପାରିଲା ନାହିଁ । ବୋକାଙ୍କ ପରି ମୋ ଆଡ଼କୁ ଦଣ୍ଡେ ଚାହିଁ ସେ ସେଘରୁ ଚାଲିଗଲା । ବାହାରେ, ଭଣ୍ଡାରଘର ଫିଟେଇବା ଝଣ୍ ଝଣ୍ ଶବ୍ଦ ମୋ କାନରେ ଆସି ବାଜିଲା ଗୋଟାଏ ଛୁଞ୍ଚିମୁନ ପରି ।

ସଞ୍ଜବେଳେ ନଟ ଦାଣ୍ଡରେ କୁଆଡ଼େ ବୁଲୁଥିଲା, ଦୌଡ଼ିଆସି ମତେ କହିଲା–ନୂଆ ମା’, ବାପାକୁ ଭାରି ଜର ହେଲାଣି, ସେ ପିଣ୍ଡାରେ ବସି ଥରୁଚି ଖାଲି ।

ଆଜି ଦି’ପହରେ ତ କିଛି ନ ଥିଲା । ଘଡ଼ିକ ଭିତରେ ଏମିତି କ’ଣ ଜର ହେଲା ?

ପଚାରିଲି–ସତରେ, ହଇରେ ?

ହଁ, ସତରେ ତ । ତୁ ଆସୁନାଉଁ ଦେଖିବୁ ।

ପଚାରିଲି; ମା’ କୋଉଠି ଅଛନ୍ତି ?

ସେ ତ ଖଞ୍ଜାରେ, ଠାକୁରଘରେ ।

ମୁହଁସଞ୍ଜ ଲାଗି ଆସୁଥିଲା । ଶୋଇବାଘର ପଛରେ ପିଣ୍ଡାରେ ଗୋଟାଏ ଚଉକି ପକାଇ ସେ ବସିଥିଲେ, ବୋଧହୁଏ ଆଖି ବୁଜି । ଗୋଡ଼ ଚିପି ଚିପି ପାଖରେ ଯାଇଁ ଠିଆହେଲି ।

ଆଖି ନ ଫିଟାଇ ସେ ପଚାରିଲେ, କିଏ ?

ଦିହରେ ହାତ ଦେଇ ଦେଖିଲି, ନିଆଁ ପରି ତାତିଚି । କହିଲି-ଆସ ଘରକୁ । ତାଙ୍କ ଶୋଇବାଘରେ ଖଟ ଉପରେ ବିଛଣା ପକେଇଦେଲି, ଆସି ଚୁପ୍‌ ହୋଇ ଶୋଇଲେ । ଘର କବଟଟା ଆଉଜାଇ ଦେଇ ବାହାରକୁ ଆସିଲି । ଚମ୍ପାମା’ କୁ ଡାକିଲି, ଯା–ମା’ଙ୍କୁ ଡାକିଦବୁ ।

ଆର ଖଞ୍ଜାରୁ ଫେରିଆସି ଚମ୍ପାମା’ କହିଲା–ସାନ୍ତାଣୀ ଠାକୁରଘର ଭିତରେ । ଭିତରୁ କବାଟ ଦିଆହୋଇଚି ।

ସଉରଭୀ ଧାଈ କାହିଁ ?

ସେ କହିଲା–କେଜାଣି ଲୋ ମା’, ସକାଳ ପହରୁ କୁଆଡ଼େ ଯାଇଚି, କିଏ ଜାଣେ ?

ଜର ବଉଳାରେ ଭାରି ବ୍ୟସ୍ତ ହେଉଥିଲେ ସେ । ବାହାରୁ ମତେ ସବୁ ଶୁଭୁଥିଲା । ପାଖରେ ଯାଇ ବସିଲି । ପଚାରିଲି, ମୁଣ୍ଡ ବଥଉଚି, ଚିପିଦେବି ?

କର ଲେଉଟାଇ କହିଲେ–ନାହିଁ, ଥାଉ ।

ଦଣ୍ଡେ ଗଲା ।

ପୁଣି ସେମିତି ବେସ୍ତହବା ଦେଖି ପଚାରିଲି–କ’ଣ ବେଶୀ ଖରାପ ଲାଗୁଛି ?

ଉଁ..... ନା କିଛି ନୁହେଁ ।

 

ନିଦ ଅଳସରେ ହାତଟା ତାଙ୍କର କୋଡ଼ ଉପରେ ଆସି ପଡ଼ିଲା । ଘୁଞ୍ଚି ଗଲି ନାଇଁ । ଚୁପ୍‌ହୋଇ ବସିରହିଲି । ସେତେବେଳେ ବିଛଣା ଉପରୁ ଟିକେ ମୁଣ୍ଡ ଟେକି ସେ ଡାକିଲେ-ସତୀ, ଗଲୁଣି କି ?

 

ମୁହଁ ପାଖରେ ତାଙ୍କର ନଇଁପଡ଼ି ପଚାରିଲି, କ’ଣ ?

ସଉରଭୀ କାହିଁ ? ଟିକେ ଡାକିଦେଲୁ ।

ହଠାତ୍ ଟାଣହୋଇ କହିପକାଇଲି–ମୁଁ କ’ଣ ତାକୁ କାନିରେ ବାନ୍ଧି ବୁଲୁଚି ?

ସେ ତୁନିହୋଇ ରହିଲେ । କବାଟ ଆଉଜାଇ ଦେଇ ଦୁମ୍ ଦୁମ୍ ହୋଇ ସେ ଘରୁ ଚାଲିଆସିଲି ।

ରାତି ବେଶୀ ହୋଇଗଲା, ସଉରଭୀ ସେତେବେଳଯାଏ ବି ଫେରିଲା ନାହିଁ । ଭାବିଲି, ଦିହ ବେସ୍ତ ତାଙ୍କର । ଏତେବେଳେ ରାଗକରି ରହିବି ଗୋଟାଏ କ’ଣ ? ଛି-ଛି ।

 

ମା’ ସେତେବେଳଯାଏ ଠାକୁରଘରୁ ବାହାରି ନ ଥିଲେ । ପୁଣି ସ୍ୱାମୀଙ୍କ ଘରକୁ ଯାଇ ଗୋଡ଼ରେ ତାଙ୍କର ହାତ ବୁଲାଇଦେଲି ପାଖରେ ବସି । ଛାଇନିଦ ତାଙ୍କୁ ଲାଗି ଆସୁଥିଲା ବୋଧହୁଏ । କେତେବେଳେ ପଚାରିଲେ-କିଏ ସଉରଭୀ ?

କହିଲି–ନାଇଁ, ମୁଁ ।

ମୁହଁଟେକି ଥରେ ସେ ମୋ ଆଡ଼କୁ ଚାହିଁଲେ, ତା’ପରେ କ’ଣ ବିଚାରି ଗୋଡ଼ଟା ମୋ ପାଖରୁ ଟାଣିନେଲେ ।

ଅପମାନର ଗୋଟିଏ ତୀବ୍ର ଅନୁଭୂତି ମୁଣ୍ଡ ଭିତର ମୋର ଓଲଟପାଲଟ କରିଦେଇ ଗଲା । ଭାବିଲି, ଲୁଚିଯିବି । କବାଟ ଫିଟାଇ ସଉରଭୀ ଭିତରକୁ ଆସିଲା । ଘର ଭିତରେ ଆଲୁଅ ଟିକେ କମି କରିଦେଇ ଭିତରୁ କବାଟ କିଳିଦେଲା । ତା’ପରେ ଖଟ ପାଖକୁ ଆସି ମତେ ଦେଖି ଯେମିତି ହଠାତ୍ ଚମକି ପଡ଼ିଲା । କିପରି ସେ ଘରୁ ଚାଲିଗଲା । ଗୋଡ଼ତଳେ ସାପ ଦେଖିଲେ ଲୋକେ ଯେପରି ସେ ଘରୁ ପଳାନ୍ତି, ଠିକ୍ ସେମିତି । ସ୍ୱାମୀ ନିଦରେ ଶୋଇନଥିଲେ । ବୋଧହୁଏ ସବୁ ଦେଖିଲେ, କିନ୍ତୁ ଶୋଇବା ବାହାନା କରି ପଡ଼ିରହିଲେ ଲାଜରେ ।

ମତେ ବି ଭାରି ଅଡ଼ୁଆ ଲାଗିଲା ସେଠି ବସି ରହିବାକୁ । ମୋ ଘରେ ଆସି କବାଟ କିଳି ଶୋଇଲି । ଭାବିଲି; ଦୁହିଁଙ୍କ ରୁଚି ଭିତରେ ଯୋଉଠି ଏତେ ପ୍ରଭେଦ, ସେଠି କୋଉକାଳେ କ’ଣ ୟାଙ୍କର ମୋର ପଡ଼ିବ ? ପହିଲୁ ଦିନୁ ପ୍ରତି କାମରେ ଏ କଥା ଜାଣି ସୁଦ୍ଧା ଆଜି କାହିଁକି ଏମିତି ଯାଚିହୋଇ ଗଲି, ଏ ଅପମାନ ସହିବାକୁ ?

ଦୁଇଦିନ ତିନିଦିନ ବେଳକୁ ତାଙ୍କୁ ଜର ବେଶୀ ହେଲା । ମୋ ଶାଶୁ ସବୁବେଳେ ବସି ତାଙ୍କୁ ସେବା କରୁଛନ୍ତି । ମନେକଲି, ଭଲ ହେଲା; ମତେ ବି ଗୋଟିଏ ବାହାନା ମିଳିଲା । ସେ ଘରକୁ ନ ଯିବାର । କିନ୍ତୁ ଗଲେ ବି କ’ଣ ହୁଅନ୍ତା ? ସେ ତ ମତେ କଥା କୁହନ୍ତି ନାହିଁ ।

ସକାଳୁ ସେଦିନ ଗାଧୋଇଆସି ଠାକୁରଙ୍କ ଲାଗି ଫୁଲ ଗୁନ୍ଥୁଚି, ଚମ୍ପାମା’ ଆସି କହିଲା, ବୋହୂ ସାନ୍ତାଣୀ, ବାପଘରୁ ତମର କିଏ ଆସିଚି ଯେ । ଫୁଲହାର ଥୋଇଦେଇ କହିଲି–ଯା, ଡାକିଦେ ଏଠିକି ।

ହଠାତ୍ ମନେହେଲା, ନାଥନନା ଆଉ ଆସିଛନ୍ତି କି ? ଚମ୍ପାମା’ ଚାଲି ଯାଉଥିଲେ ଡାକି କହିଲି, ଚାଲ ମୁଁ ଯାଉଚି । କୋଉଠି ସେ ?

ତମରି ଘର ପିଣ୍ଡାରେ ବସେଇଦେଇ ଆସିଚି, ସେ କହିଲା ।

ନାଥନନା ଆସିଥିବେ ? କେଜାଣି । ତାଙ୍କର କ’ଣ ସତେ ମନେଥିବ ମୋ କଥା ? ଠାକୁରଘର ବନ୍ଦକରି ପାଖକୁ ଆସିଲି । ଦିହଗୋଟାକ ଥରୁଥାଏ ଆଗ୍ରହର ଉତ୍ତେଜନାରେ । ଘରକୁ ଆସି ଦେଖିଲି, ନାଥନନା ନୁହେଁ, ଆମ ଘର ବୁଢ଼ା ଚାକର ।

ପାଖକୁ ଯାଇ ପଚାରିଲି–କିରେ, ତୁ କୁଆଡ଼େ ସଇତା ? ସେ କହିଲା, ବାପାସା’ନ୍ତେ ମତେ ପଠେଇଲେ ତତେ ଦେଖିଯିବାକୁ ।

ପଚାରିଲି–ଆମ ଘରେ ସମସ୍ତେ ଭଲ ଅଛନ୍ତି ନା ?

ହଁ, ସବୁ ଗଲ ।

ବାପା କ’ଣ କରୁଥିଲେ ତୁ ଆସିଲାବେଳେ ?

ବସିଥିଲେ ଦାଣ୍ଡରେ ।

ଆଉ ବୋଉ କ’ଣ କହୁଥିଲା ?

ସଇତା ହସିଲା । କହିଲା, ତୁ ଆସିଲାଦିନୁ ବୁଢ଼ୀ, କାହା ମୁହଁରେ କ’ଣ ଟିକେ ହସ ଅଛି-? ମତେ ଏଠିକି ପଠେଇଲାବେଳେ ସାନ୍ତାଣୀ କେତେ କାନ୍ଦିଲେ । କହିଲେ–ସଇତା; ଯାଉଚୁ, ଝିଅକୁ ମୋର ପଚାରି ଆସିବୁ, ଶାଶୁ ଦେଖିପାରେ କି ନାଇଁ ? ଖାଇବା ପିଇବାରେ ଭଲ ହଉଚି କି ନାଇଁ ?

ଶାଶୁଘରେ ଝିଅଙ୍କର ଏଇ ନିହାତି ଅଦରକାରୀ କଥାପଦକରେ ଯେତେ ମୂଲ୍ୟ, ବୋଧହୁଏ ଆଉ କୋଉଥିରେ ସେତେ ନାହିଁ । ଶୁଣି ଅଜାଣତରେ କେତେବେଳେ ଆଖି ଦି’ଟା ମୋର ଲୁହରେ ପୂରି ଉଠିଥିଲା । ଅନ୍ୟଆଡ଼କୁ ଫେରାଇ ପଚାରିଲି–ହଇରେ ମତେ ନବା କଥା କିଛି କହୁ ନ ଥିଲେ ବାପା ?

ସେ କହିଲା–ହଁ କହୁଥିଲେ ଦିନେ । କହୁଥିଲେ ଝାଡ଼ାବାନ୍ତିଟା ଯାଉ, ଝୁଅକୁ ଘରକୁ ଆଣିବି ।

ଆଶ୍ଚର୍ଯ୍ୟ ହୋଇ ପଚାରିଲି–ସେଠି ଆମ ଗାଁରେ କ’ଣ ହଇଜା ଲାଗିଚି କରେ ?

ଆଉ କହ ନା ବୁଢ଼ୀ ସେ କଥା, ପଣ୍ଡାସାହିରୁ ନିତି ଦି’ ଦି’ଟା ମୁଣ୍ଡ ନଉଚି ।

ଆଜି ତ ମଧୁପଣ୍ଡା ଢୁକଉଥିଲା ସକାଳେ, ମୁଁ ଆସିଲାବେଳେ । କ’ଣ ହେଲା କେଜାଣି-? ତିଆଡ଼ିଘର ନାଥିଆ ଯାଇଚି, କଟକରୁ କ’ଣ ଡାକ୍ତର ଆଣିବାକୁ । ତେବେ, ଆମ ସେଇଆଡ଼େ କିଛି ନାହିଁ ।

କିଛିନାହିଁ ତ ଯାହାହେଉ । ଗୋଟାଏ ଶ୍ଵସ୍ତିର ନିଃଶ୍ୱାସ ମୋ ଛାତିରୁ ବାହାରିଆସିଲା ।

କେତେ ସମୟ ପରେ କହିଲି–ଯା ତୁ ଗାଧୁଆ ପାଧୁଆ କରି ଖିଆପିଆ କର । ପଛେ କଥାବାର୍ତ୍ତା ହବା । ଚମ୍ପାମା’କୁ କହିଲି–ଯା ୟା ସାଙ୍ଗରେ, ପୋଖରୀ ଦେଖାଇବୁ ।

ସେଦିନ ସ୍ୱାମୀଙ୍କ ଦିହ ଟିକେ ଭଲ ଥିଲା । ସଞ୍ଜବେଳେ ଶାଶୁ ଠାକୁରଘରୁ ବାହାରିଲାବେଳେ କବାଟ ପାଖେ ମୁଁ ଠିଆ ହୋଇଥିଲି । ମତେ ଦେଖି ପଚାରିଲେ–କିଏ ବୋହୂ, କ’ଣ କି ?

ଆସ୍ତେ ଆସ୍ତେ କହିଲି, ଆମ ଗାଁରେ ଭାରି ହଇଜା ଲାଗିଚି ।

ସେ ପଚାରିଲେ, କ’ଣ ହେଲା ?

ଭାରି ଡର ମାଡ଼ୁଥାଏ । କୌଣସିମତେ କହିପକାଇଲି–ଦି’ଦିନ ପାଇଁ ଟିକେ ଘରକୁ ଯାଆନ୍ତି ?

ମନେହେଲା, ଭାରି ଚିଡ଼ିବେ ନିଶ୍ଚେ, ମୋ କଥା ଶୁଣି । କିନ୍ତୁ ସେ ଚିଡ଼ିଲେ ନାହିଁ । ଟିକେ ହସିଲେ ଖାଲି । କହିଲେ-ମୁଁ ନାହିଁ କରନ୍ତି ନାହିଁ ମା’, ପଠେଇବାକୁ । ଖାଲି ଗୋଟାଏ କଥା ଲାଗି, ନଟର ଜାଆଁଳା ବାଳ ପଡ଼ିନାଇଁ ଆଜିଯାଏ । ଆର ବୁଧବାର ଅବଧାନ ଦିନ ଧରିଦେଇ ଯାଇଚି, କପିଳେଶ୍ୱରଙ୍କ ଠେଇଁକି ଯିବାକୁ ହବ ବାଳ ପକେଇବାକୁ । ତା’ପରେ ପୁଅର ଦିହ ପାଇଁ ମାନସିକ କରିଥିଲି ସେଇଠି । ମନେକରିଚି, ସମସ୍ତେ ତମେ ସେଠିକି ଯାଇ ଏକାପାନେ କାମ ବଢ଼େଇଦେଇ ଆସିବ ।

ସେ ଚାଲି ଯାଉଥିଲେ । ପୁଣି ଫେରି କହିଲେ, ତୁ ବେସ୍ତ ହ’ ନା ମା’ ! ସେଠୁ ଫେରିଲା ସାଙ୍ଗେ ସାଙ୍ଗେ ତତେ ପଠେଇ ଦେବି ତମ ଘରକୁ । ନୋଟାଟି ଧରି ସେଠୁ ଚାଲିଗଲେ । ଚାହିଁ ରହିଲି ତାଙ୍କୁ, ଯେତେବେଳଯାଏଁ ଦେଖାଯାଉଥିଲେ । ପାଚିରି ଉଢ଼ାଳରେ ସେ ଯେତେବେଳେ ଆଉ ଦିଶିଲେ ନାଇଁ, ଭାବିଲି, ଏମିତି ଶାଶୁ ପାଇ ସୁଦ୍ଧା ମୁଁ ଅସୁଖୀ ।

ପରଦିନ ସଇତା ବିଦାହୋଇ ଗଲା । ଯିବାବେଳେ ତାକୁ କହିଲି-ସବୁ ତ ଦେଖିଯାଉଚୁ, ବାପାଙ୍କୁ ଯାଇ କହିବୁ, କପିଳେଶ୍ୱରଙ୍କଠଉଁ ଫେରିଲେ ଲୋକ ପଠେଇ ମତେ ଯେମିତି ନେଇଯିବେ, ଆଉ ନାଥନା’ଙ୍କୁ କହିବୁ, ଇଆଡ଼େ ଟିକେ ବୁଲିଆସିଲେ ନାଇଁ ଦିନେ ।

ସେ କହିଲା, ହଉ କହିବି ।

ଠାକୁରଙ୍କ ପାଖକୁ ଯିବା ଦିନ କ୍ରମେ ନିକଟ ହୋଇଆସିଲା । ଆଉ ଦି’ଟା ଦିନ ଜମା ବାକି ମଝିରେ । ତାଙ୍କୁ ତିନିଦିନ ହବ ଜର ନ ଥିଲା । ଖାଲି ଦୁର୍ବଳ ଟିକେ ଥିଲେ ଯାହା । ଦି’ପହରେ ସେଦିନ, ଅନେକ ଦିନ ପରେ, ସେ ପିଣ୍ଡାରେ ଭାତଖାଇ ବସିଥିଲେ । ଶାଶୁ ପାଖରେ ବସି ବିଞ୍ଚି ଦଉଥିଲେ । କହିଲେ–କିଛି ତ ବରାଦ କଲୁ ନାଇଁ ଆଜିଯାଏ, ପରିଦିନ ପୁଣି କପିଳେଶ୍ୱର ଯିବା କଥା ପରା !

ସେ କହିଲେ–ବରାଦ ଆଉ କ’ଣ ? ଉଖୁଡ଼ା, କଦଳୀ ପ୍ରଭୃତି ଯାହା ଯିବାର, ତାକୁ ତ ସଦର ନାଏବକୁ ଆମର ବରାଦ ଦେଇଚି । ରୋଷେଇ ସରଞ୍ଜାମ ବି ସାଙ୍ଗରେ ନବାକୁ କହିଚି । ଦୁଧ ଦହି ହେରିକା ସେଠି ତ ସବୁ ମିଳିବ । ଆଉ କ’ଣ ?

ଗାଡ଼ି ସବାରୀ କେତେଖଣ୍ଡ ପେଇଁ କହିଲୁ ଫେର୍ ?

ତିନି ଖଣ୍ଡ ସବାରୀ, ଆଉ ଜିନିଷପତ୍ର ପେଇଁ ଗାଡ଼ି ଦି’ଖଣ୍ଡ ।

ଶାଶୁ ଆଶ୍ଚର୍ଯ୍ୟ ହୋଇ କହିଲେ–ତିନି ଖଣ୍ଡ ସବାରୀ କ’ଣ ହବରେ ?

Unknown

ସେ କହିଲେ–କାହିଁକି, ତୁ କ’ଣ ଯିବୁ ନାହିଁକି ?

ଘରେ ଆଉ କିଏ ରହିବ ହଇରେ, ମୁଁ ଗଲେ ? ମା’ କହିଲେ । ଘର ଠାକୁର କ’ଣ ୟାଡ଼େ ଉପାସ ରହିବେ ?

ସ୍ୱାମୀ କହିଲେ–ଦିନ ଗୋଟାଏ ତ ଜମା ।

ନାଇଁରେ ପୁଅ, ଦିନ ଗୋଟାଏ ହେଲେ କ’ଣ ହେଲା, ମୁଁ ଯାଇପାରିବି ନାଇଁ । ବୋହୂ ଭଲା ଘରେ ରହୁଥାନ୍ତା, ତେବେ ମୁଁ ତା’ ହାତରେ ଠାକୁରଙ୍କୁ ଦେଇଯାଆନ୍ତି । ଆଉକେହି ସେ କାମ ଚଳାଇପାରିବେ ନାଇଁ, ମୁଁ ଜାଣେ ।

ଗୌରବ ଆଉ ଗର୍ବରେ ଛାତି ମୋର ପୂରିଉଠିଲା ତାଙ୍କ କଥା ଶୁଣି । ସ୍ୱାମୀ ଖାଇସାରି ଆସି ହାତ ଧୋଉଥିଲେ; କହିଲେ, ପିଲାଟା ଯାଉଚି, ମୁଁ ତ ଏମିତି ଦୁର୍ବଳ । କହୁଥିଲି ଆଉ ଜଣେ କିଏ ସାଙ୍ଗରେ ଯାଇଥିଲେ–

ଆଉ କିଏ ଯିବ ? ମା’ ପଚାରିଲେ ।

ଜଣେ ପୋଇଲୀ ଫୋଇଲୀ କିଏ ।

ଚମ୍ପା ପରା ଯାଉଛି ।

ସେ ବୁଢ଼ୀ ହେଲାଣି, ଏକା କ’ଣ ପାରିବ ? ଆଉ ଜଣେ.......

ମା’ଙ୍କ ମୁହଁକୁ ଚାହିଁ ସ୍ୱାମୀ ହଠାତ୍ ତୁନି ହୋଇଗଲେ । ବିରକ୍ତିରେ ମା’ ଙ୍କ ମୁହଁ ଗମ୍ଭୀର ହୋଇଉଠିଥିଲା ସେତେବେଳକୁ । ସେଠୁ ଚାଲି ଯାଉଁ ଯାଉଁ ଖାଲି ଏତିକି କହିଲେ-ହଉ, ତତେ ଯେମିତି ଦିଶୁଚି, କର । ମୁଁ କିନ୍ତୁ ଆଜି ପୁରୀ ଯାଉଚି ।

ଭାବିଲି, ଛି ଛି, ଲାଜ ସରମ ଏମିତି ଏକାଥରକେ ଲୋକଙ୍କୁ ଛାଡ଼ିଯାଏ ଫେର୍; ମା’ଙ୍କ ଆଗରେ ପୁଣି ! କିନ୍ତୁ ମା’ କ’ଣ ସତରେ ଆଜି ପୁରୀ ଯିବେ ?

ସନ୍ଧ୍ୟାବେଳେ ସତକୁ ସତ ମା’ ତାଙ୍କର ଠାକୁର ହେରିକା ସାଙ୍ଗରେ ନେଇ ଯୋଉଠୁ ପୁରୀ ବାହାରିଲେ, ମନେହେଲା, ୟାଙ୍କରି ଜ୍ୱାଳାରେ ଖାଲି ମା’ ଆଜି ଏଠୁ ଗଲେ ।

ଗଲା ଆଗରୁ ମା’ ମତେ ଡାକି କହିଲେ-ସବୁ କଥା ତ ଦେଖୁଛୁ ମା’, ମୁଁ ଆଉ ତତେ ବେଶୀ କ’ଣ କହିବି ? ଟିକେ ଚାରିଆଡ଼କୁ ନିଘାକରି ଚଳୁଥିବୁ । ମାସ ଗୋଟାକରେ ମୁଁ ଫେରିଆସିବି ଯେ ।

ସବାରୀ ବେହେରାଙ୍କ ଡାକ ରାସ୍ତାବାଙ୍କ ପାଖେ ଯୋଉଠୁ ଅସ୍ପଷ୍ଟ ହୋଇଆସିଲା, ମୋ ଘରେ କାନ୍ଥକୁ ଆଉଜି ବସି ଭାବିଲି, ଆଜି ଶେଷ ଅବଲମ୍ୱନଟିକକ ଏ ଘରୁ ମୋର ଚାଲିଗଲା ଏମିତି, ଯାହା ଭରସାରେ ଏତେ ଦହଗଞ୍ଜରେ ବି ବୁକୁବାନ୍ଧି ପଡ଼ିଥିଲି । ଘରର ନିହାତି ଅଲୋଡ଼ା ପରି ମୁଁ । ନିଜର ଅସ୍ତିତ୍ୱରେ ନିଜେ ଲଜ୍ଜିତ । ଏଣିକି ନିତିଦିନର ପ୍ରୟୋଜନ ଭିତରେ ମତେ କାହାରି କିଛି ଦରକାର ହେବ ନାହିଁ–ଏଣିକି ମୋର ଛୁଟି ।

ହେମନ୍ତ ଶେଷରେ, ଗୋଟାଏ ମ୍ଲାନ ଧୂସର ସନ୍ଧ୍ୟା ଭିତରେ ରାତି କ୍ରମେ ଗାଢ଼ ହୋଇ ଆସିଲା । ଘର ଭିତରେ, ଅନ୍ଧାରରେ ନିଜକୁ ନିଜେ ପାସୋରିଦେଇ ଭାବିଲି, ଆଜି ମା’ ଗଲେ; କାଲି ହୁଏତ ମତେ ଏମିତି ଯିବାକୁ ହବ ।

ଠାକୁରଙ୍କ ପାଖକୁ ଗଲା ଦିନ ସଉରଭୀ ସାଙ୍ଗରେ ଗଲା; କିନ୍ତୁ ମୋରି ପରି ଆଉ ଖଣ୍ଡେ ସବାରୀରେ ବସି । ସ୍ୱାମୀ ସେତେବେଳକୁ ବାହାରକୁ ଆସି ନ ଥିଲେ–ଚମ୍ପାମା’ ମତେ ଆଣି ଆଗ ବସାଇ ଦେଇଗଲା ସବାରୀରେ । ଆଉ ସବାରୀରେ ସଉରଭୀ ପାଖରେ ନଟ ବସିଥିଲା, ମତେ ଦେଖି କହିଲା–ନୂଆ ମା’ ପାଖକୁ ଯିବି ।

ସଉରଭୀ ତାକୁ ଧମକ ଦେଇ କହିଲା–ନା, ବ’ ଏଠି ।

ମୋ ପାଖକୁ ଆସିବାକୁ ଏକାଜିଦ୍ କରି ସେ କାନ୍ଦିଲା; କିନ୍ତୁ କେହି ଶୁଣିଲେ ନାହିଁ ।

ସବାରୀ ଉଠିଲା । ଗାଁବାଟ ଛାଡ଼ି ବିଲ ଗହୀରର ଅପନ୍ତରା ଭିତରେ ସବାରୀ ଧୀରେ ଧୀରେ ଚାଲିବାକୁ ଲାଗିଲା । ଧାନସବୁ ପାଚି ଆସୁଥାଏ, ନହକା ଗଛଯାକ ସକାଳର କାକରବତୁରା ହୋଇ ବାଟ ଛାଡ଼ି ନଇଁପଡ଼ିଥାଏ ଦୁଇ ପାଖକୁ, ଯେପରି ରୂପକଥାର ସ୍ୱପ୍ନପୁରୀର ସୁନା ପାହାଚ ଲମ୍ବି ଯାଇଛି କୋଉ ଦିଗନ୍ତ ପାରିକି । ଅନେକ ବାଟ ଆସି ଗୋଟାଏ ନଈକୂଳରେ ସବାରୀ ରହିଲା-। ଶୀତଦିନ; କିନ୍ତୁ ନଈରେ ଅନେକ ପାଣି ନ ଥାଏ । ଆର ପାରିରେ ଗଛ-ପତ୍ର ମେଢ଼ ଭିତରେ ଦେଉଳର କମକଟା ଦହିନଉତି ଧଳା ହୋଇ ଦିଶୁଥାଏ । ଏ ପାରିରୁ ପିମ୍ପୁଡ଼ିଧାର ପରି ଲୋକ ନଈ ପାର ହୋଇ ସେଆଡ଼େ ଯାଉଥାନ୍ତି । ମନେପଡ଼ିଲା, ଆଜି ପରା ମହାଦେବଙ୍କର ପୁଷ୍ୟା ଅଭିଷେକ, ସେଥିପାଇଁ ଏତେ ଯାତ୍ରୀ ।

ସ୍ୱାମୀଙ୍କ ସବାରୀ ସବା ପଛରେ ଆସି ପହଞ୍ଚିଲା । ସାଙ୍ଗେ ସାଙ୍ଗେ ହୁକୁମ ହେଲା, ଖରା ମାଡ଼ିଆସୁଚି, ଆଉ ଡେରି କରନା, ବେଗେ ଉଠି ଚାଲ । ଗୋଟାଏ ବଡ଼ ପଟତନ ଡଙ୍ଗା ଉପରେ ସବାରୀ ତିନିଖଣ୍ଡ ପାଖ ପାଖ ହୋଇ ଥୁଆ ହେଲା । ଆମେ ସବୁ ଭିତରେ ସେମିତି ବସିଥାଉଁ । ନଈଟା ଖୁବ୍ ବଡ଼ ନୁହେଁ, କିନ୍ତୁ ପାରି ହଉ ହଉ ଅନେକ ବେଳ ହୋଇଗଲା । ଠାକୁରଙ୍କ ବେଢ଼ା ବାହାରେ ଗୋଟିଏ ଛୋଟ ତୋଟା ଭିତରେ ଗଉଡ଼ ସବାରୀ ରଖିଲେ । ଯାତ୍ରା ବୋଲି ସେଦିନ ଭାରି ଭିଡ଼ ହୋଇଥାଏ । ବେଢ଼ା ବାହାରେ ଅନେକଗୁଡ଼ାଏ ଗୁଡ଼ିଆ ଆଉ ପାଟରା ଦୋକାନ । କେଉଁଠି ଆଉ ଲୋକଗହଳିରେ ସୋରିଷ ପକାଇବାକୁ ସ୍ଥାନ ନାହିଁ । ନଟର ବାଳ ପକାଇଲେ ସ୍ୱାମୀ ତାକୁ ନେଇ ନଈରେ ଗାଧୋଇ ଦେଇ ଆସିଲେ । ଦି’ପହର ଗଡ଼ିଗଲାଣି ସେତେବେଳକୁ, ରୋଷଇବାସ ସବୁ ପ୍ରସ୍ତୁତ । କଥା ହେଲା, ଓପରଓଳି ଲୋକଗହଳି ଟିକେ କମିଗଲେ ଠାକୁର ଦର୍ଶନକୁ ଯିବାକୁ ହେବ ।

ଉପରଓଳି ବୋଲି ତ ଆଉ ବେଳ ନ ଥାଏ । କଥା କହୁଁ କହୁଁ ଖରା ନଇଁଆସିଲା । କିନ୍ତୁ ଯାହା ମନେକରିଥିଲୁ, ସକାଳଠଉଁ ଭିଡ଼ ନ କମି ଆହୁରି ବେଶୀ ବଢ଼ିଲା । ଚମ୍ପାମା’ ଆସି କହିଲା–ବୋହୂ ସାଆନ୍ତାଣୀ, ବାବୁ କହିଲେ ବେଳ ତ ଗଲା, ଦର୍ଶନ କରିଆସିବା ଉଠ । ନଟକୁ ନୂଆ ପାଟ ପିନ୍ଧାଇଦେଇ ଚମ୍ପାମା’ ପଛେ ପଛେ ମୁଁ ଆସି ପଛରେ ଠିଆହେଲି, ଯୋଉଠି ଆମର ସମସ୍ତେ ମତେ ଦେଉଳକୁ ଯିବାକୁ ଚାହିଁଥିଲେ । ବହୁତ କଷ୍ଟରେ ଭିଡ଼ ଠେଲି ଆଗେ ଆଗେ ଯାଉଥାଏ ସଉରଭୀ, ତା’ ପଛେ ମୋ ସ୍ୱାମୀ । ସବା ପଛରେ ଚମ୍ପାକୁ ଆଗରେ ରଖି ମୁଁ । ଲୋକଗହଳ ଦେଖି ଚମ୍ପାମା’ ମତେ କହିଲା–ବୋହୂ ସାଆନ୍ତାଣୀ, ମୋ କାନିଟାରେ ହାତ ପକେଇ ଆସୁଥା । ଦେଉଳ ଭିତରେ ଯୋଉଠି ଠାକୁର ଅଛନ୍ତି, ସେଠି ପୁଣି ବାଟ ଆହୁରି ଅଳ୍ପ, ଦି’ଜଣ ଲୋକ ପାଖ ପାଖ ହୋଇ ଭିତରକୁ ଯିବା କଷ୍ଟ । ଲୋକଭିଡ଼ ପୁଣି ସବୁଠାରୁ ସେଇଠି ବେଶୀ । ଅନ୍ଧାର ଆଉ ଗରମରେ ନିଃଶ୍ୱାସ ବନ୍ଦ କରି କୌଣସିମତେ ଭିତରଯାଏ ଗଲି । ଠାକୁରଙ୍କ ଉଦ୍ଦେଶ୍ୟରେ ଗୋଟାଏ ଲୋକ ମୁଣ୍ଡରେ ଫୁଲ, ଅରୁଆ ଚାଉଳ କୌଣସିମତେ ପକାଇଦେଇ ଦେଖିଲି, ଲୋକଗହଳିରେ ବାଟ କୋଉଠି ବାରି ହେଉ ନାହିଁ । ଆଉ ସେ ଠେଲାଠେଲି ଭିତରେ ଚମ୍ପାମା’ କାନିଟା କେତେବେଳେ ମୋ ହାତରୁ ଖସିଯାଇଚି ମତେ ଜଣାନାହିଁ ।

ଦେଉଳ ଭିତରେ ଗୋଟାଏ ଅନ୍ଧାର ଖୁଣ୍ଟକୁ ଆଉଜି ଠିଆ ହେଲି । ମୁଣ୍ଡ ମୋର ସେତେବେଳେ ବୁଲାଇ ଦେଉଥାଏ ଭୟ ଆଉ ଉତ୍କଣ୍ଠାରେ । ଅନେକ ସମୟ ପରେ ଭିଡ଼ ଟିକେ କମିଗଲା । ତାହାରି ଭିତରେ କୌଣସିମତେ ଚିପିଚାପି ହୋଇ ଏକପ୍ରକାର ଶୂନ୍ୟେ ଶୂନ୍ୟେ ବାହାରକୁ ଆସିଲି । ଯେଉଁଆଡ଼େ ଚାହିଁଲି ଖାଲି ଲୋକଗୁଡ଼ାକ, କିନ୍ତୁ ତା’ ଭିତରେ ଆମ ଲୋକ କାହାରିକୁ ତ ଗୋଟାଏ ଦେଖିଲି ନାହିଁ । ସେମାନେ ତା’ହେଲେ କ’ଣ ମତେ ଛାଡ଼ି ଚାଲିଗଲେ କି ?

ବେଳ ଗଡ଼ି ଆସିଥାଏ ସେତେବେଳକୁ । ପଶ୍ଚମ ଦିଗରେ କଳା ଢାଳିଦେଇ ଖଣ୍ଡିଆଭୂତ ପରି ଖଣ୍ଡେ କଳା ବଉଦ ଆସ୍ତେ ଆସ୍ତେ ଉପରକୁ ଉଠି ଆସୁଥାଏ । ବର୍ଷାପାଣି ଭୟରେ ଯାତ୍ରୀଙ୍କ ଭିତରେ ଗୋଟାଏ ଗହଳ ଚହଳ ପଡ଼ିଗଲାଣି । ସମସ୍ତେ ତର ତର ହୋଇ ଘାଟ ଆଡ଼କୁ ଧାଇଁଥାନ୍ତି-। ବେଢ଼ା ବାହାରେ ନଈକୂଳେ ଲୋକଗହଳ ପୁଣି ଆହୁରି ବେଶୀ । ଖଣ୍ଡିଏ ବୋଲି ଡଙ୍ଗା, ମେଘ ଆସିବ ବୋଲି ସମସ୍ତେ ସେଥିରେ ଆଗ ଚଢ଼ିବାକୁ ଚେଷ୍ଟା କରୁଥାନ୍ତି, କିନ୍ତୁ ମୋ ପାଖରୁ ଦଶ ପନ୍ଦର ହାତ ଦୂରରେ ଡଙ୍ଗା । ଭିଡ଼ ଭିତରେ ଟିକେ ଆଗକୁ ଯିବାର ବାଟ ନାହିଁ । କୌଣସିମତେ ଟିକେ ମୁଣ୍ଡଟିକେ ଦେଖିଲି, ଡଙ୍ଗା ଉପରେ ଆମ ସବାରୀ ତିନି ଖଣ୍ଡଯାକ ଥୁଆ ହେଲାଣି । ଭୟରେ ଦିହ ମୋର ଝାମ ଗଲାପରି ଲାଗିଲା ।

ସେତିକିବେଳେ ମୋର ଠିକ୍ ଆଗ ଦେଇ ଜଣେ ଲୋକ ଦେଉଳ ଆଡ଼କୁ ଚାଲିଗଲା । ବିସ୍ମିତ ଆନନ୍ଦରେ ମୋ ମୁହଁରୁ ବଡ଼ ପାଟିରେ ବାହାରିଗଲା–ନାଥନନା ।

କାହାକୁ ଖୋଜିଲା ପରି ଚାରିଆଡ଼କୁ ଚାହିଁ ଚାହିଁ ଭିଡ଼ ଠେଲି ସେ ଆଗକୁ ଯାଉଛନ୍ତି । ବୁଡ଼ିଯାଉଥିବା ଲୋକର ଗୋଡ଼ ହଠାତ୍ ମାଟି ଛୁଇଁଲେ ଯେପରି ଲାଗେ, ମତେ ସେହିପରି ଜଣାଗଲା, ସେଠି ତାଙ୍କୁ ଦେଖି । ଭୟ ଆଉ ଉତ୍କଣ୍ଠା ସବୁ ଦଣ୍ଡକେ କୁଆଡ଼େ ସ୍ୱପ୍ନ ପରି ହୋଇଗଲା, ଯେମିତି କୋଉ କୁହୁଳ ପରଶ ଲାଗି । ଡଙ୍ଗା ପାଖରୁ ଲୋକଙ୍କର ଭିଡ଼ାଭିଡ଼ି ଟିକେ କମି ଆସିଥିଲା ସେତେବେଳକୁ । କିନ୍ତୁ ମୁଁ ସେଠିକି ସେମିତି ପଥର ପରି ଠିଆ ହୋଇ ରହିଲି ଚେଷ୍ଟା କରିଥିଲେ ସେତେବେଳେ ବି ଡଙ୍ଗାକୁ ଯାଇପାରିଥାନ୍ତି ପରା । କିନ୍ତୁ ଗଲିନାହିଁ କୋଉ ଲୋଭରେ କେଜାଣି ?

ଗୋଟାଏ ବଡ଼ ପବନ ଗଛପତ୍ର ନହକାଇ ଦେଇ ସୁ ସୁ ହୋଇ ବୋହିଗଲା । ଡଙ୍ଗା ଭିତରୁ ନଟ ବଡ଼ ପାଟିକରି କାନ୍ଦି ଉଠିଲା–ମୋ ନୂଆମା’ କାହିଁ ଲୋ, ମୋ ନୂଆମା’ ।

ଆଉ ତୁନି ହୋଇ ରହିପାରିଲି ନାହିଁ । ଦି’ହାତରେ ଯେତେ ବଳ ଥିଲା, ଭିଡ଼ ଭିତରେ ବାଟକରି ଡଙ୍ଗା ପାଖକୁ ଆଗେଇଗଲି । ପାଣି ପାଖରେ ପହଞ୍ଚିଲାବେଳକୁ ଦେଖିଲି, ପଟା ଉଠାଇ ନାଆ କୂଳରୁ ଅନେକ ଛାଡ଼ିଯାଇଛି । ଆକାଶ ପୃଥିବୀ ଏକାଠି କରି କଳା ବଉଦ ମେଳରେ ସେତେବେଳକୁ ପ୍ରଳୟ ଉଜାଡ଼ ଆରମ୍ଭ ହୋଇଗଲାଣି । ଗଛ ଡାଳେ ଡାଳେ ଯମ ରାଇଜର ରାମତାଳି ବଜାଇ ପାଗଳା ପବନ ଭିତରେ ଝଡ଼ ଗର୍ଜିଗଲା । ସେଇଠି ସେମିତି ଥକ୍କା ହୋଇ ଠିଆହୋଇ ରହିଲି, ପବନରେ ଦିହ ମୁଣ୍ଡରେ ଲୁଗା ପତାକା କରି ଉଡ଼ୁଥାଏ । ଘାଟରେ ହଜାରେ ଲୋକ ଯେ ମୋ’ ଆଡ଼କୁ ଏକ ଧ୍ୟାନରେ ଚାହିଁଛନ୍ତି, ସେ ଆଡ଼େ ମୋର ଦୃଷ୍ଟି ନାହିଁ ।

ହଠାତ୍ ପଛରୁ କିଏ ଆସି ମୋ ’ ପିଠିରେ ହାତ ରଖିଲା ।

ଚମକି ଚାହିଁଲି, ନାଥନନା

ସେ ଡାକିଲା, ସତୀ ।

କିଛି କହିଲି ନାହିଁ ।

ଆଗକୁ ଆସି ସେ ମୋ ହାତ ଧରି କହିଲେ, ଆ ।

ଝଡ଼ ସେତେବେଳକୁ ଥମି ଆସିଲାଣି ଟିକେ ଟିକେ । ଦେଉଳ ପିଣ୍ଡରେ ଗୋଟାଏ ଖୁଣ୍ଟକୁ ଆଉଜି ଚୁପ୍‌ହୋଇ ଠିଆ ହୋଇଥିଲି । ମୋର ଦଣ୍ଡେ ଦୂରରେ ନାଥନନା । କାହାରି ମୁହଁରେ କଥା ନାହିଁ । ଦୁହେଁଯାକ ନିଜ ନିଜ ଚିନ୍ତାରେ ବୁଡ଼ି ଯାଇଥିଲୁ ଏମିତି ।

କେତେବେଳକେ ସେ ମଥା ଟେକି ଡାକିଲେ, ସତୀ

କହିଲି, ଉଁ ।

ସେ କହିଲେ, ପବନ ଟିକେ କମି ଆସିଲାଣି । ଏ ତ ଏମିତି ଅପନ୍ତରା ଜାଗା । ରାତିଗୋଟାକ କଟିବ କେମିତି ?

କିଛି କହିଲି ନାହିଁ ।

ସେ ପୁଣି କହିଲେ, ଏମିତି ଦୁର୍ଯୋଗ ହବ ବୋଲି କିଏ ଜାଣିଥିଲା ? ଅନ୍ଧାର ହବାକୁ ଆଉ ତ ବେଶୀ ଡେରି ନାହିଁ । ପାଖରେ କେଉଁଠି ଗାଁ ଗଣ୍ଡା ତ ଦେଖାଯାଉ ନାହିଁ, ରାତିକପାଇଁ ଟିକେ ଆଶ୍ରୟ ନବାକୁ ।

ପଚାରିଲି, ୟାଙ୍କ ଘର କେତେ ବାଟ କି ଏଠିକି ?

ସେ ହସିଲେ; କହିଲେ ଅନେକ ବାଟ, ବୋଧହୁଏ ଚାରି ପାଞ୍ଚ କୋଶ ହବ । ତା’ପରେ ଏ ନଈ । ଡଙ୍ଗାବାଲା ରାତିରେ ଆମକୁ ପାରି କଲେ ତ ? ତା’ପରେ କିଛି ସମୟ କ’ଣ ଭାବି ମତେ ପଚାରିଲେ–ତୁ ରହିପାରିବୁ ଏଠି ଏକା ? ପାଖରେ କୋଉଠି ବସାଘର ମିଳିପାରିବ କି ନା ଦେଖିଆସନ୍ତି । କହିଲି ନାଇଁ ମୁଁ ତମ ସାଙ୍ଗରେ ଯିବି ।

ପବନ ବେଗ ବରାବରି କମିଯାଇଥିଲା; କିନ୍ତୁ ଆକାଶ ଗୋଟାକ କଳାମେଘରେ ଅନ୍ଧାର ଦିଶୁଥିଲା, ବର୍ଷା ହେଲାପରି । ତୋଟା ଭିତର ଦେଉଳ ପଛଆଡ଼କୁ ଯେଉଁ ବାଟ ପଡ଼ିଥିଲା, ନାଥନନା ସେହି ଆଡ଼କୁ ଗଲେ । ପଛରେ ମୁଁ । ତୋଟା ଛାଡ଼ି ପଦାକୁ ଆସିଲୁ । ଦେଉଳବେଢ଼ାକୁ ଲାଗି ଗୋଟାଏ ଘର, ବୋଧହୁଏ ଗୁଡ଼ିଆ ଦୋକାନ । ବାହାର ବରଣ୍ଡାରେ ଖଣ୍ଡେ ଦଦରା ଖଟ ଉପରେ ଜଣେ ଲୋକ ଗୋଟିଏ ଭଙ୍ଗା ଚଷମା ଦଉଡ଼ି ଜୋରରେ ନାକ ଆଗରେ କୌଣସିମତେ ଅଟକାଇ ରଖି ବଡ଼ପାଟି କରି ପୋଥି ପଢ଼ୁଥିଲା । ପାଖରେ ତା’ ଗୋଟିଏ ଡିବି । ତା’ ଦିହରୁ ଆଲୁଅ ଯେତେ ହଉଥିଲା, ଧୂଆଁ ହଉଥିଲା ତା’ଠାରୁ ବାଶୀ । ପାଦଶବ୍ଦ ଶୁଣି ଚାହିଁଲା । ପଚାରିଲା–କିଏ ସେ ?

ନାଥନନା କହିଲେ–ଜଣେ ବାଟୋଇ ।

କ’ଣ ଦରକାର ?

ଅନ୍ଧାରରେ ଘରକୁ ଯାଇ ହେଲାନାହିଁ, ରାତିକ ପାଇଁ ଟିକେ ଜାଗା ମିଳିବ ଏଠି ?

ବୁଢ଼ା ବିରକ୍ତ ହୋଇ କହିଲା–ନାଇଁ ନାଇଁ, ଏଠି ହୋଇପାରିବ ନାହିଁ, ଯାଅ । ଚୋର କି ଟସ୍କର କିଏ ଜାଣିଚି ବାବା । ଯାଅ ଅନ୍ୟ କୋଉଠି ଦେଖ ।

ନାଥନନା କହିଲେ–ପାଖରେ ତ ଗାଁ ଗଣ୍ଡା ନାହିଁ ସାହୁ । ଦୋକାନ ଘର ଆଉ କାହାର ଦିଶୁ ନାହିଁ ଏଠି । କୋଉଠି ଆଉ ଜାଗା ମିଳିବ ?

କୋଉଠି ନ ମିଳିବ ତ ଦେଉଳପିଣ୍ଡା ପଡ଼ିଚି, ଚାଲିଯାଅ । ଖୁବ୍ ଫରାକତ, ନିଶ୍ଚିନ୍ତରେ ଶୋଇବାକୁ ମିଳିବ ।

ବର୍ଷା ହେଲେ ଦେଉଳପିଣ୍ଡାରେ ଯେ ମୁଣ୍ଡ ରଖିବାକୁ ଜାଗା ଟିକେ ନାହିଁ । ଚାଳଯାକ କଣା । ନାଥନାନା ଟିକେ ଆଗକୁ ଯାଇ ଖଟ ଉପରେ ଯୋଡ଼ିଏ ଟଙ୍କା ରଖିଦେଇ ପୁଣି କହିଲା–ଏଇଠି ଟିକେ ଆମକୁ କୋଉଠି ରାତିକପାଇଁ ସୁବିଧା କରି ନ ଦେଲେ ତ ହବ ନାହିଁ ସାହୁ ।

ଟଙ୍କା ଦେଖି ସାହୁ ଏକାଥରକେ ତରଳିଗଲା । ଟିକେ ହସିଦେଇ କହିଲା–ଦେଶର ଲୋକ ବିପଦରେ ପଡ଼ିଲେଣି ଯେତେବେଳେ, କ’ଣ କରିବା; ଆଶ୍ରା ଟିକେ କୋଉଠି ହେଲେ ଦବାକୁ ତ ହବ । ଆସ ବାବୁ, ପିଣ୍ଡା ଉପରକୁ ଉଠିଆସ ସାଙ୍ଗରେ ଆଉ କିଏ ? ଓ, ଘର ଲୋକ ପରା । ତା’ ହେଲେ ତ ଗୋଟାଏ ବଖରା ଦରକାର ।

ମନ ଭିତରେ ଲାଜ ଆଉ ସୁଖର ଗୋଟାଏ ଦମକା ପବନ ମାଡ଼ିଆସି ବୁଦ୍ଧି ଜ୍ଞାନ ଅନୁଭୂତିଯାକ ସବୁ ମୋର ଓଲଟ ପାଲଟ କରିଦେଇଗଲା ଏଇକଥା ପଦକ ଶୁଣି, କିନ୍ତୁ ଦଣ୍ଡକ ଲାଗି ।

ଖଟ ଉପରୁ ଡିବିଟା ଧରି ସାହୁ ଘର ଭିତରକୁ ଉଠିଗଲା । ଅନ୍ଧାରରେ ନାଥନନା ମୋ ପାଖକୁ ଆସି ମୋ କାନ୍ଧରେ ହାତ ରଖିଲେ । ହସି ହସି ପଚାରିଲେ–ତୁ ମୋ ସାଙ୍ଗେ ରହିପାରିବୁ ତ ଏଠି ଏକା ?

କହିଲି–ମୁଁ ସବୁଠେଇଁ ରହିପାରିବି ।

ଡର ମାଡ଼ିବ ନାହିଁ ?

କହିଲି–ମୋତେ ଡର ମାଡ଼େନା ।

ସେ ହସିଲେ, କହିଲେ, ଏତେ ସାହସ କୋଉ ଦିନଠଉଁ ?

କହିଲି–ଘରୁ ଆସିଲା ଦିନୁ ।

ସାହୁ ଘର ଭିତରୁ ଆସି କହିଲା-ଗୋଟିଏ ଘର ହେଲେ ହବ ତ ବାବୁ ? ଆର ଘରଟାରେ ମାଲପତ୍ରଗୁଡ଼ାଏ ଜମା ହୋଇଚି । ଯାଅ, ଖଞ୍ଜା ଭିତରକୁ ଯାଅ । ଗୋଡ଼ ହାତ ଧୁଅ, ମୁଁ ବିଛଣା ପଠେଇ ଦଉଚି । ସାହୁ କାନ୍ଥ ଆଡ଼କୁ ମୁହଁକରି ଠିଆହେଲା, ଉଦ୍ଦେଶ୍ୟଟା ମୁଁ ଯିବି । ନାଥନନା ମୋ ଆଡ଼କୁ ଚାହିଁକରି ଟିକେ ହସିଲେ । ସେତେବେଳେ ଠିଆହୋଇ ଭାବିବାର ଅବସର ନ ଥିଲା । ମୁଁ ଭିତରକୁ ଗଲି, ନାଥନନା ମୋ ପଛରେ ।

ଭିତରେ ଗେଟାଏ ଖଞ୍ଜା । ସାମନାରେ ଗୋଟିଏ ବଡ଼ ଦୋକାନଘର, ସାହୁ ଯୋଉଠି ବସିଥିଲା । ଖଣ୍ଡେ ଛୋଟ ମାଟି ଦୁଆର ପାରିହୋଇ ଆଉ ଦୁଇଟି ଘର । ଦୁଇପାଖ ମାଟି ପାଚିରି ଘେରା । ଘର କବାଟ ଫିଟାଇ ନାଥନନା କହିଲେ–ଯା ଭିତରେ ବସ, ମୁଁ ଆଲୁଅ ଆଣେ ।

ସେ ଚାଲିଗଲେ । ଅନ୍ଧାରରେ ସେଇ ଥଣ୍ଡା ମାଟି ତଳଟାରେ ବସି ଭାବିଲି, ମନ୍ଦ ବ୍ୟବସ୍ଥା ନୁହେଁ । ଏଇ ଗୋଟାଏ ଘର; ବୋଧହୁଏ ଗୋଟାଏ ବିଛଣାରେ ଏକାଠି ରାତି କଟେଇବାକୁ ହବ । ଦିହଗୋଟାକ ଶୀତେଇ ଉଠିଲା ଭୟ ଆଉ ଲଜ୍ଜାରେ, କିନ୍ତୁ ସମସ୍ତଙ୍କ ଭିତରେ ଗୋଟାଏ ଆଲୋକିତ ସୁଖର ଆବେଗ ଛାତିଟା ଥରାଇ ଦେଇଗଲା ଥରେ । ଦିନେ ଏମିତି ଆଉ ଜଣଙ୍କ ସାଙ୍ଗରେ ବାଧ୍ୟ ହୋଇ ଏକାଠି ଦୁଇରାତି କଟେଇବାକୁ ହୋଇଥିଲା, କିନ୍ତୁ ସେଦିନ ଆଉ ଆଜି ! କେତେ ଅନ୍ତର, କେତେ ଅଭିନବତ୍ୱ ୟା ଭିତରେ ।

ପାଣି ପବନ ଏକାଠି କରି କଳା ବଉଦର ମୁକୁଳା ଛାତିରେ ସେତେବେଳକୁ ବରଷାର ଅଖଣ୍ଡ ବସନ୍ତରା ଫିଟି ଯାଇଥିଲା ରାତି-ଅନ୍ଧାର ପାଶୋରା ଗଛଗହଳିର ମଥାନ ଉପରେ । ଭାବିଲି, ଯାହା କପାଳରେ ଥିବ, ମୋର କ’ଣ ଚାରା ଅଛି ଏଥିରେ ?

ବିଛଣା ଆଉ ଆଲୁଅ ନେଇ ନାଥନନା ଆସିଲେ । ପଚାରିଲେ, କ’ଣ ଖାଇବୁ ସତୀ ?

କହିଲି–ମୁଁ ଖାଇବି ନାହିଁ, ଭୋକ ନାହିଁ । ତମେ ଯା ଖାଇବ ।

ଘର ଭିତରେ ବିଛଣା ରଖିଦେଇ ସେ ବସିଲେ । ହସି ହସି କହିଲେ, ମତେ ବି ଭୋକ ନାହିଁ ତା’ ହେଲେ ।

ଏମିତି ଦୁଷ୍ଟ ଏ, ଆଜିଯାକେ ବି ସେମିତି ଢଙ୍ଗ ଛାଡ଼ି ନାହାନ୍ତି । କହିଲି ସତରେ ମତେ ଭୋକ ନାହିଁ ।

ମୁଁ କ’ଣ ଆଉ ମିଛରେ କହୁଚି ପରା ?

ହସ ମାଡ଼ୁଥାଏ କଥା ଶୁଣି । କହିଲି ହଉ ଯା, ଖାଇବି । ବାହାରେ ଠିଆହୋଇ ସାହୁ ଡାକିଲା-ବାବୁ, ଜଳଖିଆ ନିଅନ୍ତୁ ।

ନାଥନାନା ଉଠିଯାଇ ଗୋଟାଏ ବଡ଼ ପତ୍ରଠୋଲାରେ ଠୋଲାଏ ରସଗୋଲା ଆଉ ଥାଳି ଆଣି ମୋ ପାଖରେ ରଖିଦେଲେ । ଥାଳିରେ ସବୁ ଜଳଖିଆତକ ବାଢ଼ି ତାଙ୍କ ଆଗରେ ଥୋଇଦେଇ କହିଲି–ନିଅ, ଆଗେ ଖାଇଲ ତମେ ।

ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଆଉ ତୁ ।

କହିଲି, ତମେ ଖାଇସାର; ଖାଇବି ଯେ ।

ଜବାବ୍‌ କରି ଶେଷରେ କଥା ନ ରଖିଲେ ମାଡ଼ ଖାଇବୁ ଜାଣିଥା, କହି ସେ ଖାଇବାକୁ ବସିଲେ । ଖାଇଲେ ତ ସେ ସବୁ ଯାକ । ମୋ ପାଇଁ ବାର ପଣ ଛାଡ଼ି ଉଠିଗଲେ । ମନ ହଉ ନ ଥାଏ, ଖାଲି କଥା ରଖିବାକୁ ଅଳ୍ପ କିଛି ଖାଇ ଥାଳି ଖଣ୍ଡ ଧୋଇ ଆଣିଲି । ଘର ଭିତରେ ନାଥନନା ସେତେବେଳକୁ ବିଛଣା ପାରି ବସିଛନ୍ତି । କିନ୍ତୁ ଏ କ’ଣ ? ବିଛଣା ଯେ ଜମାଖଣ୍ଡିଏ ! ଛାତିଟା ମୋର ଥରିଗଲା ।

ମତେ ଦେଖି ସେ କହିଲେ–ଆ, ବସ ।

ଖଣ୍ଡେଦୂର ଛାଡ଼ି ଖାଲି ଭୂଇଁରେ ଯାଇ ବସିଲି, ମୁଣ୍ଡ ତଳକୁ ପୋତି । ଆଲୁଅଟା ମିଞ୍ଜି ମିଞ୍ଜି ହୋଇ ଆସୁଥିଲା । ଟିକେ ତିଜିଦେଇ ସେ କହିଲେ–ଖୁବ୍ କାମରେ ଯା’ହଉ ଆସିଲା, ଆଜି ଠାକୁରଙ୍କ ପାଖକୁ ମୋର ଆସିବା । ତୁ ଯେ କ’ଣ କରିଥାନ୍ତୁ ମୁଁ ନ ଆସିଥିଲେ; ସେଇକଥା ଭାବି ଭାବୁଚି ।

ପଚାରିଲି–ତୁମେ କେମିତି ଜାଣିଲ କି ଆମେସବୁ ଆଜି ଆସିବୁ ବୋଲି ?

କାହିଁକି, ସଇତା ତ ମତେ କହିଲା । ପୁଣି ତୁ କୁଆଡ଼େ ତା’ ହାତରେ ଖବର ଦେଇଥିଲୁ ମୋ ପାଖକୁ । ନ ଆସିବାକୁ ମୋର ଆଉ ଚାରା ଥିଲା ନା ?

ଭାରି ଲାଜ ମାଡ଼ିଲା କଥା ଶୁଣି । ଭାବିଲି, କାହିଁକି ସଇତାକୁ ଏ କଥା କହି ମଲି ।

ଦଣ୍ଡେ ଗଲା ।

ସେ କହିଲେ, ତୁ ବେସ୍ତ ହୋନା ସତୀ, ସାହୁକୁ କହିଚି । କାଲି ସେ ଖଣ୍ଡେ ସବାରୀ ଠିକ୍ କରି ଦବ । ତତେ ନେଇ ତମ ଶାଶୁଘରେ ଛାଡ଼ିଆସିବ, ବୁଝିଲୁ ? ମୋ ମୁହଁକୁ ଚାହିଁ ସେ ହସିଲେ-

କି ଆଶ୍ଚର୍ଯ୍ୟ କଥା, ଶାଶୁଘରକୁ ଯିବା ଚିନ୍ତାରେ ମତେ ଭୋକ ଶୋଷ ନାହିଁ ନା କ’ଣ ! ନା ମତେ ଥଟ୍ଟା କରୁଛନ୍ତି ? ପଚାରିଲି–ତୁମେ ଯିବ ନାହିଁ ସାଙ୍ଗରେ ?

ମୁଁ ? କହିବୁ ଯଦି ଯିବି ।

ଏଇ ନାଥନନା, ମୋ କଥାପଦକୁ ଯେ କୋଟିନିଧି ମନେକରି ସବୁ ଦୁଃଖ କଷ୍ଟ ମୁଣ୍ଡାଇ ନେବାକୁ ରାଜି । ଇଏ ଆଉ ମୋ ସ୍ୱାମୀ ! ଭଗବାନ ମଣିଷଙ୍କ ଭିତରେ ପୁଣି ଏତେ ପ୍ରଭେଦ ଥାଏ-? ଗୋଟାଏ ଦମ୍‌କା ପବନରେ ଘରଭିତରେ ଆଲୁଅଟା ହଠାତ୍ ଲିଭିଗଲା । ଅନ୍ଧାର ଭିତରେ ଦୁହେଁଯାକ ଚୁପ୍‌ହୋଇ ବସିରହିଲୁ । କାହାରି ମୁହଁରେ କଥାନାହିଁ । କେତେବେଳେ ଜୋରରେ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ନାଥନନା ଡାକିଲେ–ସତୀ ।

କହିଲି, ଉଁ ।

ସତୀ, ଦି’ମାସ ତଳର କଥା ମନେପଡ଼େ ତୋ’ର ? ଯେତେବେଳେ ବାହାରର ଏଇ ଝଡ଼ପବନ ପରି ତୁ ମୁକ୍ତ ସ୍ୱାଧୀନ ଥିଲୁ । କାହାରି ଭଲ ମନ୍ଦ ପାଇଁ ଟିକେ ଚିନ୍ତାଦକ ତୋ ମନକୁ ଛୁଇଁ ଯାଇ ନ ଥିଲା । ଏମିତି ଦିନେ ବର୍ଷା ରାତିରେ ଆମ ନିଶି ମତେ ହସି ଆସି କହିଲା–ନନା, ବଉଳ ଆମ ଘରକୁ ଆସିବ ।

କେତେ ସ୍ୱପ୍ନବିଳାସ, କେତେ ସୁକଳ୍ପନା ମନକୁ ମୋର କୁହୁକ-ରାଜ୍ୟକୁ ଟାଣିନେଲା ସେଇ କଥାପଦକ ଶୁଣି । ଆଜି କିନ୍ତୁ ଏଇ ଏଇକେଇଟା ଦିନରେ ତୋ’ ମୋ’ ଭିତରେ କେତେ ଛଡ଼ା କେତେ ଦୂର ହୋଇଗଲାଣି !

ମନେ ହେଉଥାଏ ବଡ଼ ପାଟିକରି କହିବାକୁ-ନାଇଁ ନାଇଁ, ମୁଁ ଆଗ ପରି ସେମିତି ମୁକ୍ତ ସ୍ୱାଧୀନ ଅଛି । ଆଜିଯାଏ ସୁଦ୍ଧା କାହାରି ଚିନ୍ତାଦକ ତିଳେହେଲେ ମୋତେ ଛୁଇଁ ଯାଇ ନାହିଁ, କେବଳ ତମ ଛଡ଼ା । କିନ୍ତୁ ଲାଜରେ କିଛି କହିପାରିଲି ନାହିଁ ।

ଅନେକ ବେଳ ଗଲା । ସେ କିଛି କହିଲେ ନାହିଁ । ବାହାରେ ଏ ବର୍ଷା ପବନ, ଘର ଅନ୍ଧାର ଭିତରେ ପାଖ ପାଖ ହୋଇ ସେ ଆଉ ମୁଁ । ଡର ମାଡ଼ିଲା; ଯଦି ପାଖରେ ସେ ମତେ ଶୋଇବାକୁ ଡାକନ୍ତି । କ’ଣ କରିବି ମୁଁ ଏଠି ? ଆଉ ତ ଉପାୟ କିଛି ନାହିଁ । ଭୟରେ ଛାତି ଭିତର ମୋ କମ୍ପିଗଲା ।

ଅନେକ ବେଳ ପରେ ସେ କହିଲେ–ସତୀ ! ଆ, ତୁ ଶୋ ଏଠି, ମୁଁ ଯାଉଚି ।

ନିଶ୍ଚିନ୍ତ ହୋଇ ପଚାରିଲି–ଆଉ ତମେ କୋଉଠି ଶୋଇବ, ଆର ଘରେ ?

ମୁଁ ? ମୁଁ ଏଇ ପିଣ୍ଡାପହଣ୍ଡରେ କୋଉଠି ଟିକେ ପଡ଼ିଯିବି ଆଉ କେଇଟା ଘଣ୍ଟାପେଇଁ, ମୋର କ’ଣ ଅଛି ?

ଏଇ ବର୍ଷା ପବନ ଆଉ ଶୀତରେ ଏମିତି ମୁକୁଳା ପିଣ୍ଡାଟାରେ ! ଦଣ୍ଡକେ ଆଶଙ୍କା ଓ ଉତ୍କଣ୍ଠାରେ ସବୁ ଭୁଲିଯାଇ କହି ପକାଇଲି, ନାଇଁ ନାଇଁ, ତା’ ହବ ନାଇଁ । ଏ ବର୍ଷାରେ ପଦାଟାରେ ଯାଇ ଶୋଇବ, କ’ଣ ଜର ଡାକି ଆଣିବାକୁ ନା କ’ଣ ? ତମେ ଏଇଠି ଶୁଅ ପଛକେ ।

ଆଉ ତୁ ? ବିଛଣା ଯେ ଜମା ଖଣ୍ଡିଏ । ଆଗ୍ରହରେ କଣ୍ଠ ତାଙ୍କର ଥରିଗଲା ।

କହିଲି, ମୁଁ ପଛେ ପିଣ୍ଡାକୁ ଯାଉଚି ।

ସେ ହସିଲେ । ହତାଶ୍‍ର ବେଦନାରେ ବତୁରି ଯାଇଥିଲା ଯେପରି ସେ ହସ । କହିଲେ–ନାଇଁ ଲୋ ଦୁଷ୍ଟ, ମୁଁ ପିଣ୍ଡାରେ ଶୋଇବି, ତୁ ଶୋ ଏଠି । ଘର କବାଟଟା ପଦାକୁ ଆଉଜାଇ ଦେଇ କହିଲେ–ଭିତରୁ କବାଟ ଦେଇ ଶୋ; ମୁଁ ଯାଉଚି ।

ଭାବିଲି, ମୁଁ ଶୋଇବି ଏଠି ଘର ଭିତରେ, ବିଛଣାରେ ନିଶ୍ଚିନ୍ତରେ, ଆଉ ସେ କୋଉ ଅପନ୍ତରା ପଦାଟାରେ ପାଣି ପବନରେ ଏମିତି ପଡ଼ିରହିବେ ସିନା ରାତିଯାକ ।

ବିଛଣାକୁ ରାଗରେ ଗୋଡ଼ରେ ଫୋପାଡ଼ିଦେଇ ସେଇ ଓଦା ଭୂଇଁରେ ଲଥ୍‌କିନି ଶୋଇପଡ଼ିଲି । ବାହାରେ ସେତେବେଳକୁ ମୋ ମନ-ପରାଶକୁ ଟାହୁଲି କରି ଝଡ଼ ଗର୍ଜୁଥିଲା ।

ସକାଳୁ ଉଠିବା ଆଗରୁ ନାଥନନା ମତେ ଆସି ଡାକିଲେ । ଧଡ଼୍‌ପଡ଼୍ ହୋଇ ଉଠି ବସିଲି ମୁଣ୍ଡରେ ଲୁଗା ଦେଇ । ପଚାରିଲେ, ରାତିଯାକ ଏମିତି କବାଟ ଖୋଲା ଥିଲା ପରା ? ତା’ପରେ ଭାରି ଆଶ୍ଚର୍ଯ୍ୟ ହୋଇ କହିଲେ, ବିଛଣା ଛାଡ଼ି ଏମିତି ଓଦାଭୂଇଁଟାରେ ରାତିଯାକ ଶୋଇଚୁ ନା ?

କହିଲି, ନିଜେ କୋଉ ଏବେ ଖଟ ପଲଙ୍କରେ ଶୋଇଥିଲ ଶୁଣେ ?

ସାର୍ଥକତାର ସୁଖରେ ତାଙ୍କ ମୁହଁ ଉଜ୍ଜ୍ଵଳ ହୋଇଉଠିଲା । ସେ କହିଲେ-ହଉ, ଦେ ଚଞ୍ଚଳ ଦାନ୍ତ ଘଷିପକା । ସବାରୀ ଆସିଲାଣି କି ନା ମୁଁ ଦେଖେ ।

ସେ ପଦାକୁ ଚାଲିଗଲେ, କିଛି ସମୟ ପରେ ଫେରିଆସି କହିଲେ–ସତୀ, ସବାରୀ ତ ମିଳିଲା ନାହିଁ କୋଉଠୁ ଖୋଜି ଖୋଜି । ଖଣ୍ଡେ ବଳଦଗାଡ଼ି ଆସିଚି । କ’ଣ କରିବି, ଯାଇପାରିବୁ ସେଥିରେ ?

କେତେ ଚିନ୍ତା ସତେ ୟାଙ୍କର ମୋ’ପାଇଁ ! କହିଲି–ହଁ; ସେହିଥିରେ ଯିବି ।

ନାଥନନାଙ୍କ ସଙ୍ଗେ ବାହାରକୁ ଆସିଲି । ନଈ ପାରିହୋଇ ଆରପାଖରେ ଯାଇ ବସିଲି ଗାଡ଼ିରେ । ମୋ ଆଗରେ ନାଥନନା ବସି ଗାଡ଼ିବାଲାକୁ କହିଲେ; ଅଡ଼ା ।

ଗାଡ଼ିବାଲା ପଚାରିଲା–କୋଉଠିକି ଯିବ ବାବୁ ?

ନରହରି ମିଶ୍ରଙ୍କ ଘରକୁ ।

ଖରା ପଡ଼ିନଥିଲା ସେତେବେଳକୁ । ରାତି ବରଷାରେ ଠାଏ ଠାଏ ପାଣି ଜମି ଯାଇଥିଲା । ପୃଥିବୀ ଯେପରି ତା’ର ପାହାନ୍ତାଗାଧୁଆ ସାରି ଓଦାଲୁଗାରେ ଠିଆହୋଇ ଗଛ ପତରର ନୀଳାମ୍ୱରୀ ଚିପୁଡ଼ି ପିନ୍ଧୁଥିଲା ଆଉ ଥରେ । ବାହାର ଆଡ଼କୁ ଚାହିଁ ନାଥନନା ବସିଛନ୍ତି ଗାଡ଼ି ଭିତରେ । ରାତି ପରି ମୁହଁରେ ଆଉ ହସ ନାହିଁ । ଏକଧ୍ୟାନରେ ତାଙ୍କ ଆଡ଼େ ଚାହିଁ ଚାହିଁ ଭାବିଲି, ଆଉ କେତେ ଦଣ୍ଡ ପରେ ଏଇତକ ଦେଖା ବି ମୋର ସରିଯିବ, କେତେଦିନ ଲାଗି କିଏ ଜାଣିଚି । ଏତେ ଦୁଃଖ ଭିତରେ ଖାଲି କାଲି ରାତିର ସୁଖଟିକକ ମୋର ଗଣ୍ଠିଧନ । ମନ କଷ୍ଟ ହେଲେ ବୋଧଦବାକୁ ଖାଲି ଏଇତକ ଅମୂଲ୍ୟନିଧି ପରି ମନରେ ସଞ୍ଚାଥିବ ସବୁଦିନପାଇଁ ।

ଗାଡ଼ି ଚାଲିଲା ଅଜଣା ଅପନ୍ତରା ବାଟ ଦେଇ । ବିଲ ଗହୀର ଭିତରେ ବରଷାବତୁରା ହୋଇ ପାଚିଲା ଧାନକିଆରୀ ଯେପରି ହଳଦୀ ଲଗାଇଥିଲା ଶାଶୁଘରକୁ ଯିବ ବୋଲି ଆଉ ପାହାନ୍ତା ପବନ ତା’ର ଓଦା ମହକଟିକ ଭାର ନେଇ ଯାଉଥିଲା ବର ସଙ୍ଖୁଳିବାକୁ ବାଟ ଘାଟରେ ଭଲହୋଇ ଖରା ପଡ଼ିଯାଇଥିଲା ତାଙ୍କ ପହଞ୍ଚିଲାବେଳକୁ ।

ଦାଣ୍ଡପିଣ୍ଡାରେ ସ୍ୱାମୀ ବସିଥିଲେ; ଗାଡ଼ି ରହିବା ଦେଖି ପଚାରିଲେ–କାହା ଗାଡ଼ି ?

ନାଥନନା ଗାଡ଼ିରୁ ଓହ୍ଲାଇ ମତେ କହିଲେ–ସତୀ, ତୁ ବସିଥା ଏଠି, ମୁଁ ଘର ଭିତରେ ଖବର ଦିଏ ।

ସେ ମୋ ସ୍ୱାମୀଙ୍କ ପାଖକୁ ଯାଇ ତୁନି ତୁନି କ’ଣ କହିଲେ । ବରଡ଼ା ତାଟି ଫାଙ୍କରେ ମୁଁ ଚାହିଁଥାଏ ସିଆଡ଼େ । ମୋ ସ୍ୱାମୀ ସେକଥା ଶୁଣି ରାଗରେ ପାଟି କରିଉଠି କହିଲେ-କ’ଣ କରି ପାଇଲା କି ଏଠି ? ଆସିଚି ବେହିଆ ମୁହଁ ଦେଖାଇବାକୁ ଫେର୍ ! ସହରରେ ଢେର ବେଶ୍ୟାପଡ଼ା ଅଛି; ନେଇ ଯା ସେଠିକି । ତା’ ମୁହଁ ମୁଁ ଚାହିଁବି ନାହିଁ ।

ନାଥନନା ବିରକ୍ତ ହୋଇ କହିଲେ–କ’ଣ ଗୁଡ଼ାଏ ଛୋଟଲୋକଙ୍କ ପରି କହୁଛନ୍ତି ଆପଣ-? ଟିକେ ବୁଝିସୁଝି କଥା କୁହନ୍ତୁ ।

ସେ ରାଗରେ ଗର୍ଜିଉଠି କହିଲେ–କ’ଣ ଛୋଟଲୋକ ? ଛୋଟଲୋକ ମୁଁ ନା ସେ ? ଠାକୁରଙ୍କ ପାଖରେ କୁତ୍ରିମ କରି ପଛକୁ ରହିଯାଇଥିଲା କୋଉ ନାଗରଙ୍କ ପାଖରେ ରାତି କଟେଇବାକୁ ଶୁଣେ ? ସକାଳୁ ଆସିଛନ୍ତି ଭଲଲୋକ ହୋଇ । ନା, ମୁଁ ଓଲୁ ନୁହେଁ, ସବୁ ବୁଝେ । ଭଲ ଗତି ଯେବେ ଅଛି, ଯାଉ ସେ ମୋ ଆଗରୁ ଏଇକ୍ଷଣି । ନଇଲେ ପିଆଦା ଡକାଇ ତଣ୍ଟିଆ ମାରି ତଡ଼ି ଦେବି ଏଠୁ ।

ଆଉ ଶୁଣିପାରିଲି ନାହିଁ, ଗାଡ଼ି ଭିତରେ ମଲାଙ୍କ ପରି ଶୋଇପଡ଼ିଲି । ମନେହେଲା ମା’ କ’ଣ ଜାଣିପାରି ନାହାନ୍ତି ଏସବୁ କଥା ? କିନ୍ତୁ ସେ ଦମ୍ଭଟିକ ମୋର ଉଭେଇଗଲା । ସେ ଯେ କାଲିଠଉଁ ଏଠି ନାହାନ୍ତି ।

ଏଇ ମୋ ସ୍ୱାମୀ ! ୟାଙ୍କ ଲାଗି କାଲି ରାତିରେ ନିଜକୁ ଅନ୍ୟଠାରୁ ବଞ୍ଚାଇବାକୁ ଯାଇ ରାତିସାରା ମତେ ପୁଣି ଭଲକରି ନିଦ ହୋଇନଥିଲା । ନାଥନନା ଗାଡ଼ି ପାଖକୁ ଆସି ଗାଡ଼ିବାଲାକୁ ଦୃଢ଼କଣ୍ଠରେ କହିଲେ, ଚାଲ ।

ତାଙ୍କ ରାଗ ଦେଖି ଗାଡ଼ିବାଲା ବିଚରା ବାଉଳା ହୋଇଯାଇଥିଲା । ଡରି ପଚାରିଲା କୋଉଠିକି ବାବୁ ?

ରେଳ ଷ୍ଟେସନ ।

ଚଳନ୍ତା ଭାଡ଼ି ଭିତରେ କେଉ ଅଜଣା ବାଟର ବାଟୋଇ ମୁଁ । କୁଆଡ଼େ ଯାଉଚି, କ’ଣ କରିବି, କିଛି ଜାଣେନାହିଁ । ଦି’ଦିନ ଆଗରୁ କ’ଣ ଥିଲି, ଆଜି କ’ଣ ହୋଇଚି ! ଯେପରି ଗୋଟାଏ ଯୁଗ, ଗୋଟାଏ ଜନ୍ମ ଏହା ଭିତରେ ବିତିଗଲାଣି । ଦଣ୍ଡକରେ ଟିକିଏମାତ୍ର ଭୁଲ ପାଇଁ, ଯାହା ହୋଇପାରେ ବୋଲି ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲି, ସେଇଆ ମୋ କପାଳରେ ଘଟିଗଲା, ଅଥଚ କିଏ ମତେ ସେଥିଲାଗି ତିଳେହେଲେ କ୍ଷମା କଲା କି ? ସମାଜରେ ସ୍ତ୍ରୀ ପ୍ରତି ସ୍ୱାମୀର ସବୁଠାରୁ ବଡ଼ ଦଣ୍ଡ ମୋ ପାଇଁ ବ୍ୟବସ୍ଥା ହୋଇଯିବାକୁ ଦଣ୍ଡେ ଅଟକିଲା ନାହିଁ । ଟିକେ ଆପତ୍ତି, ଟିକେ ନା କରିବାକୁ କେହି ଆସିଲେ ନାହିଁ ମୋ ପାଇଁ । ଅଥଚ ଏଇ ପୁରୁଷ ଜାତିଟା, ସମାଜର ମଥା ହୋଇ ପୁଣି ୟା’ଠାରୁ ହଜାର ଗୁଣରେ ବଡ଼ ଭୁଲ ପ୍ରତିଦିନ ପଣ ପଣ କରିଯାଉଛନ୍ତି, ଯାହା ଉପରେ ପାଟି ଫିଟାଇବାକୁ କାହାରି ଅଧିକାର ନାହିଁ । ଭାବିଲି, ସବୁଠୁ ନିଉଛଣା, ସବୁଠୁଁ ହତଭାଗ୍ୟ ଆମର ଏଇ ସ୍ତ୍ରୀ ଜାତିଟା । ଯୌବନର ଶିଉଳିପରା ବାଟରେ ଚାଲିଲାବେଳେ ଏଇ ଜାତିର ଟିକେ ଗୋଡ଼ ଥରିବାକୁ ଯେପରି ସମାଜ ଜଗି ବସିଥାଏ, ହଜାରେ ଆଖି ମେଲି ସବୁବେଳେ । ଦେଖା ପଡ଼ିଲେ ଆଉ ରକ୍ଷା ନାହିଁ । ସାଙ୍ଗେ ସାଙ୍ଗେ ତା’ପ୍ରତି ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଯାଏ । କିନ୍ତୁ ପୁରୁଷ ! ଛାଡ଼ ସେ କଥା । ସେ ତ ଆଉ ଆମ ପରି ନୁହନ୍ତି ।

ଷ୍ଟେସନରେ ଗାଡ଼ି ପହଞ୍ଚିଲାବେଳକୁ ରେଳ ଆସିବାବେଳ ହୋଇଯାଇଥିଲା । ନାଥନନା ମତେ ସାଙ୍ଗରେ ନେଇ ଭିତରକୁ ଗଲେ । ଦଣ୍ଡକ ପରେ ଘଡ଼ଘଡ଼ି ଶବ୍ଦରେ ଭୂଇଁ କମ୍ପାଇ ଗୋଟାଏ କାଳିଆ ଗାଡ଼ି ପବନ ପରି ଜୋରରେ ଧୂଆଁ ଧୂଳିର କୁହୁଡ଼ି ବୋଳି ହୋଇ ଆସି ଠିଆହେଲା । ମନେହେଲା, ଯେପରି କୋଉ କାହାଣୀମାଳାର ଅସୁରରଜା ହଜିଥିବା ରଜାଝିଅକୁ ଖୋଜିବାକୁ ଧାଇଁଚି । ଲୋକଗହଳି ଆଉ ଘୋ ଘୋ ଭିତରେ ଆମେ ଯାଇଁ ଗୋଟାଏ କୋଠରିରେ ବସିଲୁ । ଗାଡ଼ି ଚାଲିଲା । ମଫସଲ ଲୋକଙ୍କ ଅଜଣାରେ ବାହାରେ ପୁଣି ଏତେ ନୂଆ, ଏତେ ଅଦେଖା କଥା ଅଛି ! ମତେ ଖାଲି ସବୁ ସ୍ୱପ୍ନ ପରି ଲାଗୁଥାଏ । ବଗିଗାଡ଼ି ଆସି ଗୋଟିଏ ଛୋଟ କୋଠା ଆଗରେ ରହିଲା ।

ଆଶ୍ଚର୍ଯ୍ୟ ହୋଇ ପଚାରିଲି–ଏ କୋଉଠା ନାଥନନା ?

ସେ କହିଲେ, ଏ କଟକ ପରା ।

ଏଠିକି ଆସିବି ବୋଲି ମୁଁ ଆଉ ଜାଣିଚି ? ପଚାରିଲି, ଗାଁକୁ ଯିବା ପରା । ହଁ ଯିବା ଯେ, ଆଜି ନୁହେଁ, ସେ କହିଲେ ।

ଆମେ ଯୋଉ ବସାରେ ରହିଲୁ, ସେଇଥିରୁ ଗୋଟାଏ କୋଠରି ସଫା କରେଇ ନାଥନନା ମତେ କହିଲେ–ସତୀ ! ତୁ ଏଇ ଘରେ ଥା, ମୁଁ ବଜାରରୁ ଆସେ ।

କହିଲି, ମୁଁ ଏକା ରହିବି ଏଠି ?

ନାଇଁ ଲୋ ଓଲି । ଏ ବସାରେ ଆଉ ଜଣେ ଲୋକ ପିଲାପିଲି ନେଇ ବସାକରି ଅଛି । ଭୟ କ’ଣ ତୋ’ର ? ମୁଁ ଏଇକ୍ଷଣି ଆସୁଚି ଯେ । ସେ ବାହାରକୁ ଚାଲିଗଲେ । ଘର ଭିତରେ ତୁନିହୋଇ ବସି ମୁଁ ଦୁନିଆଁ ବ୍ରହ୍ମାଣ୍ଡ କଥା ଭାବିବାକୁ ଲାଗିଲି । ଆଜି, ଏଇ କେତେଘଣ୍ଟା ଆଗରୁ ମତେ ନେଇ ଯେ ଏତେବଡ଼ ଅସୁନ୍ଦର କଥାଟା ହୋଇଗଲା; ବାପା ବୋଉ ହେରିକା କେହି ଏ ଖବର ଏତେବେଳଯାଏ ଶୁଣି ନ ଥିବେ । ଗାଁରେ ବି କେହି ଜାଣି ନ ଥିବେ ପରା । କିନ୍ତୁ ଦିନେ ତ ଜାଣିବେ ପୁଣି । ଜାଣିବେ ମୋ ସ୍ୱାମୀ ମୋତେ କେମିତି ଘରୁ ତଡ଼ିଦେଇଥିଲେ ସାମାନ୍ୟ ଦୋଷରେ-। ମୁଁ ବି କୋଉ ଦମ୍ଭରେ ତାଙ୍କ ପାଖେ ଶରଣ ନ ପଶି ଚାଲିଆସିଲି ! ଆସିଲି ପୁଣି ନାଥନନାଙ୍କ ସାଙ୍ଗରେ; ମୋର ବାହାଘର କେତେ ମାସରୁ ଯାହାଙ୍କ ସଙ୍ଗେ ଠିକ୍ ହୋଇ ଯାଇଥିଲା-। ଛି ଛି, ବାପା ବୋଉଙ୍କୁ କେମିତି ଯାଇ ଫେର୍ ମୁହଁ ଦେଖାଇବି ? ସେଦିନ ସେଇ ଠାକୁରଙ୍କ ପାଖରେ ଭିଡ଼ ଭିତରେ ନ ମଲି କାହିଁକି ? ଗାଁ ଲୋକେ ବାପା ହେରିକାଙ୍କୁ ପଚାରିବେ, ତମ ଝିଅକୁ ତା’ର ଶାଶୁଘର କାହିଁକି ତଡ଼ିଦେଲେ କି ? ସେତେବେଳେ କ’ଣ ଉତ୍ତର ଦେବେ ସେ-? ମୋରି ଲାଗି ସିନା ସେମାନଙ୍କର ମୁହଁ ତଳକୁ ହୋଇଯିବ । କିନ୍ତୁ ଏଇ ସବୁଥିଲାଗି କିଏ ଦାୟୀ–ଏଇ ନାଥନନା । ମୁଁ ତ ଆଉ ମୋରି କଥା ନେଇ ସ୍ୱାମୀଙ୍କ ସାଙ୍ଗେ ଦାଣ୍ଡଦୁଆରେ କଳି କରିନଥାନ୍ତି ! ସେ ତ ମୋ ପାଇଁ କହିବାକୁ ଥିଲେ । ସ୍ଵାମୀ ଯେତେବେଳେ ଚିଡ଼ିଉଠିଲେ, କାହିଁକି ଏ ସେତେବେଳେ ମଉନ ହୋଇ କଥା ନ କହିଲେ ତାଙ୍କ ପାଖରେ ? ମତେ ଘରକୁ ନବାକୁ ହାତ ଓଠ ନ ଧଇଲେ ତାଙ୍କର ? ତେଣିକି ସେ ଘରେ ମୁଁ କେମିତି ଚଳିଥାନ୍ତି, ସେ କଥା ମୁଁ ଜାଣେ । ଏତେଦିନ ତ ଏବେ ସ୍ୱାମୀଙ୍କର ବିଛଣା ମାଡ଼ି କଟେଇ ଆସିଥିଲି, ଆଉ କେଇଟା ଦିନ ସେମିତି ଏବେ କଟିଯାଇଥାନ୍ତା । ମୋ କଷ୍ଟପାଇଁ ୟାଙ୍କର ଏତେ ମୁଣ୍ଡ ବଥାଉଥିଲା କାହିଁକି ? ଏଇ ଦମ୍ଭଟିକ ଦେଖାଇବାକୁ ଯାଇ ଯେ ଭୁଲଟି କରିବସିଲି, ଜୀବନ ଗଲେ ବି ତ ଆଉ ସୁଧୁରିବ ନାହିଁ ।

କବାଟ ଫିଟାଇବା ଶବ୍ଦରେ ଚାହିଁ ଦେଖିଲି, ନାଥନନା । ଗୋଟାଏ ବଡ଼ ଟୋକେଇରେ ବୋଝେ ଜିନିଷ ଆଣି ଜଣେ ଲୋକ ଘର ଭିତରେ ଥୋଇଦେଇ ଗଲା ।

ନାଥନନା ହସି ହସି ଡାକିଲେ–ସତୀ ।

କିଛି କହିଲି ନାହିଁ ରାଗରେ ।

ମତେ ଚୁପ୍‌ହୋଇ ରହିବା ଦେଖି ସେ ପୁଣି ଡାକିଲେ-ସବୁ କିଣିଆଣିଲି ସତୀ, ଘରକରଣାର ଯେତେକ ଜିନିଷ । ଏ କ’ଣ, ତୁ କାନ୍ଦୁଚୁ ?

ମୁହଁଟା ଦଣ୍ଡକେ ତାଙ୍କର ବେଦନାରେ ଝାଉଁଳି ପଡ଼ିଲା । ପାଖକୁ ଆସି ମୋ ପିଠିରେ ହାତରଖି ଡାକିଲେ–ସତୀ ।

ଉଁ ।

କାହିଁକି କାନ୍ଦୁଛୁ, କହିବୁ ନାହିଁ ମତେ ?

ମିଛରେ କହିଲି, ମୁଣ୍ଡ ବଥାଉଚି ଭାରି ।

ଦଣ୍ଡେ ଛିଡ଼ାହୋଇ ସେ କ’ଣ ଭାବିଲେ । ତା’ପରେ ଦଉଡ଼ି ବାହାରକୁ ଚାଲିଗଲେ ସେଇ ଖରାଟାରେ । ଗଲାବେଳେ ଟୋକେଇରେ ତାଙ୍କ ଗୋଡ଼ ବାଜି ହାଣ୍ଡିକୁଣ୍ଡେଇ ଆଉ କେତେଟା ବୋତଲ ଭାଙ୍ଗି ଚୁନା ହୋଇଗଲା, ସେ ଆଡ଼କୁ ଥରେ ଚାହିଁଲେ ବି ନାହିଁ । ମିନିଟିଏ ହୋଇଚି କି ନାହିଁ, ଗୋଟାଏ କି ଡବା ଧରି ଫେରିଆସି କହିଲେ, ଟିକେ ମୁଣ୍ଡରେ ଲଗାଇଦିଏ ଏଥିରୁ, ଏଇକ୍ଷଣି ବନ୍ଦ ହୋଇଯିବ ।

ମିଛ ତ କହିଚି, ଓଷଦ ଲଗାଇବାକୁ ହେଲା । ତା’ପରେ ମତେ ଜୋରକରି ଶୁଆଇଦେଲେ ସେ ବିଞ୍ଚିବସିଲେ । ତୁନିହୋଇ ବିଛଣାରେ ଶୋଇପଡ଼ିଲି । ଆଖିଦି’ଟା ଅକାରଣରେ ଲୁହରେ ପୂରିଉଠିଲା ।

ଦଣ୍ଡକ ଆଗରୁ ମୁଁ ପୁଣି ୟାଙ୍କ ଉପରେ ରାଗୁଥିଲି ।

ମତେ ଉଠିବା ଦେଖି ସେ ପଚାରିଲେ, ଟିକେ ଭଲ ଲାଗୁଚି ?

କହିଲି, ହଁ; ରହିଗଲାଣି ।

ପୁଣି ଆଗପରି ହସି ହସି ମୋ ସାଙ୍ଗରେ ଘରକରଣା କଥା ଆରମ୍ଭ କରିଦେଲେ । କହିଲେ, ତରତରରେ ଗୋଡ଼ ବାଜି ହାଣ୍ଡିଗୁଡ଼ା ତ ସବୁ ଭାଙ୍ଗିଗଲା, ଫେର୍ ଥରେ ବଜାରରୁ ଆଣିବାକୁ ହବ ଦେଖୁଚି ।

କହିଲି, କ’ଣ ହବ ହାଣ୍ଡି, ଏଇଥିରେ ଚଳିଯିବ ନାହିଁ କି ?

ଚଳିଯିବ ? ହଉ ତେବେ । ହଁ, ବଜାରରେ ଏତେବେଳେ ଠିକାରେ ସେମିତି ପୂଝାରୀ ତ ମିଳବେ ନାହିଁ । ପୁଣି ଜଣେ ଠିକ୍ ହବାଯାଏ..... ସେ କ’ଣ ଭାବି ତୁନି ହୋଇଗଲେ ।

କହିଲି, କ’ଣ ହବ ପୂଝାରୀ ? ମୁଁ ଆମ ଦୁଇ ଜଣଙ୍କ ପାଇଁ କ’ଣ ରୋଷେଇ କରିପାରିବି ନାହିଁ ଯେ.....

ସେ ହସିଲେ । କହିଲେ, ତୋ ହାତରେ ଖାଇବା ଲୋଭରେ ତ ଅଧେ ପୂଝାରୀ ଖୋଜିଲି ନାହିଁ ଆଜି । କିନ୍ତୁ ଏଇ ଓଳିକ, ତେଣିକି ଈଶ୍ୱର ଯେମିତି ତମେ ଏ ଦୁର୍ବୁଦ୍ଧି ଆଉ ନ ଦିଅନ୍ତି-

ଦିହେଁଯାକ ହସିଉଠିଲୁ ।

ସେଇ ଦି’ପହରୁ ଗଣ୍ଡାଏ ଖାଇଦେଇ ନାଥନନା ପୂଜାରୀ ଖୋଜିବାକୁ ବାହାରିଛନ୍ତି ଯେ ଏତେବେଳଯାଏ ଫେରିନାହାନ୍ତି । ନୂଆ ଚାକିରିଆଣୀ ଆମର ଯେ ଆଜି ରହିଥିଲା, ତାକୁ ଦାଣ୍ଡକୁ ତିନି ଚାରି ଥର ପଠେଇଲି ଦେଖିବାକୁ; କିନ୍ତୁ ସେ ଫେରିନାହାନ୍ତି । ଭାବିଲି, ଫେରିବାକୁ ତାଙ୍କର କେତେ ଡେରି ହବ କେଜାଣି ? ଗଣ୍ଡାଏ ସହଳ ସହଳ ବସାଇଦିଏଁ । ଚୁଲିରେ ଦି’ପହରର ନିଆଁ ଥିଲା । ସେଥିରେ ମୁଠାଏ କୁହୁଳା ପକାଇଦେଇ ସେଇ ଘରେ ପରିବା କାଟିବସିଚି, ଗୋଟିଏ କିଏ ସ୍ତ୍ରୀଲୋକ ଘର ଦୁଆର ମୁହଁରେ, ଆସି ଠିଆହେଲା । ଚେହେରାରୁ ବେଶ୍‌ ଭଦ୍ରଘରର ବୋଲି ଜଣାଉଥିଲା । ବୟସ ମଧ୍ୟ ମୋ’ଠା’ରୁ ବେଶୀ ନୁହେଁ । କିଏ ଏ, ମୁଁ ଚିହ୍ନି ନାହିଁ । କିଛି କହିଲି ନାହିଁ-

ଦଣ୍ଡେ ଗଲା ।

ଆଗେ ସେ କଥା ଆରମ୍ଭ କଲା । କହିଲା, ମୁଁ ଏଇ ଆର ଖଞ୍ଜାରେ ଥାଏ । ଆମର ‘ସେ’ କିଲଟରୀ କଚିରିରେ କାମ କରନ୍ତି । ଦି’ବର୍ଷ ହେଲା ଏଇଠି ବସାକରି ଅଛୁ ।

ୟାଙ୍କରି କଥା ନାଥନନା ସକାଳେ କହୁଥିଲେ ପରା । କହିଲି, ବସ ।

ସେ ବସିଲା । କହିଲା; ବସିବାକୁ ମତେ ବେଳ ନାହିଁ । ଆଜି ମାସଶେଷ ଶନିବାର ବୋଲି ତାଙ୍କର କଚିରିରୁ ଫେରିବାକୁ ଆହୁରି ଡେରି ଅଛି; ନଇଲେ ଏତେବେଳକୁ ନିଃଶ୍ୱାସ ସାରିବାକୁ ମତେ ଦଣ୍ଡେ ତର ନ ଥାଏ ।

ପଚାରିଲି, ତମେ କ’ଣ ଏକା ଏଠି ଥା ?

ସେ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲା-ହୁଁ, ଆଉ କିଏ ଥାଆନ୍ତା ? ପାଞ୍ଚବର୍ଷରେ ଭଗବାନ କୋଡ଼ରେ ଧରିବାକୁ ଗୋଟିଏ ଦେଇଥିଲ; ଯେ ତାକୁ ନେଇଗଲେ । ସେଇଦିନୁ ସେ କଚିରି କି ଗଲାବେଳୁ ଘରେ ମୁଁ ବରାବର ଏକା ଥାଏ ।

ଦୁଃଖ ଆଉ ବେଦନାରେ ଶେଷକଥାଗୁଡ଼ାକ ତା’ର ଭାରୀ ହୋଇଆସିଲା । ଦଣ୍ଡେଯାଏ ସେ ତୁନିହୋଇ ରହିଲା । ଭାବିଲି, ପୁଅ କଥା ମନେକରି କାନ୍ଦୁଚି ବୋଧହୁଏ ।

କିଛି ସମୟ ପରେ ସହଜ ଭାବରେ ସେ ପଚାରିଲା, ଏ ବସାକୁ ଆଜି ନୂଆ ଆସିଚ ପରା ।

କହିଲି, ହଁ ।

ଆଗରୁ କୋଉଠି ଥିଲ ସବୁ ?

ମଫସଲରେ ।

କିଛିକ୍ଷଣ ସେ କ’ଣ ଭାବିଲା, ତା’ପରେ ହଠାତ୍ ମୋତେ ପଚାରିଲା, ତମ ବାବୁ କଚିରିରେ କ’ଣ କାମ କରନ୍ତି ପରା ?

ଭାରି ଲାଜ ମାଡ଼ିଲା କଥା ଶୁଣି । ଟିକିଏ ହସି ତଳକୁ ମୁହଁ ପୋତିଲି ।

ସେ ହସିଲା । କହିଲା, କହୁନା ଗୋ, ଲାଜ ମାଡ଼ୁଚି ପରା । ମତେ ବି ଆଗ ଏମିତି ଲାଜ ମାଡ଼ୁଥିଲା ତାଙ୍କ କଥା ପଡ଼ିଲେ । ତେବେ ମୁଁ, ପଡ଼ିଶା ଘରକୁ ଘର ଲାଗିଚି । ମୋ ଆଗରେ ଆଉ କହିବାକୁ ଗୋଟିଏ ଲାଜ କ’ଣ ?

ବାଧ୍ୟହୋଇ କହିଲି, ନା ।

ଆଉ କ’ଣ ବେପାର ବଣିଜ କରନ୍ତି ?

ନା, କିଛି ନୁହେଁ ।

ସେ ଆଶ୍ଚର୍ଯ୍ୟ ହୋଇଗଲା ମୋ କଥା ଶୁଣି । ପଚାରିଲା, ତେବେ ଆଉ କ’ଣ କରନ୍ତି ସେ କଟକରେ ।

କହିଲି, ବୁଲି ଆସିଛନ୍ତି ।

ବୁଲି ଆସିଛନ୍ତି । କାବାହୋଇ ଆଖି ଦି’ଟା ବଡ଼ ବଡ଼ କରି ସେ ପଚାରିଲା, ବୁଲିଆସିଛନ୍ତି ଖାଲି; ସ୍ତ୍ରୀ ପରିବାର ସାଙ୍ଗରେ ନେଇ ? ତାହାହେଲେ ମସ୍ତବଡ଼ ଲୋକ ତମେ ? ଜମିଦାର ହେରିକା ହବ, ନୁହେଁ ?

ନାଥନନାଙ୍କୁ ନେଇ ଏ ଲଜ୍ଜାକର ପ୍ରସଙ୍ଗ ପକାଇବାକୁ ମତେ କେମିତି ଭାରି ଅଡ଼ୁଆ ଲାଗୁଥିଲା । ଖାଲି କଥାରୁ ରକ୍ଷା ପାଇବାକୁ କହିଲି, ହଁ ।

ତା’ପରେ ସେ ବୋଧହୁଏ ପଚାରିବାକୁ ବସିଥିଲା, କୋଉ ଗାଁ ଜମିଦାର, କେତେ ଜମିଦାର, ଇତ୍ୟାଦି । ସେତିକିବେଳେ ବାହାରେ ଜୋତା ଶବ୍ଦ ଶୁଭିଲା । ସେ ତର ତର ହୋଇ ଉଠି କହିଲା-ଆଜି ଯାଉଚି, ଆଉଦିନେ ଆସିବି ।

କହିଲି, ହଉ ।

ରୋଷେଇଘର ଦୁଆର ମୁହଁରେ ନାଥନନା ଆସି ଠିଆହେଲେ । କହିଲେ, ଯାହା ଭାବୁଥିଲି ବାଟରେ, ଠିକ୍ ସେଇୟା । ଅନ୍ନପୂର୍ଣ୍ଣା ଆମର ଯୋଗାଡ଼ରେ ଲାଗିଯିବେଣି ଏତେବେଳକୁ-। ତା’ପରେ ଘର ଦୁଆରବନ୍ଧ ଉପରେ ବସି କହିଲେ–କ’ଣ କରିବି, ଏ ଓଳି ବି ପୂଝାରୀ ଗୋଟାଏ ପାଇଲି ନାହିଁ, ସତୀ ।

କହିଲି, କାମ ତ ଚଳିଯାଉଚି ।

ଚଳିଯାଉଚି ସିନା, ଦରକାର ତ ଫେର୍ ଜଣେ ପୂଝାରୀ ? ତୋ’ର ଏସବୁ କ’ଣ ଅଭ୍ୟାସ ଅଛି ।

ଘରେ ତ ପୁଣି ରୋଷେଇ କରୁଥିଲି ବରାବରି, ମୁଁ କହିଲି, ସେଦିନ ଆଉ ଆଜି ? ଏବେ ଟିକେ ଖରାରେ ଆସି ମୁଣ୍ଡ ବଥେଇଲା ଏମିତି । ଜମିଦାର ଘର ବୋହୂ ହୋଇଥିଲୁ, ଆଉ କିଛି ନୋହୁ, ହାତରେ ରାନ୍ଧି ଖାଇବାକୁ ତ ପଡ଼ି ନ ଥିବ ଶାଶୁଘରେ ।

କିଛି ଜବାବ ଦେଲିନାହିଁ । ଏତେ ସୁଖ ଭିତରେ ପୁଣି ସେଇ ପୁରୁଣା କଥାଗୁଡ଼ାକ ମନରେ କିପରି ଗୋଟାଏ ସ୍ତବ୍ଧ ନିରାନନ୍ଦ ବେଦନା ଦେଇଗଲା । ଚୁପ୍‌ହୋଇ ତଳକୁ ମୁହଁପୋତି ପରିବା କାଟିବାରେ ଲାଗିଲି । ସେ ବି କଥାପଦକ କହି ଆପଣା ମନକୁ କାଇଲି ହୋଇଯାଇଥିଲେ ଯେମିତି ।

ଦଣ୍ଡେକାଳ କେହି କିଛି କହିଲୁ ନାହିଁ । ତା’ପରେ ମୁଁ କହିଲି, ଯାଅ, ଜାମା ହେରିକା ବଦଳିପକା, ରୋଷେଇ ସରିଲାଣି ।

‘ହଁ ଯାଉଛି’ କହି ସେ ତାଙ୍କ ବସିବା ଘର ଭିତରକୁ ଚାଲିଗଲେ ।

ରାତିରେ ଖିଆପିଆ ସରିବା ପରେ ଚାକିରିଆଣୀ ବାସନହେରିକା ଧୋଇଦେଇ ଘରକୁ ବାହାରିଲା । ପଦାରୁ ଦାଣ୍ଡଦୁଆର ଆଉଜାଇ ଦେଇ କହିଲା, କବାଟ ଦିଅ ଗୋ, ନଇଲେ କୁକୁର ପଶି ହାଣ୍ଡି ମାରା କରିବ ।

ଆଲୁଅଟା ନେଇ କବାଟ ବନ୍ଦ କରିବାକୁ ଯାଉଚି, ପିଣ୍ଡାରେ ଦେଖିଲି, ନାଥନନା କବାଟ ଲଗାଇ ଫେରୁଛନ୍ତି । ମତେ ଦେଖି କହିଲେ, ଏ ଶୀତଟାରେ ଉଠି ଏତେ ବାଟ ଆସିବାକୁ ତତେ କିଏ କହିଲା ?

ହସ ମାଡ଼ିଲା କଥା ଶୁଣି ।

କହିଲି, ତୁମକୁ ବା କିଏ କହିଲା ଶୁଣେ ?

ସେ ବଡ଼ପାଟି କରି ହସିଉଠି କହିଲେ, ହଉ ଯା ଶୋଇପଡ଼ିବୁ । ଭିତରୁ କବାଟଟା ଦେଇଦବୁ । ଭାରି ଚୋର ଭୟ ଏ ସହର ଜାଗାରେ ।

ଚୋର ଭୟ ? ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

ହଁ, ଡର ମାଡ଼ୁଛି କି ଏକା ଶୋଇବାକୁ ?

ତରତରରେ କହି ପକାଇଲି, ମତେ ଡର ମାଡ଼େ ନାହିଁ ।

ବିଛଣାରେ ଶୋଇ ଭାବିଲି, ମୋ ପାଇଁ ରାତିଦିନ ପଛେ ୟାଙ୍କୁ ନିଦ ନ ଥାଉ, ମୋର ପୁଣି ଏଇୟାଙ୍କୁ ସେତିକି ଭୟ, ଯେତିକି ସନ୍ଦେହ । ଛି ଛି ମାଇପିଜାତିଟା ଏମିତି ଅକୃତଜ୍ଞ କ’ଣ !

ଘର ବାହାର ଧୂଆଁଘୋଡ଼ା କରି ସେଦିନ ଘୋଟି ଯାଇଥାଏ କୁହୁଡ଼ି କୋଉ ଦିଗନ୍ତପାରିର ଶେଷଯାଏ । ମନେ ହଉଥାଏ, ଯେମିତି ଶୀତବୁଢ଼ୀ ତା’ର ପାଉଁଶିଆ ରଙ୍ଗ ପୁରୁଣା କନ୍ଥାଟି ସରଗ ଅଗଣା ତଳେ ଖରା ଦେଇଚି । ସକାଳୁ ଉଠି ସେଦିନ ନାଥନନା କୁଆଡ଼େ ବାହାରିଥିଲେ ।

ପଚାରିଲି, କହିଲେ–ଘଣ୍ଟାକେ ଫେରିଆସିବି ।

ରୋଷେଇ ଲାଗି ଚାଉଳପତ୍ର କାଢ଼ିବାକୁ ଯାଉଛି ଚାକିରିଆଣୀ ଆସି କହିଲା–ମତେ ଦିଅ ମା’ ସବୁ ଯୋଗାଡ଼ କରିଦଉଚି । ରୋଷେଇ ପାଇଁ ତମେ ଖାଲି ଯାଇ ଚୁଲି ପାଖରେ ବସ ।

ପଚାରିଲି, କାହିଁକି ?

ସେ କହିଲା–ବାବୁ ମତେ ଦିନେ ଡାକି କହିଲେ, ପରାତରେ କିଛି ବେଶୀ ଦରମା ଦିଆଯିବ ପଛକେ, ରୋଷେଇ ପାଇଁ ଯାହା ବାହାର କାମ ସବୁ, ତୁ ଦିଓଳି ଯୋଗାଡ଼ କରି ଦଉଥିବୁ-। ତାକୁ ଯେମିତି ଦି’ଟା ରାନ୍ଧିବା ଛଡ଼ା ଆଉକିଛି କରିବାକୁ ନ ପଡ଼େ ।

କୌତୂହଳ ହେଲା । କହିଲି, ସତେ ନା ?

ହଁ, ମୁଁ କ’ଣ ଏ ସକାଳୁ ତମ ପାଖେ ମିଛ କହନ୍ତି ମା’ ସାଆନ୍ତାଣୀ ? କୋଉ ପାପରୁ କେଜାଣି କୁଳମୂଳ ତ ସବୁ ଖାଇ ବସିଲି । ଆଉ ଏଦିନେ ମିଛ କହିବି କ’ଣ ନର୍କକୁଣ୍ଡରେ ଘାଣ୍ଟି ହେବା ଲାଗି ।

ଆଉ କ’ଣ ନା ଏତିକି ?

ଯା ସେ କହିଲେ, ତା’ ନୁହେଁ କ’ଣ ? ଖଟ ପଲଙ୍କରେ ଅଳିଅଳରେ ପିଲାଦିନୁ ବଢ଼ିଆସିଚ । ତୁମକୁ ମା’ ଇଏ ରୋଷେଇ ଫୋଷେଇଗୁଡ଼ାକ ବାଧିବ ନାଇଁ ଆଉ କ’ଣ ! ତେବେ କ’ଣ ଆଉ କରିବ ? ମଫସଲ ଗାଁ ହୋଇଛି ଯେ ହୁକୁମ ଦେଲେ ଗଣ୍ଡାଏ ପୂଝାରୀ ଧାଇଁଆସିବେ-? ଏ ତ ମା’ କଟକ ସହର, ପଇସା ଦେଇ ବି ଲୋକେ ଓଳିଏ ଓପାସ ଶୋଉଛନ୍ତି ଏଠି ପୂଝାରୀ ହଇରାଣରୁ । ମୁଁ ବାବୁଙ୍କୁ କହିଲି–

କ’ଣ କହିଲୁ ? ମୁଁ ପଚାରିଲି ।

କହିଲି, ସେଇୟା ହେଲେ ଗାଁକୁ ଯାଉନା ବାହାରି ? ଏତେ ଅସହଜରେ କାହିଁକି ରହିଚ-?

ସେ କ’ଣ କହିଲେ ? ପଚାରିଲି ।

କହିଲେ, କାମ ନ ସରିଲେ ଯାଇପାରୁଚି କୋଉଠି ?

ମନଟା କେମିତି ନିରସ ହୋଇଗଲା ଏ କଥା ଶୁଣି । ଏଇ ଗାଁକୁ ଯିବା କଥା ଆହୁରି ଥରେ ଦି’ଥର ନାଥନନାଙ୍କୁ ମୁଁ କହିଲିଣି । ଶୁଣି ମୁହଁଟା ତାଙ୍କର କେମିତି ଝାଉଁଳି ଯାଏ । ନ ଶୁଣିଲା ପରି ବାଆଁରେଇ ଦେଇ ଅନ୍ୟକଥା ପକାନ୍ତି । ଗୋଟାଏ କୁତ୍ସିତ କଳ୍ପନା ମନକୁ ଆସି ଛାତି ଭିତରଟା ମୋର ଥରାଇ ଦେଇଗଲା । ଜୋରକରି ସେ ଭାବଟା ମନରୁ ତଡ଼ିଦେଇ କାମ ଭିତରେ ସବୁ ଭୁଲିଯିବା ଚେଷ୍ଟା କଲି ।

ଦୁଆର ମୁହଁରେ ଶବ୍ଦ ଶୁଭିଲା । ଚାହିଁଲି, ସେଇ ପଡ଼ିଶା ମାଇପିଟା ଠିଆ ହୋଇଚି । ମତେ ଚାହିଁବା ଦେଖି ଘର ଭିତରକୁ ଆସି ପଚାରିଲା–କିଲୋ, କ’ଣ ସବୁ ହଉଚି ?

କହିଲି–କିଛି ନାହିଁ, ବସ ।

ନାଇଁଲୋ ଭଉଣୀ ! ବସିବାକୁ ମତେ କୋଉଠି ତର ଅଛି ? ସାହାବ ପାଖେ କ’ଣ କାମ ଥିଲା ବୋଲି ଆମର ସିଏ ଆଜି ସକାଳୁ ଉଠି ଚାଲିଗଲେ । କିଛି କାମ ନ ଥିଲା, କହିଲି, ଯାଏ ଟିକେ ବୁଲିଆସେ । ତମର ବି ତ ଶୂନ୍‌ଶାନ୍‌ ।

କହିଲି, ହଁ ।

କୁଆଡ଼େ ଯାଇଛନ୍ତି ? କ’ଣ ପୂଝାରୀ ଖୋଜିବାକୁ ? ଧନ୍ୟ ସ୍ୱାମୀଟିଏ ପାଇଚ ଏକା । ଘରେ କ’ଣ ହେଲା ନୋହିଲା ସ୍ତ୍ରୀ ଚିନ୍ତାଦକ ନାହିଁ, ଇୟାଡ଼େ ଖରା ନାହିଁ ତରା ନାହିଁ, ଗେରସ୍ତ ଖୋଜିବୁଲୁଚି । ଆଉ କ’ଣ ଦରକାର ? ମୁଁ ଯଦି ଏମିତି ସ୍ୱାମୀଟିଏ ପାଇଥାନ୍ତି, ସତ କହୁଚି ଭଉଣୀ, ଗୋଡ଼ ମୋର ଆଉ ତଳେ ଲାଗୁ ନ ଥାନ୍ତା ପରା ।

ସେ କହିଲା ଏ କଥା; କିନ୍ତୁ ଏ ଯେ ମୋ ସ୍ୱାମୀ ନୁହନ୍ତି, ଏ କଥା ତ ଇୟେ ଆଉ ଜାଣେନା । ତଥାପି ମୋ ସ୍ୱାମୀଙ୍କି ପ୍ରଂଶସା କରିଥିଲେ ମନରେ ଯେତେ ଗର୍ବ ହୋଇଥାନ୍ତା, ଏଥିରେ ତା’ଠୁ କିଛି କମି ହେଲାନାହିଁ । ଛାତି ପୂରିଉଠିଲା ସୁଖରେ । ଅଜାଣତରେ କେତେବେଳେ ପାଟିରୁ ବାହାରିଗଲା, ମୋ ଭାଗ୍ୟ । ଦଣ୍ଡେ ଗଲା, କ’ଣ ମନେକରି କେଜାଣି ପଚାରିଲି, ତମେ ଜମା କ’ଣ ତମ ଗାଁକୁ ଯାଅନା ? ବୋରାବୋରି ଏଇଠି ଥା ? ସେ କହିଲା–ଯିବି କାହା ଲାଗି-? ଯାହାପାଇଁ ଯିବା କଥା, ସେ ତ ସବୁବେଳେ ଏଠି, ଶଶୂର କୁଳରେ କିଏ ଅଛି ଆଉକି ? ଏକା ବୁଢ଼ୀ ଶାଶୁଟିଏ । ବର୍ଷେ ଛ ମାସେ ବି ଥରେ ଥରେ ଏଠିକି ଆସନ୍ତି, ଦଶ ପନ୍ଦର ଦିନ ରହି ପୁଣି ଘରକୁ ଫେରିଯାନ୍ତି ।

ଆଉ ବାପଘରେ ? ମୁଁ ପଚାରିଲି । ଜୋରରେ ଗୋଟେ ଦୀର୍ଘନିଃଶ୍ୱାସ ପକାଇ ସେ କହିଲା-ହଁ, ସେ ଆରଦୋଳି ସବୁଦିନପାଇଁ ମୋର ସରିଯାଇଚି । ବାପା ତ ମରିଥିଲେ ମୁଁ ପାଞ୍ଚବର୍ଷର ହୋଇଥିଲି ଯେତେବେଳେ, ବାକି ବୋଉ ଏକା, ହଇଜାରେ ଦି’ବର୍ଷ ହେଲା ବି ସେ ଏ ଜଞ୍ଜାଳରୁ ଛୁଟି ପାଇଗଲାଣି ।

ଗୋଟାଏ ଅଜଣା ଭୟରେ ମନଟା କେମିତି ଘାଣ୍ଟି ହୋଇଗଲା । କେତେଦିନ ହେଲା ବାପା ହେରିକାଙ୍କ ଖବର ପାଇନାହିଁ । ନାଥନନା ବି ଦିନେ ତ ମତେ ତାଙ୍କ କଥାସବୁ କହିନାହାନ୍ତି କିଛି ? ଗୋଟାଏ ଅଜଣା ବିପଦର କଳ୍ପିତ ଆଶଙ୍କାରେ ମନ ମୋର ଉଚ୍ଚାଟ ହୋଇ ଘରଆଡ଼କୁ ଧାଇଁଲା, ସତେ ଯେପରି କେତେ ଯୁଗ ହେଲା କାହା ମୁହଁ ମୁଁ ଦେଖିନାହିଁ ଆମ ଘରର । ଆଉଟିକେ ବସି ସେ ମାଇପିଟି ଚାଲିଗଲା, ମତେ ସେଇ ଅଥଳ ଭାବନା-ସମୁଦ୍ରରେ ଏକା ଅକୂଳକୁ ପେଲିଦେଇ । ମନେକଲି, ଆଜି ଆସନ୍ତୁ ସେ, ନିଶ୍ଚେ ତାଙ୍କୁ ଗାଁକୁ ଯିବା କଥା କହିବି । ନ ହେଲାବେଳକୁ ଗୋଡ଼ଧରି ମିନତି କରି କହିବି । ଏମିତି ହୋଇଛନ୍ତି, କ’ଣ ସେ ମୋ କଥା ଶୁଣିବେ ନାହିଁ ଟିକେ ?

ଖରାବେଳେ ପିଣ୍ଡାରେ ନାଥନନା ଖାଇ ବସିଥିଲେ । ପାଖରେ ବସି ବିଞ୍ଚି ଦଉ ଦଉ ସାହସ କରି ପଚାରିଲି, ଆଉ କେତେଦିନ ଏଠି ରହିବା ? ଗାଁକୁ ଯିବା ନାହିଁ କି ? ମୋ ମୁହଁକୁ ଚାହିଁ ସେ କହିଲେ, ଭାରି ବିରକ୍ତ ଲାଗିଲାଣି ପରା ଏଠି । ତା’ ଉପରେ ପୁଣି ଦୁଇଓଳି ରୋଷେଇ, ବଡ଼ କଷ୍ଟ ହଉଚି, ନାରେ ?

କହିଲି, ନାଁ, ତା କାହିଁକି ହବ ? ରୋଷେଇ କରିବାକୁ ମତେ ଜମା କଷ୍ଟ ହଉନାହିଁ । ଖାଲି.....

ଖାଲି କ’ଣ ?

ଗାଁକୁ ଯାଇ ନାହିଁ, କେତେଦିନ ହେଲାଣି ।

ହଠାତ୍ ଗମ୍ଭୀରହୋଇ ସେ କହିଲେ, ହଁ ତା’ କ’ଣ ମୁଁ ବୁଝିପାରୁନାହିଁ ? ତା’ପରେ ଏଠି ସବୁ କାମ ତତେ ହାତରେ କରିବାକୁ ପଡ଼ୁଚି ଶୀତଟାରେ । ତା’ ବି ମୁଁ ଆଖି ବୁଜି ସହୁଚି । କ’ଣ କରିବି ? ଆସିଲା ଦିନୁ ଆଜିଯାଏ ଦୁଇଓଳି ବଜାରକୁ ଯାଉଚି ପୂଝାରୀ ଖୋଜିବାକୁ ଖାଲି ।

ତାଙ୍କର ଏଇ କଥାରୁ ଗାଁକୁ ଯିବା କଥା କହିବାକୁ ମତେ ସୁବିଧା ମିଳିଗଲା । କହିଲି, ଗାଁକୁ ଗଲେ ତ ଏତେ ଅସୁବିଧା ପଡ଼ନ୍ତା ନାହିଁ । ପୂଝାରୀ ପାଇଁ ତ ଭାବିବାକୁ ପଡ଼ନ୍ତା ନାହିଁ ଅନ୍ତତଃ-

ସେ ହସିଲେ । କେମିତି ମାଗିଆଣିଲା ପରି ଶୁଖିଲା ହସ; କିନ୍ତୁ କିଛି କହିଲେ ନାହିଁ । ଜିଦ୍‌ କରି କହିଲି, ନାଇଁ ଚାଲ ଗାଁକୁ ଆଜି ।

ଆଜି ? ସେ ପୁଣି ହସିଲେ । କହିଲେ, ଆଜି ଆଉ କେମିତି ଯାଇ ହବ ?

ଆଉ କୋଉଦିନ ତେବେ ?

ଆଉ, ମାସେ ଖଣ୍ଡେ ଯାଉ ।

ମନେ ମନେ ମୁଁ ଯୋଉ ଭୟ କରିଥିଲି, କ’ଣ ସେଇଆ ? ନଇଲେ ମତେ ମିଛଟାରେ କଟକରେ ଅଟକାଇ ରଖିବାକୁ ୟାଙ୍କର ଏତେ ଆଗ୍ରହ କାହିଁକି ? କିନ୍ତୁ ମୁଁ ସବୁ ବୁଝିପାରିଲିଣି । ଆଉ ଦଣ୍ଡେ ରହିବାକୁ ସୁଦ୍ଧା ମୋର ମନ ନାହିଁ ଏଠି । ମୁଁ ଯିବି । ଆମ ଘରକୁ କି ଆଉ ଯୋଉଠିକି ହଉ ପଛେ ମୁଁ ଯିବି । ଆଉ ୟାଙ୍କର ଏ ବାହାପିଆ କଥାରେ ପଡ଼ି ମୋ ପାପଭାର ବଢ଼ାଇବି ନାହିଁ ।

ଟିକେ ଟାଣକରି କହିଲି, ମତେ କାହିଁକି ତମେ ଏଠି ଏମିତି ଅଟକେଇ ରଖିଚ ଶୁଣେ ? ମୋର ତ ରହିବାକୁ ଦଣ୍ଡେ ମନ ନାଇଁ ଏଠି । ନା, ତମେ ମତେ ଆଜି ନେଇ ଚାଲ ଘରଠିକି । ତା’ ନ ହେଲେ ମୁଁ କିଛି ଖାଇବି ନାହିଁ, ଏମିତି ପଡ଼ିରହିବି ଜାଣିଥା ।

ବେଦନାରେ ତାଙ୍କ ମୁହଁ କଳା ପଡ଼ିଗଲା ମୋ କଥା ଶୁଣି । ଖାଲି କହିଲେ, କ’ଣ ତତେ ଖୁସିରେ ଏଠି ରଖିଛି ସତୀ ? ତୁ ବୁଝିନାହୁଁ କିଛି ।

ମନ ହଉଥାଏ ବଡ଼ ପାଟିକରି କହିବାକୁ, ହଁରେ ବାବୁ, ମୁଁ ସବୁ ବୁଝିପାରିଚି । ଆଉ ଏକଥା ବି ବୁଝିପାରିଚି, ସେଦିନ ଠାକୁରଙ୍କ ପାଖକୁ କାହିଁକି ତମେ ଯାଇଥିଲ, ପୁଣି ସ୍ୱାମୀ ଯେତେବେଳେ ଚିଡ଼ିଉଠିଲେ ମୋ ଫେରିବା ଦେଖି, ତମେ କାହିଁକି ତାଙ୍କ ପାଖରେ ମୋ ଲାଗି ଦୋଷ ନ ମାଗି ଏମିତି ରାଗିଯାଇ ଏକାଥରକେ ଚାଲିଆସିଲ ଏଠିକି । ପନ୍ଦର ଦିନ ହେଲା ଘରକୁ ନ ଯାଇ କାହିଁକି ମତେ ଏ କଟକଟାରେ ରଖିଚ, ସେ କଥା ବି ମୁଁ ବୁଝିଲିଣି, କିନ୍ତୁ ମୁହଁ ଫିଟାଇ ଖାଲି କହିଲି, ଦରକାର ନାହିଁ ମୋ କିଛି ବୁଝିବା, ତମେ ମତେ ଆମ ଘରେ ନେଇ ଛାଡ଼ିଦେଇ ଆସ-

ମୁହଁରୁ ତାଙ୍କର ରକ୍ତର ଶେଷ ଚିହ୍ନଟିକ ଲିଭିଗଲା ମୋ କଥା ଶୁଣି । କହିଲେ, ପିଲାଙ୍କ ପରି ଏମିତି ଅବୁଝା ହେଲେ ମୁଁ କ’ଣ କରିବି କହ ? ସଂସାରରେ ବୋଧହୁଏ ଏଇ ଗୋଟିଏ କଥା, ଯାହା ମୁଁ ଜୀବନ ଗଲେ ବି ନିଜ ମୁହଁରେ ତତେ କହିବି ନାହିଁ ବୋଲି ପ୍ରତିଜ୍ଞା କରିଥିଲି । କହିଲେ ବି ତୁ ସହିପାରିବୁ ନାହିଁ ସେ କଥା ।

ଯାହା ଟିକେ ଖାଲି ସନ୍ଦେହ କରିଥିଲି, ସେ କଥା ମୋର ଏକାଥରକେ ବିଶ୍ୱାସ ହୋଇଗଲା ତାଙ୍କ କଥା ଶୁଣି । ଅଧୀର ହୋଇ କାନ୍ଦି ପକାଇ କହିଲି, ନାଇଁ ନାଇଁ କୁହ ତୁମେ ।

ତାଙ୍କ ଆଖି ଦି’ଟା ବି ଲୁହରେ ପୂରିଉଠିଲା ମୋ କାନ୍ଦିବା ଦେଖି । ଅନେକ କଷ୍ଟରେ କହିଲେ, ହଉ କହିବି ଯା, କିନ୍ତୁ ଏଇଲାଗେ ନୁହେଁ । ତୁ ଖାଇପିଇ ସାର ଆଗ, ପଛକୁ କହିବି । ତୋ ରାଣ; ନିଶ୍ଚୟ କହିବି । ଜିଦ୍‌ କରି ବସିଲି, ନା ଏଇଲାଗେ ।

ସେ କହିଲେ–ତୋ ରାଣ ପକାଇଲି, ତଥାପି ତୋର ଏତେ ଅବିଶ୍ୱାସ ? ମୋ ସୁନାଟି ପରା, ଯା ପଛକୁ କହିବି ।

ଦିନ ଗୋଟିକ ଭୟ ଆଉ ଭାବନାରେ ମୋର କଟିଗଲା । କାମଦାମରେ ମନ ଜମା ଲାଗିଲା ନାହିଁ । ନାଥନନା ବି ସେତିକିବେଳୁ ମତେ କେମିତି ଲୁଚି ଲୁଚି ବୁଲୁଛନ୍ତି । ଭାବିଲି, ଆଉ କହିବେ ନାହିଁ ବୋଲି ପାଞ୍ଚୁଛନ୍ତି ? କିନ୍ତୁ ସକାଳେ ମୋ ରାଣ ତ ସେ ପକେଇଛନ୍ତି ସବୁକଥା କହିବେ ବୋଲି ?

ସଞ୍ଜବେଳକୁ ଚାକିରିଆଣୀ ଆସି କହିଲା, ବେଳ ଗଲା ମା’, ଚୁଲିକି କାଠ ଗଲାନାହିଁ ଏତେ ବେଳଯାଏ । ରୋଷେଇ ଆଉ ହବ କୋଉ ପହରକୁ ?

କହିଲି, ଖାଇବି ନାହିଁ ଆଜି ।

କଥା ଶୁଣ ? ତମେ ସିନା ଖାଇବ ନାହିଁ, ବାବୁ କ’ଣ ଆଉ ଉପାସ ରହିବେ ତମ ଲାଗି-

କହିଲି, ପରିବା ହେରିକା କାଟି ଦେ ଯା, ମୁଁ ଯାଉଚି ।

ନାଥନନା କେତେବେଳୁ ଘରେ ନ ଥିଲେ । ତାଙ୍କ ଲାଗି ଜଳଖିଆ କରୁ କରୁ ମନେ ମନେ ଅଥୟ ହୋଇଉଠିଲି । ମତେ ପରେ ସବୁକଥା ଆଜି କହିବାକୁ କହିଛନ୍ତି ।

ଅଧଘଣ୍ଟା ଛାଡ଼ି ସେ ଆସିଲେ । ବାହାରେ ଜୋତା ଓହ୍ଲାଇ ରଖି ଘର ଭିତରକୁ ଯାଇ ଆଲୁଅ ଜାଳିଲେ । ତରତରରେ ରୋଷେଇଘର କାମ ବଢ଼େଇଦେଇ ତାଙ୍କ ପାଖକୁ ଗଲି । ବାହାରେ ମୋ ପାଦଦେଶରେ ସେ ଚାହିଁଲେ । ପଚାରିଲେ, କିଏ ସତୀ ?

ଏ କ’ଣ, ମୁହଁ ତାଙ୍କର ଏମିତି ଶୁଖିଯାଇଛି କାହିଁକି ? ଆଖି ଦି’ଟାରେ କେମିତି ଉଦାସିଆ ଚାହାଣୀ । ମୁଣ୍ଡକୁ ସେଦିନ ମୋର କି ସର୍ବନାଶ ଘୋଟିଥିଲା କେଜାଣି, ସେଥିରେ କି ଟିକେହେଲେ ଦୟା ହେଲାନାହିଁ, ଦିହ କ’ଣ ହୋଇଛି, ଏତିକି ଖାଲି ଖାଲି ଟିକେ ପଚାରିବାକୁ । କଥା କହିବାକୁ ସତେ କି ମୋ ଗଳା କିଏ ଚାପି ଧରିଲା ।

ସେ ଡାକିଲେ, ଆ ଭିତରକୁ । ତା’ ନ ହଲେ ନ ଶୁଣି ଆଉ ଛାଡ଼ିବୁ ନାହିଁ ମତେ ତୁ ଆଜି-? ମନେକରିଥିଲି କିଛିଦିନ ଗଲେ ଆସ୍ତେ ଆସ୍ତେ ନିଜେ ସବୁ ଶୁଣିବୁ । ମତେ ଆଉ କଷ୍ଟ କରି କହିବାକୁ ହବ ନାହିଁ । ମୋ’ରି ମୁହଁରୁ ନ ଶୁଣିଲେ କ’ଣ ହୁଅନ୍ତା ନାହିଁ ତୋ’ର ? ଆ, ବ ଏଠି ।

ଖଟ ଉପରେ ଯାଇ ବସିଲି । ତା’ପରେ ସେ ମୋ ପାଖକୁ ଆସି କେତେ କଷ୍ଟରେ କେତେ ଦୁଃଖରେ ଗୋଟି ଗୋଟି କରି ସବୁ କହିଲେ । ଆମ ଗାଁରେ ଦୁଇମାସ ତଳେ କିପରି ହଇଜା ଲାଗିଥିଲା, କେତେ ଲୋକ ମଲେ, ଶେଷକୁ ମୋ ବାପା, ତା’ ପଛେ ପଛେ ବୋଉକୁ କେମିତି ହଇଜା ହେଲା, ସେ କଟକ ଦଉଡ଼ି ଡାକ୍ତର ନେଲେ, ରାତିଦିନ ବସି ସେବାକଲେ, କିନ୍ତୁ କେଉଁଥିରେ କିଛି ହେଲା ନାହିଁ । ଶେଷରେ ଆଗେ ବାପା, ତା’ ପଛେ ବୋଉ କେମିତି ସମସ୍ତିଙ୍କ ମାୟା କଟାଇ ଚାଲିଗଲେ । ସେଦିନ ଠାକୁରଙ୍କ ପାଖରେ କହିବେ ବୋଲି ଏ କଥାସବୁ କହିପାରିଲେ ନାହିଁ, ମୁଁ ବେସ୍ତ ହେବି ବୋଲି । ମୋ ଶାଶୁଘରେ ସେଦିନ ସେ ଅପମାନ ପରେ ସେ ଗାଁକୁ ନ ଯାଇ କାହିଁକି ମତେ ନେଇ କଟକ ଚାଲିଆସିଲେ ।

ବାପା ବୋଉ ଆଉ ନାହାନ୍ତି । ଅକଳ୍ପିତ ବଜ୍ର ଶବ୍ଦରେ ପଥବଣା ବୋଟୋଇ ଯେପରି ଚମକି ପଡ଼େ, ସେମିତି ଥକାମରା ହୋଇଗଲି ଏ କଥାପଦକ ଶୁଣି । ମୋ ବାପା-ମୋ ବୋଉ ଆଉ ନାହାନ୍ତି । ଆଉ ତାଙ୍କୁ ଦେଖିବି ନାଇଁ ମୁଁ ଜୀବନରେ । ମତେ କାନ୍ଦ ମାଡ଼ିଲା ନାହିଁ । ଗୋଟାଏ ପ୍ରଚଣ୍ଡ ଶୋକର ଆଘାତରେ ପଥର ହୋଇଯାଇଥିଲା ସେ ଲୁହ, ଛାତିରେ ଦୁକୁଦୁକିଟିକୁ ଥକମରା କରି । ମୋ ମୁଣ୍ଡ ବୁଲାଇଦେଲା–ଆଖି ଆଗରେ ସବୁ ଅନ୍ଧାର ଦିଶିଲା । କେତେବେଳଯାଏ ଏମିତି ଥିଲା କେଜାଣି ? ଶକ୍ତି ଫେରି ଆସିଲାରୁ ଦେଖିଲି, ନାଥନନା ମତେ କୋଡ଼କୁ ଆଉଜାଇ ବସିଛନ୍ତି-। ମୋ ମଥାରେ ଆସ୍ତେ ଆସ୍ତେ ହାତ ବୁଲାଇଦେଇ ସେ କହିଲେ, ସତୀ । ଛି, ଛି ।

ମତେ ବୁଝେଇବ କ’ଣ, ନିଜେ ଝର ଝର ହୋଇ କାନ୍ଦି ପକାଇଲେ । ଲାଜ ସରମ ମୋର ସେତେବେଳେ ପୋଡ଼ି ନିଆଁ ଲାଗି ଯାଇଥିଲା । ତାଙ୍କ କାନ୍ଦିବା ଦେଖି ଆଖିରୁ ଲୁହଧାର ମୋର ଆଉ ବାଧା ମାନିଲା ନାହିଁ । ତାଙ୍କ ଛାତି ଉପରେ ମୁହଁ ଲୁଚାଇ କାନ୍ଦିଲି ପିଲାଙ୍କ ପରି ଅବୋଧ ହୋଇ । ମନେହେଲା, ବୋଉ ମୋର ଯେତେବେଳେ ମରିଥିବ, ଅଧୀର ହୋଇ କେତେ ସେ ମୋ ପାଇଁ ଏଣେତେଣେ ଚାହିଁଥିବଟି । ବିକଳରେ ବିଛଣା ଦରାଣ୍ଡି କେତେ ତ ଖୋଜିଥିବ ମତେ ! ଥରେ ଦେଖିପାରିଲା ନାଇଁ ଆଉ ?–ମରିଗଲା ?

ନାଥନନା ଥରକୁ ଥର ମୋ ଲୁହ ପୋଛିଦେଇ ଛାତି ଉପରେ ମତେ ଆଉଜାଇ ବସି ରହିଥାନ୍ତି, କିଛି ନ କହି । କ’ଣ ଆଉ କହନ୍ତେ ସେ ? ସଂସାରରୁ ସବୁ ଯାହାର ସରିଯାଇଛି, ତାକୁ ଆଉ ପ୍ରବୋଧ ଦେବାର କ’ଣ ଅଛି ?

ଦୁଇ ଦିନଯାଏ ଅଣସର ହୋଇ ବିଛଣାରେ ପଡ଼ିରହିଲି । ଖାଇବା ପିଇବା ଭୁଲି ନାଥନନା ମୋ ପାଖେ ବସି ରହିଥାନ୍ତି । ଦଣ୍ଡକ ପାଇଁ କୁଆଡ଼େ ଗଲେ ନାଇଁ ମତେ ଛାଡ଼ି । ସମୟରେ ଏତେ ଦୁଃଖରେ ବି ଗୋଟିଏ କଥା ବୁଝିପାରିଲି, ନାଥନନା ମତେ କେତେ ଭଲ ପାଆନ୍ତି-। ସଂସାରରେ କିଏ କାହାକୁ ଆଉ ଏତେ ସ୍ନେହ କରୁଥିବ କି ନାହିଁ କେଜାଣି ? ମୁଁ ମୋର ଜୀବନ ଭିତରେ କିନ୍ତୁ ଦେଖି ନାହିଁ, ଅଥଚ ମୁଁ ତାଙ୍କର କିଏ କି ?

ବିଛଣାରେ ପଡ଼ି ଅନେକଥର ଭାବେ, ବାପା ବୋଉ ତ ମଲେ, ସ୍ୱାମୀଘରେ ବି ତ ମୋ’ର ସ୍ଥାନ ହେଲାନାହିଁ । ସଂସାରରେ ବଞ୍ଚିରହିବା ଏଣିକି ମୋର ଆଉ କ’ଣ ଦରକାର, ମିଛରେ ଖାଲି ଦହଗଞ୍ଜ ହବା ଛଡ଼ା ? କିନ୍ତୁ ମୁଁ ଗଲିନାହିଁ । ଏ ନିଉଛଣା ଜୀବନକୁ ଯମ ପାସୋରି ବସିଥିଲା ଯେମିତି । ଭାବିଲି, ମୋ ପରି ଗୋଟାଏ ହୀନକପାଳୀକି ବଞ୍ଚାଇ ରଖି ଭାଗବାନଙ୍କର କୋଉ ମନସ୍କାମନା ପୂର୍ଣ୍ଣ ହେବ କେଜାଣି ।

ସେଦିନ ନାଥନନା ଟିକିଏ ପଦାକୁ ବାହାରିଥିଲେ; କିନ୍ତୁ ସାଧବୀ, ଆମ ଚାକିରିଆଣିକି ମୋ ପାଖେ ପହରା ରଖି । ମତେ ବସି ବିଞ୍ଚୁ ବିଞ୍ଚୁ ସାଧବୀ କହିଲା, ବାବୁ କେତେବେଳେ ଫେରିବେ-? ଆଜି ଫେର୍‍ ରୋଷେଇବାସର କ’ଣ ବରାଦ ହଉଚି କେଜାଣି ?

ପଚାରିଲି, କାହିଁକି ?

ସେ କହିଲା, ତମେ କ’ଣ ଜାଣିନ ସାନ୍ତାଣୀ, ଆଜିଯାଏ ପୂଝାରୀଟି ବି ମିଳିଲା ନାହିଁ ଦୁନିଆଁ ଖୋଜି ଖୋଜି । ହଁ, ତମେ ତ ଏମିତି ପଡ଼ିରହିଲ, ସେ ଖବର ଆଉ ଜାଣନ୍ତ କେମିତି ?

ଶଙ୍କିତ ହୋଇ ପଚାରିଲି, ରୋଷେଇବାସ କାମ ଫେର୍ ଚଳୁଚି କେମିତି ?

ସେ କହିଲା, ସେ କଥା କହ ନାଇଁ ସାନ୍ତାଣୀ । ଦେଖି ଦେଖି ଆବାକାବା ହେଲିଣି ପରା ମୁଁ । ଆଉ ବାବୁଙ୍କ କଥା । ତମେ ଏମିତି ପଡ଼ିଲାଦିନୁ ଦି’ଦିନ ତ ହାଣ୍ଡି ଚୁଲିକି ଗଲା ନାଇଁ ଆଗ । ତମ ପାଇଁ ଦି’ ଓଳି ଦୁଧ ଟୋପିଏ ଟୋପିଏ ଯାହା ବାହାରେ ଗୋଟିଏ ଚୁଲିରେ ସିଝେଇ ଦିଏ, ସେତିକି । ବାବୁ ମତେ ପଇସା ଦିଅନ୍ତି ଘରେ ଖାଇବାକୁ ।

ଆଶ୍ଚାର୍ଯ୍ୟ ହୋଇ ପଚାରିଲି ଆଉ ବାବୁ ?

ଶୁଣ ଗୋ, ସେଇ କଥା ତ କହୁଚି । ସେ ଦି’ଦିନଯାକ ଆଖିରେ ଦେଖିବା କଥା ସାନ୍ତାଣୀ, ବାବୁ ଯେମିତି ଖାଡ଼ାଖାଡ଼ା ଉପାସ । ତିନିଦିନ, ଦିନ ଆଉ ସମ୍ଭାଳିପାରିଲି ନାଇଁ, କହିଲି, ନ ଖାଇ ନ ପିଇ ଚମ୍ପାଫୁଲ ପରି ଦିହ କଳା ପଡ଼ି କ’ଣ ହୋଇଗଲାଣି ଦେଖିଲ । ବୁଝିବା ସୁଝିବା ଲୋକ ହୋଇ ଏମିତି କଲେ ଚଳିବ ? ସେ କହିଲେ, ପୂଜାରୀ ତ ମିଳୁନାହାନ୍ତି, ମୁଁ କ’ଣ କରିବି ? କହିଲି, ମୁଁ ବଟାକୁଟାଠଉଁ ହାତ ପାଖରେ ସବୁ ସଜ କରିଦେଉଚି, କିଛି କଷ୍ଟ ହବ ନାଇଁ; ତମେ ଖାଲି ହାଣ୍ଡିଟା ବସାଇ ଓହ୍ଲାଇବା କଥା ।

ଅଧୀର ହୋଇ ପଚାରିଲି, ସେଇଠୁ ?

ହାତରେ ତ ରୋଷେଇ କଲେ; ବଡ଼ଲୋକ ଘର ପୁଅ, ଘରେ ହାଣ୍ଡି କେମିତି ତ ଦେଖିନଥିବେ, ତାଙ୍କୁ କି ରୋଷେଇ ଆସିବ, ସାଆନ୍ତାଣୀ ! କପାଳ କଥା, କାଲି ରାତିରେ ହାଣ୍ଡି ଓହ୍ଲାଉ ଓହ୍ଲାଉ ତତଲା ପେଜ ପଡ଼ି ହାତ ଗୋଟାକ ବାବୁଙ୍କର ପୋଡ଼ିଗଲା ।

ମନେ ମନେ ଶୀତେଇଉଠି ପଚାରିଲି, ତା’ପରେ ?

କାଲି ସକାଳେ ସେଥିପାଇଁ ରୋଷେଇ ବନ୍ଦ । କୋଉଁଠି ଗୋଟାଏ ହୋଟଲ କି ଫୋଟଲକୁ ଯାଇ କ’ଣ ଚୁଲିପାଉଁଶ ଖାଇଲେ, ସେ ଜାଣନ୍ତି ।

କଟକୁଟାରେ ଫେର୍ ଯେମିତି ଠାକୁରାଣୀ ନାଗିଛନ୍ତି ଗୋ ସାନ୍ତାଣୀ, ସବୁବେଳେ ଡର ମାଡ଼ୁଚି, କୋଉଠିକି ଯାଉଛ’ନ୍ତି ଖାଇବାକୁ, ଭଲ ଥାଏ କି ମନ୍ଦ ଥାଏ ।

ଆଉ ଶୁଣିପାରିଲି ନାହିଁ । ମନେହେଲା, ମୋ’ରି ଲାଗି, ଆଉ କାହାପାଇଁ ନୁହେଁ, ଏତେ ଦୁଃଖ ଏତେ କଷ୍ଟ ଏ ପାଇଲେଣି, ଖାଲି ମତେ ଟିକେ କଷ୍ଟ ହେବ ବୋଲି । ଛାତି ଭିତରେ ପ୍ରତି ରକ୍ତକଣିକା ମୋର ସ୍ପନ୍ଦିତ ହୋଇ ଉଠିଲା ସାର୍ଥକତାର ଆନନ୍ଦରେ । ତାଙ୍କ କଷ୍ଟ ଲାଗି ମୋର ଦୁଃଖ ସେତେବେଳେ ମତେ ସୁଖ ଦେଲା ।

ମୁହୂର୍ତ୍ତକେ ପୁଣି ଶଙ୍କିତ ହୋଇ ପଚାରିଲି, ଆଜି କ’ଣ ଫେର୍‌ ସେଇ ହୋଟେଲକୁ ଯାଇଛନ୍ତି ନା କ’ଣ ଖାଇବାକୁ ?

ସାଧବୀ କହିଲା–ହଁ, ତା’ ନଇଲେ ତମକୁ ଛାଡ଼ି କୁଆଡ଼େ ବାହାରନ୍ତେ ସେ ଆଗ ପୁରୁଥି ନେଉଟି ପଇଲେ ?

ଆଉ ଘଣ୍ଟାକ ସେ ଫେରିଲେ । ସବୁଦିନ ପରି ସିଧା ସିଧା ମୋ ଘରକୁ ଆସି ଖଟ ପାଖରେ ଠିଆହେଲେ । ମୋ କପାଳ ଉପରେ ହାତ ରଖି ଡାକିଲେ, ସତୀ ।

ଧଡ଼ପଡ଼ ହୋଇ ଉଠିବସି କହିଲି, ତମ ହାତ ଦେଖେଁ ଆଗ ?

ସେ ଭୁଲେଇଦେବାକୁ ଯାଉଥିଲେ । ମୁଁ ଜୋର କରି ତାଙ୍କ ବାଁ ହାତଟା ଟାଣିଆଣି ଦେଖିଲି-। ଦେଖି ଉଲୁସି ଉଠିଲା ଦିହ । ପାପୁଲି ଗୋଟାକ ଫୋଟକାମୟ; ସେଥିରୁ କେତେଟା ଘା’ ହୋଇଗଲାଣି । କହିଲି, ଦେଖୁଚ ନା, କ’ଣ ହେଲାଣି ହାତ ଗୋଟାକ !

ପିଲାଙ୍କ ପରି ମୋ ଆଡ଼କୁ ଜୁଳୁ ଜୁଳୁ କରି ଚାହିଁ ସେ କହିଲେ–ପୋଡ଼ିଗଲା, ମୁଁ କ’ଣ କରିବି ?

ଗରମ ପାଣିରେ ହାତ ଧୋଇଦେଇ ନଡ଼ିଆତେଲ ପଟି ବାନ୍ଧିଦେଲି । ଶାନ୍ତ ପିଲାଟି ପରି ସେ ହାତ ଦେଖାଇଥାନ୍ତି । ପଚାରିଲି, ଏଠି ବସନ୍ତ ହୋଇଚି ପରା ।

କହିଲେ, ହଁ ।

ହୋଟେଲରେ ଖାଇବାକୁ ତମକୁ କିଏ ସେ କହିଲା, ଶୁଣେ ?

ସେ ଚୁପ୍ ହୋଇ ରହିଲେ, ସତେ ଯେପରି ମଣିଷମାରି ମତେ ଲୁଚେଇଛନ୍ତି । ଏତେ ଭୟ ! କହିଲି, ଫେର୍ ଯେବେ ଆଜିଠଉଁ ହୋଟେଲ ଫୋଟେଲ ଦୁଆର ମାଡ଼ିବ, ଇଆଡ଼େ ମୁଁ ମୁଣ୍ଡ ବାଡ଼େଇ ମରିବି ଜାଣିଥା ।

ଘରେ ଆଉ ବସି କାନ୍ଦିବି କ’ଣ, ସବୁ ଦୁଃଖଯାକ ଜୋର କରି ମନରୁ ତଡ଼ିଦେଇ ପୁଣି କାମଦାମରେ ମନ ଲାଗାଇଲି । ତା’ ନ ହେଲେ ଏ ଯେମିତି ଲୋକ, ଫେର୍ କୋଉଦିନ ଦିହମୁଣ୍ଡ କ’ଣ କରି ବସିବେ, କିଏ ଜାଣେ ! ଏଇ କେତେଦିନ ମନରେ ତାଙ୍କର କାହିଁକି ଜମା ସୁଖ ନ ଥିଲା-। ସକାଳୁ କୁଆଡ଼େ ପୁଣି ଯାଆନ୍ତି ଯେ ଦି’ ପହରକୁ ଫେରନ୍ତି । ଗଣ୍ଡାଏ ଖାଇଦେଇ ପୁରି ଚାଲିଯାଆନ୍ତି-। ଦିନେ ପଚାରିଲି, କ’ଣ ପୂଝାରୀ ଖୋଜୁଚ ନା କ’ଣ ?

କହିଲେ, ନାହିଁ ଆଉ ଗୋଟାଏ କାମ ।

ମାଘମାସ, କିନ୍ତୁ ଜାଡ଼ର ଦାଉ କମି ନ ଥିଲା ଏତେ ଦିନଯାଏ ! ଖରାବେଳେ ସୁଦ୍ଧା ଘରଭିତରେ ଦିହ ଥରି ଉଠୁଥାଏ ଶୀତରେ । କୋଠା ଛାତଉପରୁ ଶୀତଦିନରେ କଅଁଳ ଖରା ବସନ୍ତର ଜରିପାଗ ପରି ସେଦିନ ଲମ୍ୱି ପଡ଼ିଥାଏ ପିଣ୍ଡା ଦାଢ଼ଯାଏ । ଖରାରେ ଗୋଟାଏ ସପ ପାରି ବସି ଗୁଆ ଭାଙ୍ଗୁ ଭାଙ୍ଗୁ ଦେଖିଲି, ସେ ବାହାରକୁ ଯିବେ ବୋଲି ସଜ ହଉଛନ୍ତି । ପାଖକୁ ଯାଇ ପଚାରିଲି, କୁଆଡ଼େ ଯାଉଚ କି ?

କହିଲେ, ଗୋଟାଏ କାମ ।

କି କାମ ଶୁଣେ ? ରୋଜ ଚବିଶ ଘଣ୍ଟା, ଦଣ୍ଡେ ତ ବସାରେ ରହୁନା, କି କାମ ଏମିତି ଲାଗିଚି କି ତମର ?

ସେ ହସିଲେ । କହିଲେ, ସେମିତି ଦରକାରୀ କାମ ।

ପାଖକୁ ଯାଇ ତାଙ୍କ ଦୁଇହାତରେ ମୁଠେଇ ଧରି କହିଲି, ମୋ ରାଣଟି, କୁହ କି କାମ ?

କେତେବେଳ ଯାଏ ମନକୁ ମନ କ’ଣ ଭାବି ସେ କହିଲେ, ଗୋଟାଏ ଚାକିରି ବାକିରି ଖୋଜୁଚି କେଉଁଠି ।

ପଚାରିଲି, କ’ଣ ହେବ ଶୁଣେ ?

ମୋ ଗାଲରେ ଆସ୍ତେ ଗୋଟାଏ ଚାପୁଡ଼ା ମାରି ହସି ହସି କହିଲେ, ଘରଖର୍ଚ୍ଚ ନଇଲେ ଚଳିବ କେମିତି ଓଲି ? ମୁଁ କ’ଣ ବଡ଼ଲୋକ ହୋଇଚି ? ଅଣ୍ଟାରୁ ଗୋଟାଏ ହାତରେ ମତେ ବେଡ଼ାଇ ଧରି ପୁଣି କହିଲେ, ଯାହା ପଇସା ପାଖରେ ଥିଲା, ଏତେଦିନ ଚଳିଲା । ଆଉ ଏଣିକି ଚଳିବା କଷ୍ଟ । ଦୋକାନରେ ବି ଅନେକ ଦିନୁ ଢେର୍ କାଳି ହୋଇଗଲାଣି । ସେ ପଇସା ନ ପାଇଲେ ଆଉ ସଉଦା ଦବାକୁ ନାରାଜ । ପଇସା ଆସିବାର ଗୋଟାଏ ବାଟ ନ କଲେ ଏଣିକି ଆଉ ଚଳିବ କେଉଁଠୁ ?

ପଚାରିଲି, ଚାକିରି ମିଳିଲା ?

ଏଡ଼େ ସହଜରେ ଚାକିରି କୋଉଠି ମିଳିବ କହ ?

ଫେର୍ କ’ଣ ହବ ?

ହବ ଆଉ କ’ଣ, ଚେଷ୍ଟା ତ କରୁଚି ଦିନରାତି, ନ ମିଳିଲେ ଏଠି ପଡ଼ି ପଡ଼ି ଆଉ କ’ଣ ଉପାସ ରହିବା ? ବାଧ୍ୟହୋଇ ଗାଁକୁ ଯିବାକୁ ହବ ।

ଗୋଟାଏ ଅଜଣା ଭୟରେ ଦେହ ଗୋଟାକ ଥରିଉଠିଲା, ଏଇ ଗାଁକୁ ଯିବା କଥା ଶୁଣି । ବାପା ବୋଉ ତ ଆଉ ନାହାନ୍ତି, କାହା ଦମ୍ଭରେ ଆଉ ମୁଁ ସେଠିକି ଯିବି ? କିନ୍ତୁ କଟକରେ ବସନ୍ତ ଲାଗିଚି । ସବୁବେଳେ ବାହାରେ ବୁଲୁଛନ୍ତି ଏ ପୁଣି । ଭାରି ମନ ଖରାପ ହେଲା ଆଉ ଦିନେ ସୁଦ୍ଧା ଏଠି ରହିବାକୁ । ପଚାରିଲି ଆଉ କୁଆଡ଼େ ଗଲେ ହବ ନାଇଁ, କଟକ ଛାଡ଼ି ?

ସେ କହିଲେ, ସବୁଠି ଏଇ ଦଶା । ଚାକିରି ଖଣ୍ଡେପାଇଁ ମରାମରି । ଗାଁକୁ ଯିବା ଛଡ଼ା ବାଟ ନାଇଁ ।

ମୋ‘ରି ଲାଗି ସିନା ଏତେ ଦୁଃଖ ପାଉଚ ତମେ ?

ଅଜାଣତରେ ସେ ମତେ ପାଖକୁ ଭିଡ଼ିଧରି ଚୁମ୍ୱନ କଲେ ।

ହୃଦୟ ମୋର ବିଚିତ୍ର ଛନ୍ଦରେ ବାଜିଉଠିଲା ସେ ରହସ୍ୟମୟ ସ୍ପର୍ଶରେ । ରକ୍ତରେ ଝଡ଼ ବହିଗଲା । ସୁସୁପ୍ତ ଜୀବନର କୂଳେ କୂଳେ ସେ ସ୍ପର୍ଶ ଆସି କଥା କହିଗଲା ମୁହୂର୍ତ୍ତକେ, କେତେ କଳ୍ପାନ୍ତର ଅନୁଭୂତି ଭେଟାଇ ଦେଇ ।

ଯାହା କହୁଥିଲେ ସେ, ଶେଷରେ ସେଇଆ ହେଲା । ଖୋଜି ଖୋଜି ଚାକିରି ଖଣ୍ଡେ ବି କୋଉଠି ମିଳିଲା ନାହିଁ ତାଙ୍କୁ, ଯୋଉଥିରେ ଦୁଃଖ କଷ୍ଟରେ ଆମ ପେଟ ଦୁଇଟା ଚଳିଯିବ । ଶେଷକୁ ଗାଁକୁ ଯିବା କଥା ଆସି ହେଲା । କେତେଦିନ ଆଗରୁ ଏଇ ଗାଁକୁ ଯିବାପାଇଁ କେତେ ନାଚି ଉଠୁଥିଲା ଟି ମୋ ମନ ! କିନ୍ତୁ ସେ ସୁଖ, ସେ ଆନନ୍ଦ ସବୁ ସରିଯାଇଚି, ବାପା ବୋଉ ମଲା କଥା ଶୁଣିବା ଦିନୁ । ସ୍ୱାମୀ ମତେ ଛାଡ଼ି ଦେଇଛନ୍ତି । ଏ କଥା ତ ଏତେବେଳକୁ ଗାଁରେ ଆମର ଚାରିଆଡ଼େ ବ୍ୟାପିଯିବଣି । ସେଦିନୁ ଏତେ ଦିନଯାଏଁ ଗାଁକୁ ନ ଯାଇ ଏଠି ୟାଙ୍କ ପାଖରେ ଥିଲି କଥା ଶୁଣିଲେ ଗାଁଲୋକ ମତେ କ’ଣ ମନେକରିବେ କେଜାଣି ? ସମସ୍ତେ ତ ବାପା ମା’ ନୁହନ୍ତି । ମତେ ପୁଣି ନାଥନନାଙ୍କ ଘରେ ରହିବା ଛଡ଼ା ଗାଁରେ ଆଉ ସ୍ଥାନ କୋଉଠି ଅଛି ? ମୋର ବାହାଘର ସମୟରେ ଏଇ ଗାଁଲୋକେ କେତେ କଥା ଉଠେଇଲେଟି ମୋ ନାଁରେ ! ସେ କ’ଣ ଏଡ଼େ ସହଜରେ ମତେ ଛାଡ଼ିଦେବେ ଏଥର ? କାଳିଆ ଭୂତ ପରି ଗୋଟାଏ ଅଜଣା ଭୟ ଆସି ମତେ ଗିଳିବାକୁ ଲାଗିଲା, ଏଇ ଗାଁକୁ ଯିବା କଥା ମନେକରି । କିନ୍ତୁ ଉପାୟ ତ ନାହିଁ ଆଉ ।

ତହିଁଆରଦିନ ସତେ ସତେ କଟକବସା ଛାଡ଼ି ଆମେ ଗାଁକୁ ବାହାରିଲୁ । କଟକର ନାଲିମାଟି ଛାଡ଼ି ବଳଦଗାଡ଼ି ଯେତେବେଳେ ସେଇ ଗଛଗହଳିହଜା ସାତବାଙ୍କ ଗାଁ ବାଟରେ ଚାଲିଲା, ଏତେ ଦୁଃଖରେ ବି ମୋର ମନ ହଉଥାଏ, ଗାଁ ଦାଣ୍ଡର ସେଇ ପାଉଁଶିଆ ଧୂଳି ଆଣି ଶରଧାରେ ଦିହରେ ବୋଳିହବାକୁ, କାକରବତୁରା ଦାଣ୍ଡ ଉପରେ ଗଡ଼ି ଗଡ଼ି ମନକୁ ବୋଧଦେବାକୁ ଯେ, ସହରର ଗୋଳମାଳ ଛାଡ଼ି ପୁଣି ଆଜି ପିଲାଦିନର ସେଇ ଶତମନ-ପାଞ୍ଚଗଢ଼ା ସ୍ୱପ୍ନପୁରୀ ଭିତରକୁ ମୁଁ ମୋ’ର ଫେରିଆସିଛି ବୋଲି । ବାରି ପଡ଼ିଆର ମଥାନମରା ଗଛ ମହୁଡ଼ ଉପରେ ଆମ ଗାଁ ନଡ଼ିଆଗଛଯାକ ପରିଚିତ ବନ୍ଧୁ ପରି ଯେତେବେଳେ ଗୋଟି ଗୋଟି ହୋଇ ଉଣ୍ଡି ଚାହିଁଲେ, ଗୋଟାଏ ଅଜଣା ଭୟରେ ଛାତି ଭିତର ମୋର ଦୁମ୍‌ଦୁମୁ ହୋଇ କମ୍ପିଗଲା । ନାଥନନାଙ୍କ ଘରୁ ଦୁଆର ମୁହଁରେ ଆସି ଗାଡ଼ି ରହିଲା । ଆମ୍ବ ପଣସଗଛ ଗହଳି ଭିତରେ ସେ ଉଞ୍ଚ ମାଟିପିଣ୍ଡାଟି ଠିକ୍ ଆଗ ପରି ସେମିତି ଅଛି । ଦାଣ୍ଡପଟେ ନଡ଼ିଆଗଛ ଧାଡ଼ିଲଗା ସେଇ ବଉଳ ଚଉପାଢ଼ୀ, ପିଲାଦିନେ ଯୋଉଠି ବସି ବଉଳ ସାଙ୍ଗେ କେତେ ଖେଳୁଥିଲି । ଘରଓଳି ଦିହରେ ସେଇ ମଗରମୁହାଁ କାଠଶେଣୀଟି ସୁଦ୍ଧା ଆଗ ପରି ଠିକ୍ ସେମିତି ଅଛି, କିଛି କୋଉଠି ତିଳେହେଲେ ବଦଳି ନାହିଁ ସେଦିନୁ । ନାଥନନା ଆଗ ଗାଡ଼ିରୁ ଓହ୍ଲାଇ କହିଲେ, ଆ ।

ଗାଡ଼ି ଶବ୍ଦରେ କେତୋଟି ଲଙ୍ଗଳା ଟୋକା କେତେବେଳୁ ଆସି କୋଉ ଅପୂର୍ବ ଜିନିଷ ପରି ଗାଡ଼ି ଭିତରକୁ ଚାହିଁ ଠିଆ ହୋଇଥିଲେ । ନାଥନନା ଓହ୍ଲାଇ ଟିକେ ଦୂରକୁ ଚାଲିଗଲାରୁ ସାହସ ପାଇ ଆସି ଗାଡ଼ି ଆଗେ ଘେରି ଠିଆ ହୋଇଗଲେ । ଭାବଟା ଏପରି–ରହସ୍ୟମୟ ପଦାର୍ଥ ଭିତରୁ ଯେ ବାହାରିବ, କେତେ ଅପୂର୍ବ ସେ ହୋଇଥିବ କେଜାଣି । ଗାଁର ଏଇ ନିହାତି ଅପରିଚିତ ଜ୍ଞାନହୀନ ପିଲାମାନଙ୍କ ଆଗରେ ବାହାରିବାକୁ ଆଜି ମୋର ଗୋଡ଼ ଥରିଗଲା । ଏମାନେ ମତେ ଚିହ୍ନିଲେ ନାହିଁ ତ ? ମୁହଁ ତଳକୁ ପୋତି ବେଗି ବେଗି ଆସି ଭିତରେ ପଶିଲି ।

ଦୁଆର ଭିତରେ ଆଣ୍ଠିଏ ଅରମା ହୋଇ ପଡ଼ିଚି, ଚାରିଆଡ଼ ନିଃଶବ୍ଦ, ଯେପରି ଅନେକ ଦିନ ହେଲା କେହି ଏ ଘରେ ନାହାନ୍ତି । ଭାରି ଅଡ଼ୁଆଟା କେମିତି କେମିତି ଲାଗିଲା । ନାଥନନାଙ୍କୁ ପଚାରିଲି, ବଡ଼ମା’ କାହାନ୍ତି କି ?

ସେ ଟିକେ ହସିଲେ । କହିଲେ, ବୋଉ ଏଠି ନାହିଁ ।

ଗାଁ ଭିତରକୁ କୁଆଡ଼େ ଯାଇଥିବେ ମନେକରି ପଚାରିଲି, କାହା ଘରକୁ ଯାଇଛନ୍ତି ପରା-

ସେ କହିଲେ, କାର୍ତ୍ତିକ ମାସରୁ ସେ ଯାଇ ପୁରୀରେ ।

ଶଙ୍କିତ ହୋଇପଚାରିଲି, ଆଉ ବଉଳ ?

ବଉଳ, ସେ ତା’ ଶାଶୁଘରେ ।

ମନେହେଲା, କେହି ନାହାନ୍ତି ଭଲ ହୋଇଚି; ମତେ ଆଉ କାହାକୁ ମୁହଁ ଦେଖାଇବାକୁ ପଡ଼ିବ ନାହିଁ ଏଠି; କିନ୍ତୁ ଏଠି ମୁଁ ରହିବି କ’ଣ ୟାଙ୍କରି ପାଖରେ, ଏକା ? ପଚାରିଲି, ବଡ଼ମା’ ନାହାନ୍ତି; ଏ କଥା ତ ମତେ କଟକରୁ ଆସିଲାବେଳେ କହିନା ?

ସେ ପୁଣି ହସିଲେ; କିନ୍ତୁ ସେ ହସ ମଲା ମଣିଷଙ୍କ ହସ ପରି । ଦେଖିଲେ ଡର ମାଡ଼ିବ-। କହିଲେ, ସେ କଥା କହିଥିଲେ ତୁ କ’ଣ ଆଉ ଆସିଥାନ୍ତୁ ମୋ ସାଙ୍ଗେ ? ହାଡ଼ ଜଳିଗଲା ତାଙ୍କ ହସ ଦେଖି । ରାଗରେ କହିଲି, ଆମରି ଗାଁ ମଝିଟାରେ, ଗୋଟାଏ ଘରେ, ତମେ ଆଉ ମୁଁ । ଲୋକେ ଶୁଣିଲେ ଖୁବ୍ ପ୍ରଶଂସା କରିବେ ଏକା, ନୁହେଁ ?

ଗଭୀର ବେଦନାରେ ତାଙ୍କ ମୁହଁରୁ ହସର ଶେଷ ଚିହ୍ନଟିକ ଲିଭିଗଲା । ତଳକୁ ଚାହିଁ ତୁନି ତୁନି କହିଲେ, କ’ଣ କରନ୍ତି; ଆଉ ଉପାୟ ନ ଥିଲା ତ ।

କହିଲି, ଉପାୟ ନ ଥିଲା ତ ବିଷ ଟିକେ କ’ଣ ମିଳିଲା ନାହିଁ ତମକୁ, ମତେ ଖୁଆଇଦେବାକୁ ବାଟରେ ? ରାଗରେ, ଲଜ୍ଜାରେ ମୁଁ କାନ୍ଦି ପକାଇଲି ।

ପଶ୍ଚିମ ଦିଗର ଫଗୁପରା ବାଟ ଫିକାକରି ସୂର୍ଯ୍ୟ ବୁଡ଼ିଗଲେ, ସଞ୍ଜତରା ସଙ୍ଗେ ଶେଷ ହୋରିଖେଳ ବଢ଼ାଇଦେଇ । ଗଛଗହଳି ଭିତରୁ ଅନ୍ଧାରର ମୟୂରକଣ୍ଠୀ ଶାଢ଼ି ବୁଣା ହଉଥିଲା ସେତେବେଳେ । ସେମିତି କନ୍ଦିବାକୁ ଲାଗିଲି । ଆଜି ସେ, ସବୁଦିନ ପରି, ଆଉ ମତେ ତୁନି କରିବାକୁ ଆସିଲେ ନାହିଁ; ଖୁଣ୍ଟକୁ ଆଉଜି ସେମିତି ପଥର ପରି ବସି ରହିଲେ । କେତେବେଳେକେ କହିଲେ, ସକାଳୁ ତ କିଛି ଖାଇନୁ ଏ ଯାଏଁ, କ’ଣ ଦେଖି ଆଣେ ।

ସେ ଚାଲିଗଲେ । କଟକ ବସାରେ ପଇସା ଅଭାବରୁ ତିନିଦିନ ସେଇ ଖାଡ଼ା ଉପାସ କଥା ମୋର ମନେପଡ଼ିଲା, ୟାଙ୍କ କଥା ଶୁଣି । ଭାବିଲି, ଓଃ କି କଷ୍ଟ ସେ । ଏ ଲୋକନିନ୍ଦା ତ ତା’ ଆଗରେ କିଛି ନୁହେଁ । ଭଗବାନ ଶତ୍ରୁକୁ ସୁଦ୍ଧା ସେ କଷ୍ଟ ନ ଦିଅନ୍ତୁ । କିନ୍ତୁ ଏ ପୁରୁଷ ହୋଇ ଏତେକଷ୍ଟ ମୁହଁ ବୁଜି ସହିଲେ କାହା ଲାଗି ? ସେଇ କଟକରେ ମତେ ଛାଡ଼ିଦେଇ ସେ ତ ଏଠିକି ଖୁସିରେ ଚାଲି ଆସିପାରିଥାନ୍ତେ । ମୁଁ ୟାଙ୍କର କିଏ ଯେ ମୋ’ପାଇଁ ଏତେ କଷ୍ଟ ଏତେ ଅପମାନ ସହିନେବାକୁ ଏ ଖୁସିରେ ମୁଣ୍ଡପତାଇ ଦେଇଛନ୍ତି; ଅଥଚ ଏଇ ଦଣ୍ଡକ ଆଗରୁ ମୁଁ ୟାଙ୍କ ଉପରେ ଚିଡ଼ିଥିଲି ପୁଣି, ଏଠିକି ଆସିବା ଦୋଷଯାକ ଯେମିତି ସବୁ ତାଙ୍କରି ! ମନରେ ଗୋଟାଏ ଅତି କୁତ୍ସିତ ସନ୍ଦେହ ଆଣି, ମୁହଁକୁ ଯାହା ଆସିଲା, ଗାଳି ଦେଲି । ସେ କିନ୍ତୁ ପଦେ ପାଟି ଫିଟେଇଲେ ନାଇଁ ତ, ଯେମିତି ସତରେ କେଡ଼େ ବଡ଼ ଦୋଷଟାଏ କରି ପକାଇଛନ୍ତି ! କୃତାର୍ଥତାର ଆନନ୍ଦରେ ଲକ୍ଷ କୋଟି କଣାରେ ବିଭକ୍ତ ହୋଇ ତାଙ୍କରି ଗୋଡ଼ତଳ ମାଟି ସଙ୍ଗେ ମିଶି ହଜିଯିବାକୁ ଇଚ୍ଛା ହେଲା ମୋର ।

ଭିତର ଘର ଦୁଆର ମୁହଁରେ ଗୋଟାଏ ଘିଅଦୀପ ହାତରେ ନାଥନନା ଡାକିଲେ, ସତୀ-

ପାଖକୁ ଗଲି । କହିଲେ, ଆଜିକ ମୋର କ’ଣ ଜଳଖିଆ ଖାଇଦେଲେ ଚଳିଯିବ, ତୁ କ’ଣ ଖାଇବୁ କହିଲୁ ?

କହିଲି, ମୁଁ ଯାହା ଖାଏଁ ନ ଖାଏଁ, ତମ ପାଇଁ ରୋଷେଇ ହବ, ଯେମିତି ହଉ ।

ତିନିଦିନ ହେଲା ଭାତ ସଙ୍ଗେ ଭେଟ ନାଇଁ, ମନେ ଅଛିଟି ସେ କଥା ?

ପଚାରିଲି, ରୋଷେଇ କିଏ କରିବ ଶୁଣେ ?

ମୁଁ ।

ମୋ କଥାରେ ପ୍ରବଳ ପ୍ରତିବାଦ କରି କହିଲେ, ନାହିଁ ନାହିଁ, ମୁଁ ଭାତ ଖାଇବି ନାହିଁ ଆଜି-। ଦଉଡ଼ି ଦଉଡ଼ି ଏତେ ବାଟରୁ ଆସିଚୁ, ସେଥିରେ ପୁଣି ଗୋଟାଏ ନିଆଁ ପାଖରେ ନ ସିଝିଲେ ହେବ ନାହିଁ ? ମୁଁ ଯାଉଚି ଜଳଖିଆ କିଣିଆଣେ ।

ସେ ଚାଲି ଯାଉଥିଲେ, ଦୃଢ଼ ସ୍ୱରରେ ଡାକିଲି, ଯା ନା କହୁଚି । ସେ ଫେରିଲେ । କହିଲି, ଆଲୁଅଟା ମତେ ଦେଲ, ଭଣ୍ଡାରଘରେ ରୋଷେଇ ଲାଗି କ’ଣ ଅଛି ଦେଖେଁ ।

ଉପାୟହୀନତାର କ୍ଷୀଣ ଆପତ୍ତି ଉଠାଇ ସେ କହିଲେ, ଫେର୍ ଗୋଟାଏ ରୋଷେଇ ! ପୂର୍ଣ୍ଣ ଦୃଷ୍ଟିରେ ତାଙ୍କ ଆଡ଼କୁ ଚାହିଁ କହିଲି, ମୁଁ ତମକୁ ପଚାରୁଚି ସେ କଥା ।

ମାଘମାସର ବଉଳ ଉଜଡ଼ା ଦିନ । ବଣ ବୁଦାର ପାଚିଲା ପତର କମକଟା ଛିଟ ଗାଲିଚା ଉପରେ ନିଦ ଭାଙ୍ଗିବାକୁ ବସନ୍ତ ବାଆ ଚୋରଣୀ ପରି ଆସି ବେଳେ ବେଳେ ଚାହିଁ ଯାଇଥିଲା, ତା’ର କୁହୁଡ଼ି-ମଶୁରୀଟି ଟେକି । କିନ୍ତୁ ଏଡ଼େବେଗି ଜାଡ଼–ଦେବତାର ନିଦ ଭାଙ୍ଗିଦବାକୁ ଭରସି ପାଖକୁ ପଶିପାରୁ ନ ଥିଲା ଯେପରି । ପାଚିଲା ପତ୍ର ଝଡ଼ି ଗଛେ ଗଛେ ପତ୍ରକଅଁଳାର ଧୁମ୍ ପଡ଼ିଯାଇଥିଲା ଚାରିଆଡ଼େ । ସକାଳୁ ସେଦିନ ଘରଭିତରେ ବସି ପାନ ଭାଙ୍ଗୁଚି, ବାହାରୁ ପାଟି ଶୁଭିଲା–ଲୋକନାଥ ନନା, ଘରେ ଅଛ ?

ନାଥନନା ପିଣ୍ଡାରେ ବସି ତାଙ୍କ ପଢ଼ିବା ଦିନର କେତେଟା ପୁରୁଣା ବହି ସଜାଡ଼ି ରଖୁଥିଲେ ।

କହିଲେ, କିଏ ଅଚୁତି ?

ଏ ଅଚୁତି ଆମ ଗାଁ ଚାଟଶାଳୀର ମାଷ୍ଟର । ପାଞ୍ଚବର୍ଷ ଲାଗ୍ ଲାଗ୍ ବିଦ୍ୟାଦେବୀଙ୍କ ସହିତ ରୀତିମତ ଯୁଦ୍ଧକରି ଯେତେବେଳେ ନିଜ ଇଲାକାଟାକୁ ଅପର ପ୍ରାଇମେରୀ ସୀମାର ବେଶି ଦୂରକୁ ବଢ଼େଇ ପାରିଲେ ନାହିଁ, ସେତେବେଳେ ବିରକ୍ତି ହୋଇ ଶେଷରେ ପଢ଼ା ଛାଡ଼ିଦେଇ ଦିନାକେତେ ଗାଁ ଭିତରେ କୋଉଠି ତ୍ରିନାଥମେଳା ହେଲା, ଚୌଧୁରୀ ପୋଖରୀରେ କୋଉଦିନ ଜାଲ ପଡ଼ିଲା, କୋଉଦିନ ଖାସି ହଣାହେଲା, ଦିନରାତି ଏଇ ଖବର ନେଇ ବୁଲିଲେ । ତା’ପରେ ନାଥନନାଙ୍କ ଅନୁଗ୍ରହରୁ ଅନେକ କଷ୍ଟରେ ଅନେକ ଦିନ ପରେ ଗାଁ ଚାଟଶାଳୀରେ ଖଣ୍ଡେ ଚାକିରି ପାଇ ଏକଲାଗେ ସେ ମାଷ୍ଟର ।

କଠଉ ଠକ ଠକ କରି ସେ ଖଞ୍ଜା ଭିତରକୁ ଆସିଲେ, ନାଥନନାଙ୍କ ପାଖେ ବସି ପଚାରିଲେ, କୋଉଦିନ ଆସିଲ ?

ପ’ରିଦିନ । ନାଥନନା କହିଲେ ।

ଆଉ ସବୁ ଖବର ଭଲ ? ତମ ବୋଉ ପୁରୀରୁ ଫେରିନାହାନ୍ତି ପରା ।

ନା ।

ଘର ଭିତରେ ଆଉ କିଏ ?

ସତୀ ।

ଶାଶୁଘରୁ ଆସି ଏକା ଅଛି ପରା ତମ ପାଖେ ?

ଅନ୍ୟଆଡ଼େ ମୁହଁ ଫେରାଇ ସେ ହସିଲେ । ତା’ପରେ କବାଟ ପାଖଯାଏ ଆସି ମତେ କହିଲେ, କି ଲୋ, ଏଡ଼େବେଗେ ଫେରି ଆସିଲୁ ଯେ ? ମନ ଲାଗିଲା ନାହିଁ ପରା ଶାଶୁଘରେ ? ମତେ ଦଣ୍ଡବତ କରିବା ଦେଖି କହିଲେ, ହଉ ହେଲାଣି ହେଲାଣି । ବଡ଼ମା’ ନାହାନ୍ତି, କେହି ନାହାନ୍ତି, ବଡ଼ ଅଡ଼ୁଆ ଲାଗୁଥିବ ତତେ ଏଠି ? ତେବେ ତମ ନାଥନନା ଅଛନ୍ତି ଯେତେବେଳେ, ନା କ’ଣ ?

ମୋ ମୁହଁକୁ ଚାହିଁ ସେ ହସିଲେ ।

ଲାଜ ଆଉ ଅପମାନରେ ମୁହଁ ଗରମ ହୋଇଉଠିଲା ମୋର । ମୁଣ୍ଡ ତଳକୁ ପୋତି ଉଢ଼ଣା ଟିକେ ଟାଣିଦେଲି ।

ଆଉ ଦଣ୍ଡେ କଥାବାର୍ତ୍ତା ହୋଇ ସେ ଉଠିଲେ । କହିଲେ, ଯାଉଚି ଆଜି, କାମ ଅଛି ଟିକେ ପଛକୁ ଆସିବି-ଯଦି କହିବ ।

କଥାର ଶେଷଆଡ଼କୁ ତାଙ୍କର କେମିତି ଅଶ୍ଳିଷ୍ଟ ପରିହାସ ଧ୍ୱନିତ ହୋଇଉଠିଲା । ନାଥନନା କିପରି ଅନ୍ୟମନସ୍କ ହୋଇଯାଇଥିଲେ ତାଙ୍କ କଥା ଶୁଣି । ଖାଲି କହିଲେ, ହୁଁ, ଆସିବୁ ।

ସେ ବୋଧହୁଏ ସବୁ ବୁଝିପାରିଥିଲେ ।

ମନେହେଲା, ସବୁଦିନେ ଏମିତି କ୍ଷୁଦ୍ର ଏମିତି ଇତର ଏ ଗାଁ ଟୋକାଗୁଡ଼ାକ । ସ୍ତ୍ରୀ ପୁରୁଷ ସମ୍ପର୍କରେ ଯେ କୌଣସି ବିଷୟ ନେଇ ଗୋଟାଏ କୁତ୍ସିତ କଳ୍ପନାକୁ ଗଢ଼ିଗାଢ଼ି ଥୋଇପାରିଲେ ତାଙ୍କୁ ଯାଇ ସୁଖ ମିଳେ । ଏଇମାନେ ପୁଣିଦିନେ ଆମ ସମାଜର ମୁଣ୍ଡ ହେବେ, ଉଚ୍ଚ ଆସନରେ ବସି ନିଜର ସଂକୀର୍ଣ୍ଣ ବ୍ୟାଧିଗ୍ରସ୍ତ ବିଚାରଶକ୍ତି ଘେନି ସାଧାରଣଙ୍କୁ ବ୍ୟବସ୍ଥା ଦେବେ-

ସକାଳଟା ମୋର ସେମିତି ବୈଚିତ୍ର୍ୟହୀନ ହୋଇ କଟିଗଲା । ଗାଧୋଇ ଆସି ନାଥନନା ପିଣ୍ଡାରେ ଖାଇବସିଲେ । ତାଙ୍କୁ ଖଣ୍ଡେ ଦୂର ଛାଡ଼ି ଭିତର ଘର ବନ୍ଧ ଉପରେ ମୁଁ ବସିଥିଲି-। ଥରେ ଦୁଇ ଥର ସେ କ’ଣ କହିବା ପରି ମୋ ଆଡ଼କୁ ଚାହିଁଲେ । ତା’ପରେ କ’ଣ ଭାବି ମୁଣ୍ଡ ତଳକୁ ପୋତି ଖାଇସାରି ତୁନିହୋଇ ଉଠିଗଲେ । ମନେକଲି, ବୋଧହୁଏ ସକାଳର ସେଇ ଘଟଣାରୁ ମନ ତାଙ୍କର ଭଲ ନାହିଁ ।

ଗାଁର ସେଦିନ କେହି ଆଉ ଆସିଲେ ନାହିଁ ଆମ ଖବର ନବାକୁ । ସଞ୍ଜ ଗଡ଼ିଗଲା । ଖରାବେଳୁ ଖାଇସାରି ନାଥନନା କୁଆଡ଼େ ଯାଇଥିଲେ, ସେତେବେଳ ଯାଏ ଫେରି ନ ଥିଲେ । ରୋଷେଇ ବସାଏଁ ।

ଭିତର ଘର ଚୁଲି ଲଗାଇଦେଇ ଭଣ୍ଡାରଘରକୁ ଯାଇ ଦେଖିଲି, ଟୋକେଇ ବାଉଁଶିଆ ଝାଡ଼ଝୁଡ଼ । ଗୋଟିଏ ବୋଲି ଚାଉଳ ନାହିଁ ରାତି ପାଇଁ । ଚୁଲିର ଜାଳ କମି କରିଦେଇ ପଦାକୁ ଆସିଲି । ବାହାରେ ମୁକୁଳା ଆକାଶ ତଳେ ସ୍ୱପ୍ନରାଇଜ ରଜାଝିଅର ରୁପା କଳାପାତିଆ ପରି ନଅମୀ ଜହ୍ନ ଚାଳମଥାନ ଉପରେ ହସି ଚାହିଁଥିଲା, ଥିର ବିଲ ପଡ଼ିଆରେ ଫିକା ଆଲୁଅ ପକାଇ । ଉଚ୍ଚ ନଡ଼ିଆଗଛର ଝାଲରକଟା ଚିକ୍‍କଣ ପତର ଉପରେ ସେ ଆଲୁଅ ଆସି ମୂର୍ଚ୍ଛିତ ହୋଇ ଶୋଇଥିଲା । ବାଡ଼ିପଟ ମୁକୁଳା କବାଟବାଟେ ସେଇଆଡ଼କୁ ଏକଧ୍ୟାନରେ ଚାହିଁ ଠିଆହୋଇଚି, ପଛରୁ କିଏ ଆସି ଆଖି ଦି’ଟା ମୋର ବନ୍ଦ କରି ଧରିଲା । ଦିହବାସନାରୁ ଜାଣିପାରିଲି, ନାଥନନା ।

ଚମକିପଡ଼ି କହିଲି, ମୁଁ ଚିହ୍ନୁଚି ।

କିଏ ?

ସେଇ ।

ସେଇ କିଏ ?

କହିଲି, ମୁଁ ଜାଣେନା–ଯା ।

ଆଖି ଛାଡ଼ିଦେଇ ସେ ମତେ ତାଙ୍କ ଛାତି ଉପରକୁ ଆଉଜାଇ ଧଇଲେ । ଲାଜ ମାଡ଼ୁଥିଲେ ବି ସେତେବେଳେ ମୁଁ ତାଙ୍କୁ ବାଧା ଦେଲି ନାଇଁ, ସକାଳର ବିମର୍ଷ ଭାବ ତାଙ୍କର କଟିଯାଇଚି, ଖାଲି ଏଇ ଅନୁଭବର ଆନନ୍ଦରେ ।

ମୋ ମୁହଁ ଉପରେ ମୁହଁ ରଖି ସେ ପଚାରିଲେ, ଆଚ୍ଛା, ମୁଁ ନ ହୋଇ ଯେବେ ଆଉ କିଏ ହୋଇଥାନ୍ତା ?

ସେ ଆତପ୍ତ କୋମଳସ୍ପର୍ଶର ଅନିର୍ବଚନୀୟ ଆବେଶରେ ସମସ୍ତ ଅନୁଭୂତି ମୋର ମୂର୍ଚ୍ଛତ ହୋଇଗଲା, ଉତ୍‍ଶୃଙ୍ଖଳ ରକ୍ତସ୍ରୋତରେ ଆନନ୍ଦର ନିଆଁ ଜଳାଇଦେଇ । କାନପାଖେ ତାଙ୍କ ବକ୍ଷସ୍ପନ୍ଦନର ଦ୍ରୁତ ତାଳରେ ମୋର ସମଗ୍ର ଜୀବନ ଝଙ୍କୃତ ହୋଇଉଠିଲା ।

ସେତିକିବେଳେ ସଫା ଜହ୍ନ ଆଲୁଅରେ ଦୁଆର ମଝିରେ ଆସି ଠିଆହେଲା–ଅଚୁତି । ଆମକୁ ଦେଖି ତର ତର ହୋଇ ବାହାରକୁ ଯାଉ ଯାଉ କହିଲା, ନ ଜାଣି ପଶି ଆସିଥିଲି, ଲୋକନାଥ ନନା । କିଛି ମନେକରିବେ ନାହିଁ ।

ଆଖି ପିଞ୍ଛଡ଼ାକେ ସେ ମତେ ଛାଡ଼ିଦେଇ ପଛକୁ ଘୁଞ୍ଚିଗଲେ । ମୁଁ କାଠପିତୁଳୀ ପରି ସେଇଠି ଠିଆହୋଇ ରହିଲି–ହୃଦୟର ଗତି ଯେପରି ମୋର ହଠାତ୍ ସ୍ତବ୍ଧ, ଅଚଳ ହୋଇଗଲା ।

ନଈ ଜୋର ପଡ଼ିଆ ପାରିର କୁହୁଡ଼ିଆ ସୀମାରେଖା ହଜାଇ ଦେଇ ଜହ୍ନ ସେତେବେଳକୁ ଖଣ୍ଡେ କଳା ବଉଦ ଭିତରେ ମୁହଁ ଲୁଚାଇଥିଲା ।

ସକାଳୁ ଉଠି ମୋର ପ୍ରଥମ ଭାବନା ହେଲା, କାଲିର ଏକାନ୍ତ ଲଜ୍ଜଜନକ ଘଟନା ପରେ ମୁଁ ନାଥନନାଙ୍କୁ କିପରି ମୁହଁ ଦେଖାଇବି ? ଇଚ୍ଛାକରି ଅନେକ ଉଚ୍ଛୁକରେ ସେଦିନ ଉଠିଲି । ଆସ୍ତେ ଆସ୍ତେ ଘରକବାଟ ଟିକିଏ ଫାଙ୍କକରି ଚାହିଁଲି, ନାଥନନା କୋଉଠି ଦିଶୁ ନାହାନ୍ତି । ମନେକଲି, ବୋଧହୁଏ ଉଠି ନାହାନ୍ତି । ଖୁବ୍ ଆସ୍ତେ ଗୋଡ଼ ଚିପି ଚିପି ତାଙ୍କ ଶୋଇବାଘର କବାଟ ପାଖରେ ଯାଇ ଠିଆହେଲି । ନିଃଶ୍ୱାସ ବନ୍ଦ କରି ଜଳାକବାଟି ଫାଙ୍କରେ ଭିତରକୁ ଉଣ୍ଡି ଚାହିଁଲି–କେହି ନାହାନ୍ତି । ମନେ ମନେ ଗୋଟାଏ ମୁକ୍ତିର ନିଃଶ୍ୱାସ ପକାଇ ଭାବିଲି, ମୋ’ପରି ତାଙ୍କୁ ବୋଧହୁଏ ଏମିତି ଲାଜ ମାଡ଼ିଥିବ । ସେଥିଲାଗି ସକାଳୁ ଉଠି କୁଆଡ଼େ ଚାଲିଗଲେଣି । ପିଣ୍ଡାରେ ଠିଆ ହୋଇଚି, ବାହାରେ କାହାର ପାଟି ଶୁଭିଲା । ନାଥନନା ନୁହନ୍ତି ତ ଚମକି ଚାହିଁଲି–ସଇତା ।

ସେ ଆସି ମୋତେ ଓଳଗି ହୋଇ ଠିଆହେଲା । କେତେଦିନ ପାଶୋରା ସ୍ମୃତି, ବାପା ବୋଉ ଥିଲାବେଳର ବଡ଼ ଛୋଟ ଆବଶ୍ୟକ ଅନାବଶ୍ୟକ ଲକ୍ଷ୍ୟ କୋଟି ଘଟନା, ଶ୍ରାବଣ ଦିନର ସଚଳ ବଉଦମାଳା ପରି ନିମିଷକେ ଆସି ମୋ ମନ ଭିତରେ ଅଶ୍ରୁମନ୍ଥର ଦୃଷ୍ଟି ପକାଇ ଚାଲିଗଲା । ଜୀବନଭଳି ସେ ସୁଖ ମୋର ସରିଯାଇଛି । ଆଉ ଆସିବ ନାହିଁ ।

କେମିତି କେଜାଣି ସଇତା ଜାଣିପାରିଲା, ମୁଁ ବାପା ବୋଉଙ୍କ କଥା ମନେକରି କାନ୍ଦୁଛି, ସେଥିଲାଗି ସେ ଆଉ କିଛି ନ କହି ତୁନି ଠିଆହୋଇ ରହିଲା । କେତେବେଳକେ ମୁହଁ ଟେକି ପଚାରିଲି, ଏତେଦିନେ ମନେପଡ଼ିଲା ପରା ।

ତା’ ଆଖି ବୋଧହୁଏ ଶୁଖିଲା ନ ଥିଲା । ପିନ୍ଧାକାନିରେ ମୁହଁ ପୋଛି କହିଲା, କୋଉଦିନୁ ମନେକଲିଣି ଆସିବି ଆସିବି ବୋଲି କାମ ଭିଡ଼ରେ ଆସିପାରୁ ନ ଥିଲି, ବୁଢ଼ୀ ।

ଆଜିକାଲି କୋଉଠି ଅଛୁ ?

ଏଇଠି । ଏଇ ଅଚୁତ ମାହାନ୍ତି ଘରେ ।

ଏ ସେଇ ଅଚୁତି । ପଚାରିଲି, କିଏ ଚାଟଶାଳୀ ମାଷ୍ଟର ନା ?

ହଁ, ସେଇ ।

ବୁଢ଼ା ହେଲାଣି ଏଡ଼େ; ତଥାପି ଚାକିରି କରୁଚି । ପଚାରିଲି, ହଇରେ, ତାଙ୍କ ଘର ଭଲ ଖାଇବାକୁ ଦିଅନ୍ତି ନା ତତେ ?

ଗୋଟାଏ ବଡ଼ ନିଃଶ୍ୱାସ ପକାଇ ସେ କହିଲା, ହଁ ସେମିତି, ପେଟ ବିକଳରେ ଖାଲି ପଡ଼ିରହିବା କଥା । ମୋ ସାନ୍ତ ସାନ୍ତାଣୀ ଗଲାଦିନୁ ପାଟିସୁଆଦ ମୋର ସରିଯାଇଚି, ବୁଢ଼ୀ ।

ଭାରି ବିକଳ ଲାଗିଲା କଥା ଶୁଣି । କହିଲି, ତୁ ଏଠିକି ଆସୁନାହୁଁ ଚାଲି ?

କୋଉଠିକି ? ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

କହିଲି, ମୋ ପାଖରେ ଆସି ରହନ୍ତୁ, ସେଠୁ ଚାକିରି ଛାଡ଼ିଦେଇ ।

ହଁ, ଆସିବି ବୁଢ଼ୀ, ଆସିବି । ତୁ ଆସିବା ଦିନୁ ସେଇକଥା କେତେଥର ମନେ ମନେ ବିଚାରିଲିଣି । କାଲିଠଉଁ ସେଠା ଛାଡ଼ି ଦେଇ ତୋ ପାଖେ ଆସି ରହିବି, ତୁ ପୁଣି ଶାଶୁଘରକୁ ଗଲାଯାଏ । ମନେକଲି, ହାୟ, ଏ ବିଚରା ଜାଣିନାହିଁ, ଶାଶୁଘର ସଙ୍ଗେ ମୋର ସବୁଦିନପାଇଁ ସମ୍ୱନ୍ଧ ଛିଣ୍ଡିଗଲାଣି ବୋଲି । ଗାଁରେ ବି ସେ କଥା ବୋଧହୁଏ କେହି ଜାଣିନାହାନ୍ତି ଏତେବେଳ ଯାଏ ।

ଆଉ ଟିକେ ବସି ସେ ଯିବାକୁ ଉଠିଲା । କହିଲା, ଆଜି ଯାଉଚି ବୁଢ଼ୀ, କାମ ଅଛି । କାଲିଠଉଁ ତ ଏକାଥରକେ ଆସିବି । ଖଣ୍ଡେ ବାଟ ଯାଇ ପୁଣି କ’ଣ ମନେକରି ଫେରିଲା । ଲୁଗାକାନି ଭିତରୁ ଖଣ୍ଡେ ଧଳା କାଗଜ ବାହାର କରି ମୋ ହାତରେ ଦେଇ କହିଲା, ଅଚୁତା ଅବଧାନ ଦେଇଥିଲା ତତେ ଦବାକୁ; ମନେ ନ ଥିଲା ।

ଆଶ୍ଚର୍ଯ୍ୟ ହୋଇ ପଚାରିଲି, ମତେ ?

ହଁ, ତତେ ଦବାକୁ ତ କହିଲା ।

ଚିଠି ପଢ଼ିସାରି ରାଗରେ ଦିହଗୋଟାକ ମୋର ଗରମ ହୋଇଗଲା । କହିଲି, ଯା କହିଦବୁ ତାକୁ, ଏ କଥା ପୁଣି ଯେମିତି ସେ ମୁହଁରେ ନ ଧରେ ।

ସଇତା କାବାହୋଇ ମୋ ମୁହଁକୁ ଦଣ୍ଡେ ଚାହିଁ ଧୀରେ ଧୀରେ ସେଠୁ ଚାଲିଗଲା ।

ସ୍ତମ୍ଭିତ ହୋଇ ଭାବିଲି, କି ଅଦ୍ଭୁତ ସାହସ ଏ ଅଚୁତିର ! ଚିଠିରେ ଲେଖା ଥିଲା-

ଏ ଚିଠି ପଢ଼ି ବିରକ୍ତ ହବୁ ନାହିଁ । ଭାବି ଦେଖିବୁ, ଏଥିରେ ତୋର ଭଲ ଛଡ଼ା ଖରାପ ହବନାହିଁ । ତମ ବାପା ମଲାପରେ ତାଙ୍କର ଏ ଗାଁରେ ଯାହା ସ୍ଥାବର ସମ୍ପତ୍ତି, ଉତ୍ତରାଧିକାରୀସୂତ୍ରେ ସେସବୁ ବର୍ତ୍ତମାନ ତୋ’ରି । ଏତେ ସମ୍ପତି ତୋର କିଛି କାରବାରରେ ଆସିବ ନାହିଁ, ଏ କଥା ତୁ ଜାଣୁ । ମୁଁ କହୁଚି, ମତେ ସେସବୁ ଦେଇଦେ । କାଲି ରାତିରେ ତମ ଘରେ ଯାହା ଆଖିରେ ଦେଖିଚି, ସେ କଥା ପ୍ରକାଶ ହେଲେ ତୋର ସ୍ୱାମୀ ଯେ ତତେ ଆଉ ଘରକୁ ନେବେ ନାହିଁ, ଏ କଥା ମୁଁ ଜାଣେ । ମୋ ଅପେକ୍ଷା ତୁ ଆହୁରି ଭଲକରି ଜାଣୁଥିବୁ । ତମ ଦୁହିଁଙ୍କ ବିଷୟ ନେଇ ଗାଁରେ ଏଥିମଧ୍ୟରେ ଅନେକ ଜାଗାରେ ଟୁପ୍‌ଟାପ୍ ହେଉଥିଲେ ମଧ୍ୟ କାଲିକା କଥା ମୁଁ କାହାକୁ ଏ ପର୍ଯ୍ୟନ୍ତ କହିନାହିଁ । ମୋ ପ୍ରସ୍ତାବରେ ଯଦି ତୁ ରାଜି ହେଉ, ତେବେ ସବୁ କଥା ମୁଁ ଘୋଡ଼ାଇ ଦେବି । ଗାଁରେ କେହି କିଛି ଜାଣିପାରିବେ ନାହିଁ । ଆଉ ଯେବେ ତୁ ମୋ କଥାରେ ରାଜି ନ ହେଉ, ତେବେ କାଲିକା କଥା ମୁଁ ଗାଁରେ ସମସ୍ତଙ୍କ ଆଗେ ପ୍ରଘଟ କରିଦେବି । ସେଥିରେ ଯାହା ଫଳ ହବ, ତୁ ବୁଝିପାରୁଥିବୁ-। ତତେ ଏବଂ ତୋ ନାଥନନାକୁ ସମସ୍ତେ ଏ ଗାଁରେ ଜାତିରୁ ବାସନ୍ଦ କରିବେ । ନିଆଁପାଣି ମଧ୍ୟ ଅଟକ କରିପାରନ୍ତି । ତୋ ସ୍ୱାମୀ ଏ ଗାଁ ଜମିଦାର । ତୁ ଯେ ଏଠି ଆସି ଏକୁଟିଆ ଲୋକନାଥ ନନାଙ୍କ ପାଖରେ ଅଛୁ, ଆଉ ମାଇପେ କେହି ଘରେ ନାହାନ୍ତି, ଏକଥା ସେ ଏପର୍ଯ୍ୟନ୍ତ ଜାଣିନାହାନ୍ତି-। ଜାଣିଲେ ତ ସେ ଆଉ ତୋ ମୁହଁ ଚାହିଁବେ ନାହିଁ । ଲୋକନାଥ ନନାଙ୍କୁ ବି ସହଜରେ ଛାଡ଼ିବେ ନାହିଁ, ଆଉ ଜ୍ୱାଇଁ ବୋଲି ତମ ବାପାଙ୍କର ସବୁ ସମ୍ପତ୍ତି ସେ ଦଖଲ କରି ବସିବେ । ଏଇଲାଗେ ଭଲରେ ଯାହା ନ କରିବୁ, ମନ୍ଦରେ ଦିନେ ସେଇଆ ହବ । ସେ ସମ୍ପତ୍ତି ତୋ ହାତରୁ ଯିବ । ଲାଭ ଭିତରେ ସ୍ୱାମୀ ଘରୁ କାଢ଼ିଦେବେ, ଏ ଗାଁରେ ବି ତୋର ମୁହଁ ଦେଖାଇବାର ବାଟ ରହିବ ନାହିଁ । ଏ କୁଳ ସେ କୁଳ ଦୁଇକୁଳ ଯିବ । ମୋ କଥାରେ ରାଜିହେଲେ ଏସବୁ ବିପଦରୁ ମୁଁ ତତେ ପାରି କରିଦେବି । ଆଶାକରେ, ସବୁକଥା ଭଲକରି ଭାବି ମୋ କଥାରେ ରାଜି ହବୁ । ଏ ଲୋକଠାରୁ ଏଥିରେ ତୋ’ର ମତ ଅଛି ଜାଣିଲେ, ଦତ୍ତପତ୍ର କାଗଜ ନେଇ ମୁଁ ଆଜି ସଞ୍ଜବେଳେ ତୋ ପାଖକୁ ଯିବି । ତତେ ବେଶି କିଛି କରିବାକୁ ପଡ଼ିବ ନାହିଁ; ଖାଲି ଗୋଟାଏ ଦସ୍ତଖତ କରିଦେଲେ ହେଲା । ତା’ପରେ ତୁ ଶାଶୁଘରୁ କେବେ ଆସିଲେ ଯଦି ଏଇ ଗାଁରେ ରହିବାକୁ ଇଚ୍ଛା କରୁ, ତେବେ ମୁଁ ସେଇଥିରୁ ତତେ ବଖରାଏ ଘର ଚଳିବା ଭଳି ଦି’ତିନି ମାଣ ଜମି ଦେଇପାରେ । ଆଶାକରେ, ସବୁକଥା ଧୀରଭାବରେ ବିଚାରି ଗଲା ଲୋକ ହାତରେ ମୋ ପାଖକୁ ଖବର ଦବୁ ।

ପୁ: –ପିଢ଼ିସାରି ଚିଠିଟା ଚିରିଦବୁ । ଲୋକନାଥ ନନା ଯେପରି ବିନ୍ଦୁବିସର୍ଗ ଜାଣି ନ ପାରନ୍ତି । ସେ ତୋତେ ପଟାପଟି କରି ସବୁ ସମ୍ପତ୍ତି ହସ୍ତଗତ କରି ତୋର ସର୍ବନାସ କରିବାକୁ ବସିଛନ୍ତି, ଏକଥା ମୁଁ ଜାଣେ । ତାଙ୍କ କଥା ଗୋଟେ ବିଶ୍ୱାସ କରିବୁ ନାହିଁ, ସାବଧାନ ।

ରାଗ, ଅପମାନ ଆଉ ଲଜ୍ଜାରେ ଭାବିବାର ଶକ୍ତି ମୋର ସ୍ତମ୍ଭିତ ହୋଇଗଲା । ଏ ଅଚୁତିଟା କ’ଣ ମଣିଷ ? କେତେବେଳଯାଏ ସେଠି କାନ୍ଥକୁ ଆଉଜି, କାନ୍ଥଠାରୁ ଆହୁରି ନିର୍ଜୀବ ହୋଇ ବସିଥିଲି କେଜାଣି, କାନ୍ଧ ଉପରେ କାହା ନିଃଶ୍ୱାସର ମୃଦୁ ସ୍ପର୍ଶ ଅନୁଭବ କରି ଚମକି ଚାହିଁଲି–ନାଥନନା ।

ଚିଠିଟା ମୋ ହାତରୁ ଟାଣିନେଇ ସେ ପଢ଼ିଲେ; ତା’ପରେ ରାଗରେ ଗର୍ଜିଉଠି କହିଲେ, କାହିଁ ସେ କୁକୁରଟା ? ତା’ପରେ ଚିଠିଟା ଟିକି ଟିକି କରି ଚିରିପକାଇ ଘରୁ ଦଉଡ଼ି ଚାଲିଗଲେ ।

ଦାଣ୍ଡପଟେ, ଯୋଉଠି ତାଙ୍କ ଦିହଛାଇର ଶେଷରେଖା ଦୁଆରମୁହଁ ପାଖେ ମିଳାଇ ଯାଇଥିଲା, ସେହିଆଡ଼କୁ ଏକଧ୍ୟାନରେ ଚାହିଁ ଭାବିଲି, ଯେମିତି ଏକଜିଦିଆ ଲୋକ ଏ, ଏଇଲାଗେ କ’ଣ ନାଇଁ କ’ଣ କରିବସିବେ କେଜାଣି ? କାହିଁକି ମିଛରେ ତାଙ୍କୁ ଚିଠିଟା ପଢ଼ିବାକୁ ଦେଲି, ନିଜେ ଚିରି ପକାଇଥିଲେ ତ ଯାଇଥାନ୍ତା ! ଯେମିତି ରାଗିଛନ୍ତି ଚିଠି ପଢ଼ି, ଆଜି ଗୋଟାଏ କିଛି ଭୟଙ୍କର କାଣ୍ଡ ନ କରି କ’ଣ ଫେରୁଛନ୍ତି ସହଜରେ ?

ଗୋଟାଏ କଳ୍ପିତ ଆଶଙ୍କାରେ ବିଚଳିତ ହୋଇ ଦିନଗୋଟାକ ମୋର କଟିଗଲା । ଛାଇ ଲେଉଟିଗଲା । ନାଥନନା ସେତେବେଳଯାଏ ଫେରିନଥିଲେ । କ’ଣ ହେଲା କେଜାଣି ? ଆଉ ସବୁ ଚିନ୍ତା ବୁଡ଼ାଇ ଦେଇ ଏଇ ଭାବନା ମୋର ସମ୍ବଳ ହେଲା । ଏତେବେଳଯାଏ କୁଆଡ଼େ ଗଲେ ସେ-? ଖରାପ ହେଲା ନାହିଁ ତ ?

ଉପରଓଳି ସଇତା ଆସିଲା । କହିଲା, ସେଠୁ ଚାକିରି ଛାଡ଼ି ଆସିଲି, ବୁଢ଼ୀ ।

ସଇତାକୁ ଦେଖି ଅଥଳ ସମୁଦ୍ରରେ କୂଳ ମିଳିଲା । ପଚାରିଲି, ନାଥନନା କୁଆଡ଼େ ଗଲେ, ଦେଖି ନାହୁଁ ?

ସେ କହିଲା, ସକାଳେ ଆଜି ଅଚୁତା ଅବଧାନ ଘରେ ତ ତାଙ୍କୁ ଦେଖିଥିଲି । ଭାରି ରାଗହୋଇ ଅବଧାନ ସାଙ୍ଗେ କ’ଣ କଥାବାର୍ତ୍ତା ହଉଥିଲେ । ଦି’ପହରରେ ଏଇ ବିଲ ବାଟେ ଆର ଗାଁକୁ ତ କୁଆଡ଼େ ଗଲେ ।

ନିଶ୍ଚିନ୍ତ ହୋଇ ଭାବିଲି, ଯାହାହଉ ଅଖୁଣ ଦିହରେ ତ ଅଛନ୍ତି ସେତେବେଳଯାଏ । ପଚାରିଲି, ଯୁଆଡ଼େ ସେ ଗଲେ, ତୁ ଟିକେ ଯାଇପାରିବୁ ସେଠିକି ?

କାହିଁକି ?

ସକାଳ ପହରୁ ଅଖିଆ ଯାଇଛନ୍ତି ପରା । ତୁ ଯା, ତାଙ୍କୁ ସାଙ୍ଗରେ ନେଇକରି ଯାଇଁ ଆସିବୁ ।

ସଇତା ଚାଲିଗଲା । ଏତେ ବିପଦରେ ସୁଦ୍ଧା ମନକୁ ଟିକେ ଦମ୍ଭ ଆସିଲା, ଏ ଗାଁରେ ସମସ୍ତେ ମୋ ବିରୁଦ୍ଧରେ ଠିଆହୋଇ ସୁଦ୍ଧା ଦୁଇଜଣ ତ ମୋ’ ଲାଗି ଅଛନ୍ତି, ପ୍ରୟୋଜନ ହେଲେ ଯେ ଜୀବନ ଦେଇ ମୋ’ ମର୍ଯ୍ୟାଦା ରକ୍ଷା କରିବେ ।

ସଞ୍ଜଘଣ୍ଟା ବାଜିବାର ଅନେକ ପରେ ସେଦିନ ନାଥନନା ଘରକୁ ଫେରିଲେ । ପିଣ୍ଡାରେ ଖାଇବାକୁ ଠା’ କରିଦେଲି । ଖାଇବସି ସେ କହିଲେ, ଆଜି ଭାରି ମଜା ହେଲା । ସକାଳେ ଯେତେବେଳେ ଗାଁଯାକ ଅଚୁତିକୁ ଖୋଜି ତା’ ଘରେ ଯାଇ ପହଞ୍ଚିଲି, ବାହାରେ ଠିଆହୋଇ ସେ କାହା ସେଙ୍ଗେ କଥାବାର୍ତ୍ତା ହେଉଥିଲା । ମତେଦେଖି ଘର ଭିତରେ ଯାଇ ଲୁଚିଗଲା । ଯେତେ ଡାକି ଡାକି ଆଉ କ’ଣ ବାହାରକୁ ଆସେ ? ଘରେ ତାଙ୍କର କହିଲେ, ସେ ନାହାନ୍ତି । ଯୋଉଠୁ କହିଲି, ନାହାନ୍ତି ଯେବେ, ଆସିଲେ କହିଦେବ, ମୁଁ ଥାନାକୁ ଯାଉଚି, ତା’ ନାଁରେ ଏତଲା ଦବାକୁ, ସେଠୁ ମୂଷାଟି ପରି ଘରୁ ବାହାରିଆସିଲା । ଆଗେ ତ ଯାହା ମୁହଁକୁ ଆସିଲା, ପରସ୍ତେ ଶୋଧି ଦେଇଗଲି, ତା’ପରେ କହିଲି, ଫେର୍ ଯଦି ତୁ ମୋର ଘର ଦୁଆରମୁହଁ ମାଡ଼ୁ, ତେବେ ଆଉ ତତେ ଘରକୁ ଫେରିବାକୁ ହବ ନାହିଁ ।

ସେ କ’ଣ କହିଲା ?

କହିବ ଆଉ କ’ଣ ? ଆଜି ଯାଉଚି କୁଆଡ଼େ ଜମିଦାର ପାଖରେ ଫେରାଦ ହବାକୁ ମୋ ନାଁରେ ।

ଆଶ୍ଚର୍ଯ୍ୟ ହୋଇ ପଚାରିଲି, ସତରେ ?

କହିଲେ, ହଁ, ଯାଉ ସେ । ସେଥିପାଇଁ ମୋର ଭୟ ନାହିଁ । କଥା କ’ଣ ଲୁଚିବ ? ଜମିଦାର ତ ପୁଣି ବୁଝିସୁଝି ବିଚାର କରିବେ ।

ମନେକଲି, ମୋର ସ୍ୱାମୀ ତ ଜମିଦାର । ତାଙ୍କର ଯାହା ବୁଝାମଣା, ସେ କଥା ମତେ ଭଲକରି ଜଣାଅଛି । ଜମିଦାର ବୋଲି ସମାଜ ଏମାନଙ୍କ ହାତରେ ଯେଉଁ ଅସୀମ କ୍ଷମତା ଦେଇଚି ଲୋକଙ୍କ ଉପରେ ଶାସନ କରିବାକୁ, କେତେଜଣ ତା’ର ସଦ୍‌ବ୍ୟବହାର କରନ୍ତି ? ଶାସନ ନାମରେ ଯେଉଁ ଅତ୍ୟାଚାର, ଅବିଚାର, ଯେଉଁ ମହାପାତକ ଏମାନେ ଆଖିବୁଜି ପ୍ରତିଦିନ କରିଯାଉଛନ୍ତି, ସେ ଖବର କିଏ ରଖେ ? ଜମିଦାରର ଖୁସି ଉପରେ ନ୍ୟାୟର ବାଟ ଗଢ଼ାହୁଏ । ଇନ୍ଦ୍ରିୟ ଲାଳସା ପାଖରେ ଗରିବର ସର୍ବସ୍ୱ, ସତୀର ସତୀତ୍ୱ ହଜାର ହଜାର ପ୍ରତିଦିନ ବଳି ଦିଆହୁଏ, ଅଥଚ ସମାଜ ସେ କଥା ବେଶ୍ ଆଖିବୁଜି ଚଳାଇନିଏ । ଏଇ ତ ଶାସନ, ଏଇ ତ ସମାଜ ! ହାୟରେ, ଲୋକେ ପୁଣି କୋଉ ସୁବିଚାର ଆଶା ରଖନ୍ତି ଏହାଙ୍କ ପାଖରେ ?

ଫଗୁଣର ଫଗୁପରା ଗୋଧୂଳି ଆକାଶ ଦିହରେ ତା’ର ଜରିଧଡ଼ିଆ ବଉଦ ଖଣ୍ଡେ ଜଡ଼ି ରଙ୍ଗ ହୋଇଯାଇଥିଲା, ଯେପରି ତା’ରି ରଙ୍ଗରେ । ଥକା ବଣଭୂଇଁ ପାଖେ ଧାଡ଼ିବନ୍ଧା ଗଛ ଡାଳେ ଡାଳେ କଅଁଳପତ୍ରର ରୋଷନିଫୁଲ ଖଞ୍ଜା ହଉଥିଲା, ବସନ୍ତ–ବର ଆସିବା ଲାଗି । ସେ ନୂଆ ପତ୍ର ମହକରେ ଉଚ୍ଚାଟହୋଇ ଗୋଟାଏ ହଳଦୀବସନ୍ତ, ଘନଗୁନ୍ଥା ବାଉଁଶବୁଦାର ନହକା ଅନ୍ଧାର କଷଟି ଉପରେ, କଞ୍ଚା ସୁନାର ଗାର ଟାଣି ଏ ଡାଳ ସେ ଡାଳ ଉଡ଼ି ବୁଲୁଥିଲା । ବାଡ଼ିପଟେ ଠିଆହୋଇ କେତେବେଳୁ, ଏକଧ୍ୟାନରେ ଚାହିଁଥିଲି ଏଇ ପତ୍ରକଅଁଳ ମହୋତ୍ସବ ଆଡ଼େ । ମନ ହେଉଥାଏ, ଦଉଡ଼ିଯାଇ ବଣ ଅରମା ଭିତରେ ଶୋଇ ପଡ଼ିବାକୁ; ଆମ୍ବଗଛ ଡାଳରେ ସୁନ୍ଦର-ଗୋଳା ରେଶମୀ ପତରରୁ କୁଣ୍ଢେ ତୋଳିଆଣି ଘର ବାହାର ସବୁ ଟଙ୍ଗେଇବାକୁ । କିନ୍ତୁ ଏଇ ନିହାତି ସୁଲଭ ସ୍ୱାଧୀନତାଟିକ ବି ମୋର ଆଜି ନାହିଁ । ଏଠିକି ଆସିଲାଦିନୁ ଦିନେ ସୁଦ୍ଧା ତ ବାହାରକୁ ଭରସି ଗୋଡ଼ କାଢ଼ିପାରିନାହିଁ ଲାଜରେ । ମତେ କିଏ କାଳେ ଦେଖିବ, କ’ଣ ପଚାରିବ କାଳେ । ମୋ କଥା ନେଇ ଗାଁ ଭିତରେ ଯେ ଭାରି ଗୋଟାଏ ଗୋଳମାଳ ଳାଗି ଗଲାଣି, ଘର ଭିତରେ ବସି ସେ କଥା ମୁଁ ଭଲକରି ଅନୁଭବ କରିପାରୁଚି । ଗାଁ ଗୋଟାକରେ ସମସ୍ତେ ଯେପରି ମୋ’ରି ବିରୁଦ୍ଧରେ ତତ୍ପର, ମୋ ବିଷୟ ନେଇ ଅତ୍ୟଧିକ ଆଗ୍ରହାନ୍ୱିତ । ବାହାରେ କାହାର ପାଟି ଶୁଣିଲେ ଘର ଭିତରେ ମୁଁ ଲାଜରେ ସରିଯାଉଚି; ଯେପରି କେତେ ବଡ଼ ମହାପାତକରେ ପାପୀ ମୁଁ ସମସ୍ତଙ୍କ ଆଗେ, ଅଥଚ ଏ ନାଥନନା–ଗୋଟାଏ ପ୍ରଚଣ୍ଡ ଝଞ୍ଜା ପରି ସ୍ୱାଧୀନ ଭାବରେ ବୁଲୁଛନ୍ତି, ସମସ୍ତ ସଙ୍କୋଚ, ସମସ୍ତ ଦ୍ୱିଧା ଜୋର କରି ବାଟରୁ ଏଡ଼ାଇଦେଇ । ବଡ଼ ବିଚିତ୍ର ଲାଗେ ୟାଙ୍କ କଥା ଭାବି-

କେତେବେଳକେ ସଇତା ଆସିଲା; ମତେ ବାଟ ପାଖରେ ଦେଖି କଥା ନ କହି ପିଣ୍ଡାରେ; ଯାଇ ଗୁମ୍‌ ମାରି ବସିଲା । ପଚାରିଲି, କୁଆଡ଼େ ଥିଲୁ କି ଏତେବେଳଯାଏ ?

ସେ ବିରକ୍ତିପୂର୍ଣ୍ଣ ସ୍ୱରରେ କହିଲା, ମରିବାକୁ । ପାଖକୁ ଯାଇ ଆଶ୍ଚର୍ଯ୍ୟ ହୋଇ ପଚାରିଲି, କୋଉଠି କହନା ? ମରିବାକୁ ପରା କହିଲି । ସଞ୍ଜବେଳେ ମତେ ଆଉ ମରିବାକୁ ଜାଗା ମିଳିଲା ନାହିଁ, ଯାଇଥିଲି ଗାଁ ଭିତରକୁ ଭାଗବତ ଗୋସାଇଁଙ୍କ ପାଖେ ମୁଣ୍ଡିଆ ମାରିବାକୁ । ଆଗ୍ରହରେ ପଚାରିଲି, କାହିଁକି କ’ଣ ହେଲା କି ?

ହବ ଆଉ କ’ଣ ? ଖାଇପିଇ ମୁହଁପୋଡ଼ା ବାମୁଣଗୁଡ଼ାଙ୍କର ତ ଆଉ କିଛି କାମ ନାହିଁ, ଭାଗବତ ଟୁଙ୍ଗୀରେ କ’ଣ ଗାତ ଚୁଲି ନିଶାପ ହଉଚି କୁଆଡ଼େ । ସେଇ ଯୋଉ ଅଚୁତା ଅବଧାନ ବଡ଼ ଚୋର ବୋଲି ମୁଁ ଜାଣିଚି, ହାତ ହଲେଇ ସେଠି କହୁଚି–ଏତିକି କହି ସେ ତୁନି ହୋଇଗଲା ।

ଅଚୁତି ନାଁ ଶୁଣି ଛାତି ଭିତରୁ ମୋର କ’ଣ ଗୋଟାଏ ଖସିପଡ଼ିଲା ।

ଆଶଙ୍କାରେ ପୂର୍ଣ୍ଣ ହୋଇ ପଚାରିଲି, କ’ଣ କହୁଚି ?

କ’ଣ ଆଉ ତତେ ସେଗୁଡ଼ାକ କହିବି, ବୁଢ଼ୀ ! ସେ କହିଲା, ସଞ୍ଜବେଳଟା, ଏତେଗୁଡ଼ାଏ କଞ୍ଚାମିଛ କହିବାକୁ ତା’ର ଜିଭ କେମିତି ଖସି ପଡ଼ୁନାଇଁ, ଆଗ ସେଇଆ ମୁଁ ତାଜୁବ୍‌ ହଉଚି ପରା । କହୁଚି ଅନାଦି ମିଶ୍ର ଝିଅ ସତୀକି ତା’ ସ୍ୱାମୀ ଘରୁ ବାହାର କରିଦେଇଛନ୍ତି । ଆଉ ତା’ ମୁହଁ ଚାହିଁବେ ନାଇଁ ବୋଲି କୁଆଡ଼େ କହିଛନ୍ତି ସମସ୍ତଙ୍କ ଆଗେ । ସେ ଜାତି କୁଳ ଛାଡ଼ିଚି, ତା’ ହାତରେ କେହି ପାଣି ଛୁଇଁବାର ନୁହେଁ । କୋଉ ପସନ୍ଦରେ ଲେକନାଥ ତିଆଡ଼ୀ ତାକୁ ଆଣି ଘରେ ପୂରେଇଚି ! ଆମେ ତା’ ଘରୁ ବନ୍ଧୁପଣ କାଟିଦେବୁ, ତା’ର ନିଆଁ ପାଣି ଅଟକ କରିବୁ, ଯଦି ଲୋକନାଥ ତାକୁ ଘରୁ ବାହାର କରି ନ ଦିଏ । ବୁଢ଼ୀ, ପଥର ପରି ଠିଆହୋଇ ସବୁ ଶୁଣିଲି । ସେ କହିଲା, ରକତ ମାଉଁସ ଦିହ ତ, କେତେ ଆଉ ସହନ୍ତା ଏଇ କଞ୍ଚାମିଛଗୁଡ଼ାକ ଶୁଣି ଶୁଣି ! ସମ୍ଭାଳି ନ ପାରି କହିଲି, ଆଲୁଅ ଟିକେ ତଳକୁ ଦେଖା, ତୋ ମୁହଁ ଦେଖେ, କହୁ କହୁ ଏଇ ଠେଙ୍ଗା ଉଞ୍ଚେଇ ତା’ ପାଖକୁ ଧାଇଁଗଲି । ସେଠି ଥିଲା ହାଁ ହାଁ କରି ଦଉଡ଼ିଆସି ମତେ ଧରି ପକାଇଲେ, ଟାଣି ଟାଣି ଆଣି ଏଠି ଛାଡ଼ିଦେଇ ଗଲେ, ନଇଲେ ଆଜି ତା’ର କି ମୋର ଦିନେ । କହୁଁ କହୁଁ ସେ ରାଗରେ ଗୋଟିପଣେ ଥରିବାକୁ ଲାଗିଲା ।

ଲାଜ ଆଉ ଅପମାନରେ ମୋର ଆଉ ସେତେବଳେ କଥା କହିବାର ଶକ୍ତି ନ ଥିଲା । ଚୁପ୍‌ ହୋଇ ଘର ଭିତରେ ଯାଇ ଶୋଇପଡ଼ିଲି । ସେଇଠି ସେମିତି ତକିଆରେ ମୁହଁମାଡ଼ି ମନେ ମନେ କହିଲି, ଏଇଆ ଶୁଣାଇବାକୁ ମତେ ଆଜିଯାଏ ବଞ୍ଚାଇ ରଖିଲ ଭଗବାନ । ଏଡ଼େ ବଡ଼ ସୃଷ୍ଟିଟାରେ ତମର ବିଷ କଣିକାଟାଏ କ’ଣ ନ ଥିଲା, ଏଇ ହୀନମାନିଆଁ ଜୀବନଟା ଏକାଥରକେ ଶେଷ କରିଦବାକୁ ! ଖାଲି ଏତିକିରେ ଭଲା ସରିଥାଆନ୍ତା, ଏ ହୀନକପାଳୀ ସାଙ୍ଗେ ପୁଣି ଆଉ ଗୋଟାଏ ପବିତ୍ର ନିଷ୍ପାପ ଜୀବନ ଛନ୍ଦିହୋଇ ଅକାରଣେ କେତେ ଲାଞ୍ଛନା, କେତେ ଦହଗଞ୍ଜା ହଉଚି । ମୋର ଅଧିକାର କ’ଣ ଅଛି ଭଲା ତାକୁ ଏମିତି ଅକାରଣରେ କଳଙ୍କର ଭାଗି କରିବାକୁ ମୋ ସାଙ୍ଗେ ? ଏଇ ନିନ୍ଦା, ଏକଳଙ୍କ କଥା ମୋରି ନାଁରେ ଶୁଣିପାରିବେ ନାହିଁ ବୋଲି ତ ବାପା ବୋଉ ଆଗରୁ ବିଦା ହୋଇଗଲେ । ସ୍ୱାମୀ ବୋଲି ଯୋଉ ପ୍ରାଣୀଟି ସାଙ୍ଗରେ ବ୍ରାହ୍ମଣ ଆଗେ ଅଗ୍ନି ସାକ୍ଷୀ କରି ମତେ ବାନ୍ଧିଦେଇ ଯାଇଥିଲେ, ହୃଦୟର ସବୁ ବିମୁଖତାକୁ ରୁଦ୍ଧକରି ତାଙ୍କ ସାଙ୍ଗେ ସେ ସମ୍ପର୍କ ଆଉ ରଖିପାରିଲି କୋଉଠି ? ସଂସାରରେ ମୋ’ର ଆଉ କିଏ ଅଛି ମୋ ପାଇଁ ଭାବିବାକୁ-? ଏ ନାଥନନା ମୋ’ର କିଏ ଯେ ମୋ ପାଇଁ ପ୍ରତିକ୍ଷଣରେ ନିଜର ପ୍ରତିଷ୍ଠା, ନିଜର ଅଭିମାନ ତିଳେ ତିଳେ ଏମିତି ବିସର୍ଜନ ଦେଇ ମୋ ପାଇଁ ଏତେ କରିବେ ? ଆଉ ଭାବିପାରିଲି ନାହିଁ । କିଏ ଏଇ ନାଥନନା ? ମୋର କ’ଣ ସେ ? ସବୁ-ସବୁ ! ! ସଂସାରର ଲୋକେ ହଜାର ନାହିଁ କଲେ ସୁଦ୍ଧା, ସମାଜ ଲକ୍ଷେ ଥର ଅସ୍ୱୀକାର କଲେ ସୁଦ୍ଧା ସେହି ଜଣକୁ ତ ଜୀବନରେ ନିବିଡ଼ ଭାବରେ ’ମୋର’ ବୋଲି ଅନୁଭବ କରିଛି । ଜ୍ଞାନ ହେଲା ଦିନୁ ଆଜିଯାଏ ତାଙ୍କରି ପାଖରେ ସ୍ତ୍ରୀର ସମସ୍ତ ଦେୟ ମନେ ମନେ ଅର୍ପଣ କରିଆସିଛି ।

ବାହାରେ ପାଟି ଶୁଭିଲା । ଚାହିଁଲି, ନାଥନନା ଘରକୁ ଫେରିଲେ । ପିଣ୍ଡାରେ ସଇତାକୁ ଦେଖି କ’ଣ ପଚାରିଲେ, ବୋଧହୁଏ ମୋ କଥା । ସଇତା କ’ଣ ଜବାବ ଦେଲା, ଏତେଦୂରରୁ ଭଲକରି ଶୁଣିପାଣିଲିନାହିଁ । ତା’ପରେ ଗୋଡ଼ ହାତ ଧୋଇ ନିଜେ ନିଜେ ଭାତବାଢ଼ି ଖାଇବସିଲେ-। ଘରଭିତରେ ସେମିତି ପଡ଼ି ପଡ଼ି ସବୁ ଦେଖିଲି । ଆଜି ଏଇ ଘଟନା ପରେ ତାଙ୍କ ଆଗେ ବାହାରିବାକୁ ମୋର ଗୋଡ଼ ଚଳିଲା ନାହିଁ । ଖାଇସାରି ସେ ହାତଧୋଇ ଶୋଇବାକୁ ଚାଲିଗଲେ । ଭାବି ଭାବି ଅନେକ ରାତିଯାଏ ସେଦିନ ମତେ ନିଦ ହେଲା ନାହିଁ । ମନ ଭିତରେ ଯାହାର ଅଖଣ୍ଡ ନିଆଁ ଜଳୁଚି, ନିଦ ତାକୁ ଆସିବ କୁଆଡ଼ୁ ?

ବାଡ଼ିପଟ ତୋଟାଗହଳି ନିଶବ୍ଦର ଛାତି ଚିରି ଦୁଇଥର ବିଲୁଆ ବୋବେଇ ଗଲେ । ବିଛଣାରେ ପଡ଼ି ପଡ଼ି ଭାରି ଗରମ ହେଲା; କବାଟ ଫିଟାଇ ପଦାକୁ ଆସିଲି । ନାଥନନାଙ୍କ ଘର କବାଟ ମୁକୁଳା; ସେ ବି କେତେବେଳେ ଅଗଣାରେ ଆସି ବୁଲୁଥିଲେ । ମୋ ପରି ଚିନ୍ତାରେ ତାଙ୍କୁ ବି ନିଦ ନାହିଁ ନା କ’ଣ ? ପିଣ୍ଡାରେ ମତେ ଦେଖି ପଚାରିଲେ, କିଏ ସତୀ ?

ସେ ମୋ ପାଖକୁ ଆସିଲେ । ଯେମିତି ଆଗ ପରି ମୋ ପିଠିରେ ହାତ ରଖି ସ୍ନେହଉଚ୍ଛୁଳା କଣ୍ଠରେ ପଚାରିଲେ, ନିଦ ମାଡ଼ୁ ନାହିଁ କି ?

ଭାବିଲି, ଏଇ ଅସୀମ ଅମାପ ସୁହାଗଗୁଡ଼ାକ ଏ ସ୍ନେହରଙ୍କ ପ୍ରାଣରେ ଏମିତି ଅଯାଚିତ ଭାବରେ ଓଜାଡ଼ିଦେଇ ତ ମତେ ସାରିଛ ତମେ । ଏଇ ସୀମାତୀତ ସ୍ନେହର ମଧୁର ମୋହ କଟାଇ ପାରିଲି ନାହିଁ ବୋଲି ତ ସ୍ୱାମୀ, ଶାଶୁଘର ମତେ ସବୁ ବିଷ ପରି ଲାଗିଲା । ଗାଁରେ ଏତେ ଅପମାନ; ଏତେ କଳଙ୍କର ବୋଝ ମୁଣ୍ଡାଇ ସୁଦ୍ଧା ତୁନିହୋଇ ପଡ଼ିଛି ଏଇ ଟିକକ ଲୋଭରେ । କିନ୍ତୁ ଆଉ ନୁହେଁ । ଆଖି ଆଗରେ ମୋ’ରି ଲାଗି ତମର ଏ ହୀନିମାନ ମୁଁ ଆଉ ଦେଖିପାରିବି ନାହିଁ । ଆଉ ନୁହେଁ-ଏଇ ଶେଷ ।

ସେମିତି ପଥର ପରି ଠିଆହୋଇ ରହିଲି, ଅନ୍ୟଆଡ଼େ ମୁହଁ ଫେରାଇ । ଇଚ୍ଛାକରି ତାଙ୍କ କଥାରେ ଜବାବ୍‍ ଦେଲିନାହିଁ । ଉତ୍ତର ନ ପାଇ ସେ ମୋର ଆହୁରି ପାଖକୁ ଆସିଲେ । ମୋ ମୁହଁ ଛାତି ଉପରେ ରଖି କହିଲେ, ଏତେ ରାତିଯାଏ ଚିଅଁନ୍ତି ? ଆ, ବିଞ୍ଚିଦିଏ, ଶୋଇପଡ଼ିବୁ ଏଇଲାଗେ ।

ତାଙ୍କ ପାଖରୁ ଦୂରକୁ ଘୁଞ୍ଚିଯାଇ ଟାଣହୋଇ କହିଲି, ମୁଁ ଶୋଇବି ନାହିଁ ଯା । ସରଗ କଣରେ ବୁଡ଼ ବୁଡ଼ ଜହ୍ନର ଶେଷ ଚାନ୍ଦିନୀଟିକ ଗୋଟାଏ ଗହଳିଆ ବାଉଁଶଗଛ ଭିତରେ ଛାଣିହୋଇ ଦୁଆରେ ଆସି ପଡ଼ିଥିଲା । ସେଇ ଅଳ୍ପ ଆଲୁଅରେ ଦେଖିଲି, ନିଗୂଢ଼ ବେଦନାରେ ତାଙ୍କ ମୁହଁ ଚାହୁଁ ଚାହୁଁ ଅସ୍ତୋନ୍ମୁଖ ଚନ୍ଦ୍ର ପରି ଫିକା ପଡ଼ିଗଲା । ତାଙ୍କ ପ୍ରତି ଏଇ ଦାରୁଣ ବ୍ୟବହାରରେ କଣ୍ଠଯାକ ଲୁହରେ ରୁଦ୍ଧହୋଇ ଆସୁଥାଏ । ଜୋରକରି କଣ୍ଠସ୍ୱରରେ ତୀବ୍ରତା ଆଣି କହିଲି, ମତେ ଏମିତି କାହିଁକି ଦହଗଞ୍ଜ କରୁଚ କି ତମେ ? ମରିବା ଲାଗି ବି ଟିକେ କ’ଣ ଛୁଟି ନାଇଁ ମୋର ତମ ପାଖେ-?

ପଥର ପିତୁଳା ପରି ସେ ଚୁପ୍‌ହୋଇ ଠିଆହୋଇ ରହିଲେ ତଳକୁ ମୁହଁ ପୋତି । ତା’ପରେ ଧୀରେ ଧୀରେ ସେଠୁ ଚାଲି ଯାଉଥିଲେ, ଆଉ ପାରିଲି ନାହିଁ । ମଣିଷ ଜନ୍ମ ପାଇଚି, କେତେ ଆଉ ସହନ୍ତି ? ଦୌଡ଼ିଯାଇ ତାଙ୍କ ଛାତି ଉପରେ ମୁହଁ ରଖି ଝର ଝର ହୋଇ କାନ୍ଦି ପକାଇଲି । ସେ ମୋତେ ଛୋଟ ପିଲାଟି ପରି କୋଳକରି ନେଇ ବିଛଣାରେ ଶୁଆଇ ଦେଲେ । ତାଙ୍କର ପିନ୍ଧା କାନିରେ ମୋ ଲୁହ ପୋଛିଦେଇ ଖୁବ୍ ଧୀରେ ଧୀରେ ତାଙ୍କ ମୁହଁକୁ ମୋ ମୁହଁ ଉପରେ ରଖି କହିଲେ, କାନ୍ଦୁଚୁ କାହିଁକି ? ଛି, ସୁନାଟା ପରା । ଏଇ କଥାରେ ଏମିତି ଅଧୈର୍ଯ୍ୟ ହେଲେ ଚଳିବ ? ତୁ କାନ୍ଦନା, ଖାଲି ଛାତି ଦମ୍ଭକରି ଦେଖ୍‌, କ’ଣ ହଉଚି ।

ତାଙ୍କ ଦିହ ମୋ ଦିହରେ ଜଡ଼ିଯାଇଥିଲା ଏକାଥରକେ । ନିଃଶ୍ୱାସରେ ଗୋଟାଏ କୁହୁକଲଗା ବାସନା ମୋ ମଥା ଭିତରେ ପଶି ସବୁ ଦୁଃଖଜଞ୍ଜାଳ ପାଶୋରାଇଦେଲା କୁଆଡ଼େ । ମୁଁ ସଂସାର ଭୁଲିଲି, ସମାଜ ଭୁଲିଲି । ବଉଦଦୋଳାରେ ଚଢ଼ି ଅଧା ଛାଇ ଅଧା ଆଲୁଅ ଘେରା ଦରିଆପାରିର କୋଉ ସ୍ୱପ୍ନ ରାଇଜକୁ ଭାସିଗଲା ପରି ଜଣାଗଲା ମତେ । ସେମିତି ନିର୍ଜୀବଙ୍କ ପରି ପଡ଼ିରହି ସମସ୍ତ ଇନ୍ଦ୍ରିୟ ଦେଇ ତାଙ୍କ ଦିହର ସ୍ନିଗ୍ଧ ଉତ୍ତାପ ଅନୁଭବ କରିବାକୁ ଲାଗିଲି ।

ଦଣ୍ଡେ ଗଲା ।

ସେ ଉଠିଲେ । କହିଲେ, ଟିକେ ଶୋଇପଡ଼ । ରାତି ପାହିବାକୁ ଆଉ ବେଶୀ ଡେରି ନାହିଁ ।

କବାବଟି ଖୁବ୍ ଆସ୍ତେ ଆଉଜାଇ ସେ ଚାଲିଗଲେ । ଦଣ୍ଡକ ପରେ ବଣ ଅରମାର ଚକିତ ବକ୍ଷ ସ୍ପନ୍ଦିତ କରି ବାଡ଼ିପଟ ଡାହୁକ ବୋବାଇ ଉଠିଲେ ।

ସକାଳେ, ଚାରିଆଡ଼େ ଭଲକରି ଖରା ନ ପଡ଼ୁଣୁ ରାତିର ଅମଜା ବାସନ ନେଇ ମାଜିବାକୁ ଯାଉଚି, ବାହାରେ କାହାର ପାଟି ଶୁଭିଲା, ଲୋକନାଥ–ଲୋକନାଥ ।

ନାଥନନା ଘରେ ବସି ଗୋଟାଏ ପୁରୁଣା ବନସୀଖଡ଼ା, କାମ ଚଳିବା ଭଳି ସଜାଡ଼ୁଥିଲେ, ଡାକ ଶୁଣି ବାହାରକୁ ଉଠିଗଲେ । ଦଣ୍ଡକ ପରେ ଅନେକଗୁଡ଼ାଏ ଲୋକଙ୍କର ପାଟି ଶୁଣାଗଲା । ଭୟରେ ଛାତିରୁ ମୋର କ’ଣ ଗୋଟାଏ ଖସିପଡ଼ିଲା । ଗୋଡ଼ ଚିପି ବାହାର କବାଟ ଫାଙ୍କରେ ଚାହିଁଲି । ଅନେକ ଲୋକ ଦାଣ୍ଡରେ ଠିଆ ହୋଇଥିଲେ । ଆମ ଗାଁ ପୁରୋହିତଙ୍କ ପୁଅ ପ୍ରଭାକର ମିଶ୍ର ଭାରି ଉତ୍ତେଜିତ ହୋଇ କହୁଥିଲେ, ତା’ ଯେବେ ତମେ ନ କରିବ ଲୋକନାଥ, ତେବେ ଏଇ ଏତେ ଲୋକଙ୍କ ଆଗରେ ମୁଁ ସଫା ଫିଟେଇ କହୁଚି, ଆସେ ସମସ୍ତେ ମିଶି ତମକୁ ଗାଁରେ ନିଆଁ, ପାଣି, ଧୋବା, ଭଣ୍ଡାରୀ ବନ୍ଦ କରିବାକୁ ବାଧ୍ୟ ହବୁ । ଏଣିକି ପୂଜା ଶ୍ରାଦ୍ଧ, ବାହା, ବ୍ରତରେ ଏ ଗାଁର ତ କେହି ନୁହେଁ, ଆଖପାଖ ଦଶ ଖଣ୍ଡ ମୌଜାର ବ୍ରାହ୍ମଣଶାସନରୁ କେହି ତମର ଦୁଆର ମାଡ଼ିବେ ନାହିଁ ।

ବିଦ୍ରୂପପୂର୍ଣ୍ଣ ସ୍ୱରରେ ନାଥନନା ପଚାରିଲେ, ଏତିକି ନା ଆଉ କିଛି ଅଛି ?

ପ୍ରଭାକର ମିଶ୍ରେ କହିଲେ, ଲୋକନାଥ, ତମେ କଥାଟାକୁ ଭଲ କରି ନ ବୁଝି ହଠାତ୍ ଉତ୍ତେଜିତ ହୋଇଉଠନା । କାଲି ସେହିପରି ପଦେ କଥାରୁ ଏଡ଼େ ବଡ଼ ବ୍ରାହ୍ମଣସମାଜଟା ଭିତରୁ ରାଗକରି ଉଠିଆସିଲ । ତେବେ ସେଥିଲାଗି ମଧ୍ୟ ତୁମ ଉପରେ ଦୋଷାରୋପ କରୁନାହୁଁ, ବୁଝିଲ-?

ତା’ପରେ ଟିକେ ରହି ଟିକେ ଗଳାଖଙ୍କାର ମାରି କହିଲେ, ଅନାଦି ମିଶ୍ରଙ୍କ ଝିଅ ତୁମର କିଏ ? ତା’ ପାଇଁ ତୁମେ କାହିଁକି ବୃଥାରେ ଆମ ସଙ୍ଗେ ବିରୋଧ ଉପସ୍ଥିତ କରୁଛ ? ଭାଇ ଭାଇ ଭିତରେ ମିଥ୍ୟାରେ ଅଶାନ୍ତି ବଢ଼ାଉଛ ? ଛାଡ଼, ସେ ଯାହା ହବାର ତ ହୋଇଗଲାଣି, ବର୍ତ୍ତମାନ ତୁମେ ତାକୁ ଘରୁ ବାହାର କରିଦିଅ । ବ୍ରାହ୍ମଣସମାଜ ପାଖରେ କ୍ଷମା ମାଗି ଟିକିଏ ପଞ୍ଚଗବ୍ୟ କରିଦିଅ, ବାସ୍‌ ଅଡ଼ୁଆ ଛିଡ଼ିଯାଉ । ତା’ର ସ୍ୱାମୀ ଯେତେବେଳେ ତାକୁ ତ୍ୟାଗ କରିଛନ୍ତି, ବର୍ତ୍ତମାନ ସେ କୁଳତ୍ୟାଗିନୀ ବୋଲି ଧରିବାକୁ ପଡ଼ୁଛି । କୁଳତ୍ୟାଗିନୀ ଅର୍ଥରେ–

ରାଗରେ ନାଥନନା ଗର୍ଜିଉଠିଲେ । କହିଲେ, ଦରକାର ନାହିଁ ମୋର ସେ ଟୀକା ଶୁଣିବା-। ଭଲ ଗତି ଅଛି ଯେବେ, ଏଠୁ ଏଇକ୍ଷିଣା ଚାଲି ଯା, ନ ହେଲେ ପୁଲିସ ଡାକିବି ।

ସେଇ ଅଚୁତିଟା ମିଶ୍ରଙ୍କ ପଛରେ ଠିଆହୋଇ ତାଙ୍କ କାନ୍ଧ ଉପରବାଟେ ଏଆଡ଼େ ଚାହିଁଥିଲା । ନାଥନନାଙ୍କ ପାଟି ଶୁଣି ହଠାତ୍ ଭୀଷଣ ଭାବରେ ଚମକିପଡ଼ି ମୁହଁ ଟାଣିନେଲା । ପ୍ରଭାକର ମିଶ୍ରେ ବି ଚମକି ପଡ଼ିଥିଲେ; କିନ୍ତୁ ରାଗରେ ସେ ଦୁବର୍ଳତାକୁ ଘୋଡ଼ାଇବାକୁ ଚେଷ୍ଟାକରି କହିଲେ, କ’ଣ ତୁମେ ଅବ୍ୟାଜରେ-

ନାଥନନା ବାଧାଦେଇ କହିଲେ, ଯିବ ନା ଚଉକିଆ ଡାକିବି ?

ସେତିକିବେଳେ ଅଚୁତି ପଛରୁ ବାହାରିପଡ଼ି କହିଲା, ଆସ ହେ ମିଶ୍ରେ ଆପଣେ । ସେ ତାଙ୍କ ରକ୍ଷିତାଟିକି ନେଇ ସୁଖରେ ଥାଆନ୍ତୁ; ଆମର କି ଦରକାର ଅଛି, ସେଥିରେ ବାଦ ସାଧିବା ।

ପ୍ରଭାକର ମିଶ୍ରେ ଆଉ କ’ଣ କହିଥାନ୍ତେ, ଅଚୁତି ତାଙ୍କୁ ଟାଣି ନେଇ ସେଠୁ ଚାଲିଗଲା । ଗଲାବେଳେ ମିଶ୍ରେ ପଇତା ଛୁଇଁ ଶପଥ କରିଗଲେ, ମୁଁ ଯେବେ ବ୍ରାହ୍ମସନ୍ତାନ ହୋଇଥାଏ, ତେବେ ଏହାର ପ୍ରତିକାର କରିବି ।

ବୁଦ୍ଧି ଜ୍ଞାନ ସବୁ କୁଆଡ଼େ ହଜିଯାଇଥିଲା ମୋର, ଏ କଥା ଶୁଣି । ସେତେବେଳଯାଏ କେମିତି ଯେ ମୋର ଗୋଡ଼ ଦୁଇଟା ସିଧା ହୋଇ ରହିଥିଲା, ସେଇକଥା ଭାବି ଆଶ୍ଚର୍ଯ୍ୟ ଲାଗେ । ନାଥନନା ଘରପିଣ୍ଡାରେ ଗୋଡ଼ଦେଲା ମାତ୍ରେ ଦୌଡ଼ିଯାଇ ତାଙ୍କ ଦୁଇପାଦ ଭିତରେ ମୁହଁ ରଖି ଝର ଝର ହୋଇ କାନ୍ଦି ପକାଇଲି । କହିଲି, ନା ନା, ମୋ ପାଇଁ କାହିଁକି ତମେ ଏମିତି ବିପଦକୁ ପାଖକୁ ଡାକି ଆଣିବ ? ତମେ ମତେ ଘରୁ ବାହାର କରିଦିଅ, ଅଡ଼ୁଆ ଛିଡ଼ିଯାଉ–ଯା, ତାଙ୍କୁ ଡାକ–

ନାଥନନା ଦୁଇ ହାତରେ ମୋତେ ଉଠାଇ ଆଖିରୁ ଲୁହ ପୋଛିଦେଲେ । ହସି ହସି କହିଲେ, ହଉ ଦେବି ।

ବସନ୍ତ ଫେରିଆସିଲା । ଫଗୁଣର ଫୁଲଫୁଟା ପରଶ ଫାଙ୍କେ ଫାଙ୍କେ ଚଇତ୍ରର ଶିରୀତୁଟା ଝଞ୍ଜାର ପବନ ପାଗଳ ଘୋଡ଼ା ପରି ଧୂଳି ବାଲି ବୋଳିହୋଇ ପଡ଼ିଆପାରିର ତାଳବଣ ମଥାନ ହଲାଇ ବୋହିଗଲା । ଭାବିଲି, ଜୀବନଟାଭରି ମୋ’ର ବି ଏମିତି ବତାସ ପବନ ବୋହୁଚି ଦିନ ରାତି । ବାହାହେଲା ଦିନୁ ଆଜିଯାଏ ଏ ଦି’ବର୍ଷ ଭିତରେ କେଉଁଠି ଟିକିଏ ଶାନ୍ତି ତ ମୋ ଜୀବନରେ ଘଟିଲା ନାହିଁ ? ସଂସାରରେ ଆମ ଜାତିଟା ଯାହା ପାଇଲେ ନିଜକୁ ଭାଗ୍ୟବତୀ ମଣନ୍ତି, ସବୁ ତ ମୁଁ ପାଇଥିଲି । ବାପା ମା’-ସ୍ନେହ ସୁହାଗ, ଜମିଦାର ସ୍ୱାମୀ, କ’ଣ ଆଉ ମୋ କପାଳରେ ବାକି ଥିଲା କି ? କିନ୍ତୁ ସେସବୁ ପାଇ ନ ପାଇଲା ପରି ସିନା ହୋଇଗଲା । ବାହାହେଲାବେଳେ ସମସ୍ତିଙ୍କ ସ୍ୱାମୀ କ’ଣ ଯେଝା ମନ ଅନୁସାରେ ଗଢ଼ା ହୋଇଥାନ୍ତି ? ଜୀବନଭଳି ସ୍ତ୍ରୀକୁ ମୁଣ୍ଡରେ ବସାଇ ଚଳନ୍ତି । ସ୍ୱାମୀର ରୁଚି, ସ୍ୱାମୀର ଅବସ୍ଥା ସଙ୍ଗେ ନିଜକୁ ଜୋରକରି ଚଳାଇନେବା ତ ଆମ ସମାଜର ଧର୍ମ । ନାରୀଜନ୍ମର ସେଇତକରେ କୁଆଡ଼େ ସାର୍ଥକତା । ସ୍ୱାମୀ ପଛେ ଚରିତ୍ରହୀନ ବ୍ୟାଧିଗ୍ରସ୍ତ ହେଉ, ସ୍ତ୍ରୀ କିନ୍ତୁ ପରମ ନିର୍ବିକାର ଭାବରେ ଦେବତାବୋଲି ତାଙ୍କୁ ପୂଜା କରିଯିବ, ଏଇ ତ ଆମ ଶାସ୍ତ୍ରକାର ଋଷିଙ୍କର ଦୃଢ଼ ଅନୁଶାସନ । କିନ୍ତୁ ମୁଁ ତା’ ଆଉ ପାରିଲି କୋଉଠୁ ! ସମାଜ-ଦେବତାର ମୁହଁ ଚାହିଁ ସ୍ୱାମୀଙ୍କର ସ୍ୱେଚ୍ଛାଚାର ପାଖରେ ନିଜର ନାରୀତ୍ୱକୁ ବଳିଦେବା ଆଗରୁ ଯେ ମୋର ଜୀବନର ଗତି ପରିବର୍ତ୍ତିତ ହୋଇଗଲା, ସ୍ୱାମୀପ୍ରେମର ଗୋଲାପୀ ସ୍ୱପ୍ନ ଆଖି ଆଗରୁ ସବୁଦିନ ପାଇଁ ତୁଟାଇଦେଇ । ସେତେବେଳେ ଭାବିଲି, ଭଲ ହୋଇଚି, ସ୍ତ୍ରୀ ହେବାର ଏଇ ନକଲି ଅଭିନୟ ମୋର ଶେଷ ହୋଇଯାଇଚି; କିନ୍ତୁ ଯୋଉ ଆଶା-କୁହୁକରେ ପଡ଼ି ସବୁଦିନ ଆଶ୍ରୟକୁ ମୋର ସମୁଦ୍ରପାଣିକି ଫିଙ୍ଗିଲି, ଶତ ମନପାଞ୍ଚ ପୁଟଦିଆ ମୋର ଏଇ ତରୁଣଜୀବନର ବ୍ୟର୍ଥତା ଭିତରେ ହାତପାଖରେ ଧରି ତାକୁ ତ ପାଇଲି ନାଇଁ । ଜୀବନସାରା ଯାହାକୁ ସ୍ୱାମୀ ବୋଲି ମନର ସବୁ କାମନାଟିକ ପାଦରେ ତା’ର ଢାଳିଦେଇ ନିଶ୍ଚିନ୍ତ ହେବି ବୋଲି ହୃଦ୍‍ ବାନ୍ଧିଥିଲି, ସେ ଯେ ମୋ ପାଖରେ ଥାଇ ନ ଥିଲା ପରି । ଭଗବାନ କାହିଁକି ଏ ଜୀବନଟାକୁ ଗୋଟିଏ ଅଭିଶାପ ଭିତରେ ଛନ୍ଦି ଏମିତି ନିଉଛଣା କରି ଜନ୍ମ ଦେଇଥିଲେ କେଜାଣି ! ଖାଲି ସେତିକିରେ ଭଲା ଶେଷ ହୋଇଥାନ୍ତା । ଏ ହତଭାଗ୍ୟ ଜୀବନ ସାଙ୍ଗେ ସଜତୋଳା ଗଙ୍ଗଶିଉଳି ପରି ଆଉ ଗୋଟାଏ ନିଷ୍ପାପ ନିଷ୍କଳଙ୍କ ଜୀବନକୁ ଛନ୍ଦିଦେବାର କୋଉ ଇଛା ପୂର୍ଣ୍ଣ ହେଲା ଭଲା ! ଭୁଲରେ କେବେ ତ ଏହା ମୁଁ ଚାହିଁ ନ ଥିଲି ପ୍ରଭୁ । ଏମିତି ନିନ୍ଦା ଅପବାଦ ପଙ୍କ ଭିତରେ ବୁଡ଼ାଇ ତାଙ୍କୁ ମୋତେ ଆଣି ଦେବାକୁ ସ୍ୱପ୍ନରେ କେବେ ତ ହେଲେ କାମନା କରିନଥିଲି ।

ଖାଲି ଟୋକେଇଟା ଧରି ସେଦିନ ସଇତା ଫେରିଆସି କହିଲା, ଗାଁଯାକ ଶଳା ସବୁ ଏକମେଳି ହୋଇଛନ୍ତି; ଦି’ଗୁଣ ପଇସା ଯାଚି କେହି ଶାଗପତରଟିଏ ସୁଦ୍ଧା ଛୁଇଁଦେଲେ ନାଇଁ ।

ନାଥନନା ପଚାରିଲେ, ଆଜି ହାଟ ଅଛି ପରା । ସଉଦାପତ୍ର ସେଠୁ କିଣିଆଣିଲେ ତ ହବ ।

ସଇତା କହିଲା । କହିଲା, ଆଜି ଆଉ ହାଟ କୋଉଠି ଅଛି; ପ’ରିଦିନ ଯାଇ । ଏ ଦି’ଟା ଦିନ ତ ଫେର୍‌ ଚଳିବ କେମିତି ? ପରିବା ଯେ ଘରେ କିଛି ନାଇଁ ।

ନାଥନନା ଦଣ୍ଡେ କ’ଣ ଭାବି କହିଲେ, ଏ ଓଳିଟା ଚଳିଯାଉ ସେମିତି; ତେଣିକି ଦେଖାଯିବ ।

ହାତଠାରି ସଇତାକୁ ପାଖକୁ ଡାକିଲି । ତୁନି ତୁନି କହିଲି, ବୁଢ଼ାଟିଏ ହେଲୁଣି, ବୁଦ୍ଧି ସୁଦ୍ଧି ତୋର ଆଜିଯାଏ ହେଲା ନାହିଁ । ପରିବା ନ ମିଳିଲା ତ ତାଙ୍କୁ ଯାଇ କହିଲୁ କାହିଁକି, ଏ କଥା ଶୁଣେ-?

ସଇତା ଅପ୍ରସ୍ତୁତ ହୋଇ କହିଲା, ଦିଅ, ମୋର ଏତେ କଥାକୁ ନଜର ଅଛି ? ତରକାରୀର କ’ଣ ବ୍ୟବସ୍ଥା ହବ, ତୁନି ତୁନି ତାକୁ କହିଦେଇ ରୋଷଇଘରକୁ ଗଲି । ଅନେକ ସମୟପରେ ପଦାକୁ ଆସି ଦେଖିଲି, ନାଥନନା ସେଇଠି ସେମିତି ବସିଛନ୍ତି ପିଣ୍ଡାଖୁଣ୍ଟକୁ ଆଉଜି । ପଛରେ ଯାଇ ଠିଆହୋଇ ପଚାରିଲି, ବେଳ କେତେ ହେଲାଣି ? ଗାଧୋଇ ଯିବ ନାହିଁ କି ?

ସ୍ୱପ୍ନରୁ ଉଠିଲା ପରି ମୋ ଆଡ଼କୁ ଚାହିଁ କହିଲେ, ହଁ ତେଲ ଟିକେ ଦେ ।

ଘରୁ ଗାମୁଛା ତେଲ ଆଣି ପାଖରେ ରଖିଲି । ତେଲ ଲଗାଇସାରି ସେ କହିଲେ, ବନସୀଟା ମୋର ସେ ଘରୁ ଆଣିଦେଲୁ, ସତୀ ।

ବନସୀ କ’ଣ ହବ ଫେର୍ ? ପଚାରିଲି ।

ତରକାରୀ କିଛି ମିଳିଲା ନାହିଁ, ସଇତା କହୁଥିଲା ପରା । ମାଛ ଫାଛ ଗୋଟାଏ ଦେଖିଥାଆନ୍ତି କୋଉଠୁ ?

କହିଲି, ତମେ ଗାଧୋଇ ଯା । ସେ କଥା ଭାବିବାକୁ ଲୋକ ଅଛନ୍ତି ।

ଅଛନ୍ତି ନା ? ମୁଁ ମନେକଲି ମୋ ଚିନ୍ତା ଆଉ କାହାକୁ ଲାଗି ନ ଥିବ ପରା । ସେ ହସିଲେ ।

ଗାମୁଛାଟା ତାଙ୍କ ଉପରକୁ ଫୋପାଡ଼ିଦେଇ କହିଲି, ଗଲ ତମେ ଆଗ ଗାଧୋଇ, ଭାରି ଡେରି ହେଲାଣି ।

ସେ ଚାଲିଗଲେ ।

ସଞ୍ଜବେଳେ ଘର ଅଗଣାରେ ନାଥନନା ଗୋଡ଼ ଧୋଉଥିଲେ, ପାଖରେ ଯାଇ ଠିଆହେଲି । ମତେ ଦେଖି ସେ ହସି ହସି ପଚାରିଲେ, କ’ଣ କି ? ଏ ଓଳି ଫେର୍‌ ପରିବା ନାହିଁ ପରା ।

କହିଲି, ସେ କଥା ନୁହେଁ ।

ଆଉ କ’ଣ ?

ମନରେ ଖୁବ୍ ସାହସ ବାନ୍ଧି କହି ପକାଇଲି, ସଇତାକୁ ନେଇ ସାଇଆଡ଼େ ଟିକେ ଯାଇଥାନ୍ତି ।

ତାଙ୍କ ମୁହଁରୁ ହସର ଶେଷ ଦାଗଟିକ ଲିଭିଗଲା ଏ କଥା ଶୁଣି । ଅନେକ ବେଳଯାଏ କ’ଣ ଭାବି କହିଲେ, ଦାଣ୍ଡଟାରେ ଏମିତି ଏକୁଟିଆ ଚାଲିକରି ଯିବୁ ?

ମନେ ମନେ ହସିଲି କଥା ଶୁଣି । ସ୍ୱାମୀଘରେ ଥାନ ହେଲା ନାହିଁ ବୋଲି ଯେ ଦାଣ୍ଡରେ ବସିଚି, ତାକୁ ପୁଣି ଘରୁ ବାହାରିବାକୁ ଲାଜ ! କହିଲି, ଅନ୍ଧାରରେ କିଏ ଦେଖିବ କାହିଁକି ?

କହିଲେ, ହଉ ଯା । କିନ୍ତୁ ଚଞ୍ଚଳ ଫେରିବୁ; ମୁଁ ଚାହିଁବସିଚି । ଭଲ ମନ୍ଦ କିଛି ନ ଭାବି ବାହାରିପଡ଼ିଲି ସଇତାକୁ ନେଇ । ଦାଣ୍ଡକୁ ଆସି ସଇତା ପଚାରିଲା, କୁଆଡ଼େ ଯିବୁ ବୁଢ଼ୀ ?

କହିଲି, ପ୍ରଭାକର ମିଶ୍ରଙ୍କ ଘରକୁ ।

ସେ ଆଶ୍ଚର୍ଯ୍ୟ ହୋଇଗଲା ମୋ କଥା ଶୁଣି । କହିଲା, ପ୍ରଭାକର ମିଶ୍ର ଘରକୁ, ସେଇ ଯେ ଗାଁଯାକ ଏକାଠି କରି ଆମ ଘରକୁ ଏକବାଡ଼ିଆ କରିଚି, ତୁ କ’ଣ ଏ କଥା ଜାଣିନାଉଁ ବୁଢ଼ୀ ?

କହିଲି, ହଁ ଜାଣେ, ଚାଲ୍ ।

ମନେ ମନେ ରାଗରେ ଗରଗର ହୋଇ ସେ ଆଗରେ ଚାଲିଲା । ସେଇ ଅନ୍ଧାର ଭିତରେ ମୁହଁକୁ ମୁହଁ ଦିଶୁନାହିଁ ଯୋଉଠି ହାତେ ଛଡ଼ାରେ, ସେଥିରେ କାଳେ କିଏ ମତେ ଦେଖି ପକାଇବ ବୋଲି ରାସ୍ତା ପାଖେ ପାଖେ ଚାଲିଲି । ପ୍ରଭାକର ମିଶ୍ରଙ୍କ ବାଡ଼ି ଦୁଆର ମୁହଁରେ ସଇତାକୁ ବସିବାକୁ କହି ଘର ଭିତରକୁ ଗଲି । ଏଇ ଘର ପିଲାଦିନେ ମୋର କେତେ ପରିଚିତ ଥିଲାଟି ! ଅନେକଥର ବାପା ମତେ ଆଣି ଏଠି ଛାଡ଼ିଦେଇ ଯାଇଛନ୍ତି ସଞ୍ଜ ହେଲେ । ପ୍ରଭାକର ମିଶ୍ରଙ୍କ ସ୍ତ୍ରୀ, ବୟସ ତାଙ୍କୁ ମୋଠଉଁ ଖୁବ୍ ବେଶୀ ନୁହେଁ, ସେ ପୁଣି ମୋ ସାଙ୍ଗେ ‘ଅଶୋକା’ ବସିଥିଲେ ପିଲାଦିନେ । ସେଇ ଦମ୍ଭରେ ଆଜି ମନ ବାନ୍ଧି ଏତେଦୂର ଆସିଛି, ଯଦି କିଛି ଉପାୟ ଥାଏ ।

ପିଣ୍ଡାରେ ‘ଅଶୋକା’ ଠିଆ ହୋଇଥିଲେ । ମୋତେ ଦେଖି ପଚାରିଲେ, କିଏ ?

ମୁଁ ସତୀ ।

ପାଖକୁ ଆସି ସେ ମତେ ଅଚିହ୍ନା ପରି ଚାହିଁଲେ, ତା’ପରେ ବଡ଼ପାଟି କରି କହିଲେ, ସିଆଡ଼େ ଯା, ସିଆଡ଼େ ଯା । ଠାକୁର ଦେବତା ଘର, ମାରା ହୋଇଯିବ ।

ମନରେ ଯୋଉ ଟିକିଏ ଆଶା ଥିଲା, ସବୁ କୁଆଡ଼େ ଚୁନା ହୋଇଗଲା ଏକାଥରକେ, ଏଇ କଥା ପଦକରେ । ଆଜି ସତେ କ’ଣ ଏଡ଼େ ହୀନ, ଏତେ ଅପବିତ୍ର ମୁଁ ? ଛାଇ ପଡ଼ିଲେ ସବୁ ମାରା ହୋଇଯିବ ଏମିତି ? କିନ୍ତୁ ଜନ୍ମ ଅଧିକାରରେ ସୃଷ୍ଟିକର୍ତ୍ତାଙ୍କ ଦୃଷ୍ଟରେ କୋଉ ହିସାବରେ ଏ ମୋ’ଠାରୁ ଶ୍ରେଷ୍ଠ ? ଖାଲି ଅନ୍ଧ ସମାଜର ବିଚାରହୀନ ଆଦେଶରେ ପୁରୁଷର ଯଥେଚ୍ଛାଚାର ପାଖରେ ନାରୀତ୍ୱର ମର୍ଯାଦା ମୋର ବିସର୍ଜନ ଦେଇପାରିନାହିଁ ବୋଲି କ’ଣ ମୁଁ ଆଜି ଏଡ଼େ ଛୋଟ-? ସୃଷ୍ଟିରେ ସମସ୍ତ ପ୍ରୟୋଜନ ମୋ’ ଠାରେ ଏକାଥରକେ ବ୍ୟର୍ଥ ? ଅନେକ କଷ୍ଟରେ ମନ ସମ୍ଭାଳି କହିଲି, ଗୋଟାଏ କଥା ପଚାରିବାକୁ ଆସିଥିଲି ତମ ପାଖକୁ ।

କି କଥା ? ସେ ପଚାରିଲେ ।

କହିଲି, ତମର ତାଙ୍କୁ ଟିକେ ଏଣିକି ଡାକ ।

ବୋଧହୁଏ ନାହିଁ କରିଦବାକୁ ଯାଉଥିଲେ, କ’ଣ ବିଚାରି ପୁଣି ଘର ଭିତରକୁ ଗଲେ । କିଛିକ୍ଷଣ ପରେ ଅଗଣାରେ ପ୍ରଭାକର ମିଶ୍ରଙ୍କ ପାଟି ଶୁଭିଲା । ତାଙ୍କ ସ୍ତ୍ରୀ ମୋ ପାଖକୁ ଆସି ଆସ୍ତେ ଆସ୍ତେ କହିଲେ, ଆଇଲେଣି ।

ଦଣ୍ଡକେ ସବୁ ବିଷୟ ଆଉଥରେ ଭାବିନେଇ କହିଲି, ତାଙ୍କୁ ପଚାର, ନାଥନନାଙ୍କୁ କାହିଁକି ସେ ସମାଜରୁ ଅଟକ କରିଛନ୍ତି, ମୋ’ ପାଇଁ ନା ?

ପ୍ରଭାକର ମିଶ୍ର କାନ୍ଥ ଉଢ଼ାଳରେ ଠିଆ ହୋଇଥିଲେ । ଖୁବ୍‌ ଆସ୍ତେ କହୁଥିଲେ ବି ମୋ’ କଥା ତାଙ୍କୁ ବୋଧହୁଏ ସବୁ ଶୁଭୁଥିଲା ।

ଦଣ୍ଡେ ଗଲା । କେହି କିଛି କହିଲେ ନାହିଁ । ସେଇ ଚୁପ୍‌ଚାପ୍‌ରୁ ମୁଁ ମୋର କଥାର ଉତ୍ତର ପାଇଲି । ପୁଣି ପଚାରିଲି, ମୁଁ ଯଦି ଚାଲିଯାଏ ତାଙ୍କ ଘର ଛାଡ଼ି, ତେବେ ତାଙ୍କୁ ଆଗ ପରି ଜାତିରେ ନିଆହେବ କି ନା ?

ପ୍ରଭାକର ମିଶ୍ର କହିଲେ, ହଁ, ତା’ ହବ ନାହିଁ କାହିଁକି ? ତାଙ୍କ ସାଙ୍ଗେ ଆମର ଆଉ କ’ଣ ବିରୋଧ ଅଛି ? ତେବେ, ତେବେ–ସେ ଦିନ ଏତେ ଲୋକଙ୍କ ଆଗରେ ମତେ, ଯାହା ମୁହଁକୁ ଆସିଲା, କହିଗଲେ.... ।

କହିଲି, ତାଙ୍କରି ପାଇଁ ତ ଦୋଷ ମାଗିନେବାକୁ ମୁଁ ଆସିଚି ।

ପ୍ରଭାକର ମିଶ୍ର କହିଲେ, ତେବେ ଏ ଅଡ଼ୁଆଟା ନିଷ୍ପତ୍ତି ହୋଇଗଲେ ସେ କଥାଟା ଆଉ କ’ଣ ଛିଡ଼ିଯିବ ନାହିଁ, ରହିବ ?

ଏ ଅଡ଼ୁଆ ମୁଁ । ବର୍ଷକ ଆଗେ ଯୋଉଠି ସମସ୍ତେ ମତେ ଏତେ ଶ୍ରଦ୍ଧା କରୁଥିଲେ, ଆଜି ସେଇଠି ମୁଁ ପୁଣି ସମସ୍ତଙ୍କ ମନରେ ଏମିତି କଣ୍ଟା ପରି ଫୁଟିଚି ! କୌଣସି ଉପାୟରେ ମତେ ଏଠୁ ତଡ଼ିପାରିଲେ ଯେମିତି ସେମାନେ ତ୍ରାହି ପାଇବେ ।

ପଦାକୁ ଆସିଲି । ଯିବା ଲାଗି ସଇତା ଉଠି ଠିଆ ହୋଇଥିଲା, ମୋ ଆଗେ ଆଗେ ବାଟକୁ ଆସିଲା । ଏଇ ଲୋକଗୁଡ଼ାଙ୍କ ପାଖରେ ସ୍ନେହ-ପ୍ରୀତି ସମାଜର ତୁଳାଦଣ୍ଡରେ ଓଜନ ହୁଏ-। ହୃଦୟର ସମ୍ପର୍କ ସେଠି କିଛି ନାହିଁ । ଆସିଲାବେଳୁ ‘ଅଶୋକା’ଙ୍କୁ ‘ଯାଉଛି’ ବୋଲି କହି ଆସି ନ ଥିଲି-। ଏଇକ୍ଷିଣା ମନେହେଲା, ଭଲ କରିଛି ନା କହି ।

ସେତେବେଳଯାଏ ସତକୁ ସତ ନାଥନନା ପିଣ୍ଡାରେ ମତେ ଚାହିଁ ବସିଥିଲେ ।

ମୁଁ ଏ ଆଡ଼ୁ ରୋଷେଇ ଘରକୁ ଚାଲିଗଲି । ଲାଜରେ ଗଲି ନାହିଁ ତାଙ୍କ ପାଖକୁ, କାଳେ ପଚାରିବେ, କୁଆଡ଼େ ଯାଇଥିଲୁ ?

ଖାଇପିଇସାରି ନାଥନନା ହେରିକା ଶୋଇବାକୁ ଗଲେ । ଖଞ୍ଜାଭିତର ଦଣ୍ଡକେ ଶୂନ୍‌ଶାନ୍‌ ହୋଇଗଲା । ଘରଭିତରେ ନିର୍ଜୀବଙ୍କ ପରି ଖାଲି ମୁଁ ପଡ଼ିଥାଏ, କିନ୍ତୁ ନିଦ ଲାଗିବାର ସେଦିନ ମୋର ମୋଟେ ଉପାୟ ନ ଥିଲା । ଏକୁଟିଆ ହେଲାରୁ ଦିନଯାକର ସବୁ ଚିନ୍ତା କୁଆଡ଼ୁ ଆସି ମତେ ଘେରି ବସିଲା । ବିଶେଷରେ ନାଥନନାଙ୍କ କଥା । ସତେ ତ କୋଉ ଦାବିରେ ଆଜି ମୁଁ ୟାଙ୍କ ଘରେ ରହି ସବୁ କଥାରେ ୟାଙ୍କୁ ଦିହଗଞ୍ଜ କରି ମାରୁଚି ? ତାଙ୍କର ଗୌରବ ତାଙ୍କର ପ୍ରତିପ୍ରତ୍ତି କୋଉ ଅଧିକାରରେ ଏମିତି ଜାଣି ଜାଣି ନଷ୍ଟ କରିବି ମୁଁ ? ବାଡ଼ିପଟ ଆମ୍ୱତୋଟା ନିଶବଦ ଭିତରେ ଦୁଇଥର ବିଲୁଆ ବୋବାଇଗଲେ । ବିଛଣା ଛାଡ଼ି ଆସ୍ତେ ଆସ୍ତେ ଉଠିଲି । ଠଣା ଉପରେ ନାଥନନାଙ୍କ ପଢ଼ିବାବେଳର ଖାତା ଖଣ୍ଡେ ତେଲ ଚିକିଟାରେ ଜୁଡ଼ୁ ବୁଡ଼ୁ ହୋଇ କୋଉ କାଳୁ ପଡ଼ିଥିଲା । ସେଥିରୁ ଦୁଇଖଣ୍ଡ କାଗଜ ଚିରି ଲେଖିବସିଲି-

ବ୍ୟର୍ଥ ଜୀବନର ଶେଷ ଭରା’ ପାଖରେ ଠିଆହୋଇ ତମକୁ ଏ ଚିଠି ଲେଖିବାକୁ ବସିଚି-। ଜାଣେ, ତମେ ଯେତେବେଳେ ଏହା ପଢ଼ିବ, ସେତେବେଳେ ମୁଁ ଆଉ ତମ ପାଖରେ ନ ଥିବି । ତଥାପି ମୋର ଏ ହାତଲେଖା ଖଣ୍ଡି ଏମିତି ତମରି ହାତରେ ଧରି ପଢ଼ିବ, ତମ ସତୀର ବିଦାୟ-ମୁହୂର୍ତ୍ତର ମୂକ ସାକ୍ଷୀ ଏଇ ଅକ୍ଷରଗୁଡ଼ିକ ଗୋଟି ଗୋଟି କରି । ମୁଁ ସେତେବେଳେ ଯାଇ କେତେଦୂରରେ, କିଏ ଜାଣେ । ଜୀବନର ଅସୀମ ବିଫଳତା ଭିତରେ, ମୋର ସେତିକିରେ ଚରମ ଆନନ୍ଦ-। ଜୀବନଟା ସାରା ତୁମକୁ କେତେ ଦହଗଞ୍ଜ କଲିଟି ମିଛରେ ଖାଲି ନିଜର ସୁଖସ୍ୱପ୍ନ ପଛରେ ବାଟବଣା ହୋଇ । କେତେ କେତେ ଅପମାନିତ କେଡ଼େ ହୀନ ହେଲ ମୋ ପାଇଁ ତମେ-? ଆଜି ସେ ପାପର ଗୁରୁତ୍ୱର ପ୍ରାୟଶ୍ଚିତ୍ତ କରିବାକୁ ମୁଁ ତମକୁ ଛଡ଼ିକରି ଯାଉଚି-କିନ୍ତୁ କୁଆଡ଼େ ? ଭାବି ନାହିଁ, ଭାବନା ଦରକାର ବି ନାହିଁ । ଖାଲି ଏତିକି ଜାଣେ, ମତେ ଯିବାକୁ ହବ । ଚାରିଆଡ଼ ନିଶୂନ । ବହଳ ଭିତରେ ଦିଗଭାଗ ସବୁ ହଜିଯାଇଚି, ଖାଲି ମୋର ଆଗରେ ଏଇ ଛୋଟ ଦୀପଟି କାନ ପାରି ମୋ କଥା ଶୁଣୁଚି । ଦୂର ଆକାଶରେ ଗୋଟାଏ ଟେଣ୍ଟେଇ ଦୀର୍ଘ ଉଦାସ ସ୍ୱରରେ ରାତିର ନିଶବ୍ଦ ଉପରେ ଗୋଟାଏ ଉଦାସ ସ୍ୱରରେ ଗୋଟାଏ କରୁଣ ରେଖା ଟାଣି ଦେଇ ଗଲା । ରାତିଟା ବଡ଼ ନିଛାଟିଆ ଲାଗୁଚି । ଏମିତି କେତେ ନିଶୂନ ରାତି, କେତେ ଦି’ପହର ମୋର ତମରି ଭାବନାରେ କଟିଯାଇଚି, ଜୀବନରେ ମଧୁର ପ୍ରହେଳିକା ମୋର । କେତେ ସଞ୍ଜ ସକାଳ ତମରି ସ୍ନେହର ସ୍ମୃତି ଉପରେ ଆଶାର ସୁନାଜାଲି ବୁଣି ବୁଣି । ଏ ବ୍ୟର୍ଥ ଜୀବନର ଛନ୍ଦହୀନ ଶୂନ୍ୟତା ଭିତରେ ଖାଲି ସେତିକି ମୋର ଚରମ ସୁଖ–ମୁଁ ଏଠି ବସି ଲେଖୁଚି, ଭିତରଘରୁ ବିରାଡ଼ିଟା ଆସି ମୋ ମୁହଁକୁ ଚାହିଁ ଦଣ୍ଡେ ଠିଆହେଲା । କ’ଣ ଭାବି କେଜାଣି ଯାଇ ତମ ଘର ପିଣ୍ଡାଧାରରେ ଶୋଇଲା । କାଲି ସକାଳ ହେଲେ ସେ ତ ତମକୁ ଦେଖିବ, କାଲି ଓପରଓଳି-ଏମିତି ବଞ୍ଚିଥିବାଯାଏ ତ ସେ ତମକୁ ନିତି ଦେଖୁଥିବ...ଯାଉଛି, ଯିବା ଛଡ଼ା ମୋର ଗତି ନାହିଁ ବୋଲି । ବିଦାୟ ବେଳରେ କାହାରି ପାଖରେ ଗୁହାରି କରିବାର ମୋର କିଛି ନାହିଁ-। କାହାରି ଉପରେ ରାଗ କରିବାର, ଦୋଷ ଦେବାର । ତମେ ସେ ଘରେ ଶୋଇଚ କେଡ଼େ ନିଶ୍ଚିନ୍ତରେ । ଗଭୀର ନିଦର କବାଟଟା ଧଡ଼୍‌କରି ହୋଇଗଲା-ପବନରେ ବୋଧହୁଏ । ଘର ଭିତରେ ପଶି କେଡ଼େ ଧୀରେ ତମ ଦିହରେ ହାତ ବୁଲାଇଦେଇ ଚାଲିଯାଇଥିବ ସେ । ଏଠି ବସି ମୋର ମନ ହଉଚି ପବନ ପରି ଲଘୁ ଗତିରେ ତମ ଘରକୁ ଯାଆନ୍ତି । ପାଖରେ ଠିଆହୋଇ ଜୀବନଭରି ଲାଗି ଥରେ ତମ କପାଳରୁ ଝାଳ ପୋଛିଦିଅନ୍ତି...ଜୀବନରେ ତମକୁ ମୁଁ କାମନା କରିଛି; କିନ୍ତୁ ଅଧିକାର କରି ନାହିଁ । ଏତେ ପାଖରେ ସବୁବେଳେ ପାଇ ସୁଦ୍ଧା ‘ପାଇବି’ ଖାଲି ଏଇ ଆଶାରେ ଆଜିଯାଏ ମନ ବାନ୍ଧିଥିଲି, ଏଣିକି ମୋର ଶେଷ ସଙ୍ଖାଳି ସେ ଆଶାଟିକ ବି ଗଲା । ...ତମ ଘର ଭିତର ଅନ୍ଧାର । ଗଲାବେଳେ ତମ ମୁହଁ ଶେଷଥର ପାଇଁ ଟିକେ ଦେଖିପାରୁନାହିଁ । ଆଉ କେତେଘଡ଼ି ଗଲେ ସକାଳ ହୋଇଯିବ । ବାହାରୁ ତମକୁ ସଫା ଦିଶିବ, କିନ୍ତୁ ମୋ ଆଖିକି ଆଉ ନୁହେଁ । ଜୀବନଭରି ଏଇପରି ଅନ୍ଧାରରେ ତମରି ହସ ହସ ମୁହଁ ମନେପକାଇ ମତେ ଦମ୍ଭ ବାନ୍ଧିବାକୁ ହବ । ଗଲାବେଳେ ବଡ଼ ଇଚ୍ଛା ହଉଚି, ତମକୁ ଟିକେ କହିକରି ଯିବାକୁ, କିନ୍ତୁ କଥା ଜାଣିଲେ ଆଉ କ’ଣ ତମେ ମତେ ଛାଡ଼ି ଦିଅନ୍ତ ? ମୋର ଅସୀମ ଲୋଭ ଲାଗି କଳ୍ପିତ ପ୍ରାୟଶ୍ଚିତ୍ତ ତମେ କ’ଣ ଆଉ କରେଇ ଦିଅନ୍ତ ମତେ ?

ମତେ ଆଉ ବେଶୀ ଖୋଜିବ ନାହିଁ । ବୃଥାରେ ଏ ହୀନକପାଳୀ ପାଇଁ ଏଣେୟତେଣେ ଦଉଡ଼ି ଅନିୟମ କରିବ ନାହିଁ । ଅନିୟମ କଲେ କିଏ ଆଉ ତମକୁ ଆକଟିବାକୁ ଅଛି କି ? ଆଜିଠଉଁ ତ ତମର ଛୁଟି !! ...ନିତିଦିନର ସହସ୍ର ପରିଚିତ ଏଇ ଘର, ଘରର ପ୍ରତି ଇଟା ଖଣ୍ଡିକ-ଅଗଣାରେ ପ୍ରତି ଧୂଳିକଣା ସମସ୍ତଙ୍କଠଉଁ ଆଜି ଜୀବନସାରା ପାଇଁ ବିଦାହୋଇ ଯାଉଚି । କୁଆଁତରା ଉଠିଲାଣି, ସକାଳ ହବାକୁ ଆଉ ବେଶୀ ଡେରି ନାହିଁ । ଆଉ ଦଣ୍ଡକେ ଅନ୍ଧାର ଭିତରେ ବାଟଘାଟ ବାରିହୋଇ ଦିଶିବ, କିନ୍ତୁ ସେଇ ଅନ୍ଧାର ସାଥିରେ ଅନ୍ଧାରଠଉଁ ଆହୁରି ନିଉଛଣା ଏ ଦିହଟା ମୋ ସବୁଦିନ ଲାଗି ହଜିଯିବ । .......ଯାଉଛି । ସତୀ ବୋଲି କିଏ ଥିଲା, ଏ କଥା ଆଉ ମନେ ପକାଇବ ନାହିଁ । ମିଛରେ ଭାବି ଭାବି ଦିହକୁ ଅଯତ୍ନ କରିବ ନାହିଁ, ମୋ ସୁନାଟା ପରା ।

ଅନ୍ଧାର ଭିତରେ ଆସ୍ତେ ଆସ୍ତେ ବାହାରକୁ ଆସି ସାବଧାନରେ ଥରେ ଭଲକରି ଚାରିଆଡ଼କୁ ଚାହିଁଲି । କେହି କୁଆଡ଼େ ନାହାନ୍ତି । ଗୋଡ଼ ଚିପି ଚିପି ଯାଇ ନାଥନନାଙ୍କ ଶୋଇଲାଘର ଦୁଆର ମୁହଁରେ ଠିଆହେଲି । ସବୁଦିନ ପରି କବାଟ ଦରଆଉଜା ହୋଇଚି । ନିଃଶ୍ୱାସ ବନ୍ଦକରି ଭିତରକୁ ଚାହିଁଲି, ଅନ୍ଧାରରେ କିଛି ଦିଶିଲା ନାହିଁ । ଭାବିଲି, ଭଲ ହୋଇଚି । କେଡ଼େ କଷ୍ଟରେ ମନ ବାନ୍ଧି ତାଙ୍କରି ପାଇଁ ଆଜି ମୁଁ ଏଠୁ ବିଦାହୋଇ ଯାଉଚି । ଏତେବେଳେ ତାଙ୍କ ମୁହଁ ଦେଖିଲେ ମୋ’ର ମନ ଦମ୍ଭ କୁଆଡ଼େ ଉଭେଇ ଯାଆନ୍ତା । ଯିବା ଆଉ ହୁଅନ୍ତା ନାହିଁ ।

ସେଇଠି ସେଇ ଦୁଆରବନ୍ଧ ଉପରେ ତାଙ୍କ ଉଦ୍ଦେଶ୍ୟରେ ମଥା ଲଗାଇ ଦଣ୍ଡବତ ହେଲି-। ଏତେବେଳଯାଏ ଯେତେ ଧୈର୍ଯ୍ୟ, ଯେତେ ଟାଣଯାକ ମନରେ ସଞ୍ଚିଥିଲି, ସବୁ କୁଆଡ଼େ ମୋର ଦଣ୍ଡକେ ଚୁନା ହୋଇଗଲା । ଉଦ୍ୟତ କ୍ରନ୍ଦନକୁ ପଣତକାନିରେ ପ୍ରାଣପଣେ ଚାପିରଖି ଦାଣ୍ଡପିଣ୍ଡାକୁ ଦଉଡ଼ି ପଳାଇ ଆସିଲି । ସେମିତି ଆସ୍ତେ ଆସ୍ତେ ଚୋର ପରି ଶିକୁଳି ଫିଟାଇ ବାହାରେ ଆସି ଠିଆହେଲି ।

ଉପରେ ତାରାଚୁମୁକିଖୋସା ଏଇ ଅସରନ୍ତି ସରଗ ତଳେ ଭଗବାନଙ୍କ ସୃଷ୍ଟି ଭିତରେ ସତରେ ଆଜିଠଉଁ ମୁଁ ଏକା । ମରିଗଲେ ମଧ୍ୟ ‘ଆହା’ ବୋଲି କହିବାକୁ କେହି ନାହିଁ । ଜୀବନରେ କ’ଣ ପାଇନଥିଲି ମୁଁ ? କିନ୍ତୁ ଏ ହୀନ କପାଳରେ କିଛି କ’ଣ ଆଉ ସାଜିଲା କି ? ଶେଷରେ ଜୀବନର ଲକ୍ଷ୍ୟ ବୋଲି ଯାହା ଗୋଡ଼ ତଳେ ଆଶ୍ରା ମାଗିଥିଲି, ଭଗବାନ ସେ ଆଶାଟି ମଧ୍ୟ ଏମିତି କାଢ଼ିନେଲେ ।

ଦାଣ୍ଡପିଣ୍ଡା କାନ୍ଥ ଦିହରେ ମଥା ରଖି ଭାବିଲି, ଗୋଟାଏ ପ୍ରଚଣ୍ଡ ଧୂମକେତୁ ପରି ଏ ଜୀବନଟା ମୋର, ଯାହାକୁ ସୃଷ୍ଟି ଦେଇଚି, ତା’ର ସର୍ବନାଶ କରି ଛାଡ଼ି ନାହିଁ ।

ଅନ୍ଧାରର ଅସରନ୍ତି ରାଇଜ ଭିତରୁ ଆଉଥରେ ବିଲୁଆ ଡାକିଗଲେ । ସକାଳ ହବାକୁ ଆଉ ବେଶୀ ଡେରି ନାହିଁ । ଚମକିଗଲେ । ପିଣ୍ଡାରୁ ଓହ୍ଲାଇ ଆସିଲି । ନକ୍ଷତ୍ରର ସ୍ପଷ୍ଟ ଆଲୋକରେ ଘରଆଡ଼କୁ ଶେଷ ଥରପାଇଁ ଥରେ ଚାହିଁ ଦେଇ ବେଗେ ଚାଲିବାକୁ ଲାଗିଲି, ଯୁଆଡ଼େ ଏ ଆଖି ଦି’ଟା ବାଟ କଢ଼େଇନେଲା । ବାଟ ଦି’ପଟେ ଗଛଗୁଡ଼ାକ ଅନ୍ଧାରରେ ପଥର ପାଲଟିଗଲା ପରି ଠିଆ ହୋଇଥାଆନ୍ତି । ଯେମିତି ସ୍ୱପ୍ନ ରାଇଜର କୋଉ ରୁପାକାଠି ପରଶରେ ସମସ୍ତେ ଶୋଇ ପଡ଼ିଛନ୍ତି ନିଦରେ, ଖାଲି ତା’ ଭିତରେ କୋଉଠି କେମିତି ଗୁଡ଼ାଏ ଜୁଳୁଜୁଳିଆ ପୋକ ପତରଫାଙ୍କରେ ଝଟକୁଥାନ୍ତି ରୁପା ଚୁମୁକି ପରି । ମୁଁ ଚାଲିଚି, ଗୋଟାଏ ଆଡ଼କୁ ମୁହଁକରି । ବାଟ ଯେମିତି ଏ ଜୀବନରେ ମୋର ସରିବାର ନୁହେଁ । କେତେବେଳେ ଟିକେ ଫରଚା ହୋଇଗଲା । ବହଳ ଅନ୍ଧାର ଫିକା କରି ଗାଁ ଗଣ୍ଡା ବାରିହୋଇ ଦିଶିଲା । ଚାଲୁ ଚାଲୁ ହଠାତ୍‌ ଥକ୍‌କା ହୋଇ ଠିଆ ହୋଇଗଲି । ଆଗରେ ନଈ .......

Image